Latest Odisha News

BREAKING NEWS

ଭାରତରେ ବାଘ ସଂଖ୍ୟା ବୃଦ୍ଧି ପାଇ ୨୯୬୭ରେ ପହଞ୍ଚିଲା

ନୂଆଦିଲ୍ଲୀ: ଆଜି ବିଶ୍ୱ ବ୍ୟାଘ୍ର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ଲୋକ କଲ୍ୟାଣ ମାର୍ଗଠାରେ ସର୍ବଭାରତୀୟ ବାଘ ଗଣନା-୨୦୧୮ର ଚତୁର୍ଥ ଚକ୍ର ଫଳାଫଳ ଉନ୍ମୋଚନ କରିଛନ୍ତି ।

ଏହି ସର୍ବେକ୍ଷଣ ଅନୁଯାୟୀ ୨୦୧୮ରେ ଭାରତରେ ବାଘ ସଂଖ୍ୟା ବୃଦ୍ଧି ପାଇ ୨୯୬୭ରେ ପହଞ୍ଚିଛି । ଏହି ଅବସରରେ ବକ୍ତବ୍ୟ ରଖି ପ୍ରଧାନମନ୍ତ୍ରୀ ଏହାକୁ ଭାରତର ଏକ ଐତିହାସିକ ମୁହୂର୍ତ ଭାବେ ଅଭିହିତ କରିଥିଲେ ଏବଂ ବ୍ୟାଘ୍ର ସଂରକ୍ଷଣ ନିମନ୍ତେ ଭାରତର ସଂକଳ୍ପବଦ୍ଧତାକୁ ଦୋହରାଇଥିଲେ । ଏହାକୁ ହାସଲ କରିବା ନେଇ ବିଭିନ୍ନ ଅଂଶୀଦାରମାନଙ୍କ ଦ୍ରୁତ ଓ ଉତ୍ସର୍ଗୀକୃତ କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ ସଂକଳ୍ପରୁ ସିଦ୍ଧିର ଏହା ଏକ ପ୍ରକୃଷ୍ଟ ଉଦାହରଣ । ଭାରତର ଜନସାଧାରଣ ଯଦି କିଛି କରିବା ପାଇଁ ନିଷ୍ପତି ଗ୍ରହଣ କରନ୍ତି ତେବେ ଉପଯୁକ୍ତ ଫଳାଫଳ ପାଇବା ନେଇ ସେମାନଙ୍କୁ କୌଣସି ଶକ୍ତି ଅଟକାଇ ପାରିବେ ନାହିଁ ବୋଲି ସେ ଘୋଷଣା କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରାୟତଃ ୩୦୦୦ ବାଘଙ୍କ ସହିତ, ଭାରତ ଏବେ ସେମାନଙ୍କ ପାଇଁ ସର୍ବବୃହତ୍ ଓ ସର୍ବାଧିକ ସୁରକ୍ଷିତ ବାସସ୍ଥଳୀରେ ପରିଣତ ହୋଇଛି ।

ଶ୍ରୀ  ମୋଦୀ ଦୃଢ଼ ବିଶ୍ୱାସ ପ୍ରକଟ କରିଥିଲେ ଯେ ଆଗାମୀ ଦିନର ମାର୍ଗ ଚୟନାତ୍ମକ ନୁହେଁ ବରଂ ସାମଗ୍ରୀକ । ସେ କହିଲେ ଯେ ପରିବେଶ ସଂରକ୍ଷଣ ଲାଗି ଏକ ବ୍ୟାପକ ଏବଂ ସାମଗ୍ରୀକ ଦୃଷ୍ଟିକୋଣ ଜରୁରି । ସେ କହିଲେ ଯେ ବିକାଶ ଓ ପରିବେଶ ମଧ୍ୟରେ ଏକ ଉତମ ସନ୍ତୁଳନ ରକ୍ଷା କରିବା ସମ୍ଭବ । “ଆମ ନୀତିରେ, ଆମ ଅର୍ଥନୀତିରେ ଆମକୁ ସଂରକ୍ଷଣ ସମ୍ବନ୍ଧୀୟ ଆଲୋଚନାକୁ ପରିବର୍ତନ କରିବାକୁ ପଡିବ,” ବୋଲି ସେ କହିଥିଲେ ।
ଭାରତ ଆମ ନାଗରିକମାନଙ୍କ ପାଇଁ ଅଧିକ ଗୃହ ନିର୍ମାଣ କରିବ ଏବଂ ଏହି ସମୟରେ ଜୀବଜନ୍ତୁମାନଙ୍କ ପାଇଁ ଗୁଣାତ୍ମକ ବାସସ୍ଥାନ ମଧ୍ୟ ସୃଷ୍ଟି କରିବ । ଭାରତର ଏକ ଜୀବନ୍ତ ସାମୁଦ୍ରିକ ଅର୍ଥନୀତି ଏବଂ ସୁସ୍ଥ ସାମୁଦ୍ରିକ ପରିବେଶ ରହିବ । ଏହି ସନ୍ତୁଳନ ହିଁ ଏକ ଶକ୍ତିଶାଳୀ ତଥା ସମାବେଶୀ ଭାରତ ନିର୍ମାଣରେ ଯୋଗଦାନ କରିବ ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ।

ସେ ଆତ୍ମବିଶ୍ୱାସ ପ୍ରକଟ କରି କହିଥିଲେ ଯେ ଭାରତ ଉଭୟ ଆର୍ଥିକ ଓ ପରିବେଶ ଦୃଷ୍ଟିରୁ ସମୃଦ୍ଧ ହେବ; ଭାରତ ଅଧିକ ସଡ଼କ ନିର୍ମାଣ କରିବ ଏବଂ ଭାରତରେ ନଦୀଗୁଡ଼ିକ ସ୍ୱଚ୍ଛ ହେବେ; ଭାରତରେ ରେଳ ସଂଯୋଗ ଉନ୍ନତ ହେବ ଏବଂ ଭାରତରେ ବୃକ୍ଷ ସଂଖ୍ୟାରେ ବୃଦ୍ଧି ଘଟିବ ।
ସେ କହିଲେ ଯେ ଗତ ୫ ବର୍ଷ ମଧ୍ୟରେ ଆଗାମୀ ପିଢ଼ୀ ପାଇଁ ଭିତିଭୂମି ନିର୍ମାଣ ଦ୍ରୁତ ଗତିରେ ହୋଇଥିବା ବେଳେ ଦେଶରେ ଜଙ୍ଗଲର ଘନତ୍ୱ ମଧ୍ୟ ବୃଦ୍ଧି ପାଇଛି । ସଂରକ୍ଷିତ କ୍ଷେତ୍ର ମଧ୍ୟ ବୃଦ୍ଧି ପାଇଛି । ୨୦୧୪ରେ ୬୯୨ଟି ସଂରକ୍ଷିତ ଅଂଚଳ ଥିଲାବେଳେ ୨୦୧୯ରେ ଏହା ବୃଦ୍ଧି ପାଇ ୮୬୦ରୁ ଅଧିକ ହୋଇଛି । ‘ଗୋଷ୍ଠୀ ସଂରକ୍ଷିତ କ୍ଷେତ୍ର’ ମଧ୍ୟ ବୃଦ୍ଧି ପାଇଛି । ୨୦୧୪ରେ ଏହା ୪୩ ଥିଲାବେଳେ ଏବେ ଏହାର ସଂଖ୍ୟାରେ ବୃଦ୍ଧି ଘଟି ୧୦୦ରୁ ଅଧିକ ହୋଇଛି ।

ଭାରତ ଏହାର ଅର୍ଥବ୍ୟବସ୍ଥାକୁ ସ୍ୱଚ୍ଛ-ଇନ୍ଧନ ଏବଂ ଅକ୍ଷୟ ଶକ୍ତି ଆଧାରିତ କରିବା ପାଇଁ ନିୟମିତ ଭାବେ ପ୍ରୟାସ କରୁଥିବାର ସେ କହିଥିଲେ । ସେ କହିଲେ ଯେ ବର୍ଜ୍ୟବସ୍ତୁ ଏବଂ ଜୈବ ଇନ୍ଧନକୁ ଭାରତର ଶକ୍ତି ସୁରକ୍ଷାର ବୃହତ ଅଂଶବିଶେଷ କରାଯାଉଛି । ଏଲପିଜି ସଂଯୋଗ ଏବଂ ଏଲଇଡି ବଲ୍ବ ପାଇଁ ଯଥାକ୍ରମେ “ଉଜ୍ଜ୍ୱଳା” ଓ “ଉଜାଲା” ଆଦି ଯୋଜନାରେ ହେଉଥିବା ଅଗ୍ରଗତି ସମ୍ବନ୍ଧରେ ସେ ପ୍ରକାଶ କରିଥିଲେ । ଶେଷରେ ବ୍ୟାଘ୍ର ସଂରକ୍ଷଣ ପାଇଁ ପଦକ୍ଷେପକୁ ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ ।

କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତନ ମନ୍ତ୍ରୀ ପ୍ରକାଶ ଜାଭଡେକର, କେନ୍ଦ୍ର ପରିବେଶ, ଜଙ୍ଗଲ ଓ ପାଣିପାଗ ପରିବର୍ତନ ରାଷ୍ଟ୍ରମନ୍ତ୍ରୀ  ବାବୁଲ ସୁପ୍ରିୟୋ ଏବଂ ପରିବେଶ, ଜଙ୍ଗଲ ଓ ପାଣିପାଗ ପରିବର୍ତନ ମନ୍ତ୍ରଣାଳୟର ସଚିବ ସିକେ ମିଶ୍ରା ଏହି ଅବସରରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.