Latest Odisha News

BREAKING NEWS

ଆସନ୍ତୁ ବୁଲିଯିବା ‘ଗୋଆ’ – ସୌନ୍ଦର୍ଯ୍ୟଭରା ନାରାୟଣୀ ମନ୍ଦିର

ଗୋଅାର ପାଣାଜୀରେ ମୋର ରହଣି ଧିରେ ଧିରେ୍‌ ଅାଗକୁ ବଢୁଥିଲା ଏବଂ ମୁଁ ପ୍ରତିଦିନ ନୂଅା ନୂଅା ସ୍ଥାନ ଦେଖିବାକୁ ପାଉଥିଲି ଏବଂ ନିଅାରା ଅନୁଭୂତି ବି ସାଉଁଟୁଥିଲି। ଏବେ ଅାମେ ରୁଦ୍ରେଶ୍ୱରଙ୍କ ଦର୍ଶନ ପରେ ଗୋଅାର ଦୁଇଟି ବଡ଼ ମନ୍ଦିର ଦେଖିବାର ସମୟ ହୋଇଯାଇଥିଲା। ପାଣାଜୀ ଠାରୁ ପ୍ରାୟ ୨୨ ରୁ ୨୫ କିଲୋମିଟର ଯିବା ପରେ ପଡ଼ିଥାଏ ଏହି ଦୁଇଟି ମନ୍ଦିର ଗୋଟିଏ ହେଉଛି ମାର୍ଦୋଲର ମାହାଲସା ନାରାୟଣୀ ମନ୍ଦିର ଏବଂ ଅନ୍ୟଟି ହେଉଛି ମଙ୍ଗେସୀର ମଙ୍ଗେସୀ ମହାଦେବ ମନ୍ଦିର। ତେବେ ଅାମେ ପ୍ରାୟ ୪୫ ମିନିଟ ଗାଡ଼ିରେ ଯାତ୍ରା କରିବା ପରେ ଅାସିକି ପହଁଚିଥିଲୁ ମାର୍ଦୋଲ୍ ର ମାହଲସା ନାରାୟଣୀ ମନ୍ଦିରରେ ।

ଅାମେ ମନ୍ଦିରରେ ପହଁଚିବା ପରେ ଜଣେ ପୂଜକଙ୍କୁ ଦେଖିବାକୁ ପାଇଥିଲୁ ସେ ସେତେବେଳେ କିଛି ଅନ୍ୟ ଭକ୍ତ ମାନଙ୍କୁ ଏହି ମନ୍ଦିରର ଐତିହ୍ୟ ସଂପର୍କରେ ସୂଚନା ଦେଉଥିଲେ। ଏପରି ସୁଯୋଗକୁ ମୁଁ ଅାଉ ହାତ ଛଡ଼ା କରିବାକୁ ଚାହିଁଲି ନାହିଁ। ମୁଁ ପୂଜକଙ୍କ ନିକଟକୁ ଯାଇ ପ୍ରଣାମ କରି ତାଙ୍କ କଥା ଶୁଣିବାକୁ ଲାଗିଲି।  ମାହଲସା ନାରାୟଣୀ ମନ୍ଦିର ଗୋଅାର ପ୍ରାୟ ପ୍ରତି ମନ୍ଦିର ଭଳି ସ୍ଥାନାନ୍ତରଣ ମଧ୍ୟ ହୋଇଥିଲା।

୧୫୪୩ ମସିହାରେ ପତ୍ତୃଗୀଜ ମାନଙ୍କ ଗୋଅା ଅଧିଗ୍ରହଣ ସମୟରେ ଏହି ସ୍ଥାନାନ୍ତରଣ ହୋଇଥିଲା। ପତ୍ତୃଗୀଜ ମାନେ ଯେତେବେଳେ ଭରନା ନାମକ ସ୍ଥାନ ଅଧିଗ୍ରହଣ କରିବାକୁ ଅାସିଲେ ସେଠାରେ ଥିବା ଏହି ମହାଲସା ନାରାୟଣୀଙ୍କ ମନ୍ଦିର ସେମାନଙ୍କ ଦୃଷ୍ଟିକୁ ଅାସିଥିଲା। ଅାଉ ସେମାନେ ଏହି ମନ୍ଦିରକୁ ଧ୍ୱସଂ କରିବା ପୂର୍ବରୁ ସେଠାରେ ଥିବା ଭକ୍ତ ମାନେ ନଦୀ ପାର କରି ମହାଲସା ନାରାୟଣୀଙ୍କୁ ମାଦୋର୍ଲ୍‌ର ଏହି ସ୍ଥାନକୁ ଅାଣି ପୂଜାର୍ଚ୍ଚନା କରିଥିଲେ। ତେବେ ମହାଲସା ନାରାୟଣୀଙ୍କୁ ଦୁଇଟି ଅବତାରରେ ପୂଜାର୍ଚ୍ଚନା କରିଥାନ୍ତି। କେହି କେହି ମାହାଲ୍‌ସା ନାରାୟଣୀଙ୍କୁ ଭଗବାନ ବିଷ୍ଣୁଙ୍କର ମୋହିନୀ ରୂପ ଭାବେ ପୂଜାର୍ଚ୍ଚନା କରୁଥିବା ବେଳେ। ଅାଉ କେହି କେହି ଲୋକ ଦେବତା ଖାଣ୍ଡାବାଙ୍କ ଧର୍ମପତ୍ନୀ ଭାବେ ମାହଲ୍‌ସାଙ୍କୁ ପୂଜା କରିଥାନ୍ତି।ଖାଣେ୍ଡାବା ହେଉଛନ୍ତି ଭଗବାନ ଶିବଙ୍କର ଅନ୍ୟତମ ରୂପ।ତେଣୁ ନାରାୟଣୀ ରୂପୀ ପାର୍ବତୀଙ୍କୁ ମଧ୍ୟ ଏଠାରେ ଉପାସନା କରାଯାଏ।

ଏତେ ଗୁଢ ତତ୍ତ୍ୱ କଥା ଶୁଣିବା ବେଳକୁ ମୋର କାହିଁଙ୍କି ମନ ଭିତରକୁ ଅାସୁଥାଏ ଯେ ମା’ ହେଉଛନ୍ତି ଏକ ଓ ଅଭିନ୍ନ। ଦୁଷ୍ଟ ଦଳନ ପାଇଁ ସେ ବିଭିନ୍ନ ସମୟରେ ବିଭିନ୍ନ ରୂପରେ ଉଭା ହୋଇଛନ୍ତି। ଅବଶ୍ୟ ଶାସ୍ତ୍ରଜ୍ଞ ବିଦ୍ୱାନ ପଣ୍ଡିତ ମାନେ ମା’ଙ୍କର ଏହି ବିଭିନ୍ନ ରୂପ ଭିତରେ ଅନେକ ଗୁଢ ତତ୍ତ୍ୱକୁ ଦେଖିପାରୁଥିବେ। ହେଲେ ଅାମ ଭଳି ସନ୍ତାନ ମାନଙ୍କ ପାଇଁ ମା’ଙ୍କର ରୂପ ହେଉଛି ଗୋଟିଏ ମଙ୍ଗଳଦାୟିନୀ ରକ୍ଷାକାରିଣୀ ମା’। ଯିଏ ସବୁବେଳେ ଅାମ ଭଳି ଅବୋଧ ସନ୍ତାନ ମାନଙ୍କ ରକ୍ଷା କରିବା ପାଇଁ ଯୁଗେ ଯୁଗେ ଉଭା ହୋଇଛନ୍ତି।

ଏହି ସବୁ କଥା ମୁଁ ମନ ଭିତରେ ଭାବିବା ବେଳକୁ ମୋ କାନରେ କିନ୍ତୁ ପୂଜକ ମା’ଙ୍କର ମହିମା ଏବଂ ରୂପ ବର୍ଣ୍ଣନା କରୁଥିବା କଥା ଗୁଂଜରିତ ହେଉଥାଏ।ତେଣୁ ମୁଁ ମୋ ଭାବନା ରାଇଜରୁ ବାହାରି ଅାସି ପୂଜକଙ୍କ କଥାରେ ଧ୍ୟାନ ଦେବାକୁ ଅାରମ୍ଭ କଲି। ସେ ବର୍ଣ୍ଣନା କରୁଥିଲେ ମାହାଲ୍‌ସା ନାରାୟଣୀ ହେଉଛନ୍ତି ଚର୍ତୁଭୂଜା। ଗୋଟିଏ ହସ୍ତରେ ତାଙ୍କର ରହିଛି ତ୍ରୀଶୂଳ ଅନ୍ୟ ଏକ ହସ୍ତରେ ରହିଛି ଖଡ୍‌ଗ ଅାଉ ଗୋଟିଏ ହସ୍ତରେ ରହିଛି ଛିନ୍ନ ମସ୍ତକ ଏବଂ ଅାଉ ଗୋଟିଏ ହସ୍ତରେ ରହିଛି ପାତ୍ର। ମାହାଲ୍‌ସା ନାରାୟଣୀ ଉପବିତ ଧାରଣ କରିଛନ୍ତି।ଯାହା ସାଧାରଣତଃ ଦେବତା ମାନେ ଧାରଣ କରିଥାନ୍ତି। ପୂଜକ ଜଣଙ୍କ ଏମିତି ମାହାଲ୍‌ସା ନାରାୟଣୀଙ୍କ ରୂପ ବର୍ଣ୍ଣନା କରିବା ଭିତରେ ଅାମେ ମୁଖ୍ୟ ଗମ୍ଭୀରା ପାଖରେ ପହଁଚି ସାରିଥିଲୁ। ମାହାଲ୍‌ସା ନାରାୟଣୀଙ୍କୁ ଦର୍ଶନ କଲୁ।

ଅାଉ ସେଠାରେ ମଧ୍ୟ ଜାଣିବାକୁ ପାଇଲୁ ଯେ ମାହାଲ୍‌ସା ନାରାୟଣୀ ଦିନର ବିଭିନ୍ନ ସମୟରେ ବିଭିନ୍ନ ଅଳଙ୍କାର ଧାରଣ କରନ୍ତି। ଅାଉ ଭକ୍ତ ମାନଙ୍କୁ ଭିନ୍ନ ଭିନ୍ନ ରୂପରେ ଦର୍ଶନ ଦେଇଥାନ୍ତି। ଅାମେ ବାହାରକୁ ଅାସିବା ବେଳକୁ ଏକ ବିରାଟ ଦୀପସ୍ତମ୍ଭ ଦେଖିବାକୁ ପାଇଲୁ। ବୋଧହୁଏ ଗୋଅାର ପ୍ରାୟ ସବୁମନ୍ଦିରରେ ଥିବା ଦୀପ ସ୍ତମ୍ଭ ଠାରୁ ଏହା ଖୁବ୍‌ ଅାକର୍ଷଣୀୟ ଦେଖାଯାଉଥିଲା। ଅାମେ ବାହାରେ କିଛି ସମୟ ବୁଲାବୁଲି କରିବା ଭିତରେ ଅାମ ଗାଡ଼ି ଚାଳକ ସୂଚନା ଦେଇଥିଲା ଯେ ଅାମକୁ ମଙ୍ଗେସୀ ମହାଦେବଙ୍କ ମନ୍ଦିର ଯିବାକୁ ପଡ଼ିବ।ଯାହା ମାହାଲ୍‌ସା ମନ୍ଦିର ଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ଅବସ୍ଥିତ ଥିଲା। ତେଣୁ ଅାମେ ଅାଉ ଡ଼େରି ନ କରି ଗାଡ଼ିରେ ବାହରିଲୁ ମଙ୍ଗେସୀର ମହାଦେବ ମନ୍ଦିରକୁ…କ୍ରମଶଃ

Leave A Reply

Your email address will not be published.