Latest Odisha News

BREAKING NEWS

ହିଞ୍ଜିଳିରେ ସକ୍ରିୟ ଚୋରି ଗ୍ୟାଙ୍ଗ୍‌ : ଘରେ ପଶି ନେଇଗଲେ ୧୮୦ ଗ୍ରାମ ସୁନା

ବ୍ରହ୍ମପୁର:ଗଞ୍ଜାମ ଜିଲାର ହିଞ୍ଜିଳି ଥାନା ଅଞ୍ଚଳରେ ଗତ କିଛି ଦିନ ହେଲା ଚୋର ଗ୍ୟାଙ୍ଗ ସକ୍ରିୟ ହୋଇପଡ଼ିଛନ୍ତି । ଦୁଇଟି ଭିନ୍ନ ଜାଗାରୁ ୧୮ ତୋଳା(୧୮୦ଗ୍ରାମ) ଓଜନର ସୁନା ଅଳଙ୍କାର ସହିତ ରୂପା ଅଳଙ୍କାର ଏବଂ ନଗଦ ୬୯ ହଜାର ଟଙ୍କା ଚୋରି କରିନେଇଛନ୍ତି। ଉଭୟ ଘଟଣାରେ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି ।

ଗତ ମଙ୍ଗଳବାର ବିଳମ୍ବିତ ରାତିରେ ହିଞ୍ଜିଳି ଥାନା ଅନ୍ତର୍ଗତ ପୋଡିଙ୍ଗି ଗ୍ରାମ ପେଣ୍ଠ ସାହିର ଦୁର୍ଯ୍ୟୋଧନ ଗୌଡ଼ଙ୍କ ଘର ବାରି ପଟୁ ଚୋର କବାଟ ତାଲା ଭାଙ୍ଗି ଭିତରେ ପଶିଥିଲେ। ୮ ତୋଳା ଓଜନର ସୁନା ଗହଣା, ରୂପା ଅଳଙ୍କାର ଓ ନଗଦ ୬୦ ହଜାର ଟଙ୍କା ଚୋରି କରି ନେଇଯାଇଛନ୍ତି।

ଏହି ଘଟଣାର ଦୁଇ ଦିନ ପରେ ଅର୍ଥାତ ଗୁରୁବାର ବିଳମ୍ବିତ ରାତିରେ ରାଳବ ଗ୍ରାମ କାଳୀ ମନ୍ଦିର ସାହିର ରୀନା ପାଣ୍ଡିଙ୍କ ଘରୁ ପ୍ରାୟ ୧୦ ତୋଳା ଓଜନର ସୁନା ଗହଣା, ରୂପା ଅଳଙ୍କାର ଓ ନଗଦ ୯ ହଜାର ଟଙ୍କା ଚୋରି ହୋଇଥିବା ଜଣାପଡିଛି। ଏନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହେବା ପରେ ଉଭୟ ଗ୍ରାମରେ ପୁଲିସ ପହଞ୍ଚି ପଚରା ଉଚରା କରିବା ସହ ତଦନ୍ତ ଆରମ୍ଭ କରିଛି।

ସେହିଭଳି ଗୁରୁବାର ବିଳମ୍ବିତ ରାତିରେ ହିଞ୍ଜିଳିକାଟୁ ପୌରାଞ୍ଚଳ ଅନ୍ତର୍ଗତ ବି.ନୂଆଗଡ଼ରେ ଥିବା ଜଣେ ଠିକାଦାରଙ୍କ ଗୋଦାମ ଗୃହର ତାଲାକୁ ଭାଙ୍ଗି କେହି ଜଣେ ଦୁର୍ବୁତ୍ତ ଚୋରି ଉଦ୍ୟମ କରୁଥିଲେ। କିନ୍ତୁ ସ୍ଥାନୀୟ ବାସିନ୍ଦା ପାଟିତୁଣ୍ଡ କରିବାରୁ ଦୁର୍ବୁତ୍ତ ଜଣକ ସେଠାରୁ ଚମ୍ପଟ ମାରିଥିଲା।

ଗତ କିଛି ଦିନ ତଳେ ସମରଝୋଳ ଛକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଭିନ୍ନ ଦୋକାନରୁ ଚୋରି ହୋଇଥିଲା। ତେବେ ହିଞ୍ଜିଳି ଥାନା ଅଞ୍ଚଳରେ ବାରମ୍ବାର ଚୋରି ହେଉଥିବାରୁ ପୁଲିସର କାର୍ଯ୍ୟଶୈଳୀକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରାତ୍ରିକାଳୀନ ପାଟ୍ରୋଲିଂ ଢ଼ିଲା ହେଉଥିବା ଯୋଗୁ ଚୋରମାନେ ମାତିଛନ୍ତି।

Leave A Reply

Your email address will not be published.