Latest Odisha News

BREAKING NEWS

ପୁରୀର ପ୍ରସିଦ୍ଧ ବେଢ଼ାକାଳୀ: ଉଗ୍ରରୂପରେ ଠାକୁରାଣୀ ରକ୍ଷା କରନ୍ତି ଶ୍ରୀମନ୍ଦିର ବେଢା…

ପୁରୀ: ଶ୍ରୀମନ୍ଦିର ପଶ୍ଚିମ କୋଣରେ ଶ୍ରୀନୀଳମାଧବ ଓ ଶ୍ରୀଲକ୍ଷ୍ମୀଙ୍କ ମନ୍ଦିର ମଧ୍ୟ ଭାଗରେ ଶ୍ରୀ ବେଢ଼ାକାଳୀ ବା ଗୁହ୍ୟ କାଳୀ/ଭଦ୍ରକାଳୀ ମନ୍ଦିର ଅବସ୍ଥିତ । ଶ୍ରୀକ୍ଷେତ୍ରରେ ଆରାଧ୍ୟା ଓ ପ୍ରତ୍ୟକ୍ଷ ଦେବୀ ଭାବେ ସମସ୍ତ ଭକ୍ତ ତାଙ୍କୁ ମାନନ୍ତି ।

ନିଷ୍ଠାର ସହ ଆରାଧନା କଲେ ସେ ସବୁ ମନୋବାଂଛା ପୂରଣ କରିଥାନ୍ତି । ଅନୀତି, ପାପ କଲେ ସେ ଦଣ୍ଡ ଦିଅନ୍ତି ବୋଲି ବିଶ୍ୱାସ ରହିଛି । ପୂର୍ବ କାଳରେ କାଳୀ ମନ୍ଦିର ଚାରି ପଟେ ଘଂଚ ବୃକ୍ଷରାଶି ଘେରି ରହିଥିଲା । ସେହି ଜଙ୍ଗଲମୟ ପରିବେଶରେ କାଳୀଙ୍କ ଉଗ୍ର ମୂର୍ତ୍ତି ଦେଖି ଅନେକ ଭକ୍ତ ଭୟ କରିବା ସହ ମୃତ୍ୟୁମୁଖରେ ପଡୁଥିଲେ । ଏହା ବହୁ ଦିନ ଧରି ଚାଲିଥିଲା । ମରହଟ୍ଟା ରାଜତ୍ୱ ସମୟରେ ବାବା ବ୍ରହ୍ମଚାରୀଙ୍କ ଉଦ୍ୟମରେ କାଳୀଙ୍କ ସମ୍ମୁଖରେ ବର୍ତମାନର ବିଗ୍ରହ ସ୍ଥାପନ କରାଯାଇଥିଲା । ଯନ୍ତ୍ର କାଳୀ ବା ବେଢ଼ା କାଳୀଙ୍କୁ ନୂତନ ମୂର୍ତ୍ତିର ପଛ ପଟେ ରଖାଯାଇ ଭକ୍ତମାନଙ୍କୁ ସିଧାସଳଖ ପ୍ରକୋପରୁ ରକ୍ଷା କରାଯାଇଥିଲା ।

କାଳୀଙ୍କ ଏହି ରୂପ ଜଗନ୍ନାଥ ମନ୍ଦିରକୁ ଏକ ତନ୍ତ୍ରପୀଠ ଭାବେ ପରୋକ୍ଷରେ ପ୍ରମାଣ କରୁଛି । ରାତ୍ର ପ୍ରହରରେ ବେଢ଼ାକାଳୀଙ୍କୁ ଶ୍ରୀଜଗନ୍ନାଥଙ୍କୁ ସୁରକ୍ଷା ଦାୟିତ୍ୱରେ ରହିଥାନ୍ତି । କୁର୍ମ ବେଢ଼ା, ଶ୍ରୀମନ୍ଦିର ରକ୍ଷକ ରୂପେ ବେଢ଼ାକାଳୀ ପ୍ରଭୂଙ୍କ ପହୁଢ ପରେ ଜାଗ୍ରତ ହୋଇ ରହିଥାନ୍ତି । ସେଥିପାଇଁ ପହୁଡ ପରେ ଶ୍ରୀମନ୍ଦିରରେ କାହାକୁ ରହିବା ପାଇଁ ଅନୁମତି ନ ଥାଏ । ଯିଏ ଲୁଚି ଛୁପି ରହିଯାଇଥାଏ ସେ ମୃତ୍ୟୁବରଣ କରିଥାଏ କିମ୍ବା ତାର ମତିଭ୍ରମ ହୋଇ ଯାଇଥାଏ ବୋଲି ବିଶ୍ୱାସ ରହିଛି । ଗର୍ଭ ଗୃହରେ ମା’ ଭଦ୍ର କାଳୀ ତଥା ବେଢ଼ାକାଳୀ ପୂଜିତା । ଭଦ୍ର କାଳୀ ପରମ ବୈଷ୍ଣବୀ । ଏହି କାଳୀ ମୂର୍ତ୍ତି ଝୁଣା ଓ ତୈଳ ମିଶ୍ରିତ ଉପାଦାନ ଓଷୁଅରେ ନିର୍ମିତ । କିନ୍ତୁ ମୂଳ ପ୍ରସ୍ତର ମୂର୍ତ୍ତି ଏହାର ପଶ୍ଚାତ୍ୟ ଭାଗରେ ଅଧିଷ୍ଠିତା । ବର୍ତମାନର ମୂର୍ତ୍ତିଙ୍କ ଡାହଣ ପାଖକୁ ଏକ ରନ୍ଧ୍ର ରହିଛି । ସେ ବାଟେ ହିଁ ପ୍ରତିଦିନ ଫୁଲ ଚନ୍ଦନ ମୂଳ ଦେବୀଙ୍କୁ ଅର୍ପଣ କରାଯାଏ ।

Leave A Reply

Your email address will not be published.