Latest Odisha News

ପୁଣି ନାଁ ପରିବର୍ତ୍ତନ କଲେ ଏଲନ ମସ୍କ

ନୂଆଦିଲ୍ଲୀ: ଟେସଲାର ସିଇଓ ଏଲନ ମସ୍କ ଓପନଏଆଇ କିଣିବା ପାଇଁ ୯୭.୪ ବିଲିୟନ ଡଲାରର ପ୍ରସ୍ତାବ ଦେବା ପରେ ମସ୍କ ପୁଣି ଥରେ ତାଙ୍କ ‘ଏକ୍ସ’ ଆକାଉଣ୍ଟ ନାମକୁ ପରିବର୍ତ୍ତନ କରି ‘ହ୍ୟାରି ବୋଲ୍ଜ୍’ ରଖିଛନ୍ତି।

ତେବେ ମସ୍କ ଏହା ପୂର୍ବରୁ ୨୦୨୩ ମସିହାରେ ମଧ୍ୟ ତାଙ୍କର ‘ଏକ୍ସ’  ଆକାଉଣ୍ଟର ନାମ ପରିବର୍ତ୍ତନ କରି ‘ହ୍ୟାରି ବୋଲ୍ଜ୍’ ରଖିଥିଲେ। ଯାହା ଏକ ଅଶାଳୀନ ଶବ୍ଦ। ସେତେବେଳେ ସେ ମଜାଳିଆ ଭାବରେ କହିଥିଲେ ଯେ ମୁଁ ଚାହେଁ ଯେ ସବୁ ଜିନିଷକୁ ଗମ୍ଭୀର ଭାବେ ନେଉଥିବା ଗଣମାଧ୍ୟମ ସଂଗଠନ ‘ହ୍ୟାରି ବୋଲ୍ଜ୍’ ଉପରେ କାହାଣୀ ଲେଖନ୍ତୁ।

ସେ ଗତବର୍ଷ ଡିସେମ୍ବର ୨୦୨୪ ରେ ମଧ୍ୟ ନିଜର ୟୁଜରନେମକୁ ପରିବର୍ତ୍ତନ କରି ‘କେକିଅସ୍ ମ୍ୟାକ୍ସିମସ୍’ ରଖିଥିଲେ। ଏହା  ଇଣ୍ଟରନେଟ୍ ମିମ୍ ‘ପେପେ ଦି ଫ୍ରଗ୍’ ଏବଂ ‘ଗ୍ଲାଡିଏଟର୍’ ଫିଲ୍ମର ଚରିତ୍ର ମ୍ୟାକ୍ସିମସ୍ ଡେସିମସ୍ ମେରିଡିୟସର ମିଶ୍ରଣ ବୋଲି କୁହାଯାଉଥିଲା। ଗୋଲ୍ଡେନ କବଚ ପିନ୍ଧିଥିବା ପେପେ ଦି ଫ୍ରଗ୍ ଏକ ଭିଡିଓ ଗେମ୍ କଣ୍ଟ୍ରୋଲର୍ ଧରିଥିବାର ପ୍ରୋଫାଇଲ ଫଟୋରେ ଦେଖାଯାଇଥିଲା।

ଅପରପକ୍ଷରେ ମସ୍କଙ୍କ ପ୍ରସ୍ତାବକୁ ନେଇ ଓପନଏଆଇର ସିଇଓ ସାମ୍ ଅଲ୍ଟମ୍ୟାନ୍ କହିଛନ୍ତି ଯେ ତାଙ୍କ କମ୍ପାନୀକୁ ସେ ବିକ୍ରି କରିବେ ନାହିଁ। ଓଲଟା ସେ ମସ୍କଙ୍କ ଟିମଙ୍କୁ କହିଥିଲେ ଯେ ଯଦି ଆପଣ ଚାହିଁବେ  ତେବେ ଆମେ ‘ଏକ୍ସ’ କୁ ୯.୭୪ ବିଲିୟନ ଡଲାରରେ କିଣିପାରିବୁ।

Comments are closed.