Latest Odisha News

BREAKING NEWS

ଭୁଶୁଡ଼ି ପଡ଼ିଲା ସୁନା ଖଣି; ୧୧ ମୃତ, ୩୦ ଆହତ

ଖାର୍ତୁମ୍: ଉତ୍ତର-ପୂର୍ବ ସୁଡାନରେ ଏକ ସୁନା ଖଣି ଭୁଶୁଡ଼ି ପଡ଼ିବାରୁ ଅତି କମରେ ୧୧ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି।ଏଥିସହିତ ୩୦ ଜଣ ଆହତ ହୋଇଥିବା ଜଣାପଡ଼ିଛି।

ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ ଭଗ୍ନାବଶେଷ ତଳେ ପୋତି ହୋଇଥିବା ଲୋକଙ୍କ ସନ୍ଧାନ ଜାରି ରହିଛି। ରାଷ୍ଟ୍ରାୟତ୍ତ ସୁଡାନ୍ ଖଣିଜ ସମ୍ପଦ କମ୍ପାନୀର ଜଣେ ଅଧିକାରୀ କହିଛନ୍ତି, “ରବିବାର ସୁଦ୍ଧା ୧୧ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ଏବଂ ୩୦ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଅନ୍ୟ ଶ୍ରମିକଙ୍କୁ ଉଦ୍ଧାର ପାଇଁ ସନ୍ଧାନ ଜାରି ରହିଛି।

ଏକ ବିବୃତ୍ତିରେ କମ୍ପାନୀ ଖଣି ଭୁଶୁଡ଼ି ପଡ଼ିବା ଫଳରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପାଇଁ ଦୁଃଖ ପ୍ରକାଶ କରିଛି କିନ୍ତୁ ମୃତାହତଙ୍କ ସଂଖ୍ୟା ବିଷୟରେ କୌଣସି ସୂଚନା ପ୍ରଦାନ କରିନାହିଁ। ଏହା ଏକ ସପ୍ତାହ ମଧ୍ୟରେ ସୁଡାନରେ ଦ୍ୱିତୀୟ ସୁନା ଖଣି ଭୁଶୁଡ଼ିବା ଘଟଣା। ଗତ ରବିବାର ଦେଶର ପଶ୍ଚିମ ଭାଗରେ ଅନ୍ୟ ଏକ ସୁନା ଖଣିରେ ଅନେକ ସୁଡ଼ଙ୍ଗ ଭୁଶୁଡ଼ି ପଡ଼ିବାରୁ ଅତି କମରେ ୮୨ ଜଣଙ୍କର ମୃତ୍ୟୁ ହୋଇଥିଲା।

ଏହି ଅଞ୍ଚଳ ଅର୍ଦ୍ଧସାମରିକ ରାପିଡ୍ ସପୋର୍ଟ ଫୋର୍ସର ନିୟନ୍ତ୍ରଣରେ ଅଛି, ଯାହା ତିନି ବର୍ଷରୁ ଅଧିକ ସମୟ ଧରି ସୁଡାନ୍ ସେନା ସହିତ ଲଢ଼ୁଛି। ଏହି ଅଞ୍ଚଳରେ କାର୍ଯ୍ୟରତ ଅବଦଲହାଇ ଖରିଫ ଆବାକର ଘଟଣା ବିଷୟରେ ସୂଚନା ଦେଇ କହିଛନ୍ତି, “ଉତ୍ତର-ପୂର୍ବ ଲୋହିତ ସାଗର ରାଜ୍ୟର ଓନିର ଦୁର୍ଗମ ଅଞ୍ଚଳରେ ଶନିବାର ରାତିରେ ଏହି ଘଟଣା ଘଟିଛି। ସୁନା ଉତ୍ପାଦନକାରୀ ଦେଶ ସୁଡାନରେ ଖଣି ଭୁଶୁଡ଼ି ପଡ଼ିବା ଯୋଗୁଁ ମୃତ୍ୟୁର ମୁଖ୍ୟ କାରଣ ସୁରକ୍ଷା ମାନଦଣ୍ଡର ଅନୁପାଳନ ନ କରିବା ବୋଲି କୁହାଯାଉଛି।”

Leave A Reply

Your email address will not be published.