Latest Odisha News

BREAKING NEWS

ଆଇଆଇଟିରେ ପଢିବାକୁ ଯୋଗ୍ୟ ବିବେଚିତ ହେଲେ ବିଚରାଧୀନ କଏଦୀ

ବିହାରର ନୱାଡା ଜେଲରେ ବନ୍ଦୀ ଜୀବନ ବିତାଉଥିବା ଜଣେ ଯୁବ କଏଦୀ ଜଏଣ୍ଟ ଆଡମିଶନ୍ ଟେଷ୍ଟ ଫର୍ ମାଷ୍ଟର୍ସ (JAM) ପ୍ରବେଶିକାରେ ଉତ୍ତୀର୍ଣ୍ଣ ହୋଇଛନ୍ତି

ଭୁବନେଶ୍ୱର: କଥାରେ ଅଛି ଇଛାଶକ୍ତି ଥିଲେ ସବୁକିଛି ସମ୍ଭବ । ଏହି ଉକ୍ତିକୁ ସତ ପ୍ରମାଣିତ କରିଛନ୍ତି ଜଣେ ବିଚରାଧୀନ କଏଦୀ । ପଢି ଅବିଶ୍ୱାସ ଲାଗୁଥିଲେ ବି ବିହାରର ନୱାଡା ଜେଲରେ ବନ୍ଦୀ ଜୀବନ ବିତାଉଥିବା ଜଣେ ଯୁବ କଏଦୀ ଜଏଣ୍ଟ ଆଡମିଶନ୍ ଟେଷ୍ଟ ଫର୍ ମାଷ୍ଟର୍ସ (JAM) ପ୍ରବେଶିକାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।

ଚଳିତବର୍ଷ ଫେବ୍ରୁଆରୀ ୧୩ ତାରିଖରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲଜି (ରୁର୍‌କି) ଜଏଣ୍ଟ ଆଡମିଶନ୍ ଟେଷ୍ଟ ଫର୍ ମାଷ୍ଟର୍ସ (JAM) ପ୍ରବେଶିକା ପରୀକ୍ଷା ଆୟୋଜନ କରିଥିଲେ । ଏଥିରେ ବିଚରାଧୀନ କଏଦୀ ସୁରଜ୍ କୁମାର ପଦାର୍ପଣ କରି ସଫଳତାର ଉତ୍ତୀର୍ଣ୍ଣ ହେବା ସହ ସର୍ବଭାରତୀୟ ସ୍ତରରେ ୫୪ତମ ରାଙ୍କ ହାସଲ କରିଛନ୍ତି ।

ସାଧାରଣତଃ ଆଇଆଇଟିରେ କୌଣସି ମାଷ୍ଟର୍ସ କୋର୍ସ କିମ୍ବା ପିଏଚ୍‌ଡି କରିବାକୁ ହେଲେ JAM ଟେଷ୍ଟ ପାସ୍ କରିବାକୁ ପଡିଥାଏ । ପ୍ରାୟ ବର୍ଷେ ସମୟ ଧରି ସୁରଜ ଜେଲରେ କଏଦ ଥିଲାବେଳେ ସେ ନିଜ ସ୍ୱପ୍ନକୁ କିନ୍ତୁ ଧୂଳସାତ ହେବାକୁ ଦେଇନଥିଲେ । ଜେଲରେ ଥାଇ ସୁଦ୍ଧା ଉଚ୍ଚଶିକ୍ଷା ଲାଭ କରିବାର ନିଶା ତାଙ୍କୁ ଛାଡିନଥିଲା । ଗତବର୍ଷ ଅପ୍ରେଲ୍ ୧୭ ତାରିଖଠୁ ଜେଲ କର୍ତ୍ତୃପକ୍ଷ ଓ କିଛି ଶିକ୍ଷିତ କଏଦୀଙ୍କ ସହାୟତାରେ ସେ ନିଜ ପାଠପଢା ଜାରି ରଖିଥିଲେ ।

ପୋଲିସ ରିପୋର୍ଟ ଅନୁଯାୟୀ ମୋସମା ଗାଁ ବାସିନ୍ଦା ସୁରଜ ଏକ ହତ୍ୟା ମାମଲାରେ ବିଚରାଧୀନ କଏଦୀ ଭାବେ ଜେଲରେ ସଜା କାଟୁଛନ୍ତି । ଜମିଜମା ବିବାଦକୁ ନେଇ ଗତବର୍ଷ ମାର୍ଚ୍ଚ ମାସରେ ସଂଜୟ ଯାଦବ ନାମକ ଜଣେ ବ୍ୟକ୍ତିଙ୍କୁ କେହି ହତ୍ୟା କରିଥିଲେ । ଏହି ମାମଲାରେ ସୁରଜଙ୍କ ସମେତ ଅନ୍ୟ ୯ ଜଣଙ୍କ ନାଁ ଏଫ୍‌ଆଇଆର୍‌ରେ ରହିଥିଲା । ଫଳରେ ଗିରଫଦାରୀରୁ ସେ ବର୍ତ୍ତିପାରିନଥିଲେ ।

ସୁରଜଙ୍କ ସଫଳତାକୁ ନେଇ ନୱାଡା ଜେଲ୍ ସୁପରିଟେଣ୍ଡେଣ୍ଟ ଉମେଶ କୁମାର ଭାରତୀ ବେଶ ଖୁସୀ ଅଛନ୍ତି । ଜେଲରେ ଅତ୍ୟଧିକ ଗହଳିଚହଳି ଲାଗିରହିଥାଏ । ତଥାପି ଏଭଳି ସ୍ଥିତିରେ ସୁରଜ ପାଠପଢି ଜାମ୍ ପ୍ରବେଶିକାରେ ଉତ୍ତୀର୍ଣ୍ଣ ହୋଇ ତାଙ୍କ ଦୃଢ ମାନସିକତାର ପ୍ରମାଣ ଦେଇଛନ୍ତି ।

Leave A Reply

Your email address will not be published.