Latest Odisha News

BREAKING NEWS

ରାଜଧାନୀରେ ପୁଣି ଗୁଣ୍ଡାରାଜ୍‌: ମିଠା ଦୋକାନୀଙ୍କୁ ବନ୍ଧୁକ ଦେଖାଇ ଦାଦାବଟି ମାଗିବା ଅଭିଯୋଗ, ଆକ୍ସନ ମୋଡ଼ରେ ପୋଲିସ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଅପରାଧୀ ଓ ଦୁର୍ବୃତ୍ତଙ୍କ ପ୍ରାଦୁର୍ଭାବ କମିବାର ନାଁ ନେଉନାହିଁ। ଦିନକୁ ଦିନ ବ୍ୟବସାୟୀଙ୍କୁ ଟାର୍ଗେଟ୍ କରି ଦାଦାବଟି ମାଗିବା ଏବଂ ଆତଙ୍କ ସୃଷ୍ଟି କରିବା ଘଟଣା ସାଧାରଣ ଜନତାଙ୍କ ସୁରକ୍ଷା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

 

ସହରର ଏକ ପ୍ରତିଷ୍ଠିତ ମିଠା ଦୋକାନର ମାଲିକଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ମୋଟା ଅଙ୍କର ଟଙ୍କା ମାଗିବା ଅଭିଯୋଗରେ ପୋଲିସ ଜଣେ ସନ୍ଦିଗ୍ଧ ଯୁବକଙ୍କୁ ଅଟକ ରଖିଛି।

 

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ଯୁବକ ଜଣକ ସମ୍ପୃକ୍ତ ମିଠା ଦୋକାନ ଭିତରକୁ ପ୍ରବେଶ କରି ମାଲିକଙ୍କୁ ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କାର ଦାଦାବଟି ଦାବି କରିଥିଲେ। ବ୍ୟବସାୟୀ ଜଣକ ଭୟଭୀତ ନହୋଇ ଟଙ୍କା ଦେବାକୁ ସିଧାସଳଖ ମନା କରିଦେଇଥିଲେ। ଏଥିରେ କ୍ଷୁବ୍ଧ ହୋଇ ଦୁର୍ବୃତ୍ତ ଜଣକ ବ୍ୟବସାୟକୁ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ମିଠା ଦୋକାନର ମୁଖ୍ୟ ଗେଟ୍ ସମ୍ମୁଖରେ ପଥର ଗଦା କରି ଦେଇଥିଲେ, ଯେପରି ଗ୍ରାହକମାନେ ଭିତରକୁ ଯାଇପାରିବେ ନାହିଁ। ଏଥିସହ ଦୋକାନ ସମ୍ପୂର୍ଣ୍ଣ ବନ୍ଦ କରିଦେବାକୁ ସେ ଧମକ ମଧ୍ୟ ଦେଇଥିଲେ। ଦୋକାନରେ ଲଗାଯାଇଥିବା ସିସିଟିଭି କ୍ୟାମେରାରେ ଏହି ସମଗ୍ର ଅଭାବନୀୟ ଦୃଶ୍ୟ କଏଦ ହୋଇଛି।

 

ବ୍ୟବସାୟୀଙ୍କ ପକ୍ଷରୁ ଥାନାରେ ଲିଖିତ ଏତଲା ଦିଆଯିବା ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସିସିଟିଭି ଫୁଟେଜ୍ ଆଧାରରେ ଅଭିଯୁକ୍ତ ଯୁବକକୁ ଚିହ୍ନଟ କରି ଅଟକ ରଖିଛି। ପଚରାଉଚରା ସମୟରେ ଜଣାପଡ଼ିଛି ଯେ ସମ୍ପୃକ୍ତ ଯୁବକ ଜଣକ ପୂର୍ବରୁ ମଧ୍ୟ ଅନେକ ଅପରାଧିକ ମାମଲାରେ ସନ୍ଦେହଘେରରେ ରହିଥିଲେ ଏବଂ ନିକଟରେ ଜେଲ୍‌ରୁ ଜାମିନରେ ମୁକୁଳିଥିଲେ।

Leave A Reply

Your email address will not be published.