Latest Odisha News

BREAKING NEWS

ରାବାହିକ ଉପନ୍ୟାସ : ସୁଲୋଚନା (୯)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ଭାଗ : ୯

” ମୁଁ ନାଗକନ୍ୟା ସୁଲୋଚନା । ପିତା ବାସୁକିଙ୍କ ଦ୍ୱାରା ଅଭିଶପ୍ତା ହୋଇ ପୃଥିବୀ ମାତାଙ୍କ କୋଳରେ ଆଶ୍ରିତା । ଆପଣଙ୍କ ପରିଚୟ ? ”

” ବୀର ପୁରୁଷଙ୍କର ପରିଚୟ ତାଙ୍କର ବୀରତ୍ୱ ଓ ତାଙ୍କର ପୌରୁଷ। ମୁଁ ତ୍ରିଲୋକ ବିଜୟୀ ଲଙ୍କାଧିପତି ରାବଣଙ୍କର ପୁତ୍ର ମେଘନାଦ। ପରିଣୟ ସୂତ୍ରରେ ତୁମ ସହିତ ସମ୍ପୂର୍ଣ୍ଣ ଜୀବନ ପାଇଁ ବନ୍ଧା ହେବାକୁ ଇଚ୍ଛୁକ। ତୁମର ଯଦି ମୋ ପ୍ରସ୍ତାବରେ ଆପତ୍ତି ନ ଥାଏ ତେବେ ଆଜି ହିଁ ଆମେ ବିବାହ କରିବା । ”

ସୁଲୋଚନାଙ୍କୁ ପିତାଙ୍କ ଅଭିଶାପ ସ୍ମରଣ ହେଲା। କୌଣସି ଦୈତ୍ୟ ସହିତ ତାଙ୍କର ବିବାହ ହେବ। ମନେ ମନେ ଚିନ୍ତା କଲେ, ତେବେ କ’ଣ ମେଘନାଦ ହିଁ ସେହି ଦୈତ୍ୟ” ଧୀର କଣ୍ଠରେ କହିଲେ, ” ମୋର ପିତା…”

ଅଚାନକ ଦେବର୍ଷି ନାରଦ ସେଠାରେ ପ୍ରକଟ ହୋଇ କହିଲେ, ” ବିଧିର ବିଧାନ ଅବଶ୍ୟ ଘଟିବ। ତୁମ ଦୁଇଜଣଙ୍କର ବିବାହ ବିଧିନିର୍ଦ୍ଦିଷ୍ଟ। ଏହା ମଧ୍ୟ ନାଗକନ୍ୟାଙ୍କର ପିତାଙ୍କର ଅଭିଶାପ। ନାରଦ ଋଷି ନିଜେ ହିଁ ମେଘନାଦ ଓ ସୁଲୋଚନାଙ୍କର ବିବାହ କରାଇଲେ ଏବଂ କହିଲେ, ” ବର୍ତ୍ତମାନ ତୁମେ ଦୁଇଜଣ ନାଗଲୋକକୁ ଯାଇ ପିତାଙ୍କର ଆଶୀର୍ବାଦ ନିଅ। ” ଯେପରି ପ୍ରକଟ ହୋଇଥିଲେ ସେହିପରି ନାରଦ ହଠାତ ଅନ୍ତର୍ଦ୍ଧାନ ହୋଇଗଲେ।

ପତ୍ନୀ ସୁଲୋଚନାଙ୍କୁ ସାଙ୍ଗରେ ନେଇ ମେଘନାଦ ନାଗଲୋକରେ ପହଞ୍ଚିଲେ। ସୁଲୋଚନା ପିତା ବାସୁକିଙ୍କୁ ପ୍ରଣାମ ଜଣାଇ ଇନ୍ଦ୍ରଜିତଙ୍କ ସହ ତାଙ୍କର ବିବାହ ସମ୍ପନ୍ନ ହୋଇ ସାରିଥିବା ଜଣେଇ ନଵ ଜୀବନ ପାଇଁ ଆଶୀର୍ବାଦ ଭିକ୍ଷା କଲେ। କନ୍ୟାର ଆଚରଣରେ ପୂର୍ବରୁ ଅସନ୍ତୁଷ୍ଟ ଥିବା ପିତା , ଇନ୍ଦ୍ରଜିତ ତାଙ୍କର ଜାମାତା ଜାଣି ଅଧିକ କ୍ରୋଧିତ ହୋଇ ସୁଲୋଚନାଙ୍କୁ ଭର୍ତ୍ସନା କଲେ। ମେଘନାଦଙ୍କ ପ୍ରତି ମଧ୍ୟ କଟୁ ବାକ୍ୟ ପ୍ରୟୋଗ କଲେ।

ନିଜ ପ୍ରତି ଓ ଅସୁର କୁଳ ପ୍ରତି ବିଦ୍ରୂପଭରା କଟୁ ବଚନ ଶୁଣି ମେଘନାଦ ମଧ୍ୟ କ୍ରୋଧାନ୍ୱିତ ହୋଇ ବାସୁକିଙ୍କୁ କହିଲେ, ” ମୋ ପରି ଶୌର୍ଯ୍ୟବାନ ଓ ପରାକ୍ରମୀ ଜାମାତା ପ୍ରାପ୍ତ ହେବା ପରମ ସୌଭାଗ୍ୟର କଥା। ଆପଣ ଆନନ୍ଦ ପ୍ରକଟ କରିବା ପରିବର୍ତ୍ତେ କ୍ଷୋଭ ପ୍ରକାଶ କରୁଛନ୍ତି ? ତ୍ରିଲୋକରେ ଏପରି କେହି ନାହିଁ ଯାହାକୁ ମୁଁ ଜୟ କରି ନ ପାରିବି ! ଏଇ ଦେଖନ୍ତୁ ଇନ୍ଦ୍ରକୁ। ସେ ଆଜି ମୋର ବନ୍ଦୀ। ତାକୁ ଯୁଦ୍ଧରେ ପରାଜିତ କରି ମୁଁ ଆଜି ଇନ୍ଦ୍ରଜିତ ହୋଇଛି। ମୁଁ.. ଇନ୍ଦ୍ରଜିତ.. ତ୍ରିଭୁବନରେ କାହାକୁ ଭୟ କରେନାହିଁ।

କ୍ରମଶଃ…

Leave A Reply

Your email address will not be published.