Latest Odisha News

BREAKING NEWS

ଭାରତ ଯାତ୍ରାକୁ ଭିନ୍ନ ଦୃଷ୍ଟିରେ ଦେଖିବା ଉଚିତ ନୁହେଁ-ବିଲାବଲ ଭୁଟ୍ଟୋ

ନୂଆଦିଲ୍ଲୀ: ପାକିସ୍ତାନ ବିଦେଶ ମନ୍ତ୍ରୀ ବିଲାବଲ ଭୁଟ୍ଟୋ ଜରଦାରୀ ମେ’ ପ୍ରଥମ ସପ୍ତାହରେ ଭାରତ ଯାତ୍ରାରେ ଆସୁଛନ୍ତି । ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଭାରତ-ପାକିସ୍ତାନ ମଧ୍ୟରେ ସବୁ ପ୍ରକାର ସମ୍ପର୍କରେ କଟକଣା ଲାଗିଥିବାବେଳେ ବିଲାବଲଙ୍କ ଏହି ଯାତ୍ରାକୁ ନେଇ ଅନେକ କିଛି ହିସାବନିକାଶ କରାଯାଉଥିଲା । ହେଲେ ଏହି ଗସ୍ତକୁ ନେଇ ପାକିସ୍ତାନ ବିଦେଶ ମନ୍ତ୍ରୀ କହିଛନ୍ତି, ଭାରତରେ ସାଂଘାଇ ସଂଗଠନ ପରିଷଦର ବୈଠକରେ ତାଙ୍କର ସହଯୋଗ ଏସସିଓ ଚାର୍ଟର ପ୍ରତି ଇସଲାମବାଦର ପ୍ରତିବଦ୍ଧତାକୁ ଦର୍ଶାଉଛି । ଏହାକୁ ଦ୍ୱିପାକ୍ଷିକ ସମ୍ବନ୍ଧ ଦୃଷ୍ଟିରୁ ଦେଖିବା ଉଚିତ ନୁହେଁ ।

ଏକ ଟିଭି କାର୍ଯକ୍ରମରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ବିଲାବଲ କହିଥିଲେ, ସେ ଆସନ୍ତା ସପ୍ତାହରେ ଗୋଆରେ ହେବାକୁ ଥିବା ବିଦେଶ ମନ୍ତ୍ରୀଙ୍କ ବୈଠକରେ ପାକିସ୍ତାନର ପ୍ରତିନିଧିତ୍ୱ କରିବେ । ସେ କହିଛନ୍ତି, ଆମେ ଏସସିଓ ଚାର୍ଟର ପ୍ରତି ପ୍ରତିବଦ୍ଧ ଅଟୁ । ଏହି ଯାତ୍ରାକୁ ଦ୍ୱିପାକ୍ଷିକ ଯାତ୍ରା ରୂପରେ ଦେଖିବା ଉଚିତ ନୁହେଁ । ବରଂ ଏସସିଓ ସନ୍ଦର୍ଭରେ ଦେଖାଯିବା ଉଚିତ ।

ଏଠି କହି ରଖିବୁ, ବିଲାବଲ ଆସନ୍ତା ସପ୍ତାହରେ ଭାରତ ଗସ୍ତରେ ଆସିବେ । ସେ ମେ’ ୪ ଏବଂ ୫  ଭାରତରେ ଅବସ୍ଥାନ କରିବେ । ଏହି ଦୁଇଦିନ ଏଠାରେ ହେବାକୁ ଥିବା ଏସସିଓ ବୈଠକରେ ଯୋଗ ଦେବେ । ପାକିସ୍ତାନ ବିଦେଶ କାର୍ଯ୍ୟାଳୟ ପ୍ରବକ୍ତା ମୁମତାଜ ଜହରା ବଲୁଚ କହିଛନ୍ତି, ବିଲାବଲ ଭୁଟ୍ଟୋ ଭାରତ ବିଦେଶ ମନ୍ତ୍ରୀ ଜୟଶଙ୍କରଙ୍କ ନିମନ୍ତ୍ରଣ ଅନୁସାରେ ବୈଠକରେ ଅଂଶ ଗ୍ରହଣ କରିବା ପାଇଁ ଯାଉଛନ୍ତି । ଦ୍ୱିପାକ୍ଷିକ ସମ୍ପର୍କ ଦୃଷ୍ଟିରୁ ଏହାକୁ ଦେଖିବା ଉଚିତ ନୁହେଁ ।

ଯାହା ବି ହେଉ, ଦୀର୍ଘ ୧୨ ବର୍ଷ ବ୍ୟବଧାନ ପରେ  ପାକିସ୍ତାନର ବିଦେଶ ମନ୍ତ୍ରୀ ଭାବେ ବିଲାବଲ ଭାରତ ଗସ୍ତରେ ଆସୁଛନ୍ତି । ଭାରତ ଏହି ବୈଠକ ପାଇଁ ପାକିସ୍ତାନ ଏବଂ ଚୀନ ସମେତ ସାଂଘାଇ ସହଯୋଗ ସଂଗଠନର ସମସ୍ତ ସଦସ୍ୟଙ୍କୁ ଆମନ୍ତ୍ରଣ କରିଛି ।

Leave A Reply

Your email address will not be published.