Latest Odisha News

BREAKING NEWS

ଓଡିଶୀ ନୃତ୍ୟର ସାର୍ବକାଳୀନ ମହାନାୟକ, ଗୁରୁ କେଳୁଚରଣ ମହାପାତ୍ର

ବଞ୍ଚିଥିଲେ,ସରକାରୀ କାଗଜପତ୍ର ଅନୁଯାୟୀ ଆଜି ଗୁରୁ କେଲୁଚରଣ ମହାପାତ୍ରଙ୍କ ବୟସ ୯୫ ହୋଇଥାନ୍ତା। ତେବେ ଗତ ୧୭ ବର୍ଷ ହେଲା ସେ ଆମଠୁ ସବୁଦିନ ପାଇଁ ବିଦାୟ ନେଇସାରିଛନ୍ତି। , ଜାନୁଆରୀ, ୧୯୨୬ରେ ତାଙ୍କର ଜନ୍ମ ଓ ୭, ଏପ୍ରିଲ, ୨୦୦୪ରେ ତାଙ୍କର ତିରୋଧାନ। ଅବଶ୍ୟ ତାଙ୍କ ଜନ୍ମଦିନକୁ ନେଇ ଟିକେ ଦ୍ଵନ୍ଦ୍ଵ ରହିଛି। ଏ ଦ୍ଵନ୍ଦ୍ଵ ଟି ସବୁ ଓଡିଆଙ୍କର ଭାଗ୍ୟ। ଗୋଟେ ସମୟରେସବୁ ଓଡିଆଙ୍କର ଦୁଇଟି ଜନ୍ମଦିନ ରହୁଥିଲା- ଗୋଟେ ଜାତକରେ, ଆରଟି ସରକାରୀ ନଥିପତ୍ରରେ। ତେବେ ଗୁରୁ କେଲୁଚରଣଙ୍କ ଜନ୍ମ, ବୟସ ଓ ଆୟୁଷ ଗୋଟେ ପ୍ରଶ୍ନବାଚୀ ନୁହେଁ। ତାଙ୍କର ଜନ୍ମ ସତ୍ୟ, ମୃତ୍ୟୁ କିନ୍ତୁ ଅସମ୍ଭବପ୍ରତିଦିନ ପୃଥିବୀର କୌଣସି ନା କୌଣସି ମଞ୍ଚରେ ତାଙ୍କର ନାମ ଉଚ୍ଚାରିତ ହେଉଛି। ପୃଥିବୀର ଶହ ଶହ ଓଡିଶୀ ନୃତ୍ୟଶିଳ୍ପୀ କେଉଁଠି ନା କେଉଁଠି ଗୁରୁ କେଲୁଚରଣ ମହାପାତ୍ରଙ୍କ ଜୀବନ ଓ କଳାକୁ ନୂଆ କରି ପରିବେଷଣ କରୁଛନ୍ତି। ଭାରତୀୟ ଶାସ୍ତ୍ରୀୟ ନୃତ୍ୟରେ ତାଙ୍କର ଭୂମିକା ସବୁଠୁ ଭିନ୍ନଚାଳିଶ ଦଶକ ଆଗରୁ ଓଡିଶୀ ନୃତ୍ୟ ଆମ ମନ୍ଦିର କାନ୍ଥରେ ହୁଏତ ପଥରର ପ୍ରତିମା ହୋଇ ରହିଥିଲା, କିମ୍ବା ଗାଁ ଗହଳରେ ଗୋଟିପୁଅ, ରାସ, ସଖୀନାଟ କି ଶବ୍ଦ ସ୍ବରପାଟ ଭିତରେ ଲୁଚିକି ରହିଥିଲା!ତାକୁ ପଥରରୁ ପ୍ରାଣବାନ କରାଇବାରେ ଯେଉଁ ଅଳ୍ପ କେତେଜଣ ମହାନାୟକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ, ତାଙ୍କ ଭିତରେ ପ୍ରଧାନ ନାୟକ ଥିଲେ ଗୁରୁ କେଲୁଚରଣ। ଓଡିଶୀ ନୃତ୍ୟର ନବ କଳେବର ଓ ଏହାର ପ୍ରସିଦ୍ଧି ପଛରେ ଗୁରୁଜୀ ମହାନାୟକର ଭୂମିକା ନେଇଛନ୍ତି।

 

ସଂକ୍ଷେପରେ ଏକ ବିଶାଳ ଜୀବନ

ଗୁରୁଜୀଙ୍କ ଜୀବନ କାହାଣୀକୁ ଛୋଟ କରି କହିହେବା ନାଇଁ। ସେ ସ୍ଵୟଂ ସଂପୂର୍ଣ୍ଣ ଏକ ଇତିହାସ। ତାଙ୍କ ଜୀବନ ସହିତ ଓଡିଶୀ ନୃତ୍ୟର ଇତିହାସ ସମାନ୍ତରାଳରେ ଗତି କରିବାକୁ ବାଧ୍ୟ। ତେବେ ଅଳ୍ପରେ କହିଲେ ତାଙ୍କର ଜନ୍ମ ପୁରୀ ଜିଲ୍ଲାର ଶିଳ୍ପୀଗ୍ରାମ ରଘୁରାଜପୁରରେ। ମର୍ଦ୍ଦଳର ତାଲା ସହିତ ତାଙ୍କର ପ୍ରଥମ ପାଦ ସେଇ ଗାଁରେ ଇ ନାଚ ଶିଖିଛି। ପାଞ୍ଚ ବର୍ଷ ବୟସରେ ଗୁରୁ ବଳଭଦ୍ର ସାହୁଙ୍କ ଆଖଡା ଘରେ ସେ ଗୋଟିପୁଅ ଭାବେ ନାଚ ଆରମ୍ଭ କରିଥିଲେ। ଆଠ ବର୍ଷ ବେଳକୁ ଗାଁ ଛାଡି ପୁରୀର ପ୍ରସିଦ୍ଧ ମୋହନ ସୁନ୍ଦର ଦେବ ଗୋସ୍ଵାମୀଙ୍କ ରାଧାକାନ୍ତ ରାସ ଦଳରେ ସେ ଯୋଗ ଦେଇଥିଲେସେଇଠୁ ଅନ୍ନପୂର୍ଣ୍ଣା ଥିଏଟରରେ ଅଭିନୟ ଓ ନୃତ୍ୟଶିଳ୍ପୀ ର ଜୀବନ। ତାରି ଭିତରେ ଓଡିଶୀ ନୃତ୍ୟ ନୂଆ ପରିଚୟ ପାଉଛି। ୧୯୪୭ରେ ଅନ୍ନପୂର୍ଣ୍ଣା ଥିଏଟର –ବି ର ”ସାଧବଝିଅ” ନାଟକରେ ପ୍ରଥମ ଓଡିଶୀ ନୃତ୍ୟ “ଦଶାବତାର” ମଞ୍ଚସ୍ଥ ହେଲା। ଏ ସମ୍ପର୍କରେ ନାଟକର ନିର୍ଦ୍ଦେଶକ ଦୁର୍ଲ୍ଲଭଚନ୍ଦ୍ର ସିଂ ତାଙ୍କ ଆତ୍ମଜୀବନୀ ରେ ଲେଖିଛନ୍ତି- “ ସାଧବଝିଅ” ନାଟକରେ ବଳିଦ୍ବୀପର ଗୋଟେ ଦୃଶ୍ୟ ଥିଲା। ନାଟକରେ ନୃତ୍ୟ ସଂଯୋଜନା କରିବା ଲାଗି ନାଟ୍ୟକାରଙ୍କ ସହ ଆଲୋଚନା କରି ବଳିଦ୍ବୀପରେ ପୂର୍ବରୁ ପୌରାଣିକ ନୃତ୍ୟ ପ୍ରଚଳିତ ଥିବା ଯୋଗୁଁ ମୁଁ ଏଥିରେ “ଦଶାବତାର” ନୃତ୍ୟ ବସାଇବାର ପରିକଳ୍ପନା କରିଥିଲି। ଗୀତଟିର ସ୍ଵର ଶୁଦ୍ଧ କଲ୍ୟାଣ ରାଗରେ କରି, ଝାଁପ ତାଳରେ ବୋଲ ଗୁଡିକ ପ୍ରସ୍ତୁତ କରି ସେଥିରେ ଖଞ୍ଜିଲି।………..ଶ୍ରୀ କେଲୁଚରଣ ମହାପାତ୍ର ଓ ତାଙ୍କର ସ୍ତ୍ରୀ ଲକ୍ଷ୍ମୀପ୍ରିୟା ଅତି ସୁନ୍ଦର ଭାବରେ ଏହି ନୃତ୍ୟଟି ପରିବେଷଣ କରିଥିଲେ। ଅବଶ୍ୟ ସେତେବେଳେ ସେ ଦୁହିଙ୍କର ବିବାହ ହୋଇନଥିଲା।“

ଇତିହାସ ଦୃଷ୍ଟିରୁ ଆଧୁନିକ ରଙ୍ଗମଞ୍ଚରେ ତାହା ଥିଲା ଓଡିଶୀ ନୃତ୍ୟର ପ୍ରଥମ ପରିବେଷଣ। ୧୯୫୦ରେ ଗୁରୁଜୀ ସ୍ଵାଧୀନ ଭାବରେ ନୃତ୍ୟ ଶିକ୍ଷା ଦେବା ଆରମ୍ଭ କରିଥିଲେ। ୧୯୫୨ରେ ବାବୁଲାଲ ଦୋଷୀଙ୍କ ନେତୃତ୍ବରେ କଟକ କଳା ବିକାଶ କେନ୍ଦ୍ର ଗଠିତ ହେଲା ଓ ଏହାର ପ୍ରଧାନ ନୃତ୍ୟ ଶିକ୍ଷକ ଭାବରେ ଗୁରୁ କେଲୁଚରଣ ଦାୟିତ୍ଵ ନେଲେ। ତାଙ୍କର ଛାତ୍ର ଓ ଛାତ୍ରୀମାନେ ପରବର୍ତ୍ତୀ ସମୟରେ ଓଡିଶୀ ନୃତ୍ୟର ନୂଆ ଇତିହାସ ରଚନା କରିଛନ୍ତିମିନତୀ ମିଶ୍ର, ସଞ୍ଜୁକ୍ତା ପାଣିଗ୍ରାହୀ, କୁମକୁମ ମହାନ୍ତି ପ୍ରମୁଖ ସେଇ ସମୟରୁ ହିଁ ଗୁରୁଜୀଙ୍କର ହାତଗଢା ନର୍ତ୍ତକୀ ଭାବେ ମଞ୍ଚକୁ ଆସିଛନ୍ତି

୧୯୬୬ରେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମି ପୁରସ୍କାର, ୧୯୭୪ ରେ ପଦ୍ମଶ୍ରୀ, ୧୯୮୮ ରେ ପଦ୍ମ ଭୂଷଣ, ୧୯୯୫ରେ ଫ୍ରାନ୍ସ ସରକାରଙ୍କର ସ୍ଵତନ୍ତ୍ର ସମ୍ମାନ, ୨୦୦୦ ରେ ପଦ୍ମ ବିଭୂଷଣ ସମ୍ମାନରେ ସେ ସମ୍ମାନିତ ହୋଇଥିଲେ। ୨୦୦୪ରେ ହୃଦଘାତ ଯୋଗୁଁ ତାଙ୍କର ପରଲୋକ ଘଟିଥିଲା।

ଲାସ୍ୟ ଓ ଲାବଣ୍ୟର ଅମର ଚିତ୍ରକଥା

ଓଡିଶୀ ନୃତ୍ୟରେ କେଲୁଚରଣଙ୍କ ସମସାମୟିକ ଅନେକ ମହାନ ଗୁରୁ ଥିଲେ, ହେଲେ କାହିଁକି ସେ ଅନ୍ୟମାନଙ୍କ ଠାରୁ ଅଲଗା, ତାର ବିବେଚନା ଆଜି ଜରୁରୀ। ପଚାଶ ଦଶକରୁ ଓଡିଶୀର ନବ ନିର୍ମାଣ ଆରମ୍ଭ ହେଉଛି। ଏହି ସମୟରେ ଓଡିଶୀ ନୃତ୍ୟର ଚାରି ପ୍ରଧାନ ନାୟକ ଗୁରୁ ପଙ୍କଜ ଚରଣ ଦାସ, ଗୁରୁ ଦେବପ୍ରସାଦ ଦାସ, ଗୁରୁ କେଲୁଚରଣ ମହାପାତ୍ର ଓ ଗୁରୁ ମାୟାଧର ରାଉତଙ୍କ ଭିତରୁ କେଲୁଚରଣଙ୍କ ଭୂମିକା ଅଧିକ ଗୁରୁତ୍ୱପୂର୍ଣ୍ଣ। ଏହାର ଏକମାତ୍ର କାରଣ ହେଉଛି, କେଲୁଚରଣଙ୍କ ନୃତ୍ୟରେ ଓଡିଶୀକୁ ଦେଶୀ ବନ୍ଧନରୁ ମୁକ୍ତ କରି ସେ ଏକ ବିଶ୍ଵଦୃଷ୍ଟିର ନିର୍ମାଣ କରିଥିଲେ। ତାଙ୍କ ନୃତ୍ୟରେ ଲାସ୍ୟ ଓ ଲାବଣ୍ୟ (grace and beauty)ର ଚିତ୍ରକାରିତା ଫୁଟି ଉଠିଲା। ଜଣେ ସାଧାରଣ ଦର୍ଶକ ଶାସ୍ତ୍ରୀୟ ନୃତ୍ୟର ଶୈଳୀ ବା ବ୍ୟାକରଣ ଜାଣି ନଥାଇ ପାରେ, ତଥାପି ସେ କେଲୁଚରଣଙ୍କ ନୃତ୍ୟର କୁହୁକ ଆଗରେ ବସି ରହିବାକୁ ବାଧ୍ୟ। ନୃତ୍ୟର ଚାଲି, ଚାହାଣି, ଚମକ, ଗତି ଓ ଭଙ୍ଗୀରେ ଏକ ଚମତ୍କାରୀ ସୌନ୍ଦର୍ୟ ସେ ସୃଷ୍ଟି କରିଥିଲେ।

ଓଡିଶୀ ନୃତ୍ୟ ବିଷୟରେ ନିଜ ମତ ରଖିବାକୁ ଯାଇ ଏକଦା ସେ ଲେଖିଥିଲେ- “ଓଡିଶୀ ନୃତ୍ୟ ପାଇଁ ଗୀତ ଗାଇଲା ବେଳେ ଗାୟକ ମନେ ରଖିବା ଉଚିତ ଯେ ଏ ଗୀତର ପରିବେଶ ଓ ଅଭିବ୍ୟକ୍ତି କଣ? ୟା ପାଇଁ କେଉଁ ରସର ସମ୍ମିଶ୍ରଣ ପ୍ରୟୋଜନ । ଏବଂ ପରିଶେଷରେ ଏ ରଚନାର ମନୋଗତ ଭାବ କଣ? ଭାବ ଅନୁରୂପ ଏହାର ସୁର ସଂଯୋଜନା ହୋଇଛି କି ନା ଏବଂ ସେହି ସ୍ଵର ଭାଷାକୁ ଛୁଉଁଛି କି ନା। ତେଣୁ ଗୀତ ଯଦି ପ୍ରାଣକୁ ଛୁଇଁଛି ନୃତ୍ୟର ଅଭିନୟ ଅର୍ଥବହ ହେବ ହିଁ ହେବ।“ ସ୍ଵର, ଭାଷା, ଭାବ ଓ ବାଦ୍ୟର ଅପୂର୍ବ ମିଶ୍ରଣ ତାଙ୍କ ନୃତ୍ୟ ରଚନାରେ ରହିଥିଲା। ଅନ୍ୟ ଗୁରୁଙ୍କ ତୁଳନାରେ ତାଙ୍କ ନୃତ୍ୟର ପ୍ରଭାବ ଅଧିକ ସଂକ୍ରାମକଦର୍ଶକର ମନ ଜାଣି ପରମ୍ପରାର ବନ୍ଧନୀ ଭିତରେ ନୃତ୍ୟ ଅଙ୍ଗର ପ୍ରଭାବଶାଳୀ ପ୍ରୟୋଗ ତାଙ୍କୁ ଅମରତ୍ଵ ଦେଇଛି

ଓଡିଶୀ ନୃତ୍ୟର ବିଶ୍ବାୟନ

ଓଡିଶୀ ନୃତ୍ୟ ଓଡିଶାର ମାଟି, ପାଣି ଓ ପବନରେ ପଲ୍ଲବିତ, ହେଲେ ଏହାର ମହକ ପୃଥିବୀ ତଥା ସବୁ ମଣିଷଙ୍କ ପାଇଁ। ଗୁରୁ କେଲୁଚରଣଙ୍କ ଏହି ଦୃଷ୍ଟିଭଙ୍ଗୀ ଓଡିଶୀକୁ ବିଶ୍ଵ ରଙ୍ଗମଞ୍ଚରେ ପ୍ରତିଷ୍ଠା ଦେଇଥିଲା। ଗୋଟେ ସମୟରେ ଭାରତର ସବୁ ବଡ ସହରରେ ସେ ଥିଲେ ଏକମାତ୍ର ଗୁରୁ। ସିନେମା ଷ୍ଟାର ହୁଅନ୍ତୁ କି ବିଦେଶୀ ବିଶ୍ଵ ବିଦ୍ୟାଳୟର ବିଦୁଷୀ ଅଧ୍ୟାପିକା, ସମସ୍ତେ କେଳୁ ସାରଙ୍କ ଛାତ୍ରୀ ହେବାକୁ ଆସୁଥିଲେ, ହେଲେ ପରିଶେଷରେ ସେମାନେ ଓଡିଶା ଓ ଓଡିଶୀର ପ୍ରେମରେ ବନ୍ଧା ପଡୁଥିଲେ।

ଓଡିଶୀ ନୃତ୍ୟର ଭାଷା ଯେ କେବଳ ସଂସ୍କୃତ ବା ଓଡିଆ ହେବ, ଏ ପରମ୍ପରାକୁ ଗୁରୁଜୀ ଅସ୍ଵୀକାର କରିଥିଲେ। ଭାରତୀୟ ଭାଷା ପରମ୍ପରା ଓ ସାହିତ୍ୟର ବିବିଧତାକୁ ସେ ନିଜ ନୃତ୍ୟରେ ପ୍ରୟୋଗ କରିଥିଲେ। ତୁଲସୀ ଦାସ, ଚଣ୍ଡୀ ଦାସ, କବିର, ସୁବ୍ରମନ୍ୟମ ଭାରତୀ, ରବୀନ୍ଦ୍ରନାଥ ଠାକୁର ପ୍ରମୁଖ ମହାନ ଭାରତୀୟ କବିଙ୍କର କବିତା ଓଡିଶୀ ନୃତ୍ୟକୁ ଗୁରୁଜୀଙ୍କ ମାଧ୍ୟମରେ ଆସିବା ଆରମ୍ଭ କଲେ। ସମୟ କ୍ରମେ ଗୁରୁଜୀ ନୃତ୍ୟର ଗତି, ଅଙ୍ଗଚାଳନା ଓ  ସଞ୍ଚାରୀରେ ବ୍ୟାପକ ପରିବର୍ତ୍ତନ ଆଣିଥିଲେ।

ଶେଷକଥା

ଓଡିଶୀ ନୃତ୍ୟର ଶେଷ ମଞ୍ଚ ଥିବା ଯାଏ, ଗୁରୁ କେଲୁଚରଣ ବଞ୍ଚି ରହିବେ। ଓଡିଶୀ ନୃତ୍ୟର ଅନନ୍ୟ ଗୁରୁ ଭାବରେ ତାଙ୍କର ଭୂମିକା ତାଙ୍କ ମୃତ୍ୟୁ ପରେ ବି ରହିଛି। ତେବେ ଓଡିଶୀ ନୃତ୍ୟର ପୁରୁଷ ଅଙ୍ଗରେ ସେ ସର୍ବଶ୍ରେଷ୍ଠ ନାୟକତାଙ୍କ ନାଚିବା ଯିଏ, ଦେଖିଛି, ସେ ତାଙ୍କ ପ୍ରେମରେ ପଡିବାକୁ ବାଧ୍ୟନୃତ୍ୟ କେବଳ ବ୍ୟାକରଣ ନୁହେଁ, ଏହା ଉଛୁଳା ଭାବର ପରମ ଅଭିବ୍ୟକ୍ତି, ଏକଥା ତାଙ୍କୁ ନାଚିବାର ଯିଏ ଦେଖିଛି, ସେ ଅନୁଭବ କରିଛିଗୁରୁଜୀ ମଞ୍ଚରେ ନାଚନ୍ତି ନାହିଁ, ସେ ମଞ୍ଚରେ ନିଜକୁ ସମର୍ପିତ କରି ଦିଅନ୍ତି। ସେ ଏକ ପ୍ରବହମାନ ଈଶ୍ବରୀୟ କବିତା।    

ଫୋଟୋ ସୌଜନ୍ୟ-  ସୃଜନ, ଭୁବନେଶ୍ୱର     

Leave A Reply

Your email address will not be published.