Latest Odisha News

ରାଜ୍ୟ ଗ୍ରନ୍ଥାଗାରକୁ ଗୁରୁଜୀ ଚନ୍ଦ୍ରଭାନୁ ଶତପଥୀଙ୍କ ଦ୍ୱାରା ଏକ ହଜାର ବିରଳ ପୁସ୍ତକ ପ୍ରଦାନ

ଭୁବନେଶ୍ୱର : ଅବସରପ୍ରାପ୍ତ ଆଇପିଏସ୍‌ ଅଧିକାରୀ ତଥା ଜନସେବା କ୍ଷେତ୍ରରେ ସୁଖ୍ୟାତି ଅର୍ଜନ କରିଥିବା ଗୁରୁଜୀ ଚନ୍ଦ୍ରଭାନୁ ଶତପଥୀ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରାୟ ଏକ ହଜାର ବିରଳ ଓ ଦୁର୍ଲଭ ପ୍ରାଚୀନ ଓଡ଼ିଆ ପୁସ୍ତକ ଓ ପତ୍ର ପତ୍ରିକା ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରକୁ ପ୍ରଦାନ କରିଛନ୍ତି । ଏହି ପୁସ୍ତକଗୁଡ଼ିକ ମଧ୍ୟରେ ଓଡ଼ିଆ ଭାଷାରେ ଲିଖିତ ପ୍ରଥମ ବ୍ୟାକରଣ, ପ୍ରଥମ ଉପନ୍ୟାସ ଓ ପ୍ରାଚୀନ ଓଡ଼ିଆ ପତ୍ରିକା ରହିଛି । ଅନେକ ପୁସ୍ତକ ଏକ ଶହ ବର୍ଷରୁ ଅଧିକ ପୁରୁଣା ହୋଇଥିବାବେଳେ କିଛି ପ୍ରାୟ ପଚାଶ ବର୍ଷ ପୁରୁଣା । ଏହି ବିରଳ ଗ୍ରନ୍ଥଗୁଡ଼ିକୁ ରାଜ୍ୟ ଗ୍ରନ୍ଥାଗାରର ଏକ ସ୍ୱତନ୍ତ୍ର କୋଠରୀରେ ସଂରକ୍ଷିତ କରି ରଖାଯାଇଛି । ଏହି ଅବସରରେ ଦିଲ୍ଲୀରୁ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରକୁ ପୁସ୍ତକ ଆଣିବାରେ ସହଯୋଗ କରିଥିବା ବ୍ୟକ୍ତିମାନଙ୍କୁ ଶ୍ରୀ ଶତପଥୀ ସମ୍ବର୍ଦ୍ଧିତ କରିଥିଲେ ।

ଏହି ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାଏ, ସ୍ୱତନ୍ତ୍ର ଶାସନ ସଚିବମଧୁସୂଦନ ଦାସ, ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରର ବିଦ୍ୟାଧର ପଣ୍ଡା ଓରୁଦ୍ର ପ୍ରସାଦ ବେହେରା, ନୂଆଦିଲ୍ଲୀର ନୋଏଡ଼ାସ୍ଥିତ ‘ସାଇ କରୁଣା ଧାମ୍‌’ ଆଶ୍ରମରେ ଗୁରୁଜୀଙ୍କୁ ସାକ୍ଷାତ କରିବା ଏବଂ ରାଜ୍ୟ ଗ୍ରନ୍ଥାଗାରକୁ ପୁସ୍ତକ ଆଣିବା ସମୟ ମଧ୍ୟରେ ବିଭିନ୍ନ ଅଲୌକିକ ଘଟଣାର ଅନୁଭୂତି ସମ୍ପର୍କରେ ପ୍ରକାଶ କରିଥିଲେ ।  ଏହି ପୁସ୍ତକରେ ପ୍ରାଚୀନ ଓଡ଼ିଶାର ସାହିତ୍ୟ, ଇତିହାସ, ସାମାଜିକ ଓ ଅର୍ଥନୈତିକ ବ୍ୟବସ୍ଥା ସମ୍ପର୍କରେ ଅନେକ ଉପାଦେୟ ତଥ୍ୟ ରହିଛି । ଏଥି ମଧ୍ୟରେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷଠାରୁ ଆରମ୍ଭ କରି ମୟୂରଭଞ୍ଜର ରାଜାମହାରାଜାଙ୍କ ରାଜ୍ୟାଭିଷେକର ଚିତ୍ର ଓ ତଥ୍ୟ ରହିଛି । ଏହି ପୁସ୍ତକଗୁଡ଼ିକ ଗବେଷଣା ନିମନ୍ତେ ଉତ୍ତରପିଢ଼ି ପାଇଁ ଉପାଦେୟ ହୋଇପାରିବ ବୋଲି ଶ୍ରୀ ଶତପଥୀ ଉଲ୍ଲେଖ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ପୋଲିସ କମିଶନ ସୌମେନ୍ଦ୍ର ପ୍ରିୟଦର୍ଶୀ, ଅବସରପ୍ରାପ୍ତ ବିଚାରପତି, ପ୍ରଶାସକ, ସମାଜସେବୀ, ବିଭାଗୀୟ ଅଧିକାରୀ ଓ ମାନ୍ୟଗଣ୍ୟ ବ୍ୟକ୍ତିଉପସ୍ଥିତ ଥିଲେ ।

Leave A Reply

Your email address will not be published.