Latest Odisha News

BREAKING NEWS

କୁଳାଙ୍ଗାର ଉବାଚ : ଅନଲାଇନ୍ ଡେଲିଭରି

ଅନଲାଇନରେ କରୁଛନ୍ତି ଲୋକେ
ଖିଆ ପିଆ ଏବଂ ଶୁଆ ;
ଅନଲାଇନିରେ ଗାଳିମନ୍ଦ କରି
ଲଗାଇ ଦିଅନ୍ତି ନିଆଁ !
ଆଖିକାନ କର ଠିଆ,
ଅନଲାଇନର ସୁବ୍ୟବସ୍ଥାର ମୁଁ
କଥାଟେ କହିବି ନୂଆ!

ବଡ ହୋଇଲାଣି ଯେଣୁ ବୟସରେ
ଆମ ବଳବାବୁ ଝିଅ;
ସମସ୍ତେ କହିଲେ ଝିଅକୁ ଗୋଟିଏ
ସ୍ମାର୍ଟଫୋନ୍ ଦେଇଦିଅ!
କୁନ୍ଥେଇଲେ ବଳପୁଅ,
ଘରଣୀ କହିଲେ ବାହାରେ ବୁଲିବା
ଅପେକ୍ଷା ସେ ଭଲ ଦିଅ!!

ମନ ନଥିଲେ ବି ମାନରକ୍ଷା ପାଇଁ
ଦଶ ସହସ୍ର ମୁଦ୍ରାଗଣି ;
କନ୍ୟାରତନକୁ ସେଥିରୁ ଗୋଟାଏ
ଧରାଇ ଦେଲେ ସେ ଆଣି!
ସେଦିନଠୁ କନ୍ୟାମଣି ,
ବାହାରେନି ଜମା ଅନ୍ତପୁ୍ରରୁ
ସତେକିବା ମହାରାଣୀ!

ଯୋଗକୁ କରୋନା ମହାମାରୀର
କଟକଣା ବେଳ ପଡିଲା ;
ମୋବାଇଲି ଏବେ କାମଦେଲା ଝିଅ
ସେଇଥିରେ ଖାଲି ପଢିଲା!
ପରୀକ୍ଷାରେ ମାର୍କ ବଢିଲା ,
ଧନ୍ୟ ସେ ଫୋନ୍ ଗଧ ଛାତ୍ରୀଟାକୁ
ମେଧାବୀ କରିକି ଗଢିଲା !!

ମୋବାଇଲି ଧରି ଜଣେଇଲା ଝିଅ
ମିଳେ ଡିସ୍କାଉଣ୍ଟ ଅଫର ;
ମିଳିଲା ଶସ୍ତାରେ ମାଆ ପାଇଁ ଶାଢି
ପୋଷାକ ଓ ଜୋତା ବାପାର!
ସଞ୍ଚୟ ହୋଇଲା ଅପାର ,
ଆସିଲା ଯୁବକ ନିତି ସେ ଘରକୁ
କରି ଡେଲିଭରି ବ୍ୟାପାର!!

କିଛିମାସ ପରେ ଝିଅ ବାନ୍ତିକଲା
ବଢିଲା ତା ତଳିପେଟ ;
ବଳ ଦମ୍ପତ୍ତି ବୁଝିଲେ ଏ ଅଟେ
ଅନଲାଇନ୍ ଖର୍ଦ୍ଦି ନାଟ !
ଖୋଜିଲେ ସେ ଗଳାବାଟ ,
ଅନଲାଇନରେ କେମିତି ହୋଇବ
ନ ବସେଇ କଥା ହାଟ !!

ଏମିତି ଉପାୟ ଖୋଜୁ ଖୋଜୁ ସିଏ
ହୋଇଗଲା ବହୁ ଡେରି ;
ବିଦେଶରେ ଥିବା ସମ୍ପର୍କୀୟ ଜଣେ
ଡାକ୍ତରାଣୀଙ୍କୁ ସେ ଧରି !
ତାକୁ ଭିଡିଓ କଲ୍ କରି ,
ଅନଲାଇନରେ ଘରେ କରିଦେଲେ
ସୁକନ୍ୟାର ଡେଲିଭରୀ !!

Leave A Reply

Your email address will not be published.