କଟକ: ହଟିଲା ଦ୍ବନ୍ଦ୍ବ । ରିଲିଜ ହେବ ଓଡ଼ିଆ ଫିଲ୍ମ ‘ସନାତନୀ’ । ଫିଲ୍ମ ରିଲିଜ୍ ଉପରେ ରୋକ୍ ଲଗାଇବାକୁ ଆବେଦନ ହୋଇଥିବା ବେଳେ ରୋକ୍ ଲଗାଇଲେନି ହାଇକୋର୍ଟ । କିନ୍ତୁ ଅପ୍ରୀତିକର ସ୍ଥିତି ସୃଷ୍ଟି ହେଲେ ସତର୍କ ରହିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ହାଇକୋର୍ଟ ।
ତେବେ ରିଲିଜ ପରେ ଆପତ୍ତିଜନକ ବିଷୟବସ୍ତୁ ଥିଲେ ତାହା ପୁନଃବିଚାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ହାଇକୋର୍ଟ । ଏନେଇ ସେନସର୍ ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଆସନ୍ତା ୧୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଧର୍ମାନ୍ତୀକରଣ ଉପରେ ପର୍ଯ୍ୟବେସିତ ଏହି ଫିଲ୍ମକୁ କନ୍ଧମାଳର ଖ୍ରୀଷ୍ଟିଆନ ସଂପ୍ରଦାୟ ବିରୋଧ କରିଥିଲା। ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଫିଲ୍ମ ରିଲିଜ ଉପରେ ରୋକ ଲଗାଇବାକୁ ଦାବି କରିଥିଲେ । ଏମିତି ଫିଲ୍ମ କରି ପ୍ରଯୋଜକ କଣ ପ୍ରମାଣିତ କରିବାକୁ ଚାହୁଁଛନ୍ତି ବୋଲି ପ୍ରଶ୍ନ କରାଯାଇଥିଲା ।
ସୂଚନା ଅନୁସାରେ, ଆସନ୍ତା ଫେବୃଆରୀ ୭ରେ ରିଲିଜ ହେବାକୁ ଯାଉଛି ଓଡ଼ିଆ ଫିଲ୍ମ ‘ସନାତନୀ : କର୍ମ ହିଁ ଧର୍ମ’ । କିନ୍ତୁ ରିଲିଜ ପୂର୍ବରୁ ଅଡୁଆରେ ପଡ଼ିଥିଲା ଫିଲ୍ମଟି । ଫିଲ୍ମକୁ ବିରୋଧ କରିବା ସହ ବ୍ୟାନ କରିବାକୁ ଦାବି କରାଯାଇଥିଲା । ଫିଲ୍ମଟି ଧର୍ମାନ୍ତୀକରଣ ଉପରେ ପର୍ଯ୍ୟବେସିତ ହୋଇଥିବା ବେଳେ ଫିଲ୍ମରେ ନିର୍ଦ୍ଦିଷ୍ଟ ଧର୍ମକୁ ଆକ୍ଷେପ କରିଥିବା ଅଭିଯୋଗ ହୋଇଥିଲା । ଫଳରେ ରିଲିଜ ସମୟରେ ଦଙ୍ଗା ସୃଷ୍ଟି ହେବା ନେଇ ଆଶଙ୍କା ରହିଥିଲା । ଏହି ଆଶଙ୍କାଙ୍କୁ ଦୃଷ୍ଟିରେ ରଖି ଏକ ଚିଠି ଲେଖି ଫିଲ୍ମ ସଂସ୍ଥାକୁ ସତର୍କ କରାଇଥିଲା ଗୁଇନ୍ଦା ବିଭାଗ । ସେପଟେ କିନ୍ତୁ ଧର୍ମକୁ ଆକ୍ଷେପ କରିଥିବା ଅଭିଯୋଗକୁ ଖଣ୍ଡନ କରିଥିଲା ପ୍ରଯୋଜନା ସଂସ୍ଥା ।
ପ୍ରଯୋଜନା ସଂସ୍ଥା ବିଦିଶା କ୍ରାଫ୍ଟ ବ୍ୟାନର୍ରେ ବରିଷ୍ଠ ପ୍ରଯୋଜକ ବିଜୟ କାଣ୍ଡୋଇଙ୍କ ପ୍ରଯୋଜନାରେ ଏହି ସିନେମା ନିର୍ମାଣ ହୋଇଥିବା ବେଳେ ଧର୍ମାନ୍ତୀକରଣକୁ ଏଥିରେ ଦେଖାଯାଇଛି । ଏଥିରେ ମୁଖ୍ୟ ଚରିତ୍ରରେ ନଜର ଆସିଛନ୍ତି ଅଭିନେତା ସମ୍ବିତ ଆଚାର୍ଯ୍ୟ । ଆଉ ତାଙ୍କ ବିପକ୍ଷରେ ଗାଉଁଲି ଝିଅ ଚରିତ୍ରରେ ନଜର ଆସିଛନ୍ତି ଆର୍ଲିନ୍ ଅଙ୍କିତା । ଅନ୍ୟାନ୍ୟ ମୁଖ୍ୟ ଚରିତ୍ରରେ ପପି ସନ୍ତୁକା, ଗୁଡ଼ୁ, ଜଗନ୍ନାଥ ସେଠ୍, ଗୋପାଳ ପ୍ରକାଶ ମହାନ୍ତି ଓ ବବ୍ଲୁ ଅଭିନୟ କରୁଛନ୍ତି ।
Comments are closed.