Latest Odisha News

BREAKING NEWS

ଟିକିଏ ବର୍ଷାରେ ଖୋଲିଗଲା ପୌରପାଳିକାର ପୋଲ୍: ଭଦ୍ରକର ବିଭିନ୍ନ ୱାର୍ଡରେ ପଶିଲା ନର୍ଦ୍ଦମା ପାଣି, ଲୋକେ ଆତଙ୍କିତ

ଭଦ୍ରକ: କିଛି ଦିନର ବ୍ୟବଧାନ ପରେ ପୁଣି ରାଜ୍ୟରେ ମୌସୁମୀ ସକ୍ରିୟ ହୋଇଛି। ଏହାରି ପ୍ରଭାବରେ ଲଗାଣ ବର୍ଷା ଫେରିବା ସହ ଭଦ୍ରକ ସହରରେ ଆରମ୍ଭ ହୋଇଯାଇଛି ସାଂଘାତିକ ଜଳବନ୍ଦୀ ସମସ୍ୟା। ଅବିଶ୍ରାନ୍ତ ବର୍ଷା କାରଣରୁ ପୁଣି ଥରେ ବୁଡ଼ିଛି ଭଦ୍ରକ ସହର । ସହରର ବିଭିନ୍ନ ତଳିଆ ଅଞ୍ଚଳରେ ଏବେ ଆଣ୍ଠୁଏ ଉଚ୍ଚର ବର୍ଷା ଜଳ ଲହଡ଼ି ମାରୁଛି, ଯାହା ଫଳରେ ସାଧାରଣ ଜନଜୀବନ ସମ୍ପୂର୍ଣ୍ଣ ରୂପେ ଅସ୍ତବ୍ୟସ୍ତ ହୋଇପଡ଼ିଛି ।

ପ୍ରାପ୍ତ ସୂଚନା ଅନୁଯାୟୀ, ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଏହି ଲଗାତାର ବର୍ଷା ଯୋଗୁଁ ଭଦ୍ରକ ମ୍ୟୁନିସିପାଲିଟି ଅନ୍ତର୍ଗତ ଅନେକ ୱାର୍ଡ ଏବଂ ତଳିଆ ରାସ୍ତାଘାଟ ଜଳାର୍ଣ୍ଣବ ହୋଇଯାଇଛି । ଡ୍ରେନେଜ୍ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିବାରୁ ନର୍ଦ୍ଦମା ପାଣି ସଠିକ୍ ଭାବେ ନିଷ୍କାସିତ ହୋଇନପାରି ରାସ୍ତା ଉପରେ ପ୍ରବାହିତ ହେଉଛି । କେବଳ ସେତିକି ନୁହେଁ, ଅନେକ ସ୍ଥାନରେ ଲୋକଙ୍କ ବାସଗୃହ ଓ ଦୋକାନ ବଜାର ଭିତରେ ମଧ୍ୟ ବର୍ଷା ଜଳ ପ୍ରବେଶ କରିଥିବା ଦେଖିବାକୁ ମିଳିଛି । ଫଳରେ ସ୍ଥାନୀୟ ବାସିନ୍ଦାମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାସ୍ତାରେ ଦୁର୍ଗନ୍ଧଯୁକ୍ତ ବର୍ଷା ପାଣି ଜମି ରହିବା କାରଣରୁ ଯାତାୟାତ ଏକପ୍ରକାର ଠପ୍ ହୋଇଯାଇଛି । ସ୍କୁଲ୍ ଯାଉଥିବା ଛାତ୍ରଛାତ୍ରୀ, ରୋଗୀ ଏବଂ ଦୈନନ୍ଦିନ କାମ ପାଇଁ ବାହାରକୁ ବାହାରୁଥିବା ଲୋକେ ବହୁତ କଷ୍ଟ ଭୋଗୁଛନ୍ତି ।

ଅନ୍ୟପକ୍ଷରେ, ଆକାଶ ଲଗାତାର ମେଘାଚ୍ଛନ୍ନ ରହିବା ସହ ବର୍ଷା ଛାଡ଼ିବାର କୌଣସି ନାମ ନେଉନଥିବାରୁ ସ୍ଥିତି କ୍ରମଶଃ ସଙ୍ଗିନ ହେବାରେ ଲାଗିଛି । ଯଦି ଏହିଭଳି ଆହୁରି କିଛି ଘଣ୍ଟା ବର୍ଷା ଲାଗି ରହେ, ତେବେ ସହରରେ ବ୍ୟାପକ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି । ଏପରି ବାରମ୍ବାର ଜଳବନ୍ଦୀ ସ୍ଥିତି ଯୋଗୁଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉଦ୍‌ବେଗ ଓ ଭୟ ବୃଦ୍ଧି ପାଇଛି । ସାମାନ୍ୟ ବର୍ଷା ହେଲେ ସହରରେ ଡଙ୍ଗା ଚାଲିଲା ଭଳି ପରିସ୍ଥିତି ଉପୁଜୁଥିବା ବେଳେ, ପ୍ରଶାସନର ସ୍ଥାୟୀ ପ୍ରତିକାର ଅଭାବକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ପୌର ପ୍ରଶାସନ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ସାମାନ୍ୟ ବର୍ଷାରେ ଏହାର ଅସଲ ଚିତ୍ର ପଦାକୁ ଆସିଯାଉଛି ।

ବର୍ତ୍ତମାନ ପରିସ୍ଥିତି ଉପରେ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବା ସହ ପମ୍ପ ଲଗାଇ ତଳିଆ ଅଞ୍ଚଳରୁ ପାଣି ନିଷ୍କାସନ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

Leave A Reply

Your email address will not be published.