Latest Odisha News

BREAKING NEWS

ଶ୍ରୀମନ୍ଦିର ପାଇଁ କରିଛନ୍ତି କେତେ?

ଭୁବନେଶ୍ବର: ଗତ ନିର୍ବାଚନରେ ବିଜେପି ପାଇଁ ଶ୍ରୀମନ୍ଦିରରୁ ଖୋଲିଥିଲା ବିଜୟର ଦ୍ବାର । ଶ୍ରୀମନ୍ଦିର ପରିକ୍ରମାରୁ ଶ୍ରେୟ ନେବାକୁ ବିଜେଡି ଉଦ୍ୟମ କରୁଥିବା ବେଳେ ରତ୍ନଭଣ୍ଡାର ଚାବି ପ୍ରସଙ୍ଗ ଉଠାଇ ସିଧାସଳଖ ଟାର୍ଗେଟ୍ କରିଥିଲା ବିଜେପି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହୁଅନ୍ତୁ କି ରାଜ୍ୟ ବିଜେପି ନେତା, ରତ୍ନଭଣ୍ଡାର ଚାବି ସହ ଚାରିଦ୍ବାର ଖୋଲିବା ପାଲଟିଥିଲା ନିର୍ବାଚନର ପ୍ରମୁଖ ପ୍ରସଙ୍ଗ । କୋଟି କୋଟି ଓଡ଼ିଆଙ୍କ ପ୍ରାଣର ଠାକୁର ପ୍ରଭୁ ଶ୍ରୀଜଗନ୍ନାଥ । ବିଜେଡି ସରକାର ହାତରେ ଜଗନ୍ନାଥ ସଂସ୍କୃତି ସୁରକ୍ଷିତ ନୁହେଁ ବୋଲି ନାରେଟିଭ୍ ପ୍ରସ୍ତୁତ କରିଥିଲା ବିଜେପି । ଶ୍ରୀମନ୍ଦିର ପ୍ରସଙ୍ଗ ବିଜେପିକୁ ନିର୍ବାଚନୀ ଫାଇଦା ବି ଦେଇଥିଲା । ତେବେ ପ୍ରଶ୍ନ ଉଠୁଛି, ଗତ ବର୍ଷକ ଭିତରେ ଶ୍ରୀମନ୍ଦିରକୁ ନେଇ ରହିଥିବା ସମସ୍ୟା କେତେ ଦୂର ହୋଇଛି?

ରତ୍ନଭଣ୍ଡାର…କହିଥିଲେ କ’ଣ କଲେ କ’ଣ?

ରତ୍ନଭଣ୍ଡାର ଚାବିକୁ ନେଇ ନିର୍ବାଚନ ବେଳେ ବିଜେଡିକୁ ସିଧା ଟାର୍ଗେଟ୍ କରିଥିଲେ ମୋଦି । ୬ବର୍ଷ ହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ମିଳୁନି । ଏପରିକି ଚାବି ତାମିଲନାଡୁ ପଳାଇଥିବା କଥା ବି କହିଥିଲେ । ରାଜ୍ୟରେ ବିଜେପି ସରକାର ଆସିବା କ୍ଷଣି ଚାବିର ରହସ୍ୟ ଖୋଲିବା ସହ ଯାଞ୍ଚ ରିପୋର୍ଟ ସାର୍ବଜନୀନ କରାଯିବ ବୋଲି ମୋଦି କହିଥିଲେ । ତେବେ କ୍ଷମତାକୁ ଆସିବା ପରେ ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ ରିପୋର୍ଟ ସାର୍ବଜନୀନ ହେବନି ବୋଲି ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ବିଜେପି ସରକାର । ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯାଇଥିଲା, ହେଲେ ଗଣତି ମଣତି କାମ ଶେଷ ହୋଇପାରିନି । ରତ୍ନଭଣ୍ଡାର ମରାମତି ତଥା ରୁପା ଛାଉଣୀ ପରେ ଗଣତି ମଣତି ହେବ କୁହାଯାଉଛି ।

ଚାରିଦ୍ବାର ଖୋଲିଲା ସମସ୍ୟା କମିଲାନି

ନିର୍ବାଚନ ବେଳେ ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବାକୁ ପ୍ରତିଶ୍ରୁତି ଦେଇଥିଲା ବିଜେପି । କ୍ଷମତାକୁ ଆସିବା ପରେ ଚାରିଦ୍ବାର ବି ଖୋଲିଥିଲେ ସରକାର । ହେଲେ ଶ୍ରୀମନ୍ଦିର ଭିତରେ ଭକ୍ତଙ୍କ ଦର୍ଶନ ଯନ୍ତ୍ରଣା କମିନି। ବିଜେଡି ସରକାର ବେଳେ ଯେଉଁ କଷ୍ଟ ଥିଲା ବିଜେପି ସରକାରରେ ବି ସେଇ କଷ୍ଟ । ମନ୍ଦିର ଭିତରକୁ ଯିବାକୁ ସିନା ଚାରି ଦ୍ବାର ଖୋଲାଗଲା, ହେଲେ ମନ୍ଦିର ଭିତରେ ଗୋଟିଏ ଦ୍ବାର ସାତପାହାଚ ଦେଇ ମହାପ୍ରଭୁଙ୍କ ଦର୍ଶନ ମିଳୁଛି । ଅସମ୍ଭବ ଗହଳି, ଠେଲାପେଲା ଯୋଗୁଁ ଖରା ଗୁଳୁଗୁଳିରେ ସମସ୍ୟା ଭୋଗୁଛନ୍ତି ଶ୍ରଦ୍ଧାଳୁ । ଶ୍ରୀମନ୍ଦିର ଭିତର ଭିଡ଼ ପରିଚାଳନାକୁ ନେଇ ଅସନ୍ତୋଷ ଲାଗିରହିଛି ।

ପଡିଗଲେ ବଡ଼ଠାକୁର…ଆକ୍ସନ୍ କେବେ?

ଶ୍ରୀଜଗନ୍ନାଥଙ୍କ ନାଁ ନେଇ କ୍ଷମତାକୁ ଆସିଲା ବିଜେପି । ତେବେ ବିଜେପି ସରକାରରେ ପ୍ରଥମ ରଥଯାତ୍ରା ସମୟରେ ହିଁ ଘଟିଥିଲା ବଡ଼ ଅଘଟଣ । ଆଡ଼ପ ମଣ୍ଡପ ବିଜେ ବେଳେ ରଥ ଉପରୁ ଚାରମାଳକୁ ମୁହଁ ମାଡି ପଡିଯାଇଥିଲେ ବଡ଼ଠାକୁର ଶ୍ରୀବଳଭଦ୍ର । ଘଟଣାକୁ ନେଇ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ତଦନ୍ତ କରିଥିଲା ଶ୍ରୀମନ୍ଦିର ପ୍ରଶାସନ । ଏହାମଧ୍ୟରେ ରିପୋର୍ଟ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଦିଆଯାଇଛି । ହେଲେ କାହା ଅବହେଳାରୁ ଅଘଟଣ ଘଟିଲା, ନା ସେନେଇ ତଥ୍ୟ ସାର୍ବଜନୀନ ହୋଇଛି ନା କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଘଟଣାକୁ ବର୍ଷେ ପୂରିବାକୁ ଯାଉଛି, ପୁଣି ରଥଯାତ୍ରା ସମୟ ଆସିଲାଣି । ହେଲେ ତଦନ୍ତ ଅନୁସାରେ ଆକ୍ସନ୍ ନହେବା ସରକାରଙ୍କ ଆଭିମୁଖ୍ୟ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ହେଉ କି ଶ୍ରୀମନ୍ଦିର ଉନ୍ନତିକରଣ ପାଇଁ ୫ଶହ କୋଟି ଟଙ୍କାର କର୍ପସ ଫଣ୍ଡ । ରାଜ୍ୟ ସରକାର ଶ୍ରୀମନ୍ଦିର ଉନ୍ନତି ପାଇଁ ପଦକ୍ଷେପ ନେଇଛନ୍ତି । ତେବେ ଯେଉଁ ଭଳି ନିର୍ବାଚନ ସମୟରେ ଶ୍ରୀଜଗନ୍ନାଥଙ୍କ ପ୍ରସଙ୍ଗ ଉଠାଇଥିଲେ, ସେହିଭଳି ଆକ୍ସନ୍ ଦେଖିବାକୁ ମିଳିନି ।

Comments are closed.