ଭୁବନେଶ୍ୱର: ଦେଶର ବିଶିଷ୍ଟ ସାହିତ୍ୟିକ ଓ କବି ଏକତ୍ରିତ ହେବାକୁ ଯାଉଛନ୍ତି ସୋଆ ସାହିତ୍ୟ ଉତ୍ସବ (ସୋଆ ଲିଟେରାରୀ ଫେଷ୍ଟିଭାଲ୍)ରେ ।
ଶିକ୍ଷା ଓ ଅନୁସନ୍ଧାନ ଡିମଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରଥମଥର ପାଇଁ ଆୟୋଜିତ ହେବାକୁ ଥିବା ଏହି ସାହିତ୍ୟ ଉତ୍ସବରେ ସାମ୍ପ୍ରତିକ ପରିସ୍ଥିତିରେ ଭାରତୀୟ ଭାଷା ଓ ସାହିତ୍ୟ ସଂପର୍କରେ ଏହି ବିଶିଷ୍ଟ ବ୍ୟକ୍ତିମାନେ ଆଲୋଚନା କରିବେ ।
ଦେଶର ଅଗ୍ରଣୀ ବିଶ୍ୱବିଦ୍ୟାଳୟ ଶିକ୍ଷା ଓ ଅନୁସନ୍ଧାନ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି ସାହିତ୍ୟ ଉତ୍ସବରେ ବିଖ୍ୟାତ ଲେଖକ, ଗାଳ୍ପିକ, କବି, ସମାଲୋଚକ, ଐତିହାସିକ, ଅନୁବାଦକ ଓ ଭାଷ୍ୟକାର ମାନେ ଏକତ୍ରିିତ ହୋଇ ମତ ବିନିମୟ କରିବେ । ଏହି ପରିପ୍ରେକ୍ଷୀରେ ସୋଆ କୂଳପତି ପ୍ରଫେସର ଆର. କେ. ଚୌହାନ କହିଛନ୍ତି ଯେ ଯଦିଓ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ସାମାଜିକ ଉନ୍ନତି କ୍ଷେତ୍ରରେ ପ୍ରକୃଷ୍ଟ ମାଧ୍ୟମ ଏହା କଳା ସଂସ୍କୃତି ଓ ସାହିତ୍ୟର ସୁରଭି ମଧ୍ୟରେ ହେବା ଆବଶ୍ୟକ ।
ପୁରାତନ ସଂସ୍କୃତି ଓ ପରମ୍ପରାର ସଂରକ୍ଷଣ, ପ୍ରଚାର ଓ ପୁନରୁଦ୍ଧାର କରିବା ଉଦ୍ଦେଶ୍ୟରେ ସୋଆରେ ଆରମ୍ଭ ହୋଇଥିବା ପ୍ରାଚୀନ୍ (ସେଣ୍ଟର ଫର ପ୍ରିଜରଭେସନ, ପ୍ରୋପାଗେସନ ଆଣ୍ଡ ରେଷ୍ଟୋରେସନ ଅଫ ଆନସିଏଣ୍ଟ୍ କଲଚର ଆଣ୍ଡ ହେରିଟେଜ୍) କେନ୍ଦ୍ର ଦ୍ୱାରା ଏହା ଆୟୋଜନ କରାଯାଇଛି ।
ଗବେଷଣା, କର୍ମଶାଳା ଓ ସମ୍ମିଳନୀ ମାଧ୍ୟମରେ ଭାରତୀୟ କଳା ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର କରିବା ସହିତ ପୁରାତନ ସାହିତ୍ୟର ପୁନଃ ପ୍ରକାଶ କରିବା ଓ ଡିଜିଟାଇଜେସନ ମାଧ୍ୟମରେ ଭବିଷ୍ୟତ ପିଢ଼ିପାଇଁ ସଂରକ୍ଷଣ କରିବା ହେଉଛି ପ୍ରାଚୀନର ଉଦ୍ଦେଶ୍ୟ ବୋଲି କହିଛନ୍ତି କେନ୍ଦ୍ରର ମୂଖ୍ୟ ଡଃ ଗାୟତ୍ରୀବାଳା ପଣ୍ଡା ।
ଏହି ସାହିତ୍ୟ ଉତ୍ସବରେ ସାରା ଦେଶରୁ ୧୦୦ରୁ ଉର୍ଦ୍ଧ ବିଶିଷ୍ଟ ସାହିତ୍ୟିକ ମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ଆସନ୍ତା ଫେବୃୟାରୀ ୧ ଓ ୨ ଦୁଇଦିନ ଧରି ଆୟୋଜିତ ହେବାକୁ ଥିବା ଏହି ସାହିତ୍ୟ ଉତ୍ସବରେ୨୬ଟି ସେସନ ହେବାକୁ ଥିବା ବେଳେ ଏହି ସେସନରେ ଓଡିଆ ସିନେ କଳାକାର ଆକାଶ ଦାଶ ନାୟକ, ଅନୁ ଚୌଧୁରୀ, ଚଳଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର, ପ୍ରଯୋଜକ ଅକ୍ଷୟ ପରିଜା ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
୨୦୧୯ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ପାଇଁ ମନୋନୀତ ହୋଇଥିବା ଓଡିଆ ଲେଖକ ଶ୍ରୀ ତରୁଣକାନ୍ତି ମିଶ୍ର ଏବଂ ସାନ୍ତାଳୀ ଲେଖକ ଶ୍ରୀ କାଳିଚରଣ ହେମ୍ବ୍ରମଙ୍କୁ ଉତ୍ସବର ପ୍ରଥମ ଦିନରେ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି ।