Latest Odisha News

BREAKING NEWS

ସୋନିଆ ଓ ରାହୁଲ ଗାନ୍ଧୀଙ୍କୁ ଇଡି ସମନ; ନେଶନାଲ ହେରାଲ୍ଡ ମାମଲାରେ ହେବ ତଦନ୍ତ

ଭୁବନେଶ୍ୱର: ନେଶନାଲ ହେରାଲ୍ଡ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ପୁଅ ତଥା ସାଂସଦ ରାହୁଲ ଗାନ୍ଧୀଙ୍କୁ ଜେରା କରିବା ପାଇଁ ସମନ ଜାରି କରିଛି । ସୋନିଆଙ୍କୁ ଜୁନ୍ ୮ ଏବଂ ରାହୁଲଙ୍କୁ ଜୁନ୍ ୨ରେ ଇଡି କାର୍ଯ୍ୟାଳୟରେ ହାଜର ହେବା ପାଇଁ ନୋଟିସ କରାଯାଇଛି ।

ସେପଟେ ରାହୁଲ ବିଦେଶରେ ଥିବାରୁ ଅତିରିକ୍ତ ସମୟ ମାଗିଛନ୍ତି । ଜୁନ୍ ୫ ତାରିଖ ପରେ ହାଜର ହେବାକୁ ସମ୍ଭବ ହେବେ ବୋଲି ରାହୁଲ ଜଣାଇଛନ୍ତି । ତେବେ କଂଗ୍ରେସ ଏହାକୁ ଏକ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛି । ଦଳୀୟ ମୁଖପାତ୍ର ତଥା ବରିଷ୍ଠ ଓକିଲ ଅଭିଷେକ ମନୁସିଂଘଭି ଏହି ମାମଲାରେ ପ୍ରେସକୁ ପ୍ରତିକ୍ରିୟା ଦେଇଛନ୍ତି ।

ସେ କହିଛନ୍ତି ଯେ, “ଏହା ଦେଶର ପ୍ରଥମ ଆର୍ଥିକ ହେରଫେର ମାମଲା । ଯେଉଁଥିରେ କିଛି ଆର୍ଥିକ କାରବାର ହୋଇନାହିଁ । ଏବଂ ଏହି ଘଟଣାରେ କୌଣସି ପ୍ରମାଣ ମଧ୍ୟ ନାହିଁ ।” ଆଗକୁ ବିଧାନସଭା ନିର୍ବାଚନକୁ ନଜରରେ ରଖି ଶାସକ ଦଳ ଏହି କୁତ୍ସିତ ରାଜନୀତି କରୁଛି ବୋଲି କହିଛି କଂଗ୍ରେସ ।

୨୦୧୫ ମସିହାରେ ନିଜେ ଇଡି ପ୍ରମାଣ ଅଭାବରୁ ଏହି ମାମଲାକୁ ବନ୍ଦ କରିଦେଇଥିଲା । କିନ୍ତୁ ଏଥିରେ କେନ୍ଦ୍ର ସରକାର ସନ୍ତୁଷ୍ଟ ନ ହେବାରୁ ପୁଣି ହୀନ ରାଜନୀତି ଆରମ୍ଭ ହୋଇଛି ବୋଲି ଦଳ ପକ୍ଷରରୁ କୁହାଯାଇଛି ।

ଇଡି ପିଏମଏଲଏ ଆକ୍ଟରେ ଉଭୟ ସୋନିଆ ଏବଂ ରାହୁଲଙ୍କ ବୟାନ ରେକର୍ଡ କରିବାକୁ ଚାହୁଁଛି । କଂଗ୍ରେସ କହିଛି ଯେ, ଏହି ମାମଲାରେ କିଛି ଦୁର୍ନୀତି କିମ୍ବା ଆର୍ଥିକ କାରବାର ହୋଇନି । କେବଳ ଋଣକୁ ଇକ୍ୱିଟିରେ ପରିବର୍ତ୍ତନ କରି ଦରମା ଦେବାର ବ୍ୟବସ୍ଥା କରାଯାଇଛି ।

ସୂଚନାଯୋଗ୍ୟ, ୨୦୧୩ ମସିହାରେ ବିଜେପି ଏମପି ସୁବ୍ରମଣ୍ୟମ ସ୍ୱାମୀ ଆଇଟି ବିଭାଗ ନିକଟରେ ଏକ ଅଭିଯୋଗ କରିଥିଲେ । ଏବଂ ଆଇଟି ଏହାର ତଦନ୍ତ କରି ଟ୍ରାଏଲ କୋର୍ଟ ନିକଟରେ ତଦନ୍ତ ରିପୋର୍ଟ ଦାଖଲ କରିଥିଲା । କୋର୍ଟ ଏହି ମାମଲାକୁ ଗୁରୁତ୍ୱର ସହ ନେବା ପରେ ଇଡି ଏହି ମାମଲାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।

Leave A Reply

Your email address will not be published.