ମାଳତୀ ଦେଈ

(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’)

ମାଳତୀ ଦେଈ .. ଏଇ ନାଁଟା ହିଁ ଯଥେଷ୍ଟ । କେବଳ ରାମପୁର ଗାଁ ନୁହେଁ, ଆଖ ପାଖ ଖଣ୍ଡମଣ୍ଡଳର ଲୋକେ ଜାଣନ୍ତି ତାକୁ । କି ଖରା .. କି ବର୍ଷା .. କିଛି ନମାନି, ଚାରି ଛଅ କୋଶ ଦୂରରୁ ଲୋକେ ଆସନ୍ତି ମାଳତୀ ଦେଈ ପାଖକୁ । କାହା ଛୁଆର ଦେହ ଖରାପ । କାହାର ଅଜାଗାରେ ଘା ହେଇଛି । କିଏ ନିଆଁରେ ପଡ଼ି ପୋଡ଼ି ହେଇଯାଇଛି । କାହାର ପେଟରେ ଶୂଳ ମାରୁଛି । କେଉଁ ସ୍ତ୍ରୀ ଲୋକ ଥନହରା ହେଇଛି । କାହାର ପିଲା କ୍ଷୀର ଖାଇଲା ବେଳେ ତାଳୁ ଲଗେଇ ଦେଇଛି । କାହାର ମଝି ପିଠିରେ ବଥ ବାହାରିଛି ଯେ, ସିଏ ସିଧା ହେଇ ଠିଆ ହେଇପାରୁନି । ଏମିତି ଅନେକ ସମସ୍ୟା ନେଇ ମାଳତୀ ଦେଈ ଦୁଆରେ ଲୋକଙ୍କ ଧାଡ଼ି । କାହିଁ କେତେ ଦୂରରୁ ଅନେକ ଆଶା ନେଇ ଆସିଥାନ୍ତି ଲୋକେ । ସ୍ୱାମୀ ସ୍ତ୍ରୀ କାଖରେ ପିଲାଟିଏ ଧରି, ମୁଣ୍ଡରେ ଛତା ଫୁଟାଇ ଚାଲି ଚାଲି ଆସିଥାନ୍ତି । ସେତେବେଳେ କିଏ ଚପଲ ପିନ୍ଧୁଥିଲା ଯେ? ମୁଣ୍ଡଫଟା ଖରାରେ ପାଦର ଅବସ୍ଥା ଯାହା ହେଉଥିବ, ତାହା ସହଜରେ ଜଣେ ଅନୁମାନ କରିପାରୁଥିବ ।

ତେବେ ମାଳତୀ ଦେଈ ପାଖରେ ପହଞ୍ଚିଗଲା ପରେ ସତେ ଯେମିତି ସବୁ କଷ୍ଟ ଦୂର ହେଇଯାଏ । ମାଳତୀ ଦେଈର ବି ସେମିତି କିଛି ବଡ଼ଘର ନଥିଲା । ଗୋଟିଏ ବଖରା ଚାଳଘର । ସେଥିରେ ସ୍ୱାମୀ, ପୁଅ ବୋହୂ ଆଉ ତିନିଟା ନାତି ନାତୁଣୀ । ବାରିପଟକୁ ଢିଙ୍କିଶାଳଟିଏ । ସେଇଠି ହିଁ ପଡ଼ିଥାଏ ଶିଳପଟା ଆଉ ଶିଳପୁଆ । ତା ପାଖରେ ଥାଏ ଖୋଲମଟାଏ । ଘରେ ଠାକୁର ପୂଜା ହେଉ କି ନହେଉ, ଖୋଲମକୁ କିନ୍ତୁ ନିତି ମୁଣ୍ଡିଆ ମାରୁଥାଏ ମାଳତୀ ଦେଈ । ସେ କହେ, ଏ ଖୋଲମ ତା ଶ୍ୱଶୁରଙ୍କର । ଯିଏ ତାକୁ ବୋହୂ କରି ଆଣିଥିଲେ । ମାଳତୀ ଦେଈ ସମ୍ପୂର୍ଣ୍ଣ ନିରକ୍ଷର । ମାନେ ଶ୍ରୀଅକ୍ଷର ତାରିଣୀ ପର୍ବତ । କିନ୍ତୁ ମୂର୍ଖ ନୁହେଁ । ହଁ, ହୁଏତ ଅକ୍ଷର ଜ୍ଞାନ ନଥିଲା, କିନ୍ତୁ ଶିକ୍ଷା ଗ୍ରହଣ କରିବାର ଯେଉଁ ଦୁର୍ବାର ଇଚ୍ଛା, ସେଇଟା ଭର୍ତ୍ତି ହୋଇରହିଥିଲା ମାଳତୀ ଦେଈ ପାଖରେ । ଜ୍ଞାନୀ, ପଣ୍ଡିତ ତଥା ଅଭିଜ୍ଞ ବୈଦ୍ୟ ଥିଲେ ମାଳତୀ ଦେଈର ଶ୍ୱଶୁର । ଆଉ ଅନୁରୂପ ପାଣ୍ଡିତ୍ୟ ସାଙ୍ଗକୁ ଆୟୁର୍ବେଦ ଉପରେ ଦକ୍ଷତା ଥିଲା ତା ସ୍ୱାମୀଙ୍କର । ଶାଶୁଘରକୁ ଆସିଲା ପରେ ନିଜ ଶ୍ୱଶୁର ଓ ସ୍ୱାମୀଙ୍କ କାର୍ଯ୍ୟଶୈଳୀ ଦେଖି ମାଳତୀ ଦେଈ ମନରେ ବି ଜିଜ୍ଞାସା ଜାଗ୍ରତ ହୋଇଥିଲା । ତା ନହୋଇଥିଲେ ଶ୍ୱଶୁର ଓ ସ୍ୱାମୀଙ୍କଠୁ ଶୁଣି ଶୁଣି କିଏ କେବେ ମୃଗୁଣୀ ସ୍ତୁତି, ଲକ୍ଷ୍ମୀପୁରାଣ, ଭାଗବତ, କେତେ କେତେ ମନ୍ତ୍ର, ଶ୍ଳୋକ ସବୁ ମୁଖସ୍ଥ କରିପାରିଥାନ୍ତା?

ଶ୍ୱଶୁର ତ ଅନେକ ବର୍ଷ ତଳୁ ଚାଲିଯାଇଥିଲେ । ସ୍ୱାମୀ ବି ବୈଦ୍ୟବୃତ୍ତି ଛାଡ଼ିସାରିଥିଲେ । କିନ୍ତୁ ଦୀର୍ଘ ବର୍ଷ ଧରି ସେହି ଦୁଇ ଜଣଙ୍କୁ ଅନୁକରଣ କରି ଏବଂ ସେମାନଙ୍କ ବୈଦ୍ୟବୃତ୍ତିରେ ସାହାଯ୍ୟ କରିବା ଫଳରେ ଅନେକ ବୃକ୍ଷ ବନସ୍ପତି ସମ୍ପର୍କରେ ଜ୍ଞାନ ଆହରଣ କରିପାରିଥିଲା ମାଳତୀ ଦେଈ । ସେଥିପାଇଁ ଯିଏ ବି ଯୁଆଡ଼ୁ ଆସିଲେ, ତାଙ୍କ ପାଇଁ ଆବଶ୍ୟକତା ଅନୁସାରେ ଔଷଧ ପ୍ରସ୍ତୁତ କରିଦେଉଥିଲା ମାଳତୀ ଦେଈ । ଗାଁ ପାଖ ବଣର ଗଛପତ୍ରମାନେ ସତେ ଯେମିତି ଚିହ୍ନିଥିଲେ ମାଳତୀ ଦେଈକୁ । କଣ ଦୁଇ ଚାରିଟା ପତ୍ର ବଣରୁ ତୋଳିଆଣି, ତାକୁ ମୁଣ୍ଡିଆଟାଏ ମାରି ଖୋଲମରେ ବାଟିଦିଏ ସେ । ତା ପରେ ଆଉ ଗୋଟିଏ ପତ୍ରରେ ପୁଡ଼ା ବାନ୍ଧି ଦେଇ ଆସିଥିବା ଲୋକ ହାତରେ ଦେଇଦିଏ । ଆବଶ୍ୟକ ସ୍ଥଳେ ନିଜେ ହିଁ ସମ୍ପୃକ୍ତ ଲୋକର କ୍ଷତରେ ଔଷଧ ଲଗାଇଦିଏ । ତା ପରେ ଅଶ୍ୱିନୀକୁମାରଙ୍କୁ ମୁଣ୍ଡିଆଟିଏ ମାରି କହେ, ଯାଆ ଏଥର ତୋ ରୋଗ ଭଲ ହେଇଯିବ । ସମ୍ଭବତଃ ଯିଏ ଥରେ ମାଳତୀ ଦେଈ ପାଖକୁ ଆସିଥାଏ, ତାକୁ ଆଉ ଦ୍ୱିତୀୟ ଥର ପାଇଁ ଆସିବାକୁ ପଡ଼େନା । ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଥାଏ ।

ଦିନେ ପାଖ ଗାଁର ଲୋକଟିଏ ଔଷଧ ନେବା ପରେ ମାଳତୀ ଦେଈ ହାତକୁ ଦଶ ଟଙ୍କା ବଢ଼ାଇଦେଲା । ମାଳତୀ ଦେଈ ପଇସା ନଧରି ପଚାରିଲା, କଣ ପାଇଁ ଏ ଟଙ୍କା ଦେଉଛ ମତେ? ଲୋକଟା କହିଲା, ମାଆ, ତମେ ଯେଉଁ ଔଷଧ ଦେଲ, ସେଥିପାଇଁ ଏ ପଇସା ଦେଉଛି । ହଠାତ୍ ରାଗିଗଲା ମାଳତୀ ଦେଈ । କହିଲା, ଏମିତି ଭୁଲ ଆଉ କେବେ କରିବନି । ମୁଁ ଏଇଠି କାହାଠାରୁ ପଇସା ନେଇ ଔଷଧ ଦେଉନାହିଁ । ଉତ୍ତରାଧିକାର ସୂତ୍ରରେ ମୋତେ ଏ ବିଦ୍ୟା ମିଳିଛି । ମୋ ଶ୍ୱଶୁର ମୋର ଗୁରୁ । ତାଙ୍କଠୁ ଶିଖିଥିବା ବିଦ୍ୟାରେ ମୁଁ ଏ ଔଷଧ ଦେଇପାରୁଛି । ମୁଁ ଯଦି ଏଥିପାଇଁ ତମଠୁ ପଇସା ନେବି, ତାହେଲେ ମୋର ଏ ବିଦ୍ୟା ହିଁ ଚାଲିଯିବ । ଏ ଔଷଧ ଆଉ କାମ ଦେବନି । ଏତକ କହି ସଙ୍ଗେ ସଙ୍ଗେ ଖୋଲମ ଆଗରେ ଆଣ୍ଠୁମାଡ଼ି ମୁଣ୍ଡିଆଟାଏ ମାରିଲା ମାଳତୀ ଦେଈ । ହଁ, ଯଦି ପାରୁଛି ବାଟରେ ଗଲାବେଳେ ଯେଉଁ ମହାଦେବଙ୍କ ମନ୍ଦିର ଅଛି, ସେଇଠି ଟିକିଏ ମୁଣ୍ଡିଆ ମାରିଦେବ । ସମସ୍ତଙ୍କ ମଙ୍ଗଳ ପାଇଁ ଟିଏକ ପ୍ରାର୍ଥନା କରିଦେବ । ଏଇତକ କଥା ଶୁଣିବା ପରେ ଲୋକଟି ନବଦଣ୍ଡା ହୋଇ ପଡ଼ିଗଲା ମାଳତୀ ଦେଈର ପାଦତଳେ । ଲୋକଟିର ମୁଣ୍ଡ ଉପରେ ହାତଟାକୁ ବୁଲେଇ ଦେଇ ମାଳତୀ ଦେଈ କହିଲା, ଯାଆ ବାପ … କିଛି ଅସୁବିଧା ହେବନି ..। ତୋ ପିଲାର ଦେହ ଭଲ ହେଇଯିବ ।

ସେଦିନ କିନ୍ତୁ ଯେଉଁ ଲୋକଟି ମାଳତୀ ଦେଈର ପାଦତଳେ ଲମ୍ବା ହୋଇ ପଡ଼ିଥଲା, ସେ କୌଣସି ବାହାର ଗାଁର ନଥିଲା । ବରଂ ସେଥିଲା ସେ ଗାଁର ଅନ୍ୟତମ ମାମଲତିକାର, ତଥା ଜଣାଶୁଣା ଭଦ୍ରଲୋକ ମକରଧ୍ୱଜ ବିଶ୍ୱାଳ । ଏଇ ଘଟଣାର ଅଧାଘଣ୍ଟା ପୂର୍ବରୁ ମାଳତୀ ଦେଈ ତା ଦୁଆରକୁ ଯାଇ ତା ଘରେ ଦେଇ ଆସିଥିଲା ମକରଧ୍ୱଜ ବିଶ୍ୱାଳର ସମସ୍ତ ଘର-ଦ୍ୱାର, ଜମିବାଡ଼ି ଓ ସମ୍ପତ୍ତିର ଦସ୍ତାବିଜ୍ । ମାଳତୀ ଦେଈ ଗାଁ ବନ୍ଧ ତୁଠରୁ ପାଇଥିଲା ସେ ଦସ୍ତାବିଜ୍ । ନିରକ୍ଷର ସିନା, ହେଲେ ଜାଣିପାରୁଥିଲା କେତେ ମୂଲ୍ୟବାନ ଯେ କୌଣସି ଦସ୍ତାବିଜ୍ । ସେଥିପାଇଁ ଘରେ ଆଣି ସ୍ୱାମୀଙ୍କୁ ସେ ଦସ୍ତାବିଜ୍ ଦେଖାଇବା ସହିତ ମକରଧ୍ୱଜର ବୋଲି ଜାଣିବା ପରେ ତା ଘରକୁ ଯାଇ ସଙ୍ଗେ ସଙ୍ଗେ ସେ ଦସ୍ତାବିଜକୁ ଦେଇଥିଲା ମାଳତୀ ଦେଈ । ହେଲେ ଯେତେବେଳେ ଗାଁ ଦାଣ୍ଡରେ ହିଁ ମାଳତୀ ଦେଈର ପାଦତଳେ ପଡ଼ିଯାଇ କୃତଜ୍ଞତା ଜଣାଇଲା ମକରଧ୍ୱଜ, ସେତେବେଳେ ମାଳତୀ ଦେଈ ତାକୁ କହିଲା, ଆରେ ବ୍ୟସ୍ତ ହେବାର ନାହିଁ । ଏ ଦସ୍ତାବିଜ୍ ଯଦି ଆଉ କାହା ହାତରେ ପଡ଼ନ୍ତା ତାହେଲେ ତୁ ବ୍ୟସ୍ତ ହୋଇପଡ଼ନ୍ତୁ । ଏବେ ତ ସବୁ ସୁରକ୍ଷିତ । ଆଉ ଏତେ ଚିନ୍ତା କରିବାର କଣ ଅଛି ? ଏତକ କହି ସେଠାରୁ ଚାଲିଆସିଲା ମାଳତୀ ଦେଈ । ତା ମୁହଁରେ ଥିଲା ଏକ ଅଭୂତ ପରିତୃପ୍ତିର ଚିହ୍ନ ।

କେବଳ ମକରଧ୍ୱଜ ନୁହେଁ, ଗାଁର ଅନ୍ୟ ସମସ୍ତଙ୍କ କ୍ଷେତ୍ରରେ ବି ଏଇ ସମାନ ମନୋଭାବ ଥିଲା ମାଳତୀ ଦେଈର । ଯିଏ ଯେବେ ବି କୌଣସି ଅସୁବିଧାରେ ପଡ଼ିଲେ ପ୍ରଥମେ ମନେପଡ଼େ ମାଳତୀ ଦେଈ । ସମସ୍ତଙ୍କ ଅଭାବ ଅସୁବିଧାରେ ପାଖରେ ଠିଆ ହେଉଥିଲା ସେ । ପରୋପକାରରେ ପରମ ଆନନ୍ଦ ପାଉଥିଲା ମାଳତୀ ଦେଈ । ଖାସ୍ କରି, ଗାଁର ଝିଅମାନଙ୍କୁ ପାଠ ପଢ଼ାଇବା ପାଇଁ ଢେର ପ୍ରୟାସ କରିଥିଲା ସେ । ଲୋକଙ୍କୁ ବୁଝା ସୁଝା କରି ଝିଅଙ୍କୁ ସ୍କୁଲକୁ ପଠାଉଥିଲା । ଏଥିପାଇଁ ବେଳେ ବେଳେ ଗାଁର ତଥାକଥିତ ବଡ଼ ବଡ଼ିଆମାନଙ୍କ ଗାତ୍ରଦାହ ହେବାଟା ସ୍ୱାଭାବିକ । ଯେଉଁଦିନ ମାଳତୀ ଦେଈର ନାତି ନାତୁଣୀ ସମସ୍ତେ ପାଠପଢ଼ି ଗାଁରୁ ବାହାରକୁ ଚାକିରି କରିବା ପାଇଁ ଗଲେ, ସେତେବେଳେ ବି ଚଟାଣ ଉପରେ ନିଜ ପଣତ କାନିଟାକୁ ବିଛେଇ ଦେଇ ଗାଁ ସଂକୀର୍ତ୍ତନରେ ଶ୍ରୀଚୈତନ୍ୟ ଓ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ  ମୁଣ୍ଡିଆଟେ ମାରି ପ୍ରାର୍ଥନା କଲା, ହେ ପ୍ରଭୁ ମୋ ପିଲାମାନଙ୍କୁ ଘଣ୍ଟ ଘୋଡ଼େଇ ରଖିଥିବ ପ୍ରଭୁ । ଏ ସଂସାରକୁ ସୁଖୀ ରଖିଥିବ ହେ ମହାପ୍ରଭୁ । ସମସ୍ତଙ୍କ ମଙ୍ଗଳ କରୁଥିବ ହେ । ସେ ବାଟ ଦେଇ ଯିଏ ଯାଉଥାଏ, ସିଏ ଘଡ଼ିଏ ଅଟକି ଯାଇ ମାଳତୀ ଦେଈର ପ୍ରାର୍ଥନା ଶୁଣେ । ତା ମୁହଁରେ ସମସ୍ତଙ୍କ ମଙ୍ଗଳ ମନାସ ଶୁଣି, ଅନ୍ୟ ସମସ୍ତେ ଖୁସି ହୋଇଯାଆନ୍ତି ।

ଯେଉଁଦିନ ମାଳତୀ ଦେଈ ଆରପାରିକୁ ଚାଲିଗଲା, ସେଦିନ କେବଳ ରାମପୁର ଗାଁ ନୁହେଁ, ଆଖପାଖର ପ୍ରାୟ ତିରିଶ ଖଣ୍ଡ ଗାଁର ଲୋକ ଆସିଥିଲେ ତା ଶେଷଯାତ୍ରାରେ ସାମିଲ ହେବା ପାଇଁ, ତାକୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ । ସମସ୍ତଙ୍କ ଆଖିରେ ଥିଲା ଲୁହ । ସମସ୍ତଙ୍କ ମୁହଁରେ ଥିଲା ଗୋଟିଏ କଥା, ମାଳତୀ ଦେଈ ଚାଲିଗଲା ? .. ସିଏ ଗଲାନି ଯେ, ଆମ ମୁଣ୍ଡଉପରୁ ଗୋଟିଏ ମାଆର ହାତ ପଳେଇଲା ।

ମାଳତୀ ଦେଈ ଆରପାରିକୁ ଯିବାର ପନ୍ଦର ବର୍ଷ ବିତିଲାଣି । ଆଜି ବି ରାମପୁର ଗାଁରେ ଲୋକେ ଅସମୟରେ ଅସୁବିଧାରେ ପଡ଼ିଲେ ସେମାନଙ୍କ ମନକୁ ଆପେ ଆପେ ଆସିଯାଏ ମାଳତୀ ଦେଈର ଚେହେରା । ସମସ୍ତଙ୍କ ଦୁଃଖରେ ଦୁଃଖୀ ହେଉଥିବା ମାଳତୀ ଦେଈକୁ ମନେ ପକାନ୍ତି ସମସ୍ତେ । ମନେପକାନ୍ତି ତାର ନିଃସ୍ୱାର୍ଥପର ସେବାକୁ । ତା ଆପଣାପଣକୁ । ତା ଭଲପାଇବାକୁ । ତା ପରୋପକାରକୁ । …

ବିଭାଗୀୟ ମୁଖ୍ୟ, ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍, ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ । ଫୋନ୍- ୯୯୩୭୨୫୨୪୬୪