Latest Odisha News

BREAKING NEWS

ପେପର ଲିକ୍ ମାମଲା: ଫାଷ୍ଟ ଟ୍ରାକ୍ କୋର୍ଟରେ ହେବ ତ୍ୱରିତ ବିଚାର, ଦୋଷୀଙ୍କୁ ମିଳିବ କଠୋର ଦଣ୍ଡ, କଣ ରହିବ ପ୍ରକ୍ରିୟା ଜାଣନ୍ତୁ

ନୂଆଦିଲ୍ଲୀ: ସମଗ୍ର ଦେଶରେ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଏବଂ ଅନିୟମିତତାକୁ ନେଇ ଆନ୍ଦୋଳନ ତୀବ୍ର ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବଡ଼ ଘୋଷଣା କରିଛନ୍ତି। ଯୁବକମାନଙ୍କ ଭବିଷ୍ୟତ ସହ ଖେଳୁଥିବା ଦୋଷୀମାନଙ୍କୁ ଶୀଘ୍ର ଏବଂ କଠୋର ଦଣ୍ଡ ଦେବା ଉଦ୍ଦେଶ୍ୟରେ ସରକାର ‘ଫାଷ୍ଟ ଟ୍ରାକ୍ କୋର୍ଟ’ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗୁରୁବାର ଦିନ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ଜରିଆରେ ପ୍ରଧାନମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।

 

NEET-UG 2026 ପରୀକ୍ଷା ବିବାଦକୁ ନେଇ ଦିଲ୍ଲୀର ଯନ୍ତରମନ୍ତର ସମେତ ଦେଶର ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀମାନଙ୍କର ଲଗାତାର ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀଙ୍କ ଏହି ଘୋଷଣା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।

 

ନିଜ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦି ସ୍ପଷ୍ଟ କରିଛନ୍ତି ଯେ, “ଆମ ଯୁବକମାନଙ୍କ କଲ୍ୟାଣ ଏବଂ ଭବିଷ୍ୟତ ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଆଉ କିଛି ନାହିଁ! ପେପର ଲିକ୍ ସହ ଜଡିତ ଥିବା ବ୍ୟକ୍ତିମାନଙ୍କୁ ତୁରନ୍ତ ଏବଂ କଠୋର ଦଣ୍ଡ ସୁନିଶ୍ଚିତ କରିବା ପାଇଁ ଆମେ ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ କରିବାକୁ ନିଷ୍ପତ୍ତି ନେଇଛୁ।” ସେ ଆହୁରି ମଧ୍ୟ ଜଣାଇଛନ୍ତି ଯେ, ଏ ଦିଗରେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ସମ୍ପୃକ୍ତ କର୍ତ୍ତୃପକ୍ଷ ତଥା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇସାରିଛି। ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ନିଆଯାଉଥିବା ପଦକ୍ଷେପଗୁଡ଼ିକ ମଧ୍ୟରେ ଏହା ଏକ ପ୍ରମୁଖ ସୋପାନ ଏବଂ ଯୁବଗୋଷ୍ଠୀଙ୍କ ଭବିଷ୍ୟତ ନଷ୍ଟ କରିବାକୁ ଚେଷ୍ଟା କରୁଥିବା କାହାକୁ ବି ଛଡ଼ାଯିବ ନାହିଁ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

 

ସାଧାରଣ ନ୍ୟାୟାଳୟ ଗୁଡ଼ିକରେ ବର୍ଷ ବର୍ଷ ଧରି ମାମଲା ଗୁଡ଼ିକ ପଡ଼ିରହିଥାଏ। ତେବେ ଫାଷ୍ଟ ଟ୍ରାକ୍ କୋର୍ଟର ମୂଳ ଲକ୍ଷ୍ୟ ହେଉଛି କମ୍ ସମୟ ମଧ୍ୟରେ କୌଣସି ନିର୍ଦ୍ଦିଷ୍ଟ ମାମଲାର ତ୍ୱରିତ ଶୁଣାଣି କରି ରାୟ ଶୁଣାଇବା।

 

ଏହି କୋର୍ଟ ଗୁଡ଼ିକ ସାଧାରଣତଃ ରାଜ୍ୟ ସରକାର ଏବଂ ସମ୍ପୃକ୍ତ ହାଇକୋର୍ଟଙ୍କ ପରାମର୍ଶ କ୍ରମେ ସ୍ଥାପନ କରାଯାଇଥାଏ। ତେବେ କେତୋଟି କୋର୍ଟ ଗଠନ ହେବ, ସେମାନଙ୍କର କ୍ଷେତ୍ରାଧିକାର କ’ଣ ରହିବ ଏବଂ କେବେ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବ, ସେ ନେଇ ବିସ୍ତୃତ ରୂପରେଖ ଖୁବ୍ ଶୀଘ୍ର ଜାରି କରାଯିବାର ସମ୍ଭାବନା ରହିଛି।

 

ସମ୍ଭାବ୍ୟ ଦଣ୍ଡବିଧାନ ନିୟମ: ଭାରତରେ ସାର୍ବଜନୀନ ପରୀକ୍ଷା (ଅନୁଚିତ ଉପାୟ ନିବାରଣ) ଆଇନ, ୨୦୨୪ (Public Examinations (Prevention of Unfair Means) Act, 2024) ଲାଗୁ ହୋଇସାରିଛି, ଯାହା ପ୍ରଶ୍ନପତ୍ର ଲିକ୍ ଏବଂ ପରୀକ୍ଷାରେ ସଂଗଠିତ ଦୁର୍ନୀତିକୁ ଅପରାଧ ଭାବେ ବିବେଚନା କରେ। ଫାଷ୍ଟ ଟ୍ରାକ୍ କୋର୍ଟଗୁଡ଼ିକ ଏହି ଆଇନ ବଳରେ ବିଚାର କରିବେ।

 

ଅନୁଚିତ ଉପାୟ ଅବଲମ୍ବନ କରୁଥିବା ବ୍ୟକ୍ତିଙ୍କ ପାଇଁ ୩ ରୁ ୫ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଏବଂ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନାର ବ୍ୟବସ୍ଥା ରହିଛି। ସେହିପରି, ଯଦି ସଂଗଠିତ ଅପରାଧୀ ଗୋଷ୍ଠୀ ଏଥିରେ ସମ୍ପୃକ୍ତ ଥାଆନ୍ତି, ତେବେ ସେମାନଙ୍କୁ ୫ ରୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଏବଂ ସର୍ବନିମ୍ନ ୧ କୋଟି ଟଙ୍କାର ଜୋରିମାନା ଆଦେଶ ଦିଆଯାଇପାରିବ।

 

ନିକଟରେ ସୁପ୍ରିମକୋର୍ଟ ମଧ୍ୟ ପେପର ଲିକ୍ ତଦନ୍ତ, ସମୟବଦ୍ଧ ଯାଞ୍ଚ ଏବଂ ଫାଷ୍ଟ ଟ୍ରାକ୍ ଟ୍ରାଏଲ୍ ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର ପ୍ରସ୍ତୁତ କରିବାକୁ ଦାବି ହୋଇଥିବା ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରିଥିଲେ। ତେଣୁ ସରକାରଙ୍କ ଏହି ପଦକ୍ଷେପ ଶିକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତା ଫେରାଇ ଆଣିବାରେ ଏକ ବଳିଷ୍ଠ ପ୍ରୟାସ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.