ବାଘ ମୁହଁରେ ଚାଷୀ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’…

ଚାଷୀକୁ ତାର ଉତ୍ପାଦ ବିକ୍ରି କରିବା ପାଇଁ ଖୋଲା ବଜାରରେ ଛାଡ଼ି ଦେବା ଦ୍ୱାରା ହିଁ ଚାଷୀର ମଙ୍ଗଳ ହୋଇପାରିବ ବୋଲି ମୋଦି ସରକାର ସଂପ୍ରତି ଆଣିଥିବା କୃଷି ଅଧ୍ୟାଦେଶରେ କହିଛନ୍ତି । ଯଦିଓ ସାରା ଦେଶରେ ଏହି ଅଧ୍ୟାଦେଶର ବିରୋଧ କରାଯାଉଛି, କିନ୍ତୁ ସରକାର ତାଙ୍କ ଜିଦ୍‌ରେ ଅଟଳ ଅଛନ୍ତି । ଭିନ୍ନ ଭିନ୍ନ ଦେଶର ଘଟଣାକ୍ରମରୁ ଦେଖିଲେ ଏହା ବାରମ୍ବାର ପ୍ରମାଣିତ ହୋଇଛି ଯେ, ଯେଉଁଠି ଓ ଯେତେବେଳେ ଚାଷୀ ଓ ଚାଷ ବ୍ୟବସ୍ଥାକୁ ବଜାର ସାମ୍‌ନାରେ ଖୋଲି ଦିଆଯାଇଛି, ସେଠାରେ ବଜାର ତଥା ବଡ଼ ପୁଞ୍ଜି ନିଜ ପରାକ୍ରମରେ ଚାଷୀମାନଙ୍କୁ ତଳକୁ ଚାପି ଦେଇଛନ୍ତି ଓ ଖୁବ୍ ଚତୁରତାର ସହିତ କର୍ପୋରେଟ ମାନେ ଦେଶର ଖାଦ୍ୟ ବ୍ୟବସ୍ଥାକୁ ନିଜ ହାତକୁ ନେଇଯାଇଛନ୍ତି । ଏହା ହିଁ ବଜାରର ଚରିତ୍ର । ବଡ଼ ଅଧିକ ବଡ଼ ହୁଏ ଓ ଚାଷୀ ମାନେ ଅଧିକରୁ ଅଧିକ ତଳିତଳାନ୍ତ ହୋଇଯାଆନ୍ତି । ଆମେରିକାରେ କୃଷିର ବଜାର କ୍ଷେତ୍ରରେ ସଂସ୍କାର ଆସିବାର ଦଶ ବର୍ଷ ପରେ ଏବେ ଦେଖାଯାଉଛି ଯେ, ଅତି କଷ୍ଟରେ ଜନସଂଖ୍ୟାର ମାତ୍ର ୧.୫% ଲୋକ ଚାଷ କ୍ଷେତ୍ରରେ ତିଷ୍ଠି ରହିଛନ୍ତି ।

ଆମେରିକାରେ ୨୦୧୮ କୃଷି ବିଲ୍‌ରେ ଆଗାମୀ ଦଶ ବର୍ଷ ପାଇଁ ୮୬୭ ବିଲିୟନ୍ ଡଲାର ସହାୟତା ଦେବା ସତ୍ୱେ ବି ସେଠାରେ ଆତ୍ମହତ୍ୟାର ଧାରା, ଗ୍ରାମୀଣ ଅଂଚଳରେ ଚାଷୀଙ୍କ ପାଇଁ କଷଣ ଓ ଚାଷୀମାନଙ୍କର ଦେବାଳିଆ ହେବା ଘଟଣା ଅଧିକରୁ ଅଧିକ ବଢ଼ୁଛି । ଏହା ହେଉଛି, କୃଷିକୁ ଖୋଲା ବଜାରରେ ଛାଡ଼ିଦେବାର ଆମେରିକୀୟ ପରିଣାମ । ସେହିପରି ୟୁରୋପରେ ଚାଷୀମାନଙ୍କୁ ବାର୍ଷିକ ୧୦୦ ବିଲିୟନ୍ ଡଲାର ସବ୍‌ସିଡ଼୍ ଦେବା ସତ୍ୱେ ବି ସେଠାକାର ଚାଷୀଙ୍କର ଅବସ୍ଥା ସଂକଟରେ । ବିକଶିତ ରାଷ୍ଟ୍ର ଫ୍ରାନ୍‌ସରେ ମଧ୍ୟ ବାର୍ଷିକ ୫୦୦ ଚାଷୀ ଆତ୍ମହତ୍ୟା କରିବା ସେଠାକାର ସରକାରଙ୍କ ପାଇଁ ଏବେ ଚିନ୍ତାର ବିଷୟ ହୋଇଛି । ଚାଷ ଓ ଚାଷୀଙ୍କ ପାଇଁ ତ୍ରୁଟିପୂର୍ଣ୍ଣ ବଜାର ନୀତି ହିଁ ଏଭଳି ପରିସ୍ଥିତିର ପ୍ରମୂଖ କାରଣ, ଯେଉଁ ରାସ୍ତାରେ ଏବେ ଭାରତ ପାଦ ଦେବାକୁ ଯାଉଛି । ସହଜେ ତ ଆମ ଦେଶର ଚାଷୀଙ୍କର ମେରୁଦଣ୍ଡ ପୂର୍ବରୁ ଭାଙ୍ଗିଯାଇଛି । ତା’ଉପରେ ପୁଣି ତାଙ୍କୁ ବଜାରରେ ଥିବା ମହା ଖଳନାୟକ ମାନଙ୍କ ସାମ୍‌ନାରେ ଛାଡ଼ିଦେଲେ ସେମାନଙ୍କ ଅବସ୍ଥା କ’ଣ ହେବ, ବେଶ୍ ଅନୁମେୟ ।

ଆମେରିକା ଓ ୟୁରୋପ ସହିତ ଭାରତର ପରିସ୍ଥିତିକୁ ତୁଳନା କଲେ ଆମେ ଦେଖୁଛେ ଯେ, ନ୍ୟାସ୍‌ନାଲ କ୍ରାଇମ୍ ରେକର୍ଡ଼ ବ୍ୟୁରୋର ତଥ୍ୟ ଅନୁସାରେ ଗତ ପଚିଶ ବର୍ଷ ମଧ୍ୟରେ ଆମ ଦେଶରେ ୩ ଲକ୍ଷ ୬୪ ହଜାର ଚାଷୀ ସରକାରୀ ଭାବେ ଆତ୍ମହତ୍ୟା କରିଛନ୍ତି । ଶାନ୍ତା କୁମାର କମିଟି ରିପୋର୍ଟ ତଥ୍ୟ ଅନୁସାରେ ଆମ ଦେଶର ୯୪ ପ୍ରତିଶତ ଚାଷୀ ନିଜର ଉତ୍ପାଦ ବିକ୍ରିି କରିବା ପାଇଁ ଖୋଲା ବଜାର ଉପରେ ନିର୍ଭର କରୁଥିଲେ ମଧ୍ୟ ଚାଷୀ ମାନେ ଅତ୍ୟନ୍ତ ସଂକଟଜନକ ସ୍ଥିତିରେ କାଳ କାଟୁଛନ୍ତି । ଆଶ୍ଚର୍ଯ୍ୟର ବିଷୟ ଯେ, ନ୍ୟାସ୍‌ନାଲ୍ ସାମ୍ପଲ୍ ସର୍ଭେ ଅର୍ଗାନାଇଜେସନ୍‌ର ତଥ୍ୟ ଅନୁସାରେ ୨୦୧୫ରେ ଆମ ଦେଶର ୮୦ ପ୍ରତିଶତରୁ ଅଧିକ ଚାଷୀ ନିଜ ଉତ୍ପାଦକୁ ମଣ୍ଡି ବାହାରେ ଅର୍ଥାତ ଖୋଲା ବଜାରରେ ବିକ୍ରିି କରିଛନ୍ତି ଓ ଏହି ବିକ୍ରିରେ ସେମାନେ ଭୟଙ୍କର ଭାବେ କ୍ଷତିର ସାମ୍‌ନା କରିଛନ୍ତି ।

କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ, ସଂପ୍ରତି ସରକାର ନୂଆ ଅଧ୍ୟାଦେଶ ମାଧ୍ୟମରେ ଚାଷୀଙ୍କୁ ଖୋଲା ବଜାରରେ ଛାଡ଼ିଦେଇ ତାଙ୍କର ବିକାଶ ହେବ ବୋଲି ଡିଣ୍ଡିମ ପିଟୁଛନ୍ତି, ଯେତେବେଳେ କି ଆମ ପାଖରେ ଜୀବନ୍ତ ଉଦାହରଣ ଠିକ୍ ଓଲଟା ପରିଣାମର ଅଛି । ସରକାରଙ୍କ ଅନୁସାରେ ଯଦି ଖୋଲା ବଜାର ଚାଷୀ ପାଇଁ ଏତେ ଉପଯୋଗୀ ସାବ୍ୟସ୍ତ ହେବ, ତେବେ ଆଜି ପର୍ଯ୍ୟନ୍ତ ଚାଷୀ ମାନେ ପ୍ରତିବର୍ଷ ପ୍ରଚୁର ପରିମାଣରେ କ୍ଷତି ସହୁଛନ୍ତି କାହିଁକି? ଏବେ ବି ତ ୯୦ ପ୍ରତିଶତରୁ ଅଧିକ ଚାଷୀ ସେମାନଙ୍କ ଉତ୍ପାଦ ମଣ୍ଡି ବାହାରେ ବିକ୍ରି କରୁଛନ୍ତି ।

ବଜାରର ଚରିତ୍ର ଓ ଚାଷ କ୍ଷେତ୍ରର ଚରିତ୍ର ସଂପୂର୍ଣ୍ଣ ଭିନ୍ନ । ବଜାର ଚାଷୀଙ୍କୁ ଚାଷରୁ ବାହାର କରି ତାଙ୍କୁ କଂପାନୀ ପାଇଁ ଶସ୍ତା ଶ୍ରମିକରେ ପରିଣତ କରିବ । ଯାହା ଆଜି ବଜାର ପୁରା ଦମ୍‌ରେ କରିବାରେ ଲାଗିଛି । ସେଥିପାଇଁ ଚାଷୀଙ୍କୁ ବାରମ୍ବାର କୁହାଯାଉଛି, ଆଗକୁ ବଢ଼ ନଚେତ୍ ଚାଷ ଛାଡ଼ । ଚାଷରୁ ସବ୍‌ସିଡ଼୍ ହ୍ରାସ କରିବା ପାଇଁ ବାରମ୍ବାର ଚାପ ପକାଯାଉଛି । ସରକାରଙ୍କ ପାଖରେ ଥିବା କଂପାନୀ ପଦଲେହନକାରୀ ଅର୍ଥନୀତିଜ୍ଞ ମାନେ ସେଥିପାଇଁ ଜାଣିଶୁଣି ସର୍ବନିମ୍ନ ସହାୟକ ମୂଲ୍ୟକୁ ବିକାଶ ବିରୋଧୀ ଭାବେ ଦେଖାଇ ଆସୁଛନ୍ତି । କୃଷି କ୍ଷେତ୍ରରେ ଥିବା କର୍ପୋରେଟ୍ ମାନଙ୍କ ସ୍ୱାର୍ଥ ସାଧନ କରିବା ପାଇଁ ସେମାନଙ୍କ ଏଜେଣ୍ଡାକୁ ସରକାର ଆଜି ପୁରଣ କରିବା ଧାରାରେ ଏହି ଅଧ୍ୟାଦେଶ ଆଣିଛନ୍ତି । ସିଧା କଥାରେ କହିଲେ ସରକାର ଚାଷୀଙ୍କୁ ବଜାର ରୁପକ ବାଘ ମୁହଁରେ ଛାଡ଼ି ଦେଇ ଚାଷୀଙ୍କୁ ବିକାଶର ମିଛ ଗପ କହୁଛନ୍ତି ।

ଏହା ପ୍ରତିବର୍ଷ ଓ ବାରମ୍ବାର ଦେଖାଯାଇଛି ଯେ, କେବେ ବି ଖୋଲା ବଜାରରେ ଧାନ କିମ୍ବା ଗହମର ମୂଲ୍ୟ ସର୍ବନିମ୍ନ ସହାୟକ ମୂଲ୍ୟ ଠାରୁ ଅଧିକ ହୋଇନାହିଁ । ଅର୍ଥାତ୍ ଚାଷୀ ମାନେ ଖୋଲା ବଜାରରେ ସବୁବେଳେ ସର୍ବନିମ୍ନ ସହାୟକ ମୂଲ୍ୟ ଠାରୁ କମ୍ ମୂଲ୍ୟ ପାଆନ୍ତି । ଆମ ଦେଶର ଚାଷୀ ମାନେ ଭୋଗୁଥିବା ସଂକଟର ଏହି କାରଣଟିକୁ ମଧ୍ୟ ଏଡ଼ାଇ ଯାଇ ହେବ ନାହିଁ । କେବଳ ସର୍ବନିମ୍ନ ସହାୟକ ମୂଲ୍ୟକୁ ବୃଦ୍ଧି କରିଲେ ହିଁ ଚାଷୀ ମାନେ ନ୍ୟାୟ ପାଇପାରିବେ । ଏପରିକି ଉପଯୁକ୍ତ ସର୍ବନିମ୍ନ ସହାୟକ ମୂଲ୍ୟ ଚାଷୀ ମାନଙ୍କର ଅଧିକାର ହେବା ଉଚିତ୍ । ଚାଷୀ ମାନଙ୍କର ଉତ୍ପାଦକୁ କେହି ଯେପରି ସର୍ବନିମ୍ନ ସହାୟକ ମୂଲ୍ୟ ଠାରୁ କମ୍ ମୂଲ୍ୟରେ କିଣିବେ ନାହିଁ, ଏହାକୁ ନିଶ୍ଚିତ କରାଯିବା ଆବଶ୍ୟକ ।

ଯଦିଓ ସରକାର କହିଛନ୍ତି ଯେ, ନୂଆ ଅଧ୍ୟାଦେଶରେ ସର୍ବନିମ୍ନ ସହାୟକ ମୂଲ୍ୟ ଓ ମଣ୍ଡି ବ୍ୟବସ୍ଥା ବଳବତର ରହିବ, କିନ୍ତୁ ଧିରେ ଧିରେ ଏହି ବ୍ୟବସ୍ଥା ବନ୍ଦ ହୋଇଯିବ ବୋଲି ଚାଷୀ ମାନେ ଭୟ କରୁଛନ୍ତି ଓ ଏହି ଭୟ ମଧ୍ୟ ଅମୂଳକ ନୁହେଁ । କାରଣ କର୍ପୋରେଟ ବୋଲକରା ଅର୍ଥନୀତିଜ୍ଞମାନେ ଅତ୍ୟନ୍ତ ନିଷ୍ଠାର ସହ ଚାହୁଁଛନ୍ତି ଯେ, ଚାଷୀଙ୍କ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ଭଳି ବ୍ୟବସ୍ଥା ବନ୍ଦ ହୋଇଯିବା ଆବଶ୍ୟକ । ସେହିମାନେ ହିଁ ଚାଷର କଂପାନୀକରଣ କରିବାକୁ ଲାଗିପଡ଼ିଛନ୍ତି । ଧିରେ ଧିରେ ଚାଷ କରିବା, ଉତ୍ପାଦ ବିକ୍ରି କରିବା, ଗଚ୍ଛିତ ରଖିବା ଆଦି ବ୍ୟବସ୍ଥାରେ ସରକାରଙ୍କ ଭୂମିକା କମ୍ ହୋଇ କର୍ପୋରେଟ ମାନଙ୍କ ଅନୁପ୍ରବେଶ ବୃଦ୍ଧି ପାଇବ । ଯାହା ଚାଷୀଙ୍କ ଅବସ୍ଥାକୁ ଅଧିକ ସଂକଟାପନ୍ନ କରିଦେବ ।

(ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର-୭୫୪୧୩୮, ମୋ- ୯୪୩୮୪୬୮୪୭୪)