Latest Odisha News

BREAKING NEWS

ଫାଇଭ-ଟି ପ୍ରହସନ: ପ୍ରାଥମିକ ଶିକ୍ଷାର ବିକଟାଳ ଚିତ୍ର

ନୂଆପଡା: ସ୍ମାର୍ଟ ସ୍କୁଲ ନିର୍ମାଣ କରି ରାଜ୍ୟ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । ସର୍ବଶିକ୍ଷା ଅଭିଯାନରେ ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ ନାରାରେ ସରକାର ବାହାବାହା ନେଉଛି ସତ ହେଲେ ନୂଆପଡା ଜିଲ୍ଲା ସିନାପାଲି ଓ ଖଡ଼ିଆଳ ବ୍ଲକରେ ଭୁଶୁଡିପଡିଛି ଶିକ୍ଷା ବ୍ୟବସ୍ଥା । ଭଙ୍ଗା ଦଦରା ଅବସ୍ଥାରେ ପଡିରହିଛି ପ୍ରାଥମିକ ସ୍କୁଲ ।

ଖଡ଼ିଆଳ ଓ ସିନାପାଲି ଅଞ୍ଚଳରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା । ଭଙ୍ଗା ଦଦରା ହୋଇ ପଡି ରହିଛି ପ୍ରାଥମିକ ସ୍କୁଲ । ଏଭଳି ଏକ ଅଭାବନୀୟ ଦୃଶ୍ୟ ହେଉଛି ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଲଛିପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ସିନାପାଲି ବ୍ଲକ ଖଲନା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର । ସ୍କୁଲ ଅବସ୍ଥା ଅତି ଶୋଚନୀୟ ହୋଇ ଭଙ୍ଗା ଦଦରା ହୋଇ ଯିବାରୁ ବିପଦ ପୂର୍ଣ୍ଣ ହୋଇଛି ସ୍କୁଲ କୋଠରୀ । ବିଦ୍ୟାଳୟର ବାହାର ଚକାଚକ ଦିଶୁଥିବା ବେଳେ ଭିତରେ ଅବସ୍ଥା ଯେ କେତେ ବିପଦ ସଙ୍ଖୁଳ ତାହା କେବଳ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଙ୍କୁ ଜଣା । ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ଯାଏଁ ଥିବା ଏହି ବିଦ୍ୟାଳୟ ପାଇଁ ଆଠ ଜଣ ଶିକ୍ଷକ ଅଛନ୍ତି ସତ ହେଲେ ଆଠ ଟି ଶ୍ରେଣୀ ପାଇଁ କେବଳ ତିନୋଟି ଶ୍ରେଣୀ ଗୃହ ତାହା ପୁଣି ବିପଦ ସଙ୍ଖୁଳ ଅବସ୍ଥାରେ ।

ଟିକିଏ ବର୍ଷାରେ ବିଦ୍ୟାଳୟ ଛାତରୁ ପାଣି ଝରୁଥିବା ବେଳେ ସ୍ଲାପ ରୁ ଅତଡା ଖସୁଛି । ଶ୍ରେଣୀ ଗୃହର କାନ୍ତ ସବୁ ଫାଟି ଆଁ କରିଛି । ବିଦ୍ୟାଳୟର ଅଫିସ କାର୍ଯ୍ୟାଳୟ ଗୃହର ବି ଅବସ୍ଥା ଶୋଚନୀୟ । ଏପରିକି ଛାତ୍ରଛାତ୍ରୀଙ୍କ ପାଇଁ ଶୌଚାଳୟ ଟିଏ ମଧ୍ୟ ନାହିଁ । ସେପଟେ ରୋଷେଇ ଗୃହ ମଧ୍ୟ ନଥିବାରୁ ନାହିଁନଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି ପାଚିକା । ସେହିପରି ସମାନ ପରିସ୍ଥିତିରେ ଚାଲିଛି ଲଛିପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ବିଦ୍ୟାଳୟରେ ୨୦୧ ଜଣ ଛାତ୍ରଛାତ୍ରୀ ଥିବାବେଳେ ଶ୍ରେଣୀ ଗୃହ ଅଭାବରୁ ଗୋଟିଏ କୋଠରୀ ରେ ତିନୋଟି ଶ୍ରେଣୀ ର ପିଲା ବସି ପାଠ ପଢ଼ୁଛନ୍ତି ଓ କିଛି ଶ୍ରେଣୀ ପିଲା ବାରଣ୍ଡାରେ ବସି ପାଠ ପଢ଼ୁଛନ୍ତି । ଏପରି ସ୍ଥିତିରେ ନାହିଁ ନାହିଁ ରେ ଚାଲିଛି ନୂଆପଡା ଜିଲ୍ଲାର ଏହି ଦୁଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ।

ଏବାବଦରେ ଶିକ୍ଷକ ମାନଙ୍କ ଠାରୁ ଆରମ୍ଭ କରି ଗ୍ରାମବାସୀ ପର୍ଯ୍ୟନ୍ତ ବାରମ୍ବାର ଅଭିଯୋଗ କରୁଥିଲେ ହେଁ କେହି କର୍ଣ୍ଣପାତ କରୁନଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକ କହିଛନ୍ତି । ଅପରପକ୍ଷରେ ତଦନ୍ତ କରି ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ସିନାପାଲି ବିଡ଼ିଓ । ଅପରପକ୍ଷରେ ଚଳିତ ବର୍ଷ ୧୦ ଲକ୍ଷ ଟଙ୍କାର ପ୍ରସ୍ଥାବ ଦିଆଯାଇଛି ଯଥା ଶୀଘ୍ର ନୂତନ କୋଠା ନିର୍ମାଣ ହୋଇଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଖଡିଆଳ ସ୍ଥାନୀୟ ସରପଞ୍ଚ ସନ୍ତୋଷ କୁମାର ମିଶ୍ର ।

ରାଜ୍ୟସରକାର ସ୍ମାର୍ଟ ସ୍କୁଲ କୁ ନେଇ ବାହାବା ମାରୁଛନ୍ତି । ହେଲେ ପ୍ରାଥମିକ ସ୍କୁଲ ପ୍ରତି ସରକାରଙ୍କ ନଜର ନାହିଁ। ନାଁ ଶିକ୍ଷା ଭିତ୍ତି ଭୂମି ଅଛି ନା ଆବଶ୍ୟକ ଶିକ୍ଷକ ଅଛନ୍ତି ଏହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଇଁ । ତୁରନ୍ତ ଏଥି ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ନୂତନ ସ୍କୁଲ କୋଠା ସହ ଆବଶ୍ୟକ ଶିକ୍ଷକ ଯୋଗାଇ ଦେବା ଜରୁରୀ ହୋଇ ପଡିଛି । ତେବେ ଦେଖିବା ବାକି ରହିଲା ଯେ କେତେ ଶୀଘ୍ର ପ୍ରଶାସନ ଏଥିପ୍ରତି ତତ୍ପରତା ଦେଖାଉଛି ।

Leave A Reply

Your email address will not be published.