Latest Odisha News

BREAKING NEWS

ଦାମ ଗଢୁଛନ୍ତି ନୂଆ ଦଳ !

ଭୁବନେଶ୍ୱର: ପୂର୍ବତନ ବିଜେଡ଼ି ନେତା ତଥା ପ୍ରାକ୍ତନ ମନ୍ତ୍ରୀ ଦାମୋଦର ରାଉତ ଏକ ନୂଆ ଆଞ୍ଚଳିକ ଦଳ ଗଠନ କରିବା ନେଇ ବୁଧବାର ଦିନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ବରିଷ୍ଠ ନେତା ଦାମୋଦର ରାଉତ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ନୂଆ ଦଳ ଗଠନ ହେବା ପରେ ଏହା ବିଜେଡ଼ି ସରକାରର ଦୁର୍ନୀତି ତଥା ଅରାଜକତା ବିରୋଧରେ ଲଢେଇ କରିବ ।

“ଏନେଇ ଆସନ୍ତା ୯ ଓ ୧୦ ତାରିଖରେ ଏକ ବୈଠକ ଅନୁଷ୍ଠିତ ହେଉଛି ଏବଂ ୧୧ ତାରିଖରେ ଏହା ସମ୍ପର୍କରେ ଆନୁଷ୍ଠାନିକ ଭାବେ ଘୋଷଣା କରାଯିବ । ଏହି ନୂଆ ଦଳ କିମ୍ବଦନ୍ତୀ ନେତା ବିଜୁ ପଟ୍ଟନାୟକଙ୍କ ଆଦର୍ଶରୁ ବିଚ୍ୟୁତ ହୋଇଯାଇଥିବା ଶାସକ ବିଜେଡ଼ି ସରକାର ବିରୋଧରେ ଲଢେଇ କରିବ,”ବୋଲି ଦାମୋଦର ରାଉତ କହିଛନ୍ତି ।

ସେ ସାମ୍ବାଦିକମାନଙ୍କୁ ସୂଚନାଦେଇ ଆହୁରି ମଧ୍ୟ କହିଛନ୍ତି ଯେ, ସେ ସେହି ବୈଠକରେ ଦଳର ନାମକୁ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରିବାକୁ ପ୍ରସ୍ତାବ ଦେବେ । ଏହି ନୂତନ ଦଳ ଅନ୍ୟ କୌଣସି ଦଳ ସହିତ ମେଣ୍ଟ କରିବ ନାହିଁ ବୋଲି କହିଛନ୍ତି ଡାକ୍ତର ରାଉତ ।

ରାଜ୍ୟ ସରକାର ନୂଆ ଆଞ୍ଚଳିକ ଦଳ ଗଠନକୁ ବିରୋଧ କରୁଛନ୍ତି ଏବଂ ଏହି ଦଳରେ ଯେଉଁମାନେ ଯୋଗଦେବାକୁ ଚାହୁଁଛନ୍ତି ସେମାନଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ଦାମ ।

ଦାମଙ୍କର ଏହି ନୂଆ ଦଳ ଗଠନ ସମ୍ପର୍କରେ ପ୍ରତିକ୍ରିୟା ପ୍ରକାଶ କରି ବିଜେଡ଼ି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ଅଣ୍ଡା ବାହାରିବା ପୂର୍ବରୁ ଚିଆଁ ଗଣିବା ନିହାତି ମୁର୍ଖାମୀ । “ଯେଉଁମାନେ ନୂଆ ଦଳ ଗଠନ କରିବା କଥା କହୁଛନ୍ତି ସେମାନେ ପ୍ରଥମେ ଦଳ ଗଠନ କରନ୍ତୁ, ଏହାପରେ ବିଜେଡ଼ି ତାହାର ପ୍ରତିକ୍ରିୟା ପ୍ରକାଶ କରିବ,”ବୋଲି କହିଛନ୍ତି ବିଜେଡ଼ି ମୁଖପାତ୍ର ସସ୍ମିତ ପାତ୍ର ।

ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେପ୍ଟେମ୍ବର ୧୨ ତାରିଖରେ ବିଜେଡ଼ିରୁ ବହିଷ୍କୃତ କରିଥିଲେ । ବିଜେଡ଼ିର ବହିଷ୍କୃତ ହେବାପରେ ଦାମୋଦର ରାଉତ ଶାସକ ବିଜେଡ଼ି ସରକାର ବିରୋଧରେ ଅନେକ ଦୁର୍ନୀତି ଅଭିଯୋଗ କରିଥିଲେ ।

ଦାମୋଦର ରାଉତ ଗଣମାଧ୍ୟମ ଆଗରେ ଯାଜପୁର ଜିଲ୍ଲା ଡ଼ଙ୍କାରୀ ପାହାଡ଼ ଲୁଟ୍ ଘଟଣା, ମୟୁରଭଞ୍ଜ ଜିଲ୍ଲାର ଚାରା ଦୁର୍ନୀତି, ଓମଫେଡ଼ ପଲିଥିନ ସପ୍ଲାଏ ଦୁର୍ନୀତି, ସମବାୟ ଦୁର୍ନୀତି, ବ୍ଲାକରୋଜ ଏବଂ ରାମକୋ ସିମେ ଫ୍ୟାକ୍ଟ୍ରି ପରି କେତେକ ଦୁର୍ନୀତି ଅଭିଯୋଗ କରିଥିଲେ ।

Leave A Reply

Your email address will not be published.