Latest Odisha News

BREAKING NEWS

ସରକାରୀ କ୍ୱାର୍ଟର୍ସରୁ ଫରେଷ୍ଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର 

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ଥିବା ଏକ ରେଞ୍ଜ୍ ଅଫିସ୍‌ର ସରକାରୀ କ୍ୱାର୍ଟର୍ସ ଭିତରେ ଜଣେ ଫରେଷ୍ଟରଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଛି।

ମୃତକଙ୍କ ପରିଚୟ ବ୍ୟାସଦେବ ସାହୁ (୫୯) ଭାବେ ଚିହ୍ନଟ କରାଯାଇଛି। ଯିଏକି ବଲାଙ୍ଗୀରର ଠିକାଦାରପଡ଼ା ରେଞ୍ଜ୍‌ରେ ଫରେଷ୍ଟର ଭାବେ କାର୍ଯ୍ୟରତ ଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟାରେ ରେଞ୍ଜ୍ ଅଫିସ୍ ପଛପଟେ ଥିବା କର୍ମଚାରୀ କ୍ୱାର୍ଟର୍ସର ରେଲିଂରେ ସାହୁଙ୍କ ମୃତଦେହ ଝୁଲୁଥିବା କଥା ତାଙ୍କ ସହକର୍ମୀମାନେ ଦେଖିବାକୁ ପାଇଥିଲେ। ଏନେଇ ପୋଲିସକୁ ଖବର ଦିଆଯାଇଥିଲା। ପରେ ପୋଲିସ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା।

ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ବା ପରିସ୍ଥିତି ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।

ଅନ୍ୟପକ୍ଷରେ ତାଙ୍କ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ଯେ ଉଚ୍ଚପଦସ୍ଥ ଅଧିକାରୀଙ୍କ ଚାପ ଯୋଗୁଁ ସେ ଏଭଳି ଚରମ ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିଲେ। ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ସେମାନେ ଏକ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି।

ତେବେ ଡିଭିଜନାଲ୍ ଫରେଷ୍ଟ ଅଫିସର (DFO) ଅଜିତ ବିଶି ମୃତକଙ୍କ ପରିବାରର ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ଫରେଷ୍ଟରଙ୍କ ଉପରେ କୌଣସି ଚାପ ନଥିଲା ଏବଂ ଏନେଇ କୌଣସି ଅଭିଯୋଗ ମଧ୍ୟ ମିଳିନଥିଲା। ସେ ଜଣେ ଭଲ କର୍ମଚାରୀ ଥିଲେ ଏବଂ ନିଷ୍ଠାର ସହ ନିଜ କାର୍ଯ୍ୟ ସମ୍ପାଦନ କରୁଥିଲେ।

 

Leave A Reply

Your email address will not be published.