ନୂଆଦିଲ୍ଲୀ: ଚାମ୍ପିଆନ୍ସ ଟ୍ରଫି ପାଇଁ ଭାରତୀୟ ଦଳ ଘୋଷଣା। ରୋହିତ ଶର୍ମା ଭାରତୀୟ ଦଳର ଅଧିନାୟକ। ସେହିପରି ଉପ ଅଧିନାୟକ ହେଲେ ଶୁଭମନ ଗିଲ୍। ଟିମକୁ ଫେରିଲେ ଦ୍ରୃତ ବୋଲର ମହମ୍ମଦ ସାମି। ଚାମ୍ପିଆନ୍ସ ଟ୍ରଫି ଫେବ୍ରୁଆରୀ ୧୯ରୁ ପାକିସ୍ତାନ ଓ ଦୁବାଇରେ ଖେଳାଯିବ। ଏହି ମେଗା ଟୁର୍ଣ୍ଣାମେଣ୍ଟ ପାଇଁ ଆଜି ୧୫ ଜଣିଆ ଟିମ୍ ଘୋଷଣ କରିଛି ଭାରତ।
ମୁମ୍ବାଇରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଏବଂ ଅଧିନାୟକ ରୋହିତ ଶର୍ମା ଚାମ୍ପିଅନ୍ସ ଟ୍ରଫି ପାଇଁ ଦଳ ଘୋଷଣା କରିଛନ୍ତି । ଏହା ସହିତ ଇଂଲଣ୍ଡ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜ୍ ପାଇଁ ମଧ୍ୟ ଆଜି ଦଳ ଚୟନ କରାଯାଇଛି। ଭାରତ ରୋହିତ ଶର୍ମାଙ୍କ ନେତୃତ୍ୱରେ ହିଁ ଚାମ୍ପିଅନ୍ସ ଟ୍ରଫି ଖେଳିବ।
ତେବେ ଟିମରେ ଅଛନ୍ତି ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ (ଉପ-ଅଧିନାୟକ), ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ୱାଂଶିଟନ ସୁନ୍ଦର, କୁଲଦୀପ ଯାଦବ, ଜସପ୍ରୀତ ବୁମରା, ମହମ୍ମଦ ଶାମି, ଅର୍ଶଦୀପ ସିଂହ, ଯଶସ୍ବୀ ଜୟସୱାଲ, ରିଷଭ ପନ୍ତ, ରବିନ୍ଦ୍ର ଜାଡେଜା।
ଟୁର୍ଣ୍ଣାମେଣ୍ଟ ୧୯ ଫେବୃଆରୀରୁ ଆରମ୍ଭ ହୋଇ ୯ ମାର୍ଚ୍ଚ ପର୍ଯ୍ୟନ୍ତ ହାଇବ୍ରିଡ ମଡେଲରେ ଖେଳାଯିବ। ୨୦ ଫେବୃଆରୀରୁ ଭାରତର ମ୍ୟାଚ୍ ରହିଛି। ଗ୍ରୁପ-ଏରେ ଟିମ ଇଣ୍ଡିଆ ସହିତ ବାଂଲାଦେଶ, ପାକିସ୍ତାନ, ନ୍ୟୁଜିଲାଣ୍ଡ ରହିଛି। ଭାରତୀୟ ଟିମର ପ୍ରଥମ ମ୍ୟାଚ ବାଂଲାଦେଶ ସହିତ ଦୁବାଇରେ ଖେଳାଯିବ। ୨୩ ଫେବୃଆରୀରେ ଭାରତ ଓ ପାକିସ୍ତାନ ମଧ୍ୟରେ ଦୁବାଇରେ ମ୍ୟାଚ ଖେଳାଯିବ। ଟିମ ଇଣ୍ଡିଆର ଗ୍ରୁପ ଷ୍ଟେଜ ମ୍ୟାଚର ତୃତୀୟ ତଥା ଶେଷ ମ୍ୟାଚ ମାର୍ଚ୍ଚ ୨ ତାରିଖ ନ୍ୟୁଜିଲାଣ୍ଡ ସହିତ ରହିଛି। ଏହି ମ୍ୟାଚ ମଧ୍ୟ ଦୁବାଇରେ ଖେଳାଯିବ। ଅର୍ଥାତ୍ ଭାରତ ନିଜର ସମସ୍ତ ମ୍ୟାଚ ଦୁବାଇରେ ଖେଳିବ। ଚାମ୍ପିଅନ୍ସ ଟ୍ରଫି ୨୦୨୫ ଫାଇନାଲ ମ୍ୟାଚ୍ ଲାହୋରରେ ଖେଳାଯିବ। ଯଦି ଭାରତ ଫାଇନାଲରେ ପହଞ୍ଚେ ତେବେ ଫାଇନାଲ ମ୍ୟାଚ ମଧ୍ୟ ଦୁବାଇରେ ଖେଳାଯିବ।
Comments are closed.