Latest Odisha News

BREAKING NEWS

ଅଭିମାନୀ ଅବଧେଶ

(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’) 

ଗାଁର ଅଧିକାଂଶ ଲୋକଙ୍କ ସହିତ ତାର କୌଣସି ସମ୍ପର୍କ ନାହିଁ । ସେ ନିଜ ଦୁନିଆ ଭିତରେ ନିଜେ ଥାଏ । କେବେ କେମିତି କାଁ ଭାଁ ଇଚ୍ଛା ହେଲେ ଜଣେ ଅଧେ ଲୋକଙ୍କ ସହିତ କଥାହୁଏ ଅବଧେଶ ଆଚାରୀ। ତା ପୂର୍ବପୁରୁଷଙ୍କ କୁଆଡ଼େ ବହୁତ ସୁନା ଥିଲା । ସ୍ୱର୍ଣ୍ଣକାର ଭାବେ ଖୁବ୍ ନାଁ ଥିଲା। କିନ୍ତୁ ଅବଧେଶ ସେ ସବୁର ବ୍ୟତିକ୍ରମ । ତା ପାଖରେ ନା ସୁନା ଥିଲା ନା ତାକୁ ସ୍ୱର୍ଣ୍ଣ ଅଳଙ୍କାର ଗଢ଼ିବା ଜଣାଥିଲା । ବରଂ ଆରମ୍ଭରୁ ହିଁ ସେ ରହୁଥିଲା ନିଜ ଦୁନିଆରେ। ଚରିତ୍ରଟା ବଡ଼ କ୍ଷଣକ୍ରୋଧୀ । ଗାଁର ବୁଢ଼ା ଲୋକମାନେ କହନ୍ତି, ଅବଧେଶ ଭେଣ୍ଡିଆ ଥିଲା ବେଳେ, କୁଆଡ଼େ ସେ ଅତ୍ୟନ୍ତ ବଦମାସ ଆଉ ଦୁର୍ଦ୍ଦାନ୍ତ ଥିଲା । ଥରେ ଗାଁର ଗୋଟିଏ ଟୋକାକୁ ଏମିତି ପିଟିଲା ଯେ, ସେ ଦରମଲା ହୋଇଗଲା, ଆଉ କଥା ଗ୍ରାମସଭା ପର୍ଯ୍ୟନ୍ତ ଗଲା । ଅବଧେଶର ବାପା ହାତ ଯୋଡ଼ି କ୍ଷମାମାଗିଲେ ସଭାରେ । ଘରକୁ ଆସି ଢେର କାନ୍ଦିଲେ । କହିଲେ, ତୋ ଭଳିଆ ପୁଅ ଜନ୍ମଦେବା ଅପେକ୍ଷା, ମୁଁ ନିଃସନ୍ତାନ ହୋଇଥିଲେ ଭଲ ହୋଇଥାନ୍ତା । ତୁ ଜନ୍ମହେଲୁ ବୋଲି ତୋତେ ପ୍ରଭୁ ରାମଚନ୍ଦ୍ରଙ୍କ ନାଁରେ ଅବଧେଶ ବୋଲି ନାଁ ଦେଲି । ଭାବିଥିଲି ତୁ ଗୋଟିଏ ଭଲ ମଣିଷ ହେବୁ। ହେଲେ ତୁ ତ ରାବଣ ଭଳି କାମ କରୁଛୁ । ତୋ ଭଳି ପୁଅଠୁ ମୋତେ ମୁକ୍ତି ମିଳିଯାଇଥିଲେ ମୋ ଆତ୍ମା ଶାନ୍ତି ପାଇଯାଆନ୍ତା ।

ବୁଢ଼ାବାପାର କଥାଟା ଅବଧେଶକୁ ଖୁବ୍ ବାଧିଥିଲା । ହେଲେ ବାପା କଥାରେ ପରିବର୍ତ୍ତନ ହେବା ତ ଦୂରର କଥା, ଓଲଟା ଅଧିକ ହିଂସ୍ର ହୋଇଯାଇଥିଲା ସେ । ଏହି ଘଟଣାର ଦିନକ ପରେ ଘର ବାରଣ୍ଡା ଉପରେ ବସି ସକାଳୁ ସକାଳୁ ଖରା ପୁଆଁଉଥିଲେ ଅବଧେଶର ବାପା । ଏତିକି ବେଳେ ଅବଧେଶ ପଛରୁ ଚୁପ୍ ଚାପ୍ ଆସି ତାଙ୍କୁ ଧକ୍କାଟିଏ ମାରିଲା । ଉଚ୍ଚ ବାରଣ୍ଡା ଉପରୁ ତଳକୁ ପଡ଼ିଗଲେ ସେ । ତାଙ୍କ ମୁଣ୍ଡରେ ମାଡ଼ ବାଜିଥିଲା । ବୟସ୍କ ଲୋକ, ଏ ମାଡ଼ ସହିପାରିଲେ ନାହିଁ । ଚେତାଶୂନ୍ୟ ହୋଇଗଲେ । ଏ ଦୃଶ୍ୟ ଦେଖି, ଆଖପାଖ ପଡ଼ୋଶୀ ସମସ୍ତେ ଧାଇଁ ଆସିଲେ । ତାଙ୍କୁ ଡାକ୍ତରଖାନାକୁ ନେବା ପାଇଁ ଅବଧେଶକୁ କହିଲେ । କିନ୍ତୁ କିଛି ଫରକ୍ ପଡ଼ିଲା ନାହିଁ । ଓଲଟା ସମସ୍ତଙ୍କୁ ଅଭାଷାରେ ଗାଳିଦେବାରେ ଲାଗିଲା ସେ। କହିଲା, ବୁଢ଼ାକୁ ଡାକ୍ତରଖାନାକୁ ନେବା ପାଇଁ କଣ ମୁଁ ବାରଣ୍ଡା ଉପରୁ ତଳକୁ ଠେଲିଛି । ଏଇଠି ଏମିତି ପଡ଼ି ପଡ଼ି ସେ ମରିଯାଉ । ତା ଆତ୍ମାକୁ ମୁକ୍ତି ମିଳିଯିବ। ସେଇଆ ହିଁ ହେଲା । ମାତ୍ର ଅଧଘଣ୍ଟାଏ ଭିତରେ ବୁଢ଼ାର ଜୀବନ ଦୀପ ଲିଭିଗଲା ।

ଏହି ଘଟଣା ପରେ ଅବଧେଶ ପ୍ରାୟତଃ ଗାଁରେ ଏକଘରକିଆ ହୋଇଯାଇଥିଲା କହିଲେ ଭୁଲ ହେବନି । କେହି ବି ତା ସହିତ ସମ୍ପର୍କ ରଖିବାକୁ ଚାହୁଁନଥିଲେ । ଏଣେ ତାର ଏ ପ୍ରକାର ହାବଭାବ ଦେଖି, ଦିନେ ଖରାବେଳଟାରେ ବାଡ଼ିପଟ ଆମ୍ୱଗଛରେ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଦେଲା ଅବଧେଶର ମାଆ । ଗାଁ ଲୋକେ ଅବଧେଶକୁ ଅନେକ ଛି ଛାକର କଲେ । ତଥାପି ଗାଁର ବୟସ୍କ ମୁରବି ସ୍ଥାନୀୟ ଲୋକମାନେ କୁହାବୁଝା କରି, ଅବଧେଶକୁ ମାଆର ଶୁଦ୍ଧିକ୍ରିୟା ଦିନ ବାହା କରାଇଦେଲେ । ବୁଢ଼ାଲୋକମାନେ କହିଲେ, ଏଣିକି ଅବଧେଶ ସୁଧୁରିଯିବ। ଅନ୍ତତଃ ସ୍ତ୍ରୀ ଆସିଲା ପରେ ମଣିଷ ଭଳିଆ ବ୍ୟବହାର କରିବ । କିନ୍ତୁ ସେ ସବୁ କିଛି ବି ହେଲାନି । ଓଲଟା ପାଖ ଗାଁରୁ ବୋହୂ ହୋଇ ଆସିଥିବା ବୈଦେହୀ କେବଳ ଦହଗଞ୍ଜ ହେବାଟା ହିଁ ସାର ହେଲା । ନା ସ୍ୱାମୀ ସ୍ତ୍ରୀ ଭିତରେ କୌଣସି ମଧୁର ସମ୍ପର୍କ ଥିଲା, ନା ପରସ୍ପର ଭିତରେ କୌଣସି ସମ୍ମାନବୋଧ ଥିଲା । ବରଂ ଅବଧେଶର କାମରେ ଅଧିକ ବ୍ୟଥିତ ଥିଲା ବୈଦେହୀ । ବିବାହର ଦଶ ବର୍ଷ ଯାଏଁ ସେମାନେ ଥିଲେ ନିଃସନ୍ତାନ । ସନ୍ତାନ ପାଇଁ ଅବଧେଶ ଭିତରେ କୌଣସି ଆଗ୍ରହ ବି ନଥିଲା । ଆଉ ଖାସ୍ ଏହି କଥାକୁ ନେଇ ସ୍ୱାମୀ ସ୍ତ୍ରୀ ଭିତରେ ସବୁବେଳେ ଚାଲୁଥିଲା କନ୍ଦଳ । ଦିନେ ଅତିଷ୍ଠ ହୋଇ ଆତ୍ମହତ୍ୟା କଲା ବୈଦେହୀ ।

ବିପତ୍ନୀକ ହୋଇ ଜୀବନ କାଟିବାର ପ୍ରାୟ ତିରିଶ ବର୍ଷ ହେଲାଣି । ଏତିକି ଦିନ ଭିତରେ ଅବଧେଶ ହୁଏତ ମାତ୍ର ତିରିଶ ଥର କାହା ସହିତ କଥା ହୋଇଥିବ । ସେ, ତା ଜମିବାଡ଼ି, ତା ରେଡିଓ ଏବଂ ହଳେ ବଳଦ ବ୍ୟତୀତ, ତା ଦୁନିଆରେ ଆଉ କେହି ନାହିଁ । ନିଜକୁ ସେ ଅନ୍ୟ ସମସ୍ତଙ୍କଠାରୁ ଶ୍ରେଷ୍ଠ ବୋଲି ମନେକରେ । ସେଥିପାଇଁ କେବେ କାହା ସହିତ କଥାବାର୍ତ୍ତା କରିବାକୁ ବି ପସନ୍ଦ କରେନାହିଁ ଅବଧେଶ । ତେବେ ମହାଦେବଙ୍କ ଫୁଲପାଣି ହୁଏତ ବନ୍ଦ ହୋଇଯାଇପାରେ, କିନ୍ତୁ ଅବଧେଶର ରେଡିଓ ଶୁଣିବା କେବେ ବି ବନ୍ଦ ନାହିଁ । ନିୟମିତ ଦେଶବିଦେଶର ଖବର ସାଙ୍ଗକୁ, ଅନ୍ୟ ସମସ୍ତ କାର୍ଯ୍ୟକ୍ରମ ସେ ରେଡିଓରୁ ଶୁଣେ । ପ୍ରତିବର୍ଷ ରଥଯାତ୍ରା ବେଳେ ରେଡିଓରେ ଆସୁଥିବା ଧାରାବିବରଣୀକୁ ବି ସେ ଅତି ଆନନ୍ଦର ସହିତ ଶୁଣୁଥାଏ । ଏବେ ଅବଧେଶର ବୟସ ପ୍ରାୟ ପଞ୍ଚସ୍ତରୀ । ଶରୀରରେ ଆଉ ସେ ଉଦ୍ଦାମତା ନାହିଁ । ଅଭିମାନ ଓ ଅହଂକାର ବି ଧୀରେ ଧୀରେ ମୁଣ୍ଡନୁଆଁଇଲା ଭଳି ଲାଗୁଛି । ତା ନହୋଇଥିଲେ, ଜୀବନତମାମ ଯୋଉ ଲୋକ କେବେ ବି ମନ୍ଦିର ଦୁଆର ମାଡ଼ିନି, ସେ କେବେ ଶ୍ରୀକ୍ଷେତ୍ର ଯିବାକଥା ଚିନ୍ତା କରନ୍ତା?

ହଁ , ଦେବସ୍ନାନ ପୂର୍ଣ୍ଣିମାରେ ତିନିଠାକୁରଙ୍କୁ ସ୍ନାନବେଦୀରେ ଦର୍ଶନ କରିବା ପାଇଁ ଖୁବ୍ ମନ ହେଇଥିଲା ଅବଧେଶର । ଗାଁରେ ଆଖ ପାଖ ପଡ଼ୋଶୀ, କାହାକୁ କିଛି ନକହି, ସେ ଚାଲିଲା ପୁରୀ । ରେଳ, ବସ୍, ଚାଲିଚାଲି ଏମିତି ବିଭିନ୍ନ ଉପାୟରେ ପଥ ଅତିକ୍ରମ କରି ଅବଧେଶ ପହଞ୍ଚିଲା ଶ୍ରୀକ୍ଷେତ୍ରରେ । ଦେବସ୍ନାନ ପୂର୍ଣ୍ଣିମା । ଚତୁର୍ଦ୍ଧାମୂର୍ତ୍ତି ସ୍ନାନବେଦୀରେ ଉଭା ହୋଇଥାନ୍ତି । ସକାଳର ନୀତିକାନ୍ତି ବଢ଼ି ସାରିଥାଏ । ଏତିକିବେଳେ ସ୍ନାନମଣ୍ଡପ ସମ୍ମୁଖରେ ହାଜର ହେଲା ଅବଧେଶ । ରାମପୁର ଗାଁର ଅହଂକାରୀ, ଅଭିମାନୀ ଅବଧେଶ ଉର୍ଦ୍ଧ୍ୱବାହୁ ହୋଇ ଠିଆ ହୋଇଥିଲା ଶ୍ରୀଛାମୁଙ୍କ ସମ୍ମୁଖରେ । ଜୀବନତମାମ କେବେ ବି ଧାରେ ଲୁହ ଗଡ଼ାଇ ନଥିବା ନିଷ୍ଠୁର ଅବେଧଶ ଆଖିରୁ ବହିଚାଲିଥିଲା ଧାର ଧାର ଲୁହ । ଅପଲକ ନୟନରେ ସେ ଅନାଇ ପଡ଼ିଥିଲା ଚକାନୟନଙ୍କୁ । ଜୀବନରେ କେବେ ବି ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିନଥିବା ଅବଧେଶ ପ୍ରଥମ ଥର ପାଇଁ ତାଙ୍କ ଦର୍ଶନ କରି ହଜିଯାଇଥିଲା ଅନ୍ୟ ଏକ ଦୁନିଆରେ । ତା ଆଖିରୁ ଅବିରତ ଝରୁଥିବା ଅଶ୍ରୁ, ମନେ ହେଉଥିଲା ଯେମିତି ଝରଣା ହୋଇ ବହିଯାଉଥିବା ତା ବର୍ଷ ବର୍ଷର ଅହଂକାର ଓ ଅଭିମାନ । ଜ୍ୟେଷ୍ଠ ପୂର୍ଣ୍ଣିମାର ପରମ୍ପରାକୁ ବଜାୟ ରଖି ଉପରୁ ଇନ୍ଦ୍ରଦେବତା ବି ଢାଳିଚାଲିଥିଲେ ଅମୃତର ବାରି ।

ସେ ବର୍ଷାରେ ସମ୍ପୂର୍ଣ୍ଣ ଜୁଡୁବୁଡୁ ହୋଇଯାଇଥିବା ଅବଧେଶର ଆଖି ଆଗରେ ନାଚି ଉଠୁଥିଲା ତାର କରିଥିବା କର୍ମମାନ । ତା ବାପା ମାଆଙ୍କ ନିରିହ ଚେହେରା, ତା ସ୍ତ୍ରୀର କାନ୍ଦୁରା ମୁହଁ । ଧୀରେ ଧୀରେ ତାକୁ ଅନୁଭବ ହେଉଥିଲା ଅପରାଧୀ ଭଳି । ନିଜ ଅପରାଧ ପାଇଁ ହାତ ଯୋଡ଼ି କ୍ଷମାମାଗୁଥିଲା ସେ ମହାପ୍ରଭୁଙ୍କୁ । ଏହି ଅନୁଶୋଚନା ଓ ଅନୁତାପ, ଅବଧେଶର ଭାରାକ୍ରାନ୍ତ ମନକୁ ଟିକିଏ ହାଲୁକା କରିଦେଉଥିଲା । ଆଉ ଗଜାନନ ବେଶ ଦର୍ଶନ କରିବା ଯାଏଁ ଅପେକ୍ଷା ନକରି ସେହି ଓଦା ଦିହରେ ହିଁ ଗାଁକୁ ଫେରିଲା ଅବଧେଶ । ରାତି ଅଧରେ ଗାଁରେ ପହଞ୍ଚିଲା ବେଳକୁ ସମସ୍ତେ ଶୋଇସାରିଥିଲେ । ଗାଁ ଦାଣ୍ଡରେ କୁକୁର ଦି ଚାରିଟା ଅବଧେଶର ପାଦଶବ୍ଦ ଶୁଣି ଖୁବ୍ ଜୋରରେ ଭୁକିବାରେ ଲାଗିଲେ । କିନ୍ତୁ ସେ ସବୁର କିଛି ପ୍ରଭାବ ନଥିଲା ଅବଧେଶ ଉପରେ । ସେ ନିଜ ଘରର କବାଟ ଖୋଲିଲା । ଭିତରକୁ ପଶିଲା । କବାଟଟାକୁ ଆଉଜେଇ ଦେଇ ସିଧା ଯାଇ ଲଥ୍ କରି ପଡ଼ିଗଲା ଦଉଡ଼ିଆ ଖଟିଆଟା ଉପରେ । ତାର ଚାରିଦିନ ପରଯାଏଁ ଅବଧେଶର କବାଟ ଖୋଲିନି, କି ସେ ଖଟିଆ ଉପରୁ ଉଠିନି । ତା ଦେହରେ ଡହ ଡହ ତାତି । ଜରରେ ଗୋଟାତୁଲେ ଥରୁଥିଲା ଅବଧେଶ। ତାକୁ ଲାଗୁଥିଲା, ତା ଜୀବନର ସମସ୍ତ ପାପ, କୁକର୍ମ ସବୁ ଏବେ ତା ଦେହରେ ଧୀରେ ଧୀରେ ଜଳୁଛନ୍ତି । ଏ ସବୁ ଜଳି ଶେଷହେବା ଯାଏଁ ତା ଦେହରେ ତାତି ନିଶ୍ଚୟ ରହିବ । ସେ ଭାବୁଥିଲା ଅବଧେଶ ଆଚାରୀ ସୁନାମୁଣ୍ଡାଟାଏ । ହେଲେ ତାର କୁତ୍ସିତ କର୍ମସବୁ ଲୁହା, ତମ୍ବା, ପିତଳ ଭଳି ତା ଦେହରେ ଗୋଳେଇ ହେଇ ତାକୁ କଳୁଷିତ କରିଦେଇଛନ୍ତି । ଏବେ ନିଆଁରେ ପଡ଼ି ତାର ସେହି ସବୁ କଳୁଷିତ ଅଂଶ ଧୀରେ ଧୀରେ ଅଲଗା ହେଉଛି । ଆଉ ସେ ଶୁଦ୍ଧ ସୁବର୍ଣ୍ଣରେ ପରିଣତ ହେଉଛି । ପାଞ୍ଚ ଦିନ ଭୀଷଣ ଜରରେ କଷ୍ଟ ପାଇବା ପରେ ଷଷ୍ଠ ଦିନ ସକାଳୁ ଟିକିଏ ଉଠି ବସିଲା ଅବଧେଶ । ଏତେ କଷ୍ଟ ସିନା ପାଇଥିଲା, ହେଲେ ତାକୁ କେଜାଣି କାହିଁକି ଅଧିକ ଖୁସି ଲାଗୁଥିଲା । ଦେହରେ କିନ୍ତୁ ବଳ ନଥିଲା ଅବଧେଶର। ତଥାପି କଷ୍ଟେ ମଷ୍ଟେ ବିଛଣାରୁ ଉଠି ନିତ୍ୟକର୍ମ କଲା ଅବଧେଶ । ଘରର ଡବାଡବି ଖୋଜି କଣ ଦି ମୁଠା ମୁଢ଼ି ଉଖୁଡ଼ା ପାଇଲା, ତାକୁ ହିଁ ମହାପ୍ରସାଦ ଭାବି ଆନନ୍ଦରେ ଖାଇଗଲା ସେ । ପୁଣି ଆସି ବିଛଣାରେ ପଡ଼ିଲା ।

ଏଣେ ଅଣସରରେ ଠାକୁର । ତେଣେ ବିଛଣାରେ ଅବଧେଶ । ହଠାତ୍ ନେତ୍ରୋତ୍ସବ ଦିନ ଉଠିବସିଲା ଅବଧେଶ । ଶରୀରରେ ଥିଲା ଫୁର୍ତ୍ତି । ଏକ ଅଭୂତ ଆନନ୍ଦ । ଏକ ଅପୂର୍ବ ତାଜାପଣ । ତାକୁ ନବଯୌବନ ପାଇଲା ଭଳି ଲାଗୁଥିଲା । ନୂଆ ହଳେ ପୋଷାକ ପିନ୍ଧି, କାନ୍ଧରେ ଝୁଲାମୁଣିଟିଏ ପକାଇ ପୁଣି ଘରୁ ବାହାରିଗଲା ଅବଧେଶ । ଗାଁରେ କାହାକୁ କିଛି ଜଣାନଥିଲା । କୁଆଡ଼େ ଯାଉଛି, କଣ ପାଇଁ ଯାଉଛି, ସେ ଖବର କାହାପାଖରେ ନଥିଲା । ଅତି ଆନନ୍ଦ ମନରେ ଆଗକୁ ମାଡ଼ିଚାଲିଥିଲା ଅବଧେଶ ।
ଆଷାଢ଼ ଶୁକ୍ଳ ଦ୍ୱିତୀୟା । ଆକାଶରେ କଳାହାଣ୍ଡିଆ ମେଘ । ବଡ଼ଦାଣ୍ଡରେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପ୍ରସ୍ତୁତ ହୋଇ ଠିଆ ହୋଇଥାନ୍ତି ତିନି ରଥ । ମନ୍ଦିର ଚୂଡ଼ାରେ ମନଖୋଲା ଉଡୁଥାଏ ପତିତପାବନ ନେତ । ଏତିକି ବେଳେ ବଡ଼ଦାଣ୍ଡରେ ପାଦଥାପିଲା ଅବଧେଶ । କୋଶେ ଦୂରରୁ ହିଁ ନୀଳଚକ୍ର ଓ ପତିତପାବନ ବାନାକୁ ଦେଖି ଭୂଇଁରେ ଲୋଟିପଡ଼ି ସାଷ୍ଟାଙ୍ଗ ପ୍ରଣିପାତ କଲା । ତା ପରେ ଆଗଇ ଚାଲିଲା ଆଗକୁ ଆଗକୁ । ସିଂହଦ୍ୱାର ସମ୍ମୁଖରେ ପହଞ୍ଚିଲା ବେଳକୁ ପହଣ୍ଡି ବିଜେ କରୁଥିଲେ ଠାକୁର । ଓଃ .. କି ଆନନ୍ଦ । କି ପରିତୃପ୍ତି । ଆନନ୍ଦ ମନରେ ନାଚିଉଠୁଥିଲା ଅବଧେଶ । ଭାବ ଗଦଗଦ୍ ହୋଇ କୃତଜ୍ଞତା ଜଣାଉଥିଲା ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ । ଆନନ୍ଦରେ ଗଡ଼ି ଯାଉଥିଲା ବଡ଼ଦାଣ୍ଡରେ । ଭକ୍ତଙ୍କ ପାଦଧୂଳିକୁ ନିଜ ମୁଣ୍ଡରେ ବୋଳି ପକାଉଥିଲା ସେ । ଏତିକିବେଳେ କୌଣସି ଜଣେ ଭକ୍ତର ପାଦ ତା ଉପରେ ପଡ଼ିଗଲା। ସେଥିରେ ସେ ଝୁଣ୍ଟିପଡ଼ିବାରୁ ଅନ୍ୟମାନେ ବି ନିଜସ୍ଥାନରୁ ଦୋହଲିଗଲେ । ଫଳରେ ଅନ୍ୟମାନଙ୍କ ପାଦ ବି ପଡ଼ିଲା ତାରି ଉପରେ । ଚକଟି ହୋଇଗଲା ଅବଧେଶ ।

ତାର ଚେତା ଫେରିଲା ବେଳକୁ ସେ ଥିଲା ଡାକ୍ତରଖାନାର ବେଡ୍ ଉପରେ । ସେ ଆଖିଖୋଲି ଦେଖିଲା ବେଳକୁ, ତା ଆଖିଆଗରେ ଥିଲେ ଆଉ କିଛି ଭକ୍ତ । ଯେଉଁମାନେ ତାରି ଭଳି ଆହତ ହୋଇଥିଲେ । କିନ୍ତୁ ସେ ସମ୍ପର୍ଣ୍ଣ ସୁସ୍ଥ ଅନୁଭବ କରୁଥିଲା । ଶ୍ରୀଜଗନ୍ନାଥଙ୍କୁ ମନେପକାଇ ଆଖିବନ୍ଦକଲା ସେ । ତା ଆଖି ଆଗରେ ନାଚିଉଠିଲା, ସେ କେମିତି ରଥ ଦଉଡ଼ି ଧରି ଅନ୍ୟମାନଙ୍କ ସହିତ ଆନନ୍ଦରେ ରଥଟାଣୁଥିଲା । କେମିତି ଭକ୍ତମାନେ ହରିନାମ କୀର୍ତ୍ତନରେ ମଗ୍ନ ଥିଲେ । ସେ କେମିତି ସମସ୍ତଙ୍କ ସହିତ ମିଶି ଏକସ୍ୱରରେ ନାମ ଉଚ୍ଚାରଣ କରୁଥିଲା । ଆଉ କେମିତି ଭକ୍ତଙ୍କ ପାଦତଳେ ଚକଟି ହୋଇ ସେ ନିଶ୍ଚେତ ହୋଇଗଲା । ଏତିକି ବେଳେ ତାକୁ ଲାଗିଲା, ଯେମିତି ରଥ ଉପରୁ ତ୍ୱରିତ୍ ଲମ୍ଫ ଦେଇ ପ୍ରଭୁ ତାକୁ କୋଳେଇ ଧରିଲେ । ଆଉ ତା କାନରେ କହିଦେଲେ, ତୁ ତୋର ସବୁ ଦୋଷ ଦୁର୍ଗୁଣକୁ ଧୋଇଧାଇ ମୋ ପାଖକୁ ଆସିଛୁ । ତୋତେ ରକ୍ଷା କରିବା ତ ମୋର କର୍ତ୍ତବ୍ୟ ନା? ଯାଆ , ତୁ ତୋ ଗାଁକୁ ଫେରିଯା । ତୋର କିଛି ହେବନି ।

ହଠାତ୍ ଚମକି ପଡ଼ିଲା ଅବଧେଶ । ଆଖି ଖୋଲିଲା ବେଳକୁ, ତା ଆଖିରୁ ତା ଅଜାଣତରେ ଝରିଯାଇଥିଲା ଦୁଇଧାର ଲୁହ । ସେ ବେଡ୍ ଉପରୁ ଉଠିଲା । ଆଉ ସେଠାରୁ ଏକମୁହାଁ ହୋଇ ଚାଲିଲା ଗାଁକୁ । ଗାଁ ଦାଣ୍ଡରେ ପାଦ ରଖିଲା ବେଳକୁ, ସେଠାରେ ଖେଳୁଥିଲେ ଗାଁର କୁନି କୁନି ପିଲାମାନେ । ଚାରି ପାଞ୍ଚ ବର୍ଷର ଦୁଇଟି ପୁଅ ଓ ଗୋଟିଏ କୁନି ଝିଅକୁ ଦେଖି, ସେମାନଙ୍କ ପାଖକୁ ଖୁବ୍ ଶ୍ରଦ୍ଧାରେ ଗଲା ଅବଧେଶ । ସେମାନଙ୍କୁ କୋଳେଇ ଧରି ସେ ଉଚ୍ଚସ୍ୱରରେ ସମସ୍ତଙ୍କୁ ଡାକ ପକାଉଥିଲା, ଏ ଦେଖରେ ସମସ୍ତେ .. ଗାଁକୁ ମହାପ୍ରଭୁ ଆସିଛନ୍ତି । ମୋ ଠାକୁର ଆସିଛନ୍ତି । ସମସ୍ତେ ଘଣ୍ଟ ଘଣ୍ଟା ବଜେଇ ଆସ । ହରିବୋଲ ହୁଳହୁଳି ଦିଅ । ମୋ କାଳିଆ ଠାକୁର ଆସିଛନ୍ତି ।
ଅବଧେଶର ଏଭଳି କ୍ରିୟାକଳାପ ଦେଖି, ଗାଁ ଲୋକମାନେ କହୁଥିଲେ, ସମସ୍ତଙ୍କୁ ହରେଇଲା ପରେ, ନିଜର ମାନସିକ ଭାରସାମ୍ୟ ହରାଇ ପାଗଳ ହୋଇଯାଇଛି ଅବଧେଶ । ବୁଢ଼ା ଏଥର ଚାଲିଯିବ । ଏତିକିବେଳେ ସେହି ତିନିଟି ପିଲାର ମାଆମାନେ ଆସି ତରବରରେ ଅବଧେଶ ପାଖରୁ ଟାଣିନେଲେ ନିଜ ନିଜ ପିଲାଙ୍କୁ । ହେଲେ ଅବଧେଶ ଥିଲା କିନ୍ତୁ ଏକ ଭିନ୍ନ ଜଗତରେ ।

ବିଭାଗୀୟ ମୁଖ୍ୟ,
ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍
ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ. ପିନ୍-୧୪୦୪୨୩
ଫୋନ୍- ୯୯୩୭୨୫୨୪୬୪

Leave A Reply

Your email address will not be published.