Latest Odisha News

BREAKING NEWS

ଦୁର୍ବଳ ବନ୍ଧ ଯୋଗୁ ବଢୁଛି ଚିନ୍ତା

ପାରାଦ୍ଵୀପ: ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକରେ ତାଣ୍ଡବ ରଚିବାକୁ ଯାଉଛି ବନ୍ୟାଜଳ। ହାଂସୁଆନଦୀରେ ୬୦ ଫୁଟର ଘାଇ ହୋଇଯିବା ଫଳରେ ସୋମପୁର ପଞ୍ଚାୟତଭିତରେ ବନ୍ୟା ଜଳ ପସିବା ଆରମ୍ଭ ହୋଇଯାଇଛି । ବିଶେଷ କରି ଘାଇ ମୁହଁ ନିକଟରେ କାଇଥୋଳ, ଅଣଖିଆ ଗାଁରେ ପାଣି ପଶି ଗାଁ ଭିତରେ ଆଣ୍ଠୁଏ ପାଣି ହୋଇ ସାରିଲାଣି । ଏହି ପାଣି ଏରସମା ପଏଦା ଗ୍ରାମ ଓ ଚାଷ ଜ଼ମି ଦେଇ ପାଣିର ସୁଅ ପଡିଛି ।

ଏରସମା ସୋମପୁର ଠାରେ ଘାଇ ହେବା ଫଳରେ ଆଖ ପାଖ ସାହି ରାସ୍ତା ,ମନ୍ଦିର ,ଗୁଡିକ ଚତୃପାର୍ଶ୍ୱରେ ହଂସୁଆ ନଦୀର ବନ୍ୟାଜଳ ଘେରିକି ରହିଛି। ଗ୍ରାମର ଲୋକମାନେ ଘରୁ ବାହାରକୁ ବାହାରି ପାରୁନାହାନ୍ତି । ସ୍ଥାନୀୟ ଲୋକମାନେ ହଂସୁଆନଦୀର ବନ୍ଧକୁ ବନ୍ଧେଇବା ପାଇଁ ବାଉଁଶ,ବଲହା ସାହାଯ୍ୟରେ ଜୋରସୋରରେ ଲାଗିପଡିଛନ୍ତି। ମାତ୍ର ଏ ପର୍ଯ୍ୟନ୍ତ କୌଣସି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନାହାଁନ୍ତି ।

ଗତ ଲଘୁଚାପରେ ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିବା ବେଳେ ଗୋଟିଏ ଦିନରେ କେବଳ ବାଲିକୁଦା ବ୍ଲକରେ ୪୪୦ ମିଲି ମିଟର ବର୍ଷା ରେକର୍ଡ କରାଯାଇଥିଲା। ସମସ୍ତ ବର୍ଷା ଜଳ ବିଭିନ୍ନ ନଦୀ ଦେଇ ସମୁଦ୍ରକୁ ଯିବା କଥା , ମାତ୍ର ପୂର୍ଣ୍ଣିମା ପକ୍ଷ ଯୋଗୁଁ ସମୁଦ୍ର ଫୁଲିକି ରହିଥିବାରୁ ପାଣି ଟାଣୁ ନାହିଁ ସମୁଦ୍ର ।

ଏହାଛଡା ଏରସମା ବ୍ଲକ୍ ରେ ବିଭିନ୍ନ ନଦୀ ଓ ବିଲ ମାନଙ୍କରେ ହଜାର ହଜାର ଚିଙ୍ଗୁଡ଼ି ଘେରି ଯୋଗୁଁ ପାଣି ନିଷ୍କାସନ ରେ ବାଧା ସୃଷ୍ଟି କରିଛି । ୫ ଦିନର ଅବିଶ୍ରାନ୍ତ ବର୍ଷା ଜଳ ଜମି ରହିଥିବା ବେଳେ ବନ୍ୟାଜଳ ସମସ୍ୟା ସୃଷ୍ଟି କରିଛି । ନଦୀ ଗୁଡ଼ିକରେ ବହୁ ସ୍ଥାନରେ ବନ୍ଧ ଦୁର୍ବଳ ଥିବାରୁ ଘାଇ ସୃଷ୍ଟି ହେବାରେ ଲାଗିଛି ।

Leave A Reply

Your email address will not be published.