ନୁଆଦିଲ୍ଲୀ : କୋଣାର୍କ ପବ୍ଲିସର୍ସ ଓ ଓଡ଼ିଶା ଫୋରମ ଦ୍ବାରା ଆନୁକୂଲ୍ୟରେ ଅଶୋକ କୁମାର ବଳଙ୍କ ‘ଗଜପତି ଏ କିଙ୍ଗ ଉଇଥାଉଟ ଏ କିଙ୍ଗଡମ’ ପୁସ୍ତକ ଉନ୍ମୋଚିତ ହୋଇଯାଇଛି । ଏହି ଉତ୍ସବରେ କରଣ ସିଂହ ମୁଖ୍ୟ ଅତିଥିଭାବରେ ଏବଂ ସମ୍ମାନିତ ଅତିଥିଭାବେ ସାମିଲ ହୋଇ ଗଜପତି ମହାରାଜା ଦିବ୍ୟସିଂହ ଦେବ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।
ଗଜପତିଙ୍କ ଉତ୍ପତ୍ତି ସମ୍ପର୍କରେ ସ୍କନ୍ଧ ପୁରାଣରେ ସ୍ଥାନ ପାଇଥିବା ଦର୍ଶାଇ ମହାରାଜା ଶ୍ରୀ ଦେବ, ଭାରତର ବୈଦିକ ପରମ୍ପରା ଓ ସଂସ୍କୃତିରୁ ଏହି ପଦବୀର ଅୟଆରମ୍ଭ ଘଟିଥିବା ପ୍ରକାଶ କରିଥିଲେ। ଇଂରାଜୀ ଭାଷାରେ ଲିଖିତ ବହିଟିର ଐତିହାସିକ ଏବଂ ତାତ୍କାଳିକ ମହତ୍ବକୁ ଭୂରୀ ଭୂରୀ ପ୍ରଶଂସା କରି ଅତିଥି ବକ୍ତା ପ୍ରସିଦ୍ଧ କୂଟନୀତିଜ୍ଞ ଅମରେନ୍ଦ୍ର ଖଟୁଆ, ଓଡ଼ିଶାର ଜୀବନ୍ତ ପରମ୍ପରା ଓ ଜାଜ୍ବଲ୍ୟମାନ ସଂସ୍କୃତିରେ ଗଜପତିଙ୍କର ମହାନ ଭୂମିକା ସଦା ଓ ସର୍ବ ବନ୍ଦନୀୟ ବୋଲି କହିଥିଲେ। ଅନେକ ଅନୁସନ୍ଧାନ, ବିଭିନ୍ନ ସାରଗର୍ଭକ ଉପାଖ୍ୟାନ ଏବଂ ବ୍ୟାପକ ଉପାଦେୟ ତଥ୍ୟାବଳୀର ଆଧାରରେ ପ୍ରସ୍ତୁତ ଏହି ପୁସ୍ତକରେ ଦଶମ ଶତାବ୍ଦୀରୁ ଗଜପତି ଆସନରେ ଆସୀନ ଥିବା ରାଜା ମାନଙ୍କର ଜୀବନ, ଦର୍ଶନ ଏବଂ କର୍ମ ବୃତ୍ତାନ୍ତ ଉପରେ ଦୀକ୍ଷାନ୍ତ ଭାବେ ଆଲୋକପାତ କରାଯାଇଛି ବୋଲି ଲେଖକ ଶ୍ରୀ ବଳ କହିଥିଲେ ।
ଏହି ସମାରୋହରେ ଓଡ଼ିଶା ଫୋରମର ସଭାପତି ତଥା ବରିଷ୍ଠ ପ୍ରଶାସକ ଗୋକୁଳ ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ଓଡ଼ିଶା ଫୋରମର ସମ୍ପାଦକ ରବି ପାଣି ପରିଚାଳନା ଦାୟିତ୍ୱ ନିର୍ବାହ କରିଥିଲେ ଏବଂ କୋଣାର୍କ ପବ୍ଲିସର୍ସର ପରିଚାଳନା ନିର୍ଦ୍ଦେଶକ କେ.ପି.ଆର ନାୟାରଙ୍କ ତରଫରୁ ଜୀଜା ଜୟ ଧନ୍ୟବାଦ ଅର୍ପଣ କରିଥିଲେ।