Latest Odisha News

ସେମାନଙ୍କ ପାଇଁ, ଯେଉଁମାନେ ପଢ଼ନ୍ତି ନାହିଁ

ମୂଳ ଇଂରାଜୀ : ସତ୍ୟା ଶରଣ 

ଆମେ କିଛି ମହଲରେ ଚର୍ଚ୍ଚା ହେବାର ଶୁଣୁ ଯେ ଆଜିକାଲି ବହି ପଢିବାର ଅଭ୍ଯାସ କମିଆସିଲାଣି। ଆମେମାନେ ହୁଏତ ବର୍ଷ ବର୍ଷ ଧରି ଅସରନ୍ତି ବହି ପଢି ଆସିଛେ; କିନ୍ତୁ ଆମ ପିଲାମାନେ ସେହି ଧାରାର ନୁହନ୍ତି। ଦିନ ଆସିବ, ଯେତେବେଳେ ସେମାନଙ୍କ ନିଜ ପିଲାମାନେ ବି ବଡ଼ ହେବେ; ସେତେବେଳେ କ’ଣ ସେମାନେ ଆଉ ବହି ପଢୁଥିବେ? ଏପରି ସ୍ଥଳେ କ’ଣ ହେବାକୁ ଯାଉଛି ଆମ ଲିଖିତ ଶବ୍ଦମାନଙ୍କର ଦଶା ? ଆମ ଭାଷାର ନିୟତି ଏବଂ ଯୁଗଯୁଗ ଧରି ସୃଷ୍ଟି ହୋଇଆସିଥିବା ସେହି ରାଶି ରାଶି ପୁସ୍ତକମାନଙ୍କର ଭବିଷ୍ୟତ, ଯାହା ଏଯାବତ କୌଣସିମତେ ବଞ୍ଚି ରହିଛି? ଏବେ ବି ପୁସ୍ତକ ଲେଖା ଯେ ନ ଚାଲିଛି ସେକଥା ନୁହେଁ। କିନ୍ତୁ ତା’ କେବଳ ଦିନକୁ ଦିନ ସଙ୍କୁଚିତ ହୋଇଆସୁଥିବା ପାଠକ ଶ୍ରେଣୀ ପାଇଁ।

ବିଡମ୍ବନା ହେଲା, ଆଜି ଯିଏ ବି ନିଜର ରଚନାକୁ କୌଣସି ପ୍ରକାରେ ମୁଦ୍ରିତ କରାଇବାରେ ସମର୍ଥ, ସେ ସମସ୍ତେ ଜଣେ ଜଣେ ଲେଖକ। ଆହୁରି ମଧ୍ୟ ବଡ଼ ବିରୋଧାଭାସଟିଏ ହେଲା ଯେ ଲେଖକ କୁଳରେ ନୂଆ କରି ନାଁ ଲେଖାଉଥିବା ସେହି ବ୍ୟକ୍ତିମାନେ ନିଜେ ବି କୌଣସି ବହି ପଢିବାକୁ ପସନ୍ଦ କରନ୍ତି ନାହିଁ। ସତେ ଯେମିତି ଲେଖିବା ଏବଂ ପଢିବା ପରସ୍ପରଠାରୁ ବିଚ୍ଛିନ୍ନ, ଦୁଇଟି ଭିନ୍ନ ପ୍ରକ୍ରିୟା। ଅବଶ୍ୟ ବେଳେବେଳେ ରଚନାଟିଏ ସୃଜିବା ସମୟରେ ଯଦି କୌଣସି ସନ୍ଦର୍ଭ ପ୍ରସ୍ତୁତ କଲା ବେଳେ କୌଣସି ପୁସ୍ତକର ସହାୟତା ନେବାର ଆବଶ୍ୟକତା ପଡେ ତେବେ ତା’ପାଇଁ ବାଧ୍ୟ ହୋଇ କିଛି ବହି ଓଲଟାଇ ଥାଆନ୍ତି କେହି କେହି।
ଆମର ମୂଳ ସମସ୍ୟାଟିକୁ ଆସିବା। ତା’ହେଲା, ଆମର ଆଜି ମୁମୂର୍ଷୁ ହୋଇପଡିଥିବା ପଠନ-ଅଭ୍ୟାସ। ବହିଟିଏ ପଢିବାର ଅପାର ଆନନ୍ଦ, ସଦ୍ୟ ଛପାହୋଇ ଆସିଥିବା ଗୋଟିଏ ବହିକୁ ଛୁଇଁବାର ସେଇ ପୁଲକିତ ଅନୁଭବ, ନୂଆବହିର ପୃଷ୍ଠାରୁ ଭାସି ଆସୁଥିବା ବାସ୍ନା ଏବଂ ସେଇ ବହି ପଢ଼ିବା ପାଇଁ କିଛି ଏକାନ୍ତ ସମୟ ବା ଅବସରର ବ୍ୟଗ୍ରତାର ସହ ପ୍ରତୀକ୍ଷା, ଏସବୁ ସହିତ ତ ଆମେ ଅଭ୍ୟସ୍ତ।

କିନ୍ତୁ କଥା ହେଲା, ଏହି ବହି ପଠନର କ୍ରିୟାଟି ଏବେ ‘ଜରୁରୀ ହେଲେ ଦେଖିବା’ ପର୍ଯ୍ୟାୟକୁ ଆସିଯାଇଛି। ଏହାର କାରଣ, ଆମର ଚକ୍ଷୁ ଓ କର୍ଣ୍ଣ ଯୁଗଳକୁ ଆକୃଷ୍ଟ କରିବାପାଇଁ ଆଜି ଅନ୍ୟାନ୍ୟ ବହୁ ବିକଳ୍ପ ଉପଲବ୍ଧ, ଯାହା କାଗଜ ଉପରେ ମୁଦ୍ରିତ ଅକ୍ଷର ଅପେକ୍ଷା ଆମକୁ ଅଧିକ ମାତ୍ରାରେ ଆକର୍ଷିତ ଓ ଉଲ୍ଲସିତ କରିବାରେ ସକ୍ଷମ। ସ୍କ୍ରିନ୍ ଉପରେ ପ୍ରକଟ ହେଉଥିବା ମନ ମୋହିନୀ ରଙ୍ଗୀନ ଓ ଜୀବନ୍ତ ଦୃଶ୍ୟମାନଙ୍କୁ ଉପଭୋଗ କରିବାର ନିଶା ଆଜିକାଲି ଘୋର ପୁସ୍ତକ ପ୍ରେମୀମାନଙ୍କ ଘରେ ବି ପ୍ରବେଶ କରିସାରିଲାଣି। କ୍ଲାନ୍ତ ବା ଚାପଗ୍ରସ୍ତ ମଣିଷ ପାଇଁ ପ୍ଲେ-ଲିଷ୍ଟ୍ ଓ ପ୍ଲେ-ଷ୍ଟେସନ୍ ରୁ ନିଜ ପସନ୍ଦ ମୁତାବକ ମନୋରଂଜନ ପାଇବାର ପନ୍ଥା ସହଜଲଭ୍ୟ ହୋଇଯିବା ପରେ, ଏବେ ଆମ ଘରମାନଙ୍କରୁ ବହିମାନେ ଧୀରେଧୀରେ ଅଦୃଶ୍ୟ ହେବା ଆରମ୍ଭ କଲେଣି। କିନ୍ତୁ ଆମକୁ ଜାଣିରଖିବାକୁ ପଡ଼ିବ ଯେ ଜଣେ ପାଠକ ପକ୍ଷରେ ବହିଟିଏ ପଢିବା ବରଂ ଅଧିକ ସକ୍ରିୟ ସଂପୃକ୍ତିର ଅପେକ୍ଷା ରଖେ। ଅନ୍ୟାନ୍ୟ ଦୃଶ୍ୟ-ଶ୍ରାବ୍ୟ ମାଧ୍ୟମମାନେ ତ କେବଳ ପ୍ୟାକେଜ୍ କରା ସହଜ ମନୋରଂଜନ ହିଁ ପରଷିଥାଆନ୍ତି, ଯାହାକୁ ଜଣେ ଦର୍ଶକ ମୂକ ଏବଂ ଏକପାଖିଆ ହୋଇ ହିଁ ଉପଭୋଗ କରୁଥାଏ।

ଅପର ପକ୍ଷରେ କିନ୍ତୁ ଯେତେବେଳେ ଲେଖକଟିଏ ନିଜର କଠିନ ଅଧ୍ୟବସାୟରୁ ସୃଷ୍ଟ ରଚନାଟିଏ ଆମ ସମକ୍ଷରେ ପ୍ରସ୍ତୁତ କରିଥାଏ, ସେତେବେଳେ ତାହାର ପଠନ କାଳରେ ପାଠକଠାରୁ ମଧ୍ୟ ଆଶା କରାଯାଇଥାଏ ସମସ୍ତରର ଶବ୍ଦ-ଜ୍ଞାନ, ଅନୁଶୀଳନ ପ୍ରବଣତା ଏବଂ ଏକାଗ୍ରତା। ଏହି କଠିନ ଆବଶ୍ୟକତାର ତାଡ଼ନାରେ ପରଦା ଉପରେ ଚଳମାନ ହେଉଥିବା ଛବିମାନଙ୍କ ଆଗରେ ମୁଣ୍ଡ ନୁଆଁଇଥାଆନ୍ତି ଛପା ଅକ୍ଷରମାନେ। ତଥାପି ସୁଖର କଥା ଏହା ଯେ ଲିଖିତ ଶବ୍ଦମାନଙ୍କ ପାଇଁ କିଛିଟା ଆଶାର କିରଣ ଏବେ ବି ବଂଚି ରହିଛି। ଯେମିତି, ଆଜିକାଲି ଅଡିଓ ବୁକ୍ ମାଧ୍ୟମରେ ଶବ୍ଦମାନଙ୍କର ଭାବ ଓ ସଂବେଦନାକୁ ମନଛୁଆଁ ଭାବରେ ପରିବେଷଣ କରିବା ସମ୍ଭବ ହୋଇପାରୁଛି। ଅକ୍ଷର ଯେତେଦିନ ପର୍ଯ୍ୟନ୍ତ ନିଜର ଅପରୂପ ଶବ୍ଦବିନ୍ୟାସ ଜରିଆରେ ଆମର କ୍ରିୟାକଳାପ ଓ କଳ୍ପନାକୁ ରୂପ ଦେଇଚାଲିଥିବ ସେତେକାଳ ପର୍ଯ୍ୟନ୍ତ ଏହାର ଶ୍ରୀବୃଦ୍ଧି ଘଟିଚାଲିଥିବ ବୋଲି ମନରେ ଆଶା ଜାଗେ। ଲିଖିତ ଶବ୍ଦମାନଙ୍କର ପରାକାଷ୍ଠା ହିଁ ବିବର୍ତ୍ତମାନ ସମୟର ଧାରାରେ ମଣିଷକୁ ଭିନ୍ନ ଏକ ପରିଚୟ ପ୍ରଦାନ କରିବାକୁ ସକ୍ଷମ। ଏହାକୁ ଆମେ ହାତଛଡା କରିବାନାହିଁ।

ଓଡ଼ିଆ ଅନୁବାଦ: ନିହାର ଶତପଥୀ

Leave A Reply

Your email address will not be published.