Latest Odisha News

BREAKING NEWS

Heat Wave Alert: ଆଗକୁ ଆହୁରି ସ୍ଥିତି ଅସମ୍ଭାଳ; ୨୨ ଯାଏଁ ଗ୍ରୀଷ୍ମପ୍ରବାହରୁ ତ୍ରାହି ନାହିଁ

ଭୁବନେଶ୍ବର: ପ୍ରବଳ ତାତିରେ ଅସ୍ତବ୍ୟସ୍ତ ଓଡିଶାବାସୀ । ସକାଳ ୯ରୁ ଅସହ୍ୟ ଖରାରେ ସିଝୁଛନ୍ତି ଲୋକେ । ଆଜି ମଧ୍ୟ ରାଜ୍ୟରେ ପ୍ରବଳ ଖରା ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି । ଆସନ୍ତା ୫ଦିନ ଯାଏ ତାତିରୁ ନାହିଁ ତ୍ରାହି । ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ଗରମ ସହ ହିଟ୍ ୱେଭ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ୧୦ ଜିଲ୍ଲାରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ ହୋଇଛି ।

ପାଣିପାଗ ବିଭାଗର ଆକଳନ କହୁଛି, ରବିବାର ପଶ୍ଚିମ ଓଡ଼ିଶାରେ ଭୀଷଣ ତାତି ଅନୁଭୂତ ହେବ । ସେନେଇ ଆଜି ପାଇଁ ୩ଟି ଜିଲ୍ଲା ସମ୍ବଲପୁର, ସୁନ୍ଦରଗଡ ଓ ବଲାଙ୍ଗୀରରେ ରାତିରେ ହିଟ୍ ୱେଭ୍ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ ।

୨୦ ତାରିଖ (ସୋମବାର) ସୁନ୍ଦରଗଡ଼, ନୂଆପଡ଼ା, ଝାରସୁଗୁଡ଼ା, ବଲାଙ୍ଗିର, କଳାହାଣ୍ଡି ଓ ସମ୍ବଲପୁରରେ ଗ୍ରୀଷ୍ମପ୍ରବାହ ସ୍ଥିତି ରହିବ । ସୁନ୍ଦରଗଡ଼, ବଲାଙ୍ଗିର ଓ ସମ୍ବଲପୁରରେ ରାତି ତାପମାତ୍ରା ବି ଅଧିକ ରହିବା ଯୋଗୁ ଭୀଷଣ ଗରମ ଅନୁଭୂତ ହେବ । ୧୯ ତାରିଖରୁ ୨୪ ତାରିଖ ଯାଏ ରାଜ୍ୟର ସ୍ଥାନେ ସ୍ଥାନେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । କାଳବୈଶାଖୀ ପ୍ରଭାବରେ ଝଡ଼ ବର୍ଷା ଆଶଙ୍କା ଅଛି ।

ଶନିବାର ଟିଟିଲାଗଡ଼ରେ ଦିନ ତାପମାତ୍ରା ସର୍ବାଧିକ ୪୨.୭ ଡିଗ୍ରୀ ରହିଥିଲା । ଝାରସୁଗୁଡ଼ାରେ ୪୨.୬, ସମ୍ବଲପୁରରେ ୪୧.୬, ହୀରାକୁଦରେ ତାପମାତ୍ରା ୪୧.୭ ଓ ନୂଆପଡ଼ାରେ ୪୧.୬ ଡିଗ୍ରୀ ରହିଥିଲା ।

Leave A Reply

Your email address will not be published.