Latest Odisha News

ମଝି ଚିଲିକାରେ ମାରିଲା ବିଜୁଳି, ମାଛ ଧରୁଥିବା ବେଳେ ଚାଲିଗଲା ବାପପୁଅଙ୍କ ପ୍ରାଣ

ଖୋର୍ଦ୍ଧା: ମାଛ ମାରିବାକୁ ଚିଲିକାକୁ ଡଙ୍ଗା ନେଇ ଯାଇଥିଲେ ବାପପୁଅ । ହେଲେ କିଏ ଜାଣିଥିଲା ମାଛ ମାରି ବାପପୁଅ ଆଉ ଫେରିବେନି । ମଝି ଚିଲିକାରେ ମାଛ ଧରୁଥିବା ବେଳେ ବଜ୍ରପାତରେ ବାପପୁଅଙ୍କ ଜୀବନ ଯାଇଛି । ଏ ଅଘଟଣ ଘଟିଛି ଚିଲିକା ମଝିରେ ।

ସୂଚନା ଅନୁସାରେ, ଖୋର୍ଦ୍ଧା ଜିଲ୍ଲା ବାଲିଗୁଡ଼ାର ବିଧାନ ବିଶ୍ୱାସ ଓ ତାଙ୍କ ପୁଅ ଉତ୍ତମ ବିଶ୍ୱାସ ରବିବାର ରାତିରେ ମାଛ ଧରିବାକୁ ଚିଲିକାକୁ ଯାଇଥିଲେ । ତେବେ ସୋମବାର ବାଲୁଗାଁ ନିକଟ ଚିଲିକାକୁ ଲାଗି ରହିଥିବା ପାହାଡ଼ରୁ ଉଭୟଙ୍କ ମୃତଦେହ ମିଳିଛି ।

ରବିବାର ରାତିରେ ବାପପୁଅ ମାଛ ଧରି ନ ଫେରିବାରୁ ପରିବାର ଲୋକେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ । ରାତିରେ ଖୋଜାଖୋଜି ପରେ ନ ପାଇବାରୁ ସ୍ଥାନୀୟ ବାସିନ୍ଦା ସକାଳୁ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ । କାଳିଯୁଗେଶ୍ୱର ପାହାଡ଼ ନିକଟରୁ ଉଭୟଙ୍କ ମରଶୀରର ମିଳିଛି ।

ଘଟଣା ପରେ ଗାଁରେ ଶୋକର ଛାୟା ଖେଳି ଯାଇଛି । ଦିନକ ତଳେ ଉତ୍ତମଙ୍କ ସ୍ତ୍ରୀ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ଘରକୁ ଖୁସି ଆସିବାର ଦିନକ ପରେ ପରିବାର ଉପରେ ଦୁଃଖର କଳା ବାଦଲ ଛାଇ ଯାଇଛି ।

Leave A Reply

Your email address will not be published.