Latest Odisha News

BREAKING NEWS

‘କାର ପଛ ସିଟରେ ବସୁଥିବା ଯାତ୍ରୀ ଭାବୁଛନ୍ତି ସିଟ୍ ବେଲ୍ଟ ବାନ୍ଧିବା ଦରକାର ନାହିଁ’

ନୂଆଦିଲ୍ଲୀ: ମର୍ସିଡିଜ ଭଳି ଦାମୀ କାରରେ ଯିବା ବେଳେ ଶିଳ୍ପପତି ସାଇରସ ମିସ୍ତ୍ରୀଙ୍କ ଦୁର୍ଘଟଣାରେ ମୃତ୍ୟୁ ପରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ସୋମବାର ଆଇଏଏର ସର୍ବଭାରତୀୟ ସମ୍ମିଳନୀ ’ନେସନ୍ସ ବ୍ରାଣ୍ଡ’ କୁ ସମ୍ବୋଧିତ କରି କାରରେ ଯାତ୍ରା କରିବା ବେଳେ ଲୋକମାନେ କିଭଳି ସିଟ୍ ବେଲ୍ଟ ବାନ୍ଧୁ ନାହନ୍ତି ଏବଂ ଏହାଦ୍ୱାରା କେମିତି ଦୁର୍ଘଟଣା ହେଉଛି  ସେ ପ୍ରସଙ୍ଗରେ କହିଥିଲେ। ଏଥିସହ ଶିଳ୍ପପତି ସାଇରସଙ୍କ ଦୁର୍ଘଟଣାରେ ମୃତ୍ୟୁ ଦେଶ ପାଇଁ ବଡ଼ କ୍ଷତି ବୋଲି ସେ କହିଥିଲେ।

ଏହି ସମୟରେ ସେ ସଡ଼କ ଦୁର୍ଘଟଣା ବିଷୟରେ ମଧ୍ୟ କହିଥିଲେ। ଗଡକରୀ କହିଛନ୍ତି ଯେ ସଡକ ସୁରକ୍ଷା ବୃଦ୍ଧି ପାଇଁ ସାଧାରଣ ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଆଣିବା ଆବଶ୍ୟକ। ମନ୍ତ୍ରୀ କହିଛନ୍ତି, ଲୋକମାନେ ଭାବନ୍ତି ଯେ ପଛ ସିଟରେ ବସିଲେ ସେମାନେ ସିଟ୍ ବେଲ୍ଟ  ପିନ୍ଧିବା ଦରକାର ନାହିଁ। ଏହା ହେଉଛି ମୂଳ ଅସୁବିଧା। କୌଣସି ଦୁର୍ଘଟଣା ସମ୍ପର୍କରେ ଏପରି ପ୍ରତିକ୍ରିୟା ଦେଉଇ ନାହିଁ। କିନ୍ତୁ କାରରେ ବସୁଥିବା ସମସ୍ତ ଯାତ୍ରୀ ସିଟ୍ ବେଲ୍ଟ ବାନ୍ଧିବା ଆବଶ୍ୟକ।

ସେ ଆହୁରି କହିଛନ୍ତି ଯେ କାରରେ ଯାତ୍ରା ଆରମ୍ଭ କରିବା ପୂର୍ବରୁ ସିଟ୍ ବେଲ୍ଟ ପିନ୍ଧିବା ଜରୁରୀ। ଯେଉଁ କାର ଗୁ଼ଡିକ ଦେଶ ବାହାରକୁ ରପ୍ତାନୀ ହେଉଛି ସେଥିରେ ୬ଟି ଏୟାର ବ୍ୟାଗ ରହୁଛି ହେଲେ ସମାନ କାର ଦେଶରେ ବିକ୍ରି ହେବା ବେଳେ କାହିଁକି ୪ଟି ଏୟାର ବ୍ୟାଗ ରହୁଛି ସେ ନେଇ କାର ନିର୍ମାତା କମ୍ପାନୀଙ୍କୁ ପ୍ରଶ୍ନ କରିଛନ୍ତି। ସେମାନଙ୍କ ଜୀବନର ମୂଲ୍ୟ ରହିଛି ହେଲେ ଯେଉଁ ଦେଶରେ କାର ତିଆରି କରୁଛ ସେମାନଙ୍କ ଜୀବନର ମୂଲ୍ୟ ନାହିଁ କି ବୋଲି ସେ ପ୍ରଶ୍ନ କରିଛନ୍ତି।

ସେ କହିଛନ୍ତି ଯେ ଇକୋନୋମି କାର୍ ନିର୍ମାତାମାନେ ଏୟାରବ୍ୟାଗ୍ ସଂଖ୍ୟା ବୃଦ୍ଧି କରିବା ଦ୍ୱାରା ଗାଡ଼ିର ମୂଲ୍ୟ ଉପରେ ଯଥେଷ୍ଟ ପ୍ରଭାବ ପଡ଼ିବ ବୋଲି ଯେଉଁ ଯୁକ୍ତି ଦର୍ଶାଉଛନ୍ତି ତାହା ବିଭ୍ରାନ୍ତିକର କଥା। ଗାଡିରେ ଗୋଟିଏ ଏୟାର ବ୍ୟାଗ ଯୋଡ଼ିବାକୁ ୯୦୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡିପାରେ। ଅଧିକ ଲଗାଇଲେ ଏହି ରେଟ୍ କମିପାରେ। କେନ୍ଦ୍ରମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଯାନବାହନରେ ଛଅଟି ଏୟାରବ୍ୟାଗ୍ ବାଧ୍ୟତାମୂଳକ ଭାବେ ଲଗାଇବାକୁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି।

ରବିବାର ଏକ କାର ଦୁର୍ଘଟଣାରେ ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କର ମୃତ୍ୟୁ ପରେ କେନ୍ଦ୍ର ପରିବହନ ମନ୍ତ୍ରୀ ଏହି ମନ୍ତବ୍ୟ ଦେଇଛନ୍ତି। ପୋଲିସର ତଦନ୍ତରୁ ଜଣାପଡିଛି ଯେ ସାଇରସ୍ ମିସ୍ତ୍ରୀ କାରର ପଛ ସିଟରେ ଥିଲେ । ସେ ସିଟ୍ ବେଲ୍ଟ ପିନ୍ଧି ନଥିଲେ। ମୁମ୍ବାଇ-ଅହମ୍ମଦାବାଦ ଜାତୀୟ ରାଜପଥରେ ଥିବା ସୂର୍ଯ୍ୟ ନଦୀ ଉପରେ ଥିବା ବ୍ରିଜ ଉପରେ ରୋଡ୍ ଡିଭାଇଡରରେ ଧକ୍କା ହେବାରୁ କାରଟି ଦୁର୍ଘଟଣାର ଶିକାର ହୋଇଥିଲା।

କେନ୍ଦ୍ର ପରିବହନ ମନ୍ତ୍ରୀ ଗଡକରୀ କହିଛନ୍ତି, ସାଇରସ୍ ମିସ୍ତ୍ରିଙ୍କ ଦୁର୍ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଦେଶ ପାଇଁ ଏକ ବଡ କ୍ଷତି। ସେ ଜଣେ ଭଲ ବନ୍ଧୁ ଥିଲେ। ଆମ ଦେଶରେ ପ୍ରତିବର୍ଷ ୫ ଲକ୍ଷ ଦୁର୍ଘଟଣା ଘଟୁଛି ଏବଂ ୧ ଲକ୍ଷ ୫୦ ହଜାର ମୃତ୍ୟୁ ଘଟୁଛି। ଏବଂ ଏହି ମୃତ୍ୟୁଗୁଡିକର ୬୫% ୧୮ ରୁ ୩୪ ବର୍ଷ ବୟସ ବର୍ଗରେ ରହିଛି।

Leave A Reply

Your email address will not be published.