ଧଉଳି ଗିରି ଓ କୌଶଲ୍ୟାଗଙ୍ଗର ଇତିହାସ; ଏକ ନୂତନ ଅନ୍ଵେଷଣ

କୈଳାସଚନ୍ଦ୍ର ଦାଶ

ବୌଦ୍ଧ କୀର୍ତ୍ତଯୁକ୍ତ ଧଉଳୀ ଅଞ୍ଚଳ ଯେ ତୋଷାଳୀର ଅଂଗ ଥିଲା  ତାହାର ଏକ ଅଭ୍ରାନ୍ତ ପ୍ରମାଣ କୌଶଲ୍ୟାଗଙ୍ଗ ।କୌଶଲ୍ୟାଗଙ୍ଗକୁ ନେଇ ଏକ ଜନଶ୍ରୁତି ରହିଛି ଯାହା ମାଦଳାପାଞ୍ଜିର ରାଜଭୋଗରେ ସ୍ଥାନ ପାଇଛି ।ଏହା ମଧ୍ୟ ଦେଶଖଂଜା ପୋଥିରେ ଭିନ୍ନ ଭାବରେ ଉପସ୍ଥାପନ କରାଯାଇଛି ।ରାଜଭୋଗରେ ବର୍ଣ୍ଣିତ ପ୍ରସଂଗକୁ ଷ୍ଟାର୍‍ଲିଂ ଏବଂ କିଟ୍ଟୋ ମଧ୍ୟ ବ୍ୟବହାର କରିଛନ୍ତି ।ମୂଳରାଜଭୋଗରେ କୁହାଯାଇଛି:ଗଙ୍ଗେଶ୍ୱର ଦେବ ନିଜ କନ୍ୟା ସହିତ ଦୈହିକ ସମ୍ପର୍କ ରଖିବାରୁ ଏବଂଏହା ପାପ କାର୍ଯ୍ୟ ବୋଲି ବ୍ରାହ୍ମଣମାନେ ମତ ଦେବାରୁ ପ୍ରାୟଶ୍ଚିତ କରିଥିଲେ । ପ୍ରାୟଶ୍ଚିତ ପାଇଁ ରାଜକନ୍ୟା ଦୁଇମାଠିଆ ପାଣି ଘେନି ଚାଲିଚାଲି ଗଲାବେଳେ ଯେଉଁଠାରେ ରୁଧିର ଜାତ ହେ ବସେଠାରେ ଚାରିବାହି ଆୟତନରେ ପୋଖରୀ ଖୋଳାଯିବା ସଂଗସଂଗେ ମଧ୍ୟରେ ଦୀପଦଣ୍ଡି ରହିବ ।ତାହାରି ମଧ୍ୟରେ ସେ ରହିବେ ।ରାଜକନ୍ୟାକୁଏହି ପରି ଚଳାଇଲା ବେଳକୁ ଲୋକମାନେ ଉପହାସ କଲେ ।ତେଣୁ ସଂକୋଚ ପାଇ ରାଜା ପୁଣି ରାଜକନ୍ୟାଙ୍କୁ ନଅରକୁ ନେଲେ ।ରାଜକନ୍ୟାଙ୍କୁ ଯେଉଁ ପର୍ଯ୍ୟନ୍ତ ବୁଲାଇ ରକ୍ତଗୋଡରୁ ବହିନଥିଲା ତାହାର ସୀମାନ୍ତ ଘେନି ପୋଖରୀ ଖୋଳାଇ ଦୀପଦାଣ୍ଡି କଲେ ।ସେହିଦିନୁ ପୋଖରୀ କୌସଲ୍ୟାଗଙ୍ଗ ନାମରେ ପରିଚିତ ହେଲା ।ରାଜଭୋଗରେ ପ୍ରସଂଗଟିଏହିପରି ଥିଲେ ମଧ୍ୟ ଦେଶଖଂଜାରେ ପରବର୍ତ୍ତୀ ପର୍ଯ୍ୟାୟରେ ଧର୍ମକେଶରୀ ପ୍ରସଂଗରେଏହାସୂଚିତହୋଇଥିଲା ।ରାଜଭୋଗରେ କୌସଲ୍ୟାଗଙ୍ଗର ସ୍ଥାନ ନିର୍ଣ୍ଣିତ ହୋଇନଥିଲା ।

କିନ୍ତୁ ଦେଶଖଂଜାରେ “କଉସୁଲାଗାଙ୍ଗ କୋଠ ରାହାଙ୍ଗ ବିଶେରେ” ଅବସ୍ଥିତ ଥିବାର ବର୍ଣ୍ଣନା ରହିଛି । କଟକ ରାଜବଂଶାବଳୀରେ ପ୍ରସଂଗଟିକୁ ସଂକ୍ଷେପ କରି ଗଙ୍ଗସୂର ପ୍ରସଂଗରେ କୁହାଯାଇଛି । ଏଥିରେ ବର୍ଣ୍ଣନା କରାଯାଇଛି-ରାଜାଗଂଗାସୂର(ଗଂଗେଶ୍ୱର) ଅନ୍ୟାୟରେ ମତ୍ତ ହୋଇ କାଳକ୍ରମେ ନିଜ ପାପର ପ୍ରାୟଶ୍ଚିତ ପାଇଁ କୋଶଳଗଙ୍ଗା ନାମକ ପୁଷ୍କରିଣୀ ଖୋଳାଇଥିଲେ ।ତେଣୁ ମୁଖ୍ୟତଃ ଜନଶ୍ରୁତିଟି ଗଙ୍ଗବଂଶ ସହିତ ଜଡିତ ଥିଲା ।ଭୁଲ୍‍କ୍ରମେ ଏହାକୁ ଦେଶଖଂଜାରେ କେଶରୀବଂଶ ପ୍ରସଂଗରେ ପ୍ରବେଶ କରାଇ ଦିଆଯାଇଛି ।ଏହି ପ୍ରସଂଗଟି ମଧ୍ୟ ଗୋପାଳତୀର୍ଥ ମଠ ପାଞ୍ଜିରେ ସ୍ଥାନ ପାଇଥିଲା ।ସେଥିରେ କୁହାଯାଇଥିଲା-“ଧର୍ମକେଶରୀ ଏ ରାଜାଙ୍କର ଝିଅ କୌଶଲ୍ୟା ଯେମା ଦେଇ ।  ଏ ଝିଅକୁ ସୁନ୍ଦର ଦେଖି ଅଧର୍ମ ଆଚରଣ କରି ମହାଦେଇ କଲେ । ଏ ରାଣୀ ନାଏକୋଠ ରାହାଙ ବିଶେରେ କୌଶଲ୍ୟାଗାଙ୍ଗ ପୋଖରୀ ଖୋଳାଇ ଚାରିଦିଗେ ଚାରି ଶାସନ ବସାଇ ପୋଖରୀ ମଝିରେ ବାରବାଟି ଦିପିଦଣ୍ଡି କରିଶାସନ ବସାଇଲା ।” ସମ୍ଭବତଃ ଏହି ଅଂଶଟିଏବଂ ଦେଶଖଂଜା ଅଂଶଟି ଗୋଟିଏ ପାଂଜିରୁ ଉଦ୍ଧୃତ ହେବାବେଳେ କେତେକ ପରିବର୍ତ୍ତନ କରିଦିଆଯାଇଥିଲା । ଯେପରି ଦେଶଖଂଜାରେ ଦିପଦଣ୍ଡି କରବାଟି ଥିବାବେଳେ ଗୋପାଳତୀର୍ଥ ପାଂଜିରେ ବାରବାଟି ଦିପିଦଣ୍ଡି ବୋଲି ସୂଚାଇ ଦିଆଯାଇଛି । ପ୍ରସଂଗଟିକୁ କିଟ୍ଟୋ ମଧ୍ୟ ବ୍ୟବହାର କରିଥିଲେ । ଏଥିରେ ବାରବାଟି ଶବ୍ଦଟି ଥିବାରୁ ପୁଷ୍କରିଣୀ ମଧ୍ୟ ସ୍ଥଳରେ ନିର୍ମିତ ମଣ୍ଡପଟି ଏକ ବୃହତ୍‍ ପ୍ରାସାଦ ତୁଲ୍ୟ ହୋଇଥିବାର ମନେହୁଏ ।

ଏହି ଜନଶ୍ରୁତି ଷୋଡଶ ଶତକ ଶେଷଭାଗରେ ଓଡିଶାରେ ପ୍ରଚଳିତ ଥିଲା ବା ସଂରଚିତ ହୋଇଥିଲା ଯାହା ଫଳରେ ଏହା ପ୍ରଥମେ ରାଜଭୋଗରେ ସ୍ଥାନ ପାଇଥିଲା ।ଏହା ଏକ ଐତିହାସିକ ଘଟଣାପ୍ରବାହର ବିକୃତ ବର୍ଣ୍ଣନ ।ବିଂଶ ଶତକରେ କେତେକ ଐତିହାସିକ ନାମଟିକୁ କୋଶଳା ଭାବି ଚୋଡଗଙ୍ଗଙ୍କ ରାଣୀ କୋସଲମା ସହିତ ସଂଯୋଜିତ କରିଥିଲେ ।ତେବେ ଷୋଡଶ ଶତକ ପୂର୍ବେ ଏହା କୁଶଳଗଙ୍ଗା ଥିବା ସତ୍ୟ ମନେହୁଏ ।କୁଶଳଗଙ୍ଗା କ୍ରମେ  କୌଶଲ୍ୟାଗାଙ୍ଗରେ ପରିଣତହୋଇଗଲା ।କୁଶଳ ଶବ୍ଦଟି ତୋଷଳ ସହିତ ଜଡିତ ।ସମ୍ଭବତଃ ଏହା ପ୍ରଥମେ ତୋଷାଳୀର ସୀମାରେ ଥିବାରୁ ବୌଦ୍ଧ ଅନୁଶାସନରେ ଥିବା ଶୁରଭଗିରି(ପରବର୍ତ୍ତୀ ଧଉଳୀ) ନିକଟସ୍ଥ ଏକ ବୃହତ୍‍ ପୁଷ୍କରିଣୀ କୁ ତୋଷଳଗଂଗା ବୋଲି କୁହାଯାଇଥିଲା ।ତାହା ପରିବର୍ତ୍ତିତ ହୋଇ ତୋଷଳଶବ୍ଦର ପ୍ରଚଳନ ବନ୍ଦ ହେବା ପରେ ମଧ୍ୟଯୁଗରେ ତୋଷରୁ କୁଶଳଗଙ୍ଗା ଏବଂ ପରେପରେ କୌଶଲ୍ୟାଗାଙ୍ଗରେ ପରିଣତ ହେଲା ।ସମ୍ଭବତଃ ଅଶୋକଙ୍କର ଶିଳାନୁଶାସନ ଶୁରଭଗିରି/ଧଉଳୀଗିରିରେ ଉତ୍କୀର୍ଣ୍ଣ ହେବାପରେ ବୌଦ୍ଧମାନେ ବହୁସଂଖ୍ୟାରେ ବସବାସ କରିବା ପରେ ସେମାନଙ୍କର ଆବଶ୍ୟକତା ପାଇଁ ଏପରି ପୁଷ୍କରିଣୀ ଖୋଦନ କରା ଯାଇଥିଲା ।

ପରେପରେ ବୌଦ୍ଧଧର୍ମର ପତନ ହେବାପରେ ବ୍ରାହ୍ମଣ୍ୟ ଧର୍ମଏହି ଅଞ୍ଚଳରେ ପ୍ରତିଷ୍ଠା ହେବାବେଳେ ତୋଷଳ ଶବ୍ଦଟି କୁଶଳଶବ୍ଦରେ ପରିଣତ ହୋଇ କାଳକ୍ରମେ କୌଶଲ୍ୟାଗଂଗାରେ ପରିଚିତହେଲା । ପରବର୍ତ୍ତୀ ପର୍ଯ୍ୟାୟରେ ଗଙ୍ଗବଂଶୀ ରାଜାମାନେ ଭୁବନେଶ୍ୱରରେ କେତେକ କୀର୍ତ୍ତି ସ୍ଥାପନ କରିଥିଲେ ।ଚୋଡଗଙ୍ଗଙ୍କ ଉତ୍କଳ ଅଧିକାର ସମୟରେ ଭୁବନେଶ୍ୱର ଶୈବକ୍ଷେତ୍ରର ଉନ୍ନତି କରାଇଥିବାର ସୂଚନା ତାଙ୍କର ଶିଳାଲେଖମାନଙ୍କରେ ରହିଛି । ପୁଣି ମାଦଳାପାଞ୍ଜି ଅନୁସାରେ ଚୋଡଗଙ୍ଗ ଉତ୍କଳରେ କ୍ଷମତା ବୈଧିକରଣ ପାଇଁ ଭୁବନେଶ୍ୱର-ଶୈବ ମାନଙ୍କର ସକ୍ରିୟ ସମର୍ଥନ ପାଇଥିଲେ ।ଭୁବନେଶ୍ୱର ଓ ଧଉଳୀ ମଧ୍ୟବର୍ତ୍ତୀ ଶିଶୁପାଳଗଡରେ ଗ୍ରାମଦେବତାରୂପେ ପୂଜିତ ହୋଇଥିବା ଏକ ପାର୍ବତୀମୂର୍ତ୍ତିର ପୃଷ୍ଠଦେଶରେ ଉତ୍କୀର୍ଣ୍ଣ ଏକ ସଂସ୍କୃତ  ଲେଖାରେ ଗଙ୍ଗେଶ୍ୱର ଦେବଙ୍କ ଦ୍ୱାରା ଏକ ମନ୍ଦିର ନିର୍ମାଣ ସମ୍ପର୍କରେ ଏକ ପ୍ରଶସ୍ତି ମିଳେ ଯାହା ଚୋଡଗଙ୍ଗ ଦେବଙ୍କୁ ଭୁବନେଶ୍ୱର ସହିତ ସଂଯୋଜିତ କରିବାର ଅନ୍ୟ ଏକ ଅଭ୍ରାନ୍ତ ପ୍ରମାଣ ।ତେଣୁ ଅନୁମାନ କରାଯାଇପାରେ ଯେ ଚୋଡଗଙ୍ଗ କାଳରେ ଏହି କୁଶଳ ପୁଷ୍କରିଣୀଟି ବୃହତ୍‍ କରାଯାଇ ମଧ୍ୟ ଭାଗରେ ଏକ ବିସ୍ତାରିତ ଅଂଶରେ ଦୀପଦଣ୍ଡି ନିର୍ମାଣ କରାଯାଇଥିଲା ଯାହା ଏକ ବୃହତ୍‍ ପ୍ରାସାଦ ତୁଲ୍ୟ ।ଏଠାରେ ଆମୋଦପ୍ରମୋଦ ପାଇଁ ରାଜ ପରିବାର ବସବାସ କରୁଥିଲେ ।ସେପରି କାରଣରୁଏହି ପୁଷ୍କରିଣୀର ନାମ କୌଶଲ୍ୟାଗାଙ୍ଗ ହୋଇଥିବା ଅସମ୍ଭବ ନୁହେଁ ।ଯେହେତୁ ପ୍ରଥମେ ଏହା ବୌଦ୍ଧମାନଙ୍କର ସରୋବର ଥିଲା ପରବର୍ତ୍ତୀ ପର୍ଯ୍ୟାୟରେ ବ୍ରାହ୍ମଣମାନେ  ବୌଦ୍ଧଧର୍ମ ଧାରା କୁ ଲୋକଚକ୍ଷୁରେ ନିମ୍ନ କରିବାକୁ ଚେଷ୍ଟାକରିଏପରି କୁତ୍ସିତ ଆଖ୍ୟାନ ସଂରଚନା କରିଥିଲେ ।

ପୁଣି ଯେହେତୁ ଚୋଡଗଙ୍ଗ ଓଡିଶାରେ ରାଜତ୍ୱ ଆରମ୍ଭରେ ତାନ୍ତ୍ରିକ ପଦ୍ଧତି ମାଧ୍ୟମରେ ତାନ୍ତ୍ରିକ ପୀଠମାନଙ୍କୁ ତଥା ଗୋସାଣୀ ମାନଙ୍କୁ ନିୟନ୍ତ୍ରଣକରିଥିଲେ-ଯାହାର ପ୍ରମାଣ ମାଦଳାପାଞ୍ଜିରେ ସ୍ଥାନୀତଏବଂ ଯେହେତୁ ବୌଦ୍ଧଯୁଗରୁ ପ୍ରସିଦ୍ଧ ଥିବା କୁଶଳ ପୁଷ୍କରିଣୀ କୁ ସେ ବୃହତ୍‍ ରୂପ ଦେଇଥିଲେ ତେଣୁ ବୌଦ୍ଧମାନଙ୍କୁ ନିନ୍ଦିତ କରିବାବେଳେ ତାଙ୍କ ସ୍ଥାନ ନିୟନ୍ତ୍ରକ ଚୋଡଗଙ୍ଗଙ୍କୁ ମଧ୍ୟ ନିନ୍ଦିତ କରିବାର ଉଦ୍ୟମ ହୋଇଥିବା ଅସମ୍ଭବ ନୁହେଁ ।ମାଦଳାପାଞ୍ଜିରଏହି ଆଖ୍ୟାନରେ ବୌଦ୍ଧ-ବ୍ରାହ୍ମଣ୍ୟ ବିବାଦ ପ୍ରଚ୍ଛନ୍ନ ଭାବରେ ରହିଛି ।କୌଶଲ୍ୟା ଗଙ୍ଗ ଜନଶ୍ରୁତି ମାଧ୍ୟମରେ ବୌଦ୍ଧଧର୍ମ ଧାରାର ତାନ୍ତ୍ରିକ ମତବାଦକୁ କଠୋର ସମାଲୋଚନା କରାଯାଇଛି ।ଗଙ୍ଗବଂଶୀ ସମ୍ରାଟ ଚୋଡଗଙ୍ଗ ବେତାଳ ସାଧ୍ୟ ଥିବାର ପରଂପରାକୁ ବ୍ୟବହାର କରି ତାଙ୍କର ମହତ୍‍ ଗଠନାତ୍ମକ କାର୍ଯ୍ୟକୁ ଘୋଡାଇଏପରି କୁତ୍ସିତ ଆଖ୍ୟାନ ସଂରଚିତହେଲା ।ତାନ୍ତ୍ରିକ ବୌଦ୍ଧମାନେ ଏହିପରି ପାପ କାର୍ଯ୍ୟରେ  ମଧ୍ୟ ପ୍ରବୃତ୍ତ ହୋଇଥିଲେ ବୋଲି ନିନ୍ଦା କରାଯାଇଥିଲା ।ତାହାସତ୍ତ୍ୱେ ଏହି ପ୍ରକାଣ୍ଡ ସର ଏକଦା ବୌଦ୍ଧମାନଙ୍କର ଏକ କେନ୍ଦ୍ରସ୍ଥଳ ଥିଲା ଏଥିରେ ସନ୍ଦେହ କରାଯାଇ ନପାରେ ।ସମ୍ଭବତଃ ଅଶୋକ ପରବର୍ତ୍ତୀ କାଳରେ ବୌଦ୍ଧମାନେ ସୁରଭଗିରି ଅଞ୍ଚଳରେ ବସବାସକରି ଏପରି ଏକ ସର ଖୋଦନ କରାଇଏ ହାର  ଉପଯୁ କ୍ତ ବ୍ୟବହାର କରିଥିଲେ । ପରେ ଏହା ମଧ୍ୟଯୁଗରେ ଏକ ବୃହତ୍‍ ଜଳାଶୟ ବା ଗଙ୍ଗାରୂପ ନେଇଥିଲା ।କୌଶଲ୍ୟାଗଙ୍ଗା  ଅଞ୍ଚଳରେ ନାନା ପ୍ରକାର ବୌଦ୍ଧ କୀର୍ତ୍ତି ଥିବାର କଥା ଊନବିଂଶ ଶତକର ଐତିହାସିକମାନେ ମତ ଦେଇଥିବାରୁ  ମଧ୍ୟଯୁଗରେ ବୌଦ୍ଧମାନଙ୍କୁ ଲୋକଚକ୍ଷୁରେ କଳଂକିତ କରିବା ଅଭିପ୍ରାୟରେ ବ୍ରାହ୍ମଣମାନେ ଏପରି ଏକ କୁତ୍ସିତ ଆଖ୍ୟାନ ସଂରଚନା କରିଥିବା ଅସମ୍ଭବ ନୁହେଁ ।ମାଦଳାପାଞ୍ଜି ରାଜଭୋଗରେ ବୌଦ୍ଧ-ବ୍ରାହ୍ମଣ ବିବାଦର ନାନା ପ୍ରସଂଗ ରହିଛି ।ବୌଦ୍ଧ ଯୁଗ ସହିତ ଜଡିତ କୌଶଲ୍ୟା ଗଙ୍ଗ ସେହି ବିବାଦର ଏକ ଭୂମି ରୂପେ ଗ୍ରହଣ କରାଯାଇପାରେ ।

ପୂର୍ବତନ ଇତିହାସ ପ୍ରାଧ୍ୟାପକ, ସି-୩/୨, ବିଜେବି ନଗର, ଭୁବନେଶ୍ୱର-୧୪