Latest Odisha News

BREAKING NEWS

‘ମାଗଣା ଯୋଜନା’ ମାମଲା: ଅବସର ପୂର୍ବରୁ ପ୍ରଧାନ ବିଚାରପତି ନେବେ କି ବଡ଼ ପଦକ୍ଷେପ ?

ନୂଆଦିଲ୍ଲୀ: ନିର୍ବାଚନ ସମୟରେ ମାଗଣା ଯୋଜନା ଘୋଷଣା ଏବଂ ଏହାର ପରବର୍ତ୍ତୀ ସମୟରେ ଯୋଜନା ଲାଗୁ ହେବା ଦ୍ୱାରା ଅର୍ଥନୀତିରେ ହେଉଥିବା କ୍ଷୟକ୍ଷତି ନେଇ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି। ଏହି ସମସ୍ୟାର ମୁକାବିଲା ପାଇଁ ଏକ ବିଶେଷଜ୍ଞ କମିଟି ଗଠନ ଉପରେ କୋର୍ଟ ଜୋର ଦେଇଛନ୍ତି।

କୋର୍ଟ କହିଛନ୍ତି ଯେ ଏକ କମିଟି ଗଠନ ହେବ । ଏହି କମିଟିରେ ଅର୍ଥ ଆୟୋଗ, ଏନଆଇଟି ଆୟୋଗ, ରିଜର୍ଭ ବ୍ୟାଙ୍କ, ଆଇନ ଆୟୋଗ, ରାଜନୀତିକ ଦଳ ସମେତ ଅନ୍ୟ ଦଳର ପ୍ରତିନିଧି ରହିବା ଉଚିତ୍। ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୧ ଗୁରୁବାର ହେବ। ଉଲ୍ଲେଖଯୋଗ୍ୟ, ପ୍ରଧାନ ବିଚାରପତିଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୬ରେ ଶେଷ ହେବାକୁ ଯାଉଛି। ତେଣୁ ଏହା ପୂର୍ବରୁ ରମନ୍ନା ଏକ କଡା ପଦକ୍ଷେପ ଗ୍ରହଣ କରି ଉଦାହରଣ ସୃଷ୍ଟି କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ପ୍ରଧାନ ବିଚାରପତି ଏନ.ଭି ରମନ୍ନାଙ୍କ ନେତୃତ୍ୱରେ ଏକ ୩ ଜଣିଆ ଖଣ୍ଡପୀଠ ୭ ଦିନ ମଧ୍ୟରେ କେନ୍ଦ୍ର ସରକାର, ନିର୍ବାଚନ ଆୟୋଗ, ଆବେଦନକାରୀ ତଥା ବରିଷ୍ଠ ଓକିଲ କପିଲ ସିବଲଙ୍କଠାରୁ ପରାମର୍ଶ ଲୋଡିଛନ୍ତି। ଏସବୁ ଦେଖିବା ପରେ ବିଶେଷଜ୍ଞ କମିଟିରେ କିଏ ରହିବେ ତାହା କୋର୍ଟ ସ୍ଥିର କରିବେ। ଶୁଣାଣି ସମୟରେ ବିଚାରପତିମାନେ କହିଛନ୍ତି ଯେ ଯଦି ନିର୍ବାଚନ କମିଶନ ବର୍ତ୍ତମାନ ସୁଦ୍ଧା ଏହି ପ୍ରସଙ୍ଗରେ ପଦକ୍ଷେପ ନେଇଥାନ୍ତେ, ତେବେ ବୋଧହୁଏ ଏପରି ପରିସ୍ଥିତି ଉପୁଜିନଥାନ୍ତା।

ମାଗଣା ଜିନିଷ ବଣ୍ଟନ କରିବାକୁ ପ୍ରତିଶ୍ରୁତି ଦେଇଥିବା ଦଳର ମାନ୍ୟତା ବାତିଲ କରିବାକୁ ବିଜେପି ନେତା ତଥା ଓକିଲ ଅଶ୍ୱିନୀ ଉପାଧ୍ୟାୟ ଦାବି କରିଛନ୍ତି। ତାଙ୍କ ଆବେଦନପତ୍ରରେ କୁହାଯାଇଛି ଯେ ଏଭଳି ଘୋଷଣା ଭୋଟରଙ୍କୁ ଲାଞ୍ଚ ଦେବା ଭଳି। ଏହା କେବଳ ପ୍ରାର୍ଥୀଙ୍କୁ ନିର୍ବାଚନରେ ​​ଜିତିବା ସ୍ଥିତିରେ ରଖେ ନାହିଁ ବରଂ ନିର୍ବାଚନ ପରେ ସରକାରୀ ଖର୍ଚ୍ଚ ଉପରେ ଅନାବଶ୍ୟକ ବୋଝ ବଢାଇ ଥାଏ। ଏହି ଆବେଦନ ଉପରେ ସୁପ୍ରିମକୋର୍ଟ ୨୫ ଜାନୁଆରୀରେ ନୋଟିସ ଜାରି କରିଥିଲେ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏହି ଆବେଦନକୁ ଖୋଲାଖୋଲି ସମର୍ଥନ କରିଛନ୍ତି। ଦାୟିତ୍ୱହୀନ ଘୋଷଣା କରୁଥିବା ଦଳଗୁଡିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର । ଏଥିପାଇଁ ନିର୍ବାଚନ ଆୟୋଗ କଡା ପଦକ୍ଷେପ ଗ୍ରହଣ କରିବା ଉଚିତ ବୋଲି ସେ କହିଛନ୍ତି । ଯଦି ମାଗଣା ଯୋଜନା ବନ୍ଦ ନହୁଏ ତେବେ ଦେଶର ଅର୍ଥନୀତି ନଷ୍ଟ ହୋଇଯିବ।

ଆବେଦନକାରୀଙ୍କ ଓକିଲ ବିକାଶ ସିଂ କହିଛନ୍ତି, “ରାଜ୍ୟଗୁଡିକରେ ଲକ୍ଷ ଲକ୍ଷ କୋଟି ଋଣ ରହିଛି। ସେମାନେ ଏହାର ପରିଶୋଧ କରିବା ସ୍ଥିତିରେ ନାହାନ୍ତି। ପ୍ରଶ୍ନ ହେଉଛି, ଋଣଗ୍ରସ୍ତ ରାଜ୍ୟ କିପରି ମାଗଣା ଯୋଜନା ସଂପୂର୍ଣ୍ଣ କରିବେ? ଏଯାବତ ରାଜନୀତିକ ଦଳର କୌଣସି ଦାୟିତ୍ ଫିକ୍ସ ହୋଇନାହିଁ।

ମାମଲାର ଶେଷ ଶୁଣାଣିରେ ସୁପ୍ରିମକୋର୍ଟ କୋର୍ଟରେ ଉପସ୍ଥିତ ଥିବା ବରିଷ୍ଠ ଓକିଲ କପିଲ ସିବଲଙ୍କୁ ତାଙ୍କ ମତାମତ ମାଗିଥିଲେ। ବିଚାରପତିମାନେ କହିଥିଲେ ଯେ ସିବଲ ମଧ୍ୟ ଜଣେ ବରିଷ୍ଠ ସାଂସଦ। ତେଣୁ, ତାଙ୍କର ମତ ଗୁରୁତ୍ୱପୂର୍ଣ୍ଣ ହୋଇପାରେ। ତା’ପରେ ସିବଲ କହିଥିଲେ ଯେ ଏହା ଏକ ରାଜନୀତିକ ପ୍ରସଙ୍ଗ ଅପେକ୍ଷା ଅଧିକ ଆର୍ଥିକ ପ୍ରସଙ୍ଗ। ଏହା ଉପରେ ଅର୍ଥ ଆୟୋଗଙ୍କୁ ପଚରାଯିବା ଉଚିତ । ଅନ୍ୟପଟେ ଆଜି ସିବଲ ସଂସଦରେ ଏହି ପ୍ରସଙ୍ଗରେ ବିତର୍କ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ଏଥିପାଇଁ ପ୍ରଧାନ ବିଚାରପତି ରମନ୍ନା କହିଛନ୍ତି, ‘ଆପଣ ଭାବୁଛନ୍ତି କି ସଂସଦରେ ଆଲୋଚନା ହେବ? ଆଜି ସମସ୍ତେ ମାଗଣାରେ କିଛି ପାଇବାକୁ ଚାହୁଁଛନ୍ତି।’

Leave A Reply

Your email address will not be published.