ଚେନ୍ନାଇ: ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜରେ ସୂର୍ଯ୍ୟକୁମାର ଯାଦବ ନେତୃତ୍ୱାଧୀନ ଭାରତ ୨-୦ରେ ଅଗ୍ରଣୀ ରହିଛି । ସୂର୍ଯ୍ୟକୁମାରଙ୍କ ନେତୃତ୍ୱରେ ଭାରତର ପ୍ରଦର୍ଶନସ୍ତର କ୍ରିକେଟର ଏହି ଛୋଟ ଫର୍ମାଟରେ ଭଲ ରହୁଥିବା ବେଳେ ତାଙ୍କ ବ୍ୟାଟିଂ ପ୍ରଦର୍ଶନ କିନ୍ତୁ ଖରାପ ରହିଛି । ଅଧିନାୟକ ହେବା ପରଠାରୁ ସେ ଆଖିଦୃଶିଆ ପ୍ରଦର୍ଶନ କରିପାରି ନାହାନ୍ତି । ଆଇସିସି ପକ୍ଷରୁ ଘୋଷଣା କରାଯାଇଥିବା ସର୍ବଶ୍ରେଷ୍ଠ ଟି୨୦ ଏକାଦଶରେ ମଧ୍ୟ ସେ ଏଥିନେଇ ସ୍ଥାନ ପାଇ ନାହାନ୍ତି । ଟି୨୦ ବିଶ୍ୱକପ ପରେ ସେ ୧୨ଟି ମ୍ୟାଚରେ ୨୪୨ ରନ କରିଛନ୍ତି । ଏଥିରେ କେବଳ ୨ଟି ଅର୍ଦ୍ଧଶତକ ସାମିଲ । ଟି୨୦ ବିଶ୍ୱକପ ପରେ ଟିମ ଇଣ୍ଡିଆର କୋଚ ଭାବେ ଗୌତମ ଗମ୍ଭୀର ଦାୟିତ୍ୱ ନେଇଥିବା ବେଳେ ସୂର୍ଯ୍ୟକୁମାରଙ୍କୁ ଅଧିନାୟକ କରାଯାଇଥିଲା ।
୨୦୨୩ରେ ସେ ୧୭ଟି ଟି୨୦ରେ ୭୩୩ ରନ କରିଥିଲେ । ଏଥିରେ ୨ ଶତକ ଓ ୫ ଅର୍ଦ୍ଧଶତକ ରହିଥିଲା । ସେହିପରି ୨୦୨୨ରେ ୧୧୬୪ ରନ କରିଥିଲେ । ଓଭରାଲ ବିଚାରକୁ ନେଲେ ସୂର୍ଯ୍ୟକୁମାର ଅଧିନାୟକ ହେବା ପୂର୍ବରୁ ୬୮ ମ୍ୟାଚରେ ୨୩୪୦ ରନ କରିଥିଲେ । ଅଧିନାୟକ ହେବା ପରେ ସେ ୧୨ ମ୍ୟାଚରେ ୨୪୨ ରନ କରିଛନ୍ତି । ଆସନ୍ତା ବର୍ଷ ଭାରତରେ ଟି୨୦ ବିଶ୍ୱକପ ଆୟୋଜିତ ହେବ । ସୂର୍ଯ୍ୟକୁମାରଙ୍କ ଫର୍ମକୁ ଫେରିବା ଜରୁରୀ ହୋଇପଡିଛି । ଇଂଲଣ୍ଡ ବିପକ୍ଷରେ ଘରୋଇ ପରିବେଶରେ ଭାରତ ଆଉ ୩ଟି ମ୍ୟାଚ ଖେଳିବ । ଫର୍ମକୁ ଫେରିବା ପାଇଁ ସୂର୍ଯ୍ୟକୁମାରଙ୍କ ନିକଟରେ ସୁବର୍ଣ୍ଣ ସୁଯୋଗ ରହିଛି ।
Comments are closed.