Latest Odisha News

BREAKING NEWS

ସଙ୍କଟରେ ସୋରେନ ସରକାର: ଗୃହମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟପାଳ, ଅଯୋଗ୍ୟ ଘୋଷିତ ହେବେ ହେମନ୍ତ !

ରାଞ୍ଚି: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସରକାର ଏବେ ବଡ ଅଡୁଆରେ ପଡିଛନ୍ତି । ଅଫିସ ଅଫ୍ ପ୍ରୋଫିଟ୍ ବା ଲାଭ ଜନକ ପଦବୀ ପାଇଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି । ଏ ଖବର ସେତେବେଳେ ଚର୍ଚ୍ଚାକୁ ଆସିଲା ଯେତେବେଳେ ଗୁରୁବାର ଝାଡଖଣ୍ଡ ରାଜ୍ୟପାଳ ରମେଶ ବେଶ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ । ଆଉ ଠିକ୍ ଏହା ପୂର୍ବରୁ ରାଜ୍ୟପାଳ ନିର୍ବାଚନ କମିଶନରଙ୍କୁ ଚିଠି ଲେଖି ହେମନ୍ତଙ୍କ ବିରୋଧରେ ଆସିଥିବା ଅଭିଯୋଗ ବାବଦରେ ଅବଗତ କରାଇଥିଲେ।

ରାଜ୍ୟରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) -କଂଗ୍ରେସ-ଆରଜେଡି ମେଣ୍ଟ ସରକାର ରହିଛି । ଏବେ କିନ୍ତୁ ଦୁର୍ନୀତି ଅଭିଯୋଗର ସତ୍ୟତା ଜଣାପଡିବା ପରେ ମୁଖ୍ୟମନ୍ତ୍ରୀ ସୋରେନ ବିଧାୟକ ଭାବରେ ଅଯୋଗ୍ୟ ଘୋଷିତ ହୋଇପାରନ୍ତି । ଅନ୍ୟପଟେ ଜେଏମଏମର ଅନେକ ନେତା ମଧ୍ୟ ଦଳ ଭିତରେ ବିଦ୍ରୋହ ସୃଷ୍ଟି ହୋଇଥିବା ସୂଚନା ରହିଛି।

ଜେଏମଏମ ସଭାପତି ହେମନ୍ତ ସୋରେନଙ୍କୁ ବର୍ଷେ ପୂର୍ବରୁ ରାଞ୍ଚିର ଅଙ୍ଗରା ବ୍ଲକରେ ୦.୮୮ ଏକର ଜମିରେ ଖଣି ଖନନ ପାଇଁ ଏକ ଲିଜ୍ ମିଳିଥିଲା। ଗତ ବର୍ଷ  ସେପ୍ଟେମ୍ବର ୯ରେ ପରିବେଶ ମଞ୍ଜୁରୀ ପାଇଁ ଆବେଦନ ହୋଇଥିଲା । ସେପ୍ଟେମ୍ବର ୧୮ରେ ରାଜ୍ୟ ପରିବେଶ ବିଭାଗ ଏ ନେଇ କ୍ସିଅରାନ୍ସ ଦେଇଥିଲା।

ମୁଖ୍ୟମନ୍ତ୍ରୀ ଉଭୟ ଖଣି ଏବଂ ପରିବେଶ ପୋର୍ଟଫୋଲିଓ ନିଜ ପାଖରେ ରଖିଛନ୍ତି । ସେ ଏପରି କରି ଦୁର୍ନୀତି କରିଛନ୍ତି । ଯାହାକି ନିଜ ଅଫିସର ଅପବ୍ୟବହାର । ବିଜେପି ଏବେ ଏହାକୁ ନେଇ ବେଶ ସକ୍ରିୟ ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଏବେ ହେମନ୍ତ ସୋରେନଙ୍କୁ ବିଧାୟକ ଭାବେ ଅଯୋଗ୍ୟ ଘୋଷଣା କରିବାକୁ ଦାବି କରିଛନ୍ତି। ଏ ନେଇ ସେ ରାଜ୍ୟପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ରାଜ୍ୟପାଳ ରମେଶ ବାଇସ ଏ ନେଇ ନିର୍ବାଚନ କମିଶନରଙ୍କୁ ଅବଗତ କରାଇଛନ୍ତି।

ସମ୍ବିଧାନର ଧାରା ୧୯୨ ଅନୁଯାୟୀ ନିର୍ବାଚନ ଆୟୋଗ ଏ ନେଇ ସମୀକ୍ଷା କରୁଥିବା ସୂଚନା ରହିଛି। ନିର୍ବାଚନ କମିଶନ ରାଜ୍ୟ ସରକାରଙ୍କ ଠାରୁ ଖଣି ଲିଜ୍ ସମ୍ବନ୍ଧରେ ସମସ୍ତ ଦଲିଲ ମାଗିଥିଲେ । ମୁଖ୍ୟ ଶାସନ ସଚିବ ଏ ନେଇ ସମସ୍ତ ତଥ୍ୟ ନିର୍ବାଚନ କମିଶନଙ୍କ ନିକଟକୁ ପଠାଇ ଦେଇଥିବା ସୂଚନା ରହିଛି।

ଆଇନ ବିଶେଷଜ୍ଞଙ୍କ ମତ ଅନୁଯାୟୀ ବିଧାୟକ ପଦରେ ଥିବା ବେଳେ ଅଫିସ ଅଫ୍ ପ୍ରୋଫିଟ୍ ମାମଲାରେ ଫଶିଯିବେ ହେମନ୍ତ ସୋରେନ୍ । ତେଣୁ ମୁଖ୍ୟମନ୍ତ୍ରୀ ଅଯୋଗ୍ୟ ହେବା ଯଥେଷ୍ଟ ସମ୍ଭବ ରହିଛି।

ଏହି ପ୍ରସଙ୍ଗରେ ହାଇକୋର୍ଟର ଏକ ବେଞ୍ଚ ଚଳିତ ମାସ ଆରମ୍ଭରେ ଏହି ପ୍ରସଙ୍ଗରେ ଏକ ପିଟିସନର ଶୁଣାଣି କରି ସୋରେନଙ୍କ ଅଫିସ ଅପବ୍ୟବହାର ହୋଇଥିବା ନେଇ ଏହାକୁ ଏକ ଗୁରୁତର ପ୍ରସଙ୍ଗ ବୋଲି କହିଥିଲେ। ସୋରେନ ଏବଂ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଏକ ବିଜ୍ଞପ୍ତି ପ୍ରଦାନ କରିଛନ୍ତି । ଆଇନ ବିଶେଷଜ୍ଞମାନେ କହିଛନ୍ତି ଯେ ଯଦି ସନ୍ତୋଷଜନକ ଉତ୍ତର ନ ଦେଇପାରନ୍ତି ତେବେ ଏକ ନିରପେକ୍ଷ ତଦନ୍ତ ପାଇଁ କୋର୍ଟ ନିର୍ଦ୍ଦେଶ ଦିଆଯାଇପାରେ। ଆବଶ୍ୟକ ପଡ଼ିଲେ ଇଡି ଏବଂ ଅନ୍ୟାନ୍ୟ ତଦନ୍ତକାରୀ ସଂସ୍ଥା ଖଣି ଲିଜର ତଦନ୍ତ କରିପାରନ୍ତି।

ଉଲ୍ଲେଖଯୋଗ୍ୟ, ଡିସେମ୍ବର ୨୦୧୯ରେ ହେମନ୍ତ ସୋରେନ ଦାୟିତ୍ୱ ଗ୍ରହଣ କରିବା ପରେ ହେମନ୍ତ ସୋରେନ ତାଙ୍କ ସମ୍ପର୍କୀୟ ତଥା ତାଙ୍କ ନିକଟବର୍ତ୍ତୀ ଲୋକଙ୍କୁ ଅନୁକମ୍ପା ଦେଖାଇଥିବା ଅଭିଯୋଗ ରହିଛି । ଏହି ଖଣି ଲିଜ୍ ବିବାଦ କେବଳ ହେମନ୍ତ ସୋରେନଙ୍କ ଦ୍ୱାରା ହୋଇନି । ଚଳିତ ବର୍ଷ ଜାନୁଆରୀରେ, ହେମନ୍ତ ସୋରେନଙ୍କ ସାନଭାଇ ତଥା ଡୁମକା ବିଧାୟକ ବସନ୍ତ ସୋରେନଙ୍କ ସହ ଜଡିତ ଅନ୍ୟ ଏକ ଦୁର୍ନୀତି ମାମଲା ଅଭିଯୋଗ ରହିଛି। ରଘୁବର ଦାସଙ୍କ ଅଭିଯୋଗ ଅନୁଯାୟୀ, ବସନ୍ତ ସୋରେନ ଏକ କମ୍ପାନୀ କରିଛନ୍ତି । ଏହି କମ୍ପାନୀ ବାଂଲାଦେଶକୁ ବେଆଇନ ଭାବେ ପଥର ଚିପ୍ସ ରପ୍ତାନୀ କରୁଥିଲେ, ଯାହାଦ୍ୱାରା ରାଜ୍ୟକୁ ୮ କୋଟି ଟଙ୍କା କ୍ଷତି ହୋଇଥିଲା। ଏବେ କେନ୍ଦ୍ର ସରକାର ଏହାର ତଦନ୍ତ କରିପାରେ ।

Leave A Reply

Your email address will not be published.