Latest Odisha News

BREAKING NEWS

୨୫ ବର୍ଷ ଭିତରେ ଭାରତ ହେବ ୪୦ ଟ୍ରିଲିୟନ ଡଲାର ଅର୍ଥନୀତି: ମୁକେଶ ଅମ୍ବାନୀ

ଗାନ୍ଧୀନଗର: ଭାରତର ଅର୍ଥନୀତି ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଆଗାମୀ ଦିନରେ ଭାରତ ଆହୁରି ବିକଶିତ ହେବ ।  ସ୍ବାଧୀନତାର ଶହେ ବର୍ଷ ପାଳନ ବେଳକୁ ଭାରତ ହେବ 40 ଟ୍ରିଲିୟନ ଡଲାର ଅର୍ଥନୀତି । 2047 ସୁଦ୍ଧା ଭାରତ 40 ଟ୍ରିଲିୟନ ଡଲାରର ଅର୍ଥନୀତି ହେବ ଏବଂ ବିଶ୍ୱର ଶ୍ରେଷ୍ଠ ତିନୋଟି ଅର୍ଥନୀତିର ଦେଶ ମଧ୍ୟରେ ଭାରତ ସ୍ଥାନ ପାଇବ ବୋଲି କହିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ । ଭାରତର ଦୁଇ ନମ୍ବର ଧନୀ ତାଲିକାରେ ଥିବା ମୁକେଶ ଅମ୍ବାନି ଆହୁରି କହିଛନ୍ତି ଯେ  ଆଗାମୀ ଦିନରେ ସ୍ୱଚ୍ଛ ଶକ୍ତି ବିପ୍ଳବ, ବାୟୋ-ଏନର୍ଜି ବିପ୍ଳବ ଏବଂ ଡିଜିଟାଲ ବିପ୍ଳବ ହିଁ  ଗେମ୍ ଚେଞ୍ଜର ଭାବେ ଦେଶକୁ ବିକାଶ ପଥରେ ଆଗେଇ ନେବ । ଯାହା ଆଗାମୀ ଦଶନ୍ଧିରେ ଭାରତର ଅଭିବୃଦ୍ଧିକୁ ନିୟନ୍ତ୍ରଣ କରିବ  ।

ପଣ୍ଡିତ ଦୀନଦୟାଲ ଏନର୍ଜି ବିଶ୍ୱବିଦ୍ୟାଳୟ ରେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ମୁକେଶ ଅମ୍ବାନୀ କହିଛନ୍ତି ଯେ ଭାରତ ସ୍ବାଧୀନତାର ଶତବାର୍ଷିକୀ ପାଳନ କରିବାକୁ ଆଉ 25 ବର୍ଷ ବାକି ରହିଛି । ଭାରତ ଏବେ ଅମୃତ ମହୋତ୍ସବ ପାଳନ କରୁଛି । ଅଭିବୃଦ୍ଧି ତଥା ସୁଯୋଗକୁ ଭାରତ ଏବେ କାର୍ଯ୍ୟରେ ଲଗାଉଛି । ଯାହାର ଫଳ ଦୁଇ ଦଶନ୍ଧି ମଧ୍ୟରେ ଆପଣମାନେ ଦେଖିପାରିବେ । ଭାରତର ଅଭିବୃଦ୍ଧିକୁ ସେ କଳ୍ପନା କରି ଦେଖିପାରୁଥିବା କହିଛନ୍ତି ।

ସେ କହିଛନ୍ତି, “ସ୍ୱଚ୍ଛ ଶକ୍ତି ବିପ୍ଳବ ଏବଂ ବାୟୋ-ଏନର୍ଜି ବିପ୍ଳବ ନିରନ୍ତର ଶକ୍ତି ଉତ୍ପାଦନ କରିବ, ଡିଜିଟାଲ୍ ବିପ୍ଳବ ଆମକୁ ଦକ୍ଷତାର ସହିତ ଶକ୍ତି ବ୍ୟବହାର କରିବାରେ ସକ୍ଷମ କରିବ। ଏହି ତିନୋଟି ବିପ୍ଳବ ମିଳିତ ଭାବେ ଭାରତ ଏବଂ ବିଶ୍ବକୁ ଜଳବାୟୁ ସଙ୍କଟରୁ ରକ୍ଷା କରିବାରେ ସାହାଯ୍ୟ ମଧ୍ୟ କରିବ । ସେ ଛାତ୍ରମାନଙ୍କୁ କହିଛନ୍ତି ଯେ ଆଗାମୀ ଦିନ ଭାରତର ।  ଭାରତ ନିଜର ଶକ୍ତି ଲକ୍ଷ୍ୟ ପୂରଣ କରିବାରେ ସକ୍ଷମ ହେବ ।

ଭାରତ ଏବେ “3 ଟ୍ରିଲିୟନ ଡଲାର ଅର୍ଥନୀତିରେ ରହିଛି । ତେବେ ଭାରତ 2047 ସୁଦ୍ଧା 40 ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବ ଏବଂ ଆପଣମାନେ ତାହା ଜୀବନରେ ଦେଖିବେ ବୋଲି ଛାତ୍ରମାନଙ୍କୁ ସଂବୋଧନ କରି କହିଛନ୍ତି ମୁକେଶ ।

ଛାତ୍ରମାନଙ୍କୁ ପରାମର୍ଶ ଦେଇ ମୁକେଶ କହିଥିଲେ ଯେ ଏବେ ଯୁବ ବର୍ଗ 4 ଜି ଏବଂ 5 ଜି ଉପରେ ଅଧିକ ଧ୍ୟାନ ଦେଉଛନ୍ତି  । ତେବେ ମାତା ଜୀ ଏବଂ ପିତା ଜୀ ହେଉଛନ୍ତି ଜୀବନ ପାଇଁ ସବୁଠୁ ଅଧିକ ମୂଲ୍ୟବାନ  । ଜୀବନ ପାଇଁ ତାଙ୍କର ଅବଦାନ ସବୁଠୁ ଅଧିକ ତେଣୁ ତାଙ୍କ ଉପରେ ଅଧିକ ଧ୍ୟାନ ଦେବାକୁ କହିଥିଲେ ମୁକେଶ ଅମ୍ବାନି । ପିତାମାତାଙ୍କ ତ୍ୟାଗ, ବଳିଦାନକୁ କେବେ ବି ଭୁଲିଯାଅ ନାହିଁ ବୋଲି କହିଥିଲେ ମୁକେଶ । ତୁମର ସଫଳତା ପାଇଁ ସେମାନଙ୍କର ଅବଦାନ ଅତୁଳନୀୟ। ସେମାନଙ୍କ ଶକ୍ତି ଏବଂ ସମର୍ଥନର ତୁମେ ବହୁ ଆଗକୁ ଯାଇପାରିବ ।

କୋଭିଡ -19କୁ ଭୁଲିଯାଇ ଆଗେଇ ଯିବାକୁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଏହି ସମୟ ଦେଶ ପାଇଁ ଅଗ୍ନି ପରୀକ୍ଷା ଥିଲା । ଏବେ ଆଗେଇବାର ସମୟ । ଏହି ଦୁଇ ବର୍ଷ ସମସ୍ତଙ୍କ ପାଇଁ “ଅମୂଲ୍ୟ ଶିକ୍ଷା, ଯାହା କି ଆପଣ କୈାଣସି ଅନୁଷ୍ଠାନରୁ କେହି ଶିକ୍ଷା କରିପାରିବେ ନାହିଁ  ବୋଲି କହିଛନ୍ତି ମୁକେଶ ଅମ୍ବାନି

Leave A Reply

Your email address will not be published.