Latest Odisha News

BREAKING NEWS

ହାତବୁଣା ଟସର ବସ୍ତ୍ର ଗୋପାଳପୁରକୁ ଦେଇଛି ସ୍ୱତନ୍ତ୍ର ପରିଚୟ

 କଳା ଓ କାରିଗରୀକୁ ନେଇ ପ୍ରିୟରଞ୍ଜନ କରଙ୍କ ସ୍ୱତନ୍ତ୍ର ଉପସ୍ଥାପନା 

ପାଟ ସୂତାରେ ଯାଜପୁର ଜିଲ୍ଲା ଗୋପାଳପୁରର ବୁଣାକାର ବାନ୍ଧି ରଖିଛନ୍ତି, ରାଜ୍ୟର ସମୃଦ୍ଧ ବୟନା କଳାର ପରମ୍ପରାକୁ । ବର୍ଷ ପରେ ବର୍ଷ ବୁଣି ଚାଲିଛନ୍ତି, ଏକକୁ ଆରେକ ଆଖି ଝଲସା ପାଟ ବସ୍ତ୍ର ସବୁ । ସେମାନଙ୍କ ହାତ ତିଆରି ବସ୍ତ୍ର ପିନ୍ଧି ଅନେକ ନିଜର ଗାରିମା ଓ ସମୃଦ୍ଧି ପ୍ରଦର୍ଶନ କରୁଥିବାବେଳେ ଏଠାକାର ଅଧୀକାଂଶ ବୁଣାକାର କିନ୍ତୁ ଦାରିଦ୍ର୍ୟ ସୀମା ରେଖାରୁ ବେଶୀ ଉପରକୁ ଉଠି ପାରିନାହାନ୍ତି । ଉପଯୁକ୍ତ ପ୍ରୋତ୍ସାହନ ଅଭାବରୁ ଏଠାକାର ସ୍ୱାବଲମ୍ବୀ ବୁଣାକାର ଧୀରେ ଧୀରେ ନିଜ ବୃତ୍ତିରୁ ମୁହଁ ଫେରାଇନେବାକୁ ବସିଲେଣି ।

କଟକ ପାଣିକୋଇଲି ରାସ୍ତାର ଧର୍ମଶାଳା ଛକରୁ ମାତ୍ର ୫ କିଲୋମିଟର ଦୂରରେ ପଡେ ବୁଣାକାରଙ୍କ ଗାଁ ଗୋପାଳପୁର । ଜାତୀୟ ରାଜପଥ କଡରେ ଅବସ୍ଥିତ ଏହି ଗାଁକୁ ରହିଛି ଉନ୍ନତ ଯୋଗାଯୋଗ ବ୍ୟବସ୍ଥା । ଯାଜପୁର ଜିଲ୍ଲା ପ୍ରଥମାଖଣ୍ଡି ପଂଚାୟତ ଅନ୍ତର୍ଗତ ଗୋପାଳପୁର, ଚକ ଗୋପାଳପୁର ,ଗୋବିନ୍ଦପାଟଣା ଓ ପ୍ରଥମାଖଣ୍ଡି ଗାଁରେ ରହନ୍ତି ୬୦୦ରୁ ଉର୍ଦ୍ଧ୍ବ ବୁଣାକାର ପରିବାର । ଟସର ମଠା ବା ପାଟ ବସ୍ତ୍ର ପାଇଁ ପ୍ରସିଦ୍ଧ ଏହି ଅଞ୍ଚଳର ରାଜ୍ୟ ତଥା ରାଜ୍ୟ ବାହାରେ ରହିଛି ଏକ ସ୍ୱତନ୍ତ୍ର ପରିଚୟ । ଏଠାକାର ବସ୍ତ୍ର କିନ୍ତୁ ବାହାରେ ପରିଚିତ ହୋଇଥାଏ ଗୋଟିଏ ନାଁରେ ,ଗୋପାଳପୁରର ମଠା ଲୁଗା ଭାବେ । ଗାଁ ଗୁଡିକ ବି ଏଭଳି ଲଗାଲଗି ରହିଛନ୍ତି ସେଥିରୁ ବାହାରୁ ଆସୁଥିବା ଲୋକଙ୍କୁ ଜାଣିବା କଷ୍ଟ ହୋଇ ପଡେ, ଗାଁ ଗୁଡିକର ପରିସୀମା । ଚାରିଆଡେ ସବୁଜ କ୍ଷେତ ଓ ବୃକ୍ଷଲତାରେ ଭରପୁର ଏଠାକାର ପରିବେଶ ବେଶ ମନଲୋଭା । ଗାଁ ଭତରକୁ ପଶୁ ପଶୁ ଜଣା ପଡିଯାଏ ଏ ବୁଣାକାରଙ୍କ ଗାଁ ବୋଲି । କାଠ ତନ୍ତର ଖଡ ଖଡ ଶବ୍ଦ ସାଙ୍ଗକୁ ଗାଁ ଦାଣ୍ଡରେ ବୁଣାକାରଙ୍କ କର୍ମ ବ୍ୟସ୍ତ ଜୀବନ ଏକଥାକୁ ସୁଚାଇ ଦିଏ । କି ସ୍ତ୍ରୀ କି ପୁରୁଷ ସଭିଏଁ ସଭିଏଁ ଲାଗିଥାନ୍ତି ବୁଣାବୁଣି କାମରେ । ଗୋପାଳପୁର ବୁଣାକାରଙ୍କ ହାତବୁଣା ଟସର ମଠା ଶାଢୀ,ଜାଲା, ଚଦର, ସ୍କାର୍ପ,ଧୋତି, ବେଡସିଟ, ସାର୍ଟ କପଡା ଓ ପରଦା ଆଦିର ରହିଛି ବେଶ ଚାହିଦା ।

ଆଜିକୁ ପ୍ରାୟ ୫୦୦ବର୍ଷ ତଳେ ପଶ୍ଚିମବଙ୍ଗ ରାଜ୍ୟର ବର୍ଧମାନ ଅଞ୍ଚଳରୁ କିଛି ବୁଣାକାର ପରିବାର ଯାଜପୁରର ଗୋପାଳପୁରକୁ ଆସି ବସବାସ ଆରମ୍ଭ କରିଥିଲେ । ବହୁ ଘାତ ପ୍ରତିଘାତ ସତ୍ତ୍ୱେ ଦୀର୍ଘ ବର୍ଷ ହେବ, ଏଠାକାର ବୁଣାକାର ମାନେ ବଞ୍ଚାଇ ଆସିଛନ୍ତି ସେମାନଙ୍କ କୌଳିକ ବୃତ୍ତିକୁ । କୁହାଯାଏ ଶ୍ରୀ ଚୈତନ୍ୟଙ୍କ ଓଡିଶା ଆଗମନ ସମୟରୁ ଏଠାରେ ଟସର ସୂତାରୁ ପାଟବସ୍ତ୍ର ତିଆରି କରାଯାଇ ଆସୁଛି । ପିଢୀ ପରେ ପିଢୀ ଏଠାକାର ହସ୍ତତନ୍ତକୁ ବଞ୍ଚାଇ ରଖିବାକୁ ଏ ଅଞ୍ଚଳରେ ଦେଖା ଯାଇଥାଏ ଏକ ନିଆରା ପରମ୍ପରା । ଏଠାକାର ପୁଅ ମାନେ ସାଧାରଣତ ବିବାହ କରିଥାନ୍ତି ନିଜ ଘର ପାଖ ବା ଗାଁର ଝିଅ ମାନଙ୍କୁ । କାରଣ ବାପ ମାଙ୍କ ଭୟ ଥାଏ ବୁଣାବୁଣି ଜାଣିନଥିବା ପରିବାର ଝିଅ ବୋହୂ ହେଲେ ଏ କାମ ପ୍ରତି ଆକୃଷ୍ଟ ହେବ ନାହିଁ । ତା ସହ ବୁଡିଯିବ ବାପ ଅଜା ଅମଳର କୁଳ ବେଉସା । ଘରେ ଘରେ ଟସରରୁ ସୂତା କାଟିବା ଓ ରଙ୍ଗ କରିବାରେ ସିଦ୍ଧହସ୍ତ ମହିଳା ମାନଙ୍କୁ ଦେଖିଲେ ଏକଥା ସହଜରେ ବୁଝା ପଡିଯାଏ ।

ଗୋପାଳପୁରରେ ୨ ପ୍ରକାର ପାଟ ଲୁଗା ବୁଣା ଯାଇଥାଏ । ଗୋଟିଏ ମଲବରୀ କୋଷାରୁ ବାହାରୁ ଥିବା ରେଶମୀ ସୂତାରୁ ଓ ଅନ୍ୟଟି ଟସର କୋଷାରୁ ବାହାରୁ ଥିବା ମଠା ସୂତାରୁ । ରେଶମୀ ପାଟ ଅପେକ୍ଷା ଟସର ମଠା ଲୁଗା ବୁଣିବାରେ ଏଠାକାର କାରୀଗରମାନେ ଅଧିକ ସିଦ୍ଧହସ୍ତ । ଟସର ମଠା ଲୁଗା ପାଇଁ ହିଁ ଏହି ଅଞ୍ଚଳର ପ୍ରସିଦ୍ଧି ଥିବା ବେଳେ ଏଠାକାର ବୁଣାକାରଙ୍କୁ ଦେଇଛି ଅଧିକ ରୋଜଗାର ସୁବିଧା । ଏଠାକାର ବୁଣାକାର ମାନେ ବୁଣୁଥିବା ପାଟ ଲୁଗା, ସ୍କାର୍ପ,ଚଦର ଓ କପଡା କେବଳ ରାଜ୍ୟରେ ନୁହେଁ ରାଜ୍ୟ ବାହରେ ମଧ୍ୟପ୍ରଦେଶ,ଦିଲ୍ଲୀ,ମୁମ୍ବାଇ,ବନାରସ ଓ କୋଲକାତା ଆଦି ସହର କୁ ବିକ୍ରି ପାଇଁ ଯାଉଛି । କିଛି ନିର୍ଦ୍ଧିଷ୍ଟ ଡିଜାଇନର ସାର୍ଟ କପଡା ଇଟାଲି ,ଜାପାନ ଓ ଫ୍ରାନସ ଆଦି ଦେଶକୁ ମଧ୍ୟ ରପ୍ତାନି ହେଉଛି । ପ୍ରାକୃତିକ ରଙ୍ଗରେ ମଠା କପଡାକୁ ରଙ୍ଗାଇ ଆଖି ଝଲସାଇ ଦେଉଥିବା ସୁନ୍ଦର ସୁନ୍ଦର ଡିଜାଇନର ଶାଢୀ ବୁଣିବାରେ ଏଠାକାର ବୁଣାକାରଙ୍କ ରହିଛି ଅନେକ ସୁନାମ । ଶାଢୀ ଉପରେ ପଶୁପକ୍ଷୀ ,ଡାଳି ଲତା ଓ କୁମ୍ଭ ଆଦିର ଟିତ୍ର ଏଠାକାର ବୁଣାକାରଙ୍କ ହାତ ପରଶରେ ବେଶ ଜୀବନ୍ତ ମନେ ହୁଏ ।

ନିକଟରେ ହସ୍ତତନ୍ତ କ୍ଷେତ୍ରରେ ଜାତୀୟ ପୁରସ୍କାର ପାଇଥିବା ଏଠାକାର ବୁଣାକାର ଶ୍ରୀକାନ୍ତ ଦାସ ଓ ରାଜ୍ୟ ସରକାରଙ୍କ ପୁରସ୍କାର ପ୍ରାପ୍ତ ବୁଣାକାର ସ୍ୱର୍ଗତଃ ପଙ୍କଜ ଦାସଙ୍କ ପାଇଁ ଗୋପାଳପୁର ଅନେକ ଗର୍ବିତ । ହାତ ବୁଣା ଲୁଗାକୁ ବାଦ ଦେଲେ ଏହି ଗାଁର ରହିଛି ଆଉ ଏକ ପରିଚୟ । ଗୋପାଳପୁର ହେଉଛି ଦୌଡ ରାଣୀ ଦୁତି ଚାନ୍ଦ ଓ ତାଙ୍କ ବଡ ଭଉଣୀ ସରସ୍ୱତୀ ଚାନ୍ଦଙ୍କ ଘର । ଏହି ଦୁଇ ଭଉଣୀ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଅନେକ ମେଡାଲ ଜିତି ଆମ ଦେଶ ପାଇଁ ଆଣି ଦେଇଛନ୍ତି ଅନେକ ସୁନାମ ।

ବୁଣାକାରଙ୍କ ଉନ୍ନତି ତଥା ଉତ୍ପାଦିତ ସାମଗ୍ରୀର ବିକ୍ରିବଟା ପାଇଁ ୧୯୫୨ ମସିହାରେ ଗୋପାଳପୁରର ହରମୋହନ ଦାସ ପ୍ରତିଷ୍ଠା କରିଥିଲେ ବାଲୁଙ୍କେଶ୍ୱର ତନ୍ତୁବାୟ ସହଯୋଗ ସମିତି । ଇତିମଧ୍ୟରେ ଏଠାରେ ୧୩ ଟି ସମବାୟ ସମିତି ଗଠିତ ହୋଇ ବୁଣାକାରଙ୍କ ବିକାଶ ପାଇଁ କାମ କରୁଛି । ଆଗଭଳି ଗରିବ ବୁଣାକାରଙ୍କ ଭଳି ଉତ୍ପାଦିତ ସାମଗ୍ରୀର ବିକ୍ରିବଟା ପାଇଁ ଏତେଟା ହଇରାଣ ହେବାକୁ ପଡୁନି । କେବଳ ସେତିକି ନୁହେଁ ୨୦୦୮ ମସିହାରୁ ଏଠାରେ ଖୋଲିଛି ଏକ କ୍ୟାଲେଣ୍ଡ୍ରି ୟୁନିଟ । ଫଳରେ କପଡାକୁ ଅଧିକ ମୁଲାୟମ କରିବାପାଇଁ ବ୍ଲିଚିଂ ଓ ଇସ୍ତ୍ରୀ କରିବାକୁ ଏଠାକାର କାରିଗରଙ୍କୁ ଆଉ ଛତିଶଗଡର ଚମ୍ପାକୁ ଯିବାକୁ ପଡୁନି । ବରଂ ଏସବୁ କାମକୁ ସ୍ୱଳ୍ପ ଖର୍ଚ୍ଚରେ କରିବାକୁ ରାଜ୍ୟର ଅନ୍ୟ ଅଞ୍ଚଳର କାରିଗର ଏଠାକୁ ଆସୁଛନ୍ତି ।


ଖାଲି ସେତିକି ନୁହେଁ ୨୦୧୫ ମସିହା ଅଗଷ୍ଟ ୭ ତାରିଖରେ ରାଜ୍ୟ ସରକାର ଓ ଗୋପାଳପୁରର ହିଙ୍ଗୁଳା ଟସର ଓ ସ୍ଳିକ ବୁଣାକାର ସମବାୟ ସମିତିର ମିଳିତ ଉଦ୍ୟମ କ୍ରମେ ଏକ ଉନ୍ନତ ମାନର ଛାପା ୟୁନିଟ ଖୋଲିଛି । ବାହାର ରାଜ୍ୟରୁ ଆସୁଥିବା ବିଭିନ୍ନ ଡିଜାଇନର ଟସର ଶାଢୀ ଭଳି ଏହି ୟୁନିଟର କାରିଗରଙ୍କ ଦ୍ୱାରା ଭଳିକି ଭଳି ସୁନ୍ଦର ଛାପା ଶାଢୀ ଏବେ ବଜାରରେ ଉପଲବ୍ଧ ହୋଇପାରୁଛି ।
ଏଠାକାର ବୁଣାକାର ମାନେ ପ୍ରାୟ ସବୁ ଗରିବ ପରିବାରର । ଅଧିକାଁଶ ଙ୍କର ଚାଷ ଜମି ନାହିଁ କହିଲେ ଚଳେ । ହସ୍ତ ଚାଳିତ ତନ୍ତ ସାହାଯ୍ୟରେ ଲୁଗାବୁଣା ସେମାନଙ୍କର ଏକମାତ୍ର ଅବଲମ୍ବନ । ସକାଳୁ କାଉ ରାବ ନହେଉଣୁ ଆରମ୍ଭ ହୋଇଯାଏ କାମ । ଘରର ମହିଳା ମାନେ ଟସର ଖୋସାକୁ ପାଣିରେ ସିଝାଇ ସେଥିରୁବାହର କରନ୍ତି ସୂତା । ପରେ ଏହି ସୂତାକୁ ନିଜ ଜଂଘ ଉପରେ ବଳି ତାକୁ ଅଧିକ ଶକ୍ତ କରିଥାନ୍ତି । ଅନେକ ମହିଳାଙ୍କ ଜଂଘରେ ଏଥିପାଇଁ ଦୁରାରୋଗ୍ୟ ଚର୍ମରୋଗ ସୃଷ୍ଟି ହେଉଥିବା ବେଳେ ପେଟର ଭୋକ ନିକଟରେ ଏସବୁକୁ ଭୁଲିବାକୁ ପଡୁଛି ଏଠାକାର ମହିଳା ବୁଣାକାରଙ୍କୁ । ଟସରରୁ ସୂତା ବାହାରିବା ପରେ ପୁରୁଷ ବୁଣାକାର ମାନେ ଏହି ସୂତାକୁ କଣ୍ଡା କରି ଲାଗି ପଡନ୍ତି ବୁଣାବୁଣି କାମରେ । ଦୋକାନର ସୋକେଶରେ ସଜେଇ ହୋଇ ଗ୍ରାହାକକୁ ଅପେକ୍ଷା କରି ଥିବା ଶାଢୀ ତିଆରିର ପକ୍ରିୟାକୁ ଆଖିରେ ନ ଦେଖିଲେ ବିଶ୍ୱାସ କରିହୁଏନା ,ୟା ପଛରେ ଏତେ ଲୋକଙ୍କର ବହୁ ଦିନର ଅକ୍ଳାନ୍ତ ପରିଶ୍ରମ ରହିଛି ବୋଲି । ବଜାରରେ ନକଲି ଡିଜାଇନ ଓ କଳତନ୍ତ ପ୍ରସ୍ତୁତ ଲୁଗାର ପ୍ରବେଶ ଏଠାକାର ବୁଣାକାରଙ୍କ ଜୀବନ ଜିବୀକା ଉପରେ ଆଞ୍ଚ ଆଣିଛି । ସୂତାର ଦାମରେ ଆଶାତୀତ ବୃଦ୍ଧି ଘଟିଥିବା ବେଳେ ସେହି ଅନୁସାରେ ମଠା ଶାଢୀର ଦାମ ବଢୁନି । ଫଳରେ ଦିନରାତି ପରିଶ୍ରମ କରି ବୁଣାକାର ପରିବାରଟି ଉପୟୁକ୍ତ ପାରିଶ୍ରମିକ ପାଇ ପାରୁନି ।

ବର୍ଷ ବର୍ଷ ଧରି ଅଭାବ ଅନାଟନରେ ସଢୁ ଥିବା ବୁଣାକାର ଦୀର୍ଘ ବର୍ଷ ପରେ ବି ଆର୍ଥୀକ ଦୃଷ୍ଟିରୁ ସ୍ୱାବଲମ୍ବୀ ହୋଇପାରିନି । ଆଉ କିଛି ଅନ୍ୟ ଉପାୟ ନଥିବାରୁ ନିଜ ବାପ ଅଜା ଅମଳର କୌଳିକ ବୃତ୍ତିକୁ ଚାହିଁଲେ ବି ଛାଡି ପାରୁନି । ଏଠାକାର ବୁଣାକାରଙ୍କ ଆର୍ଥୀକ ଉନ୍ନତି ପାଇଁ ଆବଶ୍ୟକ ହେଉଛି ଅଧିକ ବିକ୍ରିବଟା ପାଇଁ ନୂଆ ଜ୍ଞାନ କୌଶଳ, ଡିଜାଇନ ଓ ବଜାରର ସହାୟତା । ରାଜ୍ୟ ତଥା ଦେଶ ବାହାରେ କପଡା ପ୍ରଦର୍ଶନୀର ଆୟୋଜନ ଏଠାକାର ପାଟ ଲୁଗାକୁ କରନ୍ତା ଅଧିକ ଲୋକପ୍ରିୟ । କେବଳ ସେତିକି ନୁହେଁ ଗରିବ ବୁଣାକାରଙ୍କୁ ଦୀର୍ଘ ଓ ସ୍ୱଳ୍ପ ମିଆଦି ଋଣ ଯୋଗାଇ ଦେଲେ ଅନେକ ଙ୍କ ଆର୍ଥୀକ ଉନ୍ନତି ହୋଇ ପାରନ୍ତା ।

ଗୋପାଳପୁର ବୁଣାକାରଙ୍କ ପାଇଁ ମାର୍କେଟିଂ ସମସ୍ୟା ଏବେ ଜଟିଳ ହେବାରେ ଲାଗିଛି । କୋଭଡି ଭଳି ମହାମାରୀ ବୁଣାକାରଙ୍କ ଏହି ଦୁଃଖକୁ ଦ୍ୱିଗୁଣିତ କରିଛି । ଶାଢ଼ି ଦାମ ବଢ଼ୁନଥିବାରୁ ଏଠାକାର ବୁଣାକାରଙ୍କୁ ଦୈନିକ ମଜୁରୀ ମିଳିବା କଷ୍ଟ ହୋଇପଡ଼ୁଛି । ଏପଟେ ବୟନିକା ଯେଉଁଠୁ ପାରି ସେଠୁ ଲୁଗା କିଣୁଥିବାରୁ ବୁଣାକାରମାନେ ଉପକୃତ ନହୋଇ ବ୍ୟବସାୟୀମାନେ ଅଧିକ ଉପକୃତ ହେଉଛନ୍ତି । ପୂର୍ବରୁ ଅର୍ଡର ଦେଇ ଏଠାକାର ସୋସାଇଟିଗୁଡ଼ିକରୁ ବୟନିକା ଲୁଗା କିଣିଲେ ଏଠାକାର ବୁଣାକାର ଅଧିକ ଲାଭବାନ ହୁଅନ୍ତେ । ଗୋପାଳପୁରରେ ସେରିଫେଡ଼ର ଏକ ଶାଖା ରହିଛି । ବର୍ଷକୁ ଥରେ ମାତ୍ର ସେରିଫେଡ଼ ଏକକାଳୀନ ଟସର କୋଷା କିଣିବାକୁ ବିଜ୍ଞପ୍ତି ଜାରି କରୁଛି । ଏହାଫଳରେ ଧନୀ ବ୍ୟବସାୟୀମାନେ ହିଁ ଏକକାଳୀନ ଟସର କୋଷା କିଣିପାରୁଛନ୍ତି ଓ ପରେ ଗରିବ ବୁଣାକାରଙ୍କୁ ଅଧିକ ଦାମ୍‌ରେ ବିକୁଛନ୍ତି । ସେରିଫେଡ଼ ଯଦି ବର୍ଷର ସବୁ ସମୟରେ ବୁଣାକାରଙ୍କୁ ଟସର କୋଷା ବିକିବାର ବ୍ୟବସ୍ଥା କରନ୍ତା, ଏଠାକାର ବୁଣାକାର ଅଧିକ ଉପକୃତ ହୁଅନ୍ତେ । ଏଠାକାର ବୁଣାକାର ମାନେ ମଠା ଶାଢୀ ବୁଣାରୁ ମୁହଁ ଫେରାଇ ନେବା ପର୍ବରୁ ହସ୍ତତନ୍ତ ବିଭାଗକୁ ଆହୁରି ଅଧିକ ତତ୍ପର ହେବାକୁ ପଡବ । ସରକାରଙ୍କ ପକ୍ଷରୁ ଅଧିକ ପ୍ରୋତ୍ସାହନ ମିଳିଲେ ଏଠାକାର ବୁଣାକାର ଦେଶ ବିଦେଶରେ ଆହୁରି ଅଧିକ ନାଁ କରି ପାରନ୍ତେ ।

ସଂପାଦକ ,ଓଡିଶା ଶିଳ୍ପୀ ମହାସଂଘ
ମୋ- ୯୩୩୮୪୬୪୭୧୯

Leave A Reply

Your email address will not be published.