Latest Odisha News

ଗତ ୩୦ ବର୍ଷ ତଳୁ କବିତାକୁ ମୁଁ ଛାଡ଼ପତ୍ର ଦେଇ ସାରିଛି : ବିଭୂତି ପଟ୍ଟନାୟକ

ବିଭୂତି ପଟ୍ଟନାୟକ ଓଡ଼ିଆ ଲୋକପ୍ରିୟ ଉପନ୍ୟାସର ପିତାମହ । ରୋମାଂଟିକ ସୋସିଆଲିଷ୍ଟ୍‍ ଭାବେ ସେ ଉପନ୍ୟାସକୁ ଦେଇଛନ୍ତି ପ୍ରଚୁର ପାଠକୀୟତା। ବହୁ ପୁସ୍ତକ ଓ ସମ୍ମାନର ଅଧିକାରୀ ଏହି ଯଶସ୍ୱୀ ଔପନ୍ୟାସିକଙ୍କ ସହ ସରୋଜ ବଳଙ୍କ ଆଳାପ:

ଗତ ୩୦ ବର୍ଷ ତଳୁ କବିତାକୁ ମୁଁ ଛାଡ଼ପତ୍ର ଦେଇ ସାରିଛି : ବିଭୂତି ପଟ୍ଟନାୟକ

ଉପନ୍ୟାସକୁ କେମିତି ଓ କାହିଁକି ଆସିଲେ? ‘ଉପନ୍ୟାସ ପଢ଼ିଲେ ଖରାପ ହେଇଯାଆନ୍ତି’ ବୋଲି ଓଡ଼ିଶାରେ ଯେଉଁ ବହୁଳପ୍ରଚଳିତ ଧାରଣା ଅଛି, ସେ ସଂପର୍କରେ ସେତେବେଳେ ସଚେତନ ଥିଲେ କି?
ଗଳ୍ପ, କବିତା ଲେଖି ମୁଁ ଖୁବ୍ ଆନନ୍ଦରେ ଥିଲି । ‘କୃଷକ’ ପ୍ରେସ୍ ମ୍ୟାନେଜର ବଂଶୀଧର ଭୂୟାଁ ତାଙ୍କ ସମ୍ପାଦିତ ମାସିକ ଉପନ୍ୟାସ ପତ୍ରିକା ‘ଜନ ସାହିତ୍ୟ’ ପାଇଁ ମତେ ଗୋଟିଏ ଉପନ୍ୟାସ ଲେଖିବା ପାଇଁ ଏକ ପ୍ରକାର ବାଧ୍ୟ କରିବା ଫଳରେ ତାଙ୍କୁ ‘ଶେଷ ବସନ୍ତ’ ନାମରେ ଏକ ନାତିଦୀର୍ଘ ଉପନ୍ୟାସ ଲେଖି ଦେଇଥିଲି । ତାହା ‘ଜନ ସାହିତ୍ୟ’ ଚତୁର୍ଥ ସଂଖ୍ୟାରେ ପ୍ରକାଶ ପାଇଥିଲା । ଦୁଇ ବର୍ଷ ପରେ ‘ଜନ ସାହିତ୍ୟ’ ପୂଜା ସଂଖ୍ୟା ପାଇଁ ମତେ ଆଉ ଗୋଟିଏ ଉପନ୍ୟାସ ଲେଖିବା ଲାଗି ସେ ଅନୁରୋଧ କରିଥିଲେ । ମୁଁ ସେତେବେଳେ ସାପ୍ତାହିକ ‘କୃଷକ’ର ସମ୍ପାଦନା ଦାୟିତ୍ୱରେ ଥିଲି । ପ୍ରେସ୍ ମ୍ୟାନେଜରଙ୍କ ଅନୁରୋଧ ଏଡ଼ାଇ ଯିବା ମୋ ପକ୍ଷରେ ସମ୍ଭବ ନ ଥିଲା । ଏହିପରି ଭାବରେ ଲେଖା ହୋଇ ଯାଇଥିଲା ‘ଏଇ ଗାଁ ଏଇ ମାଟି’ । ସେ ଉପନ୍ୟାସ ପଢ଼ି ପାରଳାଖେମୁଣ୍ଡି କଲେଜର ଓଡ଼ିଆ ଅଧ୍ୟାପକ ମହାପାତ୍ର ନୀଳମଣି ସାହୁ ଏକ ପ୍ରଶଂସାମୂଳକ ପୋଷ୍ଟକାର୍ଡ ଚିଠି ଲେଖିଥିଲେ । ତାଙ୍କର ସେହି ଚିଠି ମୋ ଭିତରେ ଭଲ ଉପନ୍ୟାସ ଲେଖିବାର ଆତ୍ମପ୍ରତ୍ୟୟ ସୃଷ୍ଟି କରିଥିଲା । ତାହା ପରେ ମୁଁ ଆଉ ପଛକୁ ଫେରି ଚାହିଁନାହିଁ ।

ପ୍ରଥମ ଉପନ୍ୟାସର ପ୍ରକାଶନ କେବେ ହୋଇଥିଲା ଓ ସେତେବେଳର ପାଠକଙ୍କ ପ୍ରତିକ୍ରିୟା କିପରି ଥିଲା? ପ୍ରକାଶନରେ କିଛି ସମସ୍ୟା ଉପୁଜିଥିଲା କି? ପ୍ରଥମ ଉପନ୍ୟାସକୁ ନେଇ ଆପଣ କେତେ ସନ୍ତୁଷ୍ଟ ଥିଲେ?
ପ୍ରଥମ ଉପନ୍ୟାସ ‘ଶେଷ ବସନ୍ତ’ ‘ଜନ ସାହିତ୍ୟ’ରେ ୧୯୫୬ ମସିହାରେ ପ୍ରକାଶ ପାଇଥିଲା । ପାଠକମାନଙ୍କ ଦ୍ୱାରା ବିଶେଷ ଭାବରେ ଆଦୃତ ହୋଇଥିଲା ବୋଲି ସେ ପରବର୍ତ୍ତୀ ସମୟରେ ‘ଜନ ସାହିତ୍ୟ’ ପୂଜା ସଂଖ୍ୟା ପାଇଁ ଆଉ ଗୋଟିଏ ବଡ଼ ଉପନ୍ୟାସ ଲେଖିବା ପାଇଁ ଅନୁରୋଧ କରିଥିଲେ ଏବଂ ସେହି ଉପନ୍ୟାସ ମତେ ଔପନ୍ୟାସିକର ସ୍ୱୀକୃତି ଆଣି ଦେଇଥିଲା ।

ଓଡ଼ିଶାରେ ଉପନ୍ୟାସ କଥା ଉଠିଲେ ଏବେବି ଲୋକେ ଦୁଇ ଜଣଙ୍କ ନାଁ ପ୍ରଥମେ ନିଅନ୍ତି । ପ୍ରତିଭା ରାୟ ଓ ବିଭୂତି ପଟ୍ଟନାୟକ (କେବେକେବେ କ୍ରମରେ ପରିବର୍ତ୍ତନ ହୁଏ ଅବଶ୍ୟ) । ଏହା କିପରି ସଂଭବ ହେଲା? ଏ ବିରଳ ସଫଳତାକୁ ଆପଣ କେଉଁ ଦୃଷ୍ଟିରେ ଦେଖନ୍ତି?
ଷଷ୍ଠ ଦଶକରେ ଜନ ସାହିତ୍ୟ ଓ ବସନ୍ତ ପଟ୍ଟନାୟକଙ୍କ ସମ୍ପାଦିତ ‘ଚିତ୍ରପୁରୀ’ ଉପନ୍ୟାସ ପାଠକମାନଙ୍କ ମତାମତ ସର୍ବେକ୍ଷଣ କରୁଥିଲେ । ସେହି ସମୀକ୍ଷା ଅନୁସାରେ ସର୍ବାଧିକ ଲୋକପ୍ରିୟ ଔପନ୍ୟାସିକ ଭାବରେ ମୋ ନାମ ସହିତ ଦେବ୍ରାଜ ଲେଙ୍କାଙ୍କ ନାମ ଉଚ୍ଚାରିତ ହେଉଥିଲା । ଏବେ ମୋ ନାମ ସହିତ ପ୍ରତିଭା ନାମ ଉଚ୍ଚାରିତ ହେବା ଆନନ୍ଦର କଥା । ସମ୍ଭବତଃ ବହି ବିକ୍ରିର ପରିମାଣ ଦୃଷ୍ଟିରୁ ଦେବ୍ରାଜ ଅପେକ୍ଷା ପ୍ରତିଭାର ଉପନ୍ୟାସ ଅଧିକ ବିକ୍ରି ହେଉଥାଇପାରେ ।

ଆପଣଙ୍କ ଲେଖା ପଢ଼ି ଲେଖାଲେଖି ଆରମ୍ଭ କରିଥିବା ବହୁଲେଖକ ପରବର୍ତ୍ତୀ ସମୟରେ ଅଭିଯୋଗ କରନ୍ତି ଯେ ଆପଣ କଲେଜ୍‍ ପିଲାଙ୍କ ପ୍ରେମକାହାଣୀରେ ଅଟକିଗଲେ; ଯଦିଓ ଆପଣ ବହୁ ସାମାଜିକ ସମସ୍ୟାକୁ ନେଇ ବେଶ୍‍ ଉଚ୍ଚକୋଟୀର ଉପନ୍ୟାସମାନ ଲେଖିଛନ୍ତି । ଏପରି କୁହାଯିବାର କାରଣ କଣ? କୌଣସି ବଡ଼ ଜାତୀୟ ପୁରସ୍କାର ନମିଳିବା ଏହାର କାରଣ ବୋଲି ମନେହୁଏ କି?
କଲେଜ ଛାଡ଼ିଲା ପରେ ଯେଉଁମାନେ ଉପନ୍ୟାସ ପଢ଼ା ଛାଡ଼ିଦିଅନ୍ତି, ସେମାନେ ସମ୍ଭବତଃ ମୋ ପ୍ରେମ ଉପନ୍ୟାସ ପାଖରେ ଅଟକି ଯାଆନ୍ତି । ଉଚ୍ଚମାନର ଉପନ୍ୟାସ ସହିତ ଜାତୀୟ ପୁରସ୍କାର ପାଇବା ନପାଇବାର କୌଣସି ସମ୍ପର୍କ ନାହିଁ ।

ଆପଣଙ୍କ ପୁଅଝିଅ ବୟସର ଲେଖକମାନେ ବହୁ ପୂର୍ବରୁ କେନ୍ଦ୍ରସାହିତ୍ୟ ଏକାଡେମୀ ପୁରସ୍କାର ପାଇସାରିଥିବା ବେଳେ ଏଇ ନିକଟରେ ଆପଣଙ୍କୁ ସେ ପୁରସ୍କାର ମିଳିଛି! ଓଡ଼ିଆ ଉପନ୍ୟାସକୁ ଆପଣ ଏତେ ବଡ଼ ପାଠକୀୟତା ଦେବା ପରେ ଏପରି ହେବା ନିଶ୍ଚୟ ଆମ ସାହିତ୍ୟ ପାଇଁ ଦୁର୍ଭାଗ୍ୟଜନକ । ଆପଣ କଣ ଭାବନ୍ତି? ଏହା ପଛରେ କାହାରି କିଛି ଦୁରଭିସନ୍ଧି ଥିଲା କି?
୨୦୧୦ ମସିହାରେ ପଚସ୍ତରି ବର୍ଷ ବୟସରେ କଳ୍ପନା କୁମାରୀ ଦେବୀ, ତିନିଜଣ ବିଚାରକଙ୍କ ସର୍ବ ସମ୍ମତିକ୍ରମେ ତାଙ୍କ ଉପନ୍ୟାସ ପାଇଁ କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର ପାଇଲେ ବୋଲି ତାଙ୍କୁ ଅକାଦେମୀ ପୁରସ୍କାର ନଦେବା ପାଇଁ ହାଇକୋର୍ଟରେ ମକଦ୍ଦମା ହୋଇଥିଲା । ମୋର କୌଣସି ଉପନ୍ୟାସକୁ ୨୦୧୫ ମସିହା ପୂର୍ବରୁ କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର ଦିଆଯାଇଥିଲେ ସମ୍ଭବତଃ ସୁପ୍ରିମକୋର୍ଟରେ ମକଦ୍ଦମା ହୋଇଥାଆନ୍ତା । ସମ୍ଭବତଃ ତାହା ଅନୁମାନ କରି ମୋ ‘ଚପଳଛନ୍ଦା’ ଏବଂ ‘ଦିନକାଳ’ ଉପନ୍ୟାସକୁ ପ୍ରତ୍ୟାଖ୍ୟାନ କରି ଗତ ବର୍ଷ ମୋର ଏକ ଗଳ୍ପ ସଂକଳନକୁ ଅକାଦେମୀ ପୁରସ୍କାର ଦିଆଯାଇଛି ।

ଆପଣ ପ୍ରାୟ ସବୁ ଯୁବଲେଖକଙ୍କୁ ଉପନ୍ୟାସ ଲେଖିବାକୁ ଉସ୍‍କାନ୍ତି ବୋଲି ଶୁଣିଛି । ‘ସ୍ୱଜାତି ପରହିଂସ୍ରକ’ ମର୍ମରେ ନିଜର ପ୍ରତିଦ୍ୱନ୍ଦ୍ୱୀ ଛିଡ଼ା କରିବାକୁ କୌଣସି ସମସାମୟିକ ଲେଖକ ଚାହୁଁନଥିବା ବେଳେ ଆପଣ କେଉଁ ଆଭିମୁଖ୍ୟରେ ଏପରି କରନ୍ତି?
ଗୋପୀନାଥ, କାହ୍ନୁଚରଣ, ସୁରେନ୍ଦ୍ର ମହାନ୍ତି, ରାଜକିଶୋର ପଟ୍ଟନାୟକ, କୃଷ୍ଣ ପ୍ରସାଦ ମିଶ୍ର, ବସନ୍ତ କୁମାରୀ, ଗୋବିନ୍ଦ ଦାସଙ୍କ ଦେହାନ୍ତ ଏବଂ ଶାନ୍ତନୁ ଆଚାର୍ଯ୍ୟ, ମନୋଜ ଦାସ, ଚନ୍ଦ୍ରଶେଖର ରଥ ପ୍ରମୁଖ କଲମ ଥୋଇଦେଲା ପରେ ଓଡ଼ିଆ ଉପନ୍ୟାସରେ ଅକାଳ ମରୁଡ଼ି ଦେଖା ଦେଇଛି । ନୂତନ ପିଢ଼ିର ଅଗ୍ରଗଣ୍ୟ ଔପନ୍ୟାସିକ ଜଗଦୀଶ ମହାନ୍ତିଙ୍କ ଅକାଳ ବିୟୋଗ ଏ ଶୂନ୍ୟତାର ପରିଧିକୁ ଆହୁରି ବିସ୍ତୃତ କରିଛି । ଉପନ୍ୟାସର ଏ ଦୁଃସମୟରେ ଯଦି ଭଲ ଗଳ୍ପ ଲେଖୁଥିବା ନୂତନ ଲେଖକ ଲେଖିକାମାନେ ଉପନ୍ୟାସ ଲେଖାରେ ହାତ ନଦିଅନ୍ତି, ତାହା ହେଲେ ବହୁ କଷ୍ଟରେ ଆମେ ଯେଉଁ ବୃହତ୍ତର ପାଠକଗୋଷ୍ଠୀ ତିଆରି କରିଛୁ, ସେମାନେ ମୌଳିକ ଓଡ଼ିଆ ଉପନ୍ୟାସ ଅଭାବରେ ଅନୁବାଦ ଉପନ୍ୟାସ ପ୍ରତି ଆକୃଷ୍ଟ ହେବେ କିମ୍ବା ବଙ୍ଗଳା, ହିନ୍ଦୀ ଇତ୍ୟାଦି ଉପନ୍ୟାସ ପଢ଼ିବାକୁ ବାଧ୍ୟ ହେବେ । ନୂତନ ଉପନ୍ୟାସ ଲେଖିବା ଲାଗି ଉତ୍ସାହିତ କରିବା ଲାଗି ଓଡ଼ିଆ ପ୍ରକାଶକ ନାହାନ୍ତି । ସେଥିପାଇଁ କୌଣସି ନୂତନ ପିଢ଼ିର କବି କିମ୍ବା ଗାଳ୍ପିକମାନଙ୍କ ମଧ୍ୟରେ ଉପନ୍ୟାସ ଲେଖିବାର ସମ୍ଭାବନା ଦେଖିଲେ, ସେମାନଙ୍କୁ ଉପନ୍ୟାସ ଲେଖିବା ପାଇଁ ମୁଁ ଉତ୍ସାହିତ କରେ ।

ଆପଣ ଏକଦା କବିତା ଲେଖୁଥିଲେ । ପ୍ରଚୁର ଗଳ୍ପ ବି ଲେଖିଛନ୍ତି । କିନ୍ତୁ ଆପଣଙ୍କୁ ସଚରାଚର ଔପନ୍ୟାସିକ ଭାବେ ଗଣାଯାଏ । ଆପଣ ଏ ଗଣନାରେ ସନ୍ତୁଷ୍ଟ କି? କବିତା ଓ ଗଳ୍ପଠାରୁ ଉପନ୍ୟାସ କିପରି ଭାବରେ ଭିନ୍ନ? ସବୁଠୁ ପ୍ରଭାବଶାଳୀ କେଉଁଟା?
କବିତା ହେଉ କି ଗଳ୍ପ ହେଉ – ଏଥିରୁ କୌଣସିଟା ଲେଖିବା ମୋ ପାଇଁ ଆନନ୍ଦଦାୟକ କାର୍ଯ୍ୟ ନୁହେଁ । କବିତା ଲେଖିବା ମନର ଏକ ବିଶିଷ୍ଟ ମୁହୂର୍ତ୍ତ ଉପରେ ନିର୍ଭର କରେ । ମୋ ପାଇଁ ଏ ମୁହୂର୍ତ୍ତ ଖୁବ୍ କମ୍ ଥର ଆସେ । ସେଥିପାଇଁ ମୋ ସମୁଦାୟ କବିତାର ସଂଖ୍ୟା ଅଳ୍ପ ଏବଂ ଉପନ୍ୟାସ ଲେଖାରେ ଅଧିକ ଏକାଗ୍ରତା ପ୍ରୟୋଜନ ହେବାରୁ ପ୍ରାୟ ଗତ ୩୦ ବର୍ଷ ତଳୁ କବିତାକୁ ମୁଁ ଛାଡ଼ପତ୍ର ଦେଇ ସାରିଛି । ଗୋଟିଏ ଗଳ୍ପ ଲେଖି ଶେଷ କଲା ପରେ ମନରେ ଯେଉଁ ତୃପ୍ତି ଆସେ, ଉପନ୍ୟାସରେ ମୁଁ ତାହା ପାଏ ନାହିଁ । ଯେପରି ଭାବରେ ଲେଖିବି ବୋଲି ଉପନ୍ୟାସ ଆରମ୍ଭ କରିଥାଏ, ଶେଷ କଲା ପରେ ଅନୁଭବ କରେ ଯେ ସେପରି ଲେଖିପାରି ନାହିଁ । ଏହି ଅତୃପ୍ତି ହିଁ ମତେ ନୂଆ ଉପନ୍ୟାସ ହାତ ଧରି ଲେଖାଇ ନିଏ । କିନ୍ତୁ ଏ ଅତୃପ୍ତିର ଅନ୍ତ ହୁଏ ନାହିଁ । କିନ୍ତୁ ମୋ କବିତା ଏବଂ ଗଳ୍ପ ରଚନାରେ ମୁଁ ଅନେକାଂଶରେ ତୃପ୍ତ । କବିତା ବ୍ୟକ୍ତିକୈନ୍ଦ୍ରିକ କାନଭାସ । ଗଳ୍ପର ପରିସର ସଂକ୍ଷିପ୍ତ କିନ୍ତୁ ଉପନ୍ୟାସର କାନଭାସ ବ୍ୟାପକ । ଗଳ୍ପ, କବିତା, ଉପନ୍ୟାସ- ପ୍ରତ୍ୟେକ ନିଜନିଜ କ୍ଷେତ୍ରରେ ପ୍ରଭାବଶାଳୀ ।

ଆଜିକାଲି ଉପନ୍ୟାସର କଳେବର ଓ ପାଠକୀୟତା ଉଭୟ କମିବାରେ ଲାଗିଛି ବୋଲି ଚର୍ଚ୍ଚାହୁଏ । ଆଠଶ’ ହଜାରେ ପୃଷ୍ଠା ତ ଦୂରର କଥା, ତିନିଶ’ ପୃଷ୍ଠାର ଉପନ୍ୟାସ ବି ଆଜିକାଲି କେହି ଲେଖୁନାହାନ୍ତି । ଏ ପରିବର୍ତ୍ତନ ଆପଣଙ୍କ ଦେହରେ ଯାଏ? କଣ କହିବେ ବର୍ତ୍ତମାନର ଔପନ୍ୟାସିକମାନଙ୍କୁ?
ବଙ୍ଗଳାରେ ସାପ୍ତାହିକ ‘ଦେଶ’ରେ ଧାରାବାହିକ ଭାବରେ ପ୍ରକାଶ ପାଇଥିବା ଉପନ୍ୟାସର ପୃଷ୍ଠା ସଂଖ୍ୟା ଶତରୁ ସହସ୍ରକୁ ସ୍ପର୍ଶ କରୁଥିଲା । ‘ଦେଶ’ ଏବେ ପାକ୍ଷିକ ହୋଇଗଲା ପରେ ଧାରାବାହିକ ଉପନ୍ୟାସର ପୃଷ୍ଠା ସଂଖ୍ୟା ପାଞ୍ଚ ଶହକୁ କମି ଆସୁଥିବା ଦେଖାଯାଉଛି । ଓଡ଼ିଶାରେ ‘ଦେଶ’ ଭଳି ସାପ୍ତାହିକ ସାହିିତ୍ୟ ପତ୍ର ନାହିଁ କିମ୍ବା କୌଣସି ପୁସ୍ତକ ପ୍ରକାଶକ ବଡ଼ ଉପନ୍ୟାସ ଛାପିବା ପାଇଁ ଆଗ୍ରହୀ ନୁହନ୍ତି । ତେଣୁ ସ୍ୱାଭାବିକ ଭାବରେ ପାଞ୍ଚ ଶହ- ହଜାରେ ପୃଷ୍ଠାର ଉପନ୍ୟାସ ଓଡ଼ିଆ ଭାଷାରେ ଲେଖା ହେଉନାହିଁ ।

ଆପଣ ଅନ୍ୟ ଲେଖକଙ୍କ ଓଡ଼ିଆ ଉପନ୍ୟାସ ପଢ଼ିବାକୁ ଆଗ୍ରହ ରଖନ୍ତିକି? ଯଦି ହଁ, ଆପଣଙ୍କ ପ୍ରିୟ ଓଡ଼ିଆ ଔପନ୍ୟାସିକ ଓ ଉପନ୍ୟାସ ବିଷୟରେ ଅଳ୍ପରେ ସୂଚନା ଦେବେକି? ଉପନ୍ୟାସ ଲେଖିବାବେଳେ ସେମାନଙ୍କ ମଧ୍ୟରୁ କାହାର ଆଦର୍ଶ ଆପଣଙ୍କୁ ଉଦ୍‍ବୁଦ୍ଧ କରେ?
ଏକଦା ଦେବ୍ରାଜ, ପଦ୍ମଜ ଏବଂ ଜଗଦୀଶଙ୍କ ଉପନ୍ୟାସର ମୁଁ ଅନୁରକ୍ତ ପାଠକ ଥିଲି । ଦେବ୍ରାଜଙ୍କର ଉପନ୍ୟାସର ଭାଷା ଏବଂ କଥାବସ୍ତୁର ବିକାଶରେ ମହାକାବ୍ୟିକ ଆବେଦନ ମତେ ମୁଗ୍ଧ କରିଥିଲା । ଗତ କେତେ ବର୍ଷ ହେଲା ମୁଁ ତାଙ୍କର କୌଣସି ଉପନ୍ୟାସ ପଢ଼ିନାହିଁ । ପଦ୍ମଜ ପାଳଙ୍କ ‘ଦୁର୍ଗ ପତନର ବେଳ’ ମତେ ଖୁବ୍ ପ୍ରଭାବିତ କରିଥିଲା । ଯଶୋଧାରା ମିଶ୍ର ଏବଂ ଅର୍ଚ୍ଚନା ନାୟକଙ୍କ ଗଳ୍ପ ଭଳି ଉପନ୍ୟାସ ମଧ୍ୟ ମୋର ଅତିପ୍ରିୟ । ସୁସ୍ମିତା ବାଗଚି ନୂତନ ପ୍ରଜନ୍ମର ଔପନ୍ୟାସିକମାନଙ୍କ ମଧ୍ୟରେ ସବୁଠାରୁ ପ୍ରଭାବଶାଳୀ ଲେଖିକା ବୋଲି ମୋର ମନେହୁଏ । ତା’ର ‘ଦେବଶିଶୁ’ ଉପନ୍ୟାସ ଓଡ଼ିଆ କଥା ସାହିତ୍ୟରେ ଏକ ସ୍ମରଣୀୟ ସୃଷ୍ଟି ।

ତରୁଣ ପିଢ଼ିର ଓଡ଼ିଆ ଔପନ୍ୟାସିକଙ୍କ ପାଖରେ କଣ ଅଭାବ ଦେଖୁଛନ୍ତି? ସେମାନଙ୍କ କାନ୍ଧରେ ଓଡ଼ିଆ ଉପନ୍ୟାସର ଭାର ଆଗକୁ ବଢ଼ିବାର ସଂଭାବନା ଦେଖୁଛନ୍ତି କି?
ତରୁଣ ପିଢ଼ିର ଓଡ଼ିଆ ଔପନ୍ୟାସିକମାନଙ୍କ ମଧ୍ୟରେ ଅନୁଭୂତି ଏବଂ ଏକାଗ୍ରତାର ଅଭାବ ସେମାନଙ୍କୁ ମହତ୍ତ୍ୱପୂର୍ଣ୍ଣ ଉପନ୍ୟାସ ଲେଖିବାରୁ ବଂଚିତ କରୁଛି ବୋଲି ମୋର ବିଶ୍ୱାସ । ଏହି ସୀମାବଦ୍ଧତାକୁ ଅତିକ୍ରମ କରିପାରିଲେ ସେମାନେ ଆଗକୁ ବଢ଼ିବା ସହିତ ଓଡ଼ିଆ ଉପନ୍ୟାସକୁ ମଧ୍ୟ ଆଗେଇ ନେଇପାରିବେ ।

କ୍ଲାସିକ୍‍ ଉପନ୍ୟାସର ମାନଦଣ୍ଡ କଣ ହେବା ଉଚିତ୍‍ ବୋଲି ଭାବନ୍ତି? ଯଦି ଆପଣଙ୍କୁ ୫ଟି ଓଡ଼ିଆ କ୍ଲାସିକ୍‍ ଉପନ୍ୟାସର ନାମ ଲେଖିବାକୁ କୁହାଯାଏ, କେଉଁଗୁଡ଼ିକୁ ଆପଣ ଅନ୍ତର୍ଭୁକ୍ତ କରିବେ? ସେଥିରେ ନିଜର କୌଣସି ଉପନ୍ୟାସ ରଖିବାକୁ ଚାହିଁବେ କି?
କାଳୋତୀର୍ଣ୍ଣ ଉପନ୍ୟାସକୁ ହିଁ କ୍ଲାସିକ୍ ଭାବରେ ଗଣାଯାଏ । ମୋ ମତରେ ନିମ୍ନଲିଖିତ ପାଞ୍ଚ ଜଣ ଔପନ୍ୟାସିକଙ୍କ ଉପନ୍ୟାସକୁ କ୍ଲାସିକ୍ ଭାବରେ ଗ୍ରହଣ କରାଯାଇପାରେ । ୧. ଫକୀର ମୋହନଙ୍କ ‘ଛ ମାଣ ଆଠଗୁଣ୍ଠ’, ୨. କାଳିନ୍ଦୀ ଚରଣଙ୍କ ‘ମାଟିର ମଣିଷ’, ୩. ନିତ୍ୟାନନ୍ଦଙ୍କ ଉପନ୍ୟାସ ତ୍ରୟୀ – ‘ହିଡ଼ମାଟି’, ‘ଭଙ୍ଗାହାଡ଼’ ଏବଂ ‘ଘରଡିହ’, ୪. ଗୋପୀନାଥଙ୍କ ‘ପରଜା’, ୫. ବସନ୍ତ କୁମାରୀଙ୍କ ‘ଅମଡ଼ା ବାଟ’ ।

ଓଡ଼ିଆରେ ଉପନ୍ୟାସ ଲେଖି ଜଣେ ଜୀବିକା ନିର୍ବାହ କରିବା ସଂଭବ କି? ସେଥିପାଇଁ ଜଣେ ଲେଖକର କେଉଁକେଉଁ ଦକ୍ଷତା ଥିବା ଆବଶ୍ୟକ ବୋଲି ଭାବନ୍ତି? ଚର୍ଚ୍ଚିତ ବା ବିକ୍ରିଯୋଗ୍ୟ ଔପନ୍ୟାସିକ ହେବା ପାଇଁ କେବଳ ଭଲ ଲେଖିବା ଯଥେଷ୍ଟ କି?
ଓଡ଼ିଆ ସାହିତ୍ୟ ପୁସ୍ତକ ପ୍ରକାଶକମାନଙ୍କ ସଂଖ୍ୟା ଦ୍ରୁତ ହ୍ରାସ ପାଉଥିବାବେଳେ ନୂତନ ପୁସ୍ତକ ପ୍ରକାଶକ ଏବଂ ପ୍ରକାଶିତ ପୁସ୍ତକର ପୁନଃମୁଦ୍ରଣ ଯେତେବେଳେ ଏକ ଦୁଃସ୍ୱପ୍ନରେ ପରିଣତ ହେବାକୁ ଯାଉଛି, ସେତେବେଳେ ଓଡ଼ିଆ ଉପନ୍ୟାସ ଲେଖି ଜୀବିକା ଅର୍ଜନ କରିବା ଆଶା ବୃଥା ।

ଓଡ଼ିଆ ଉପନ୍ୟାସ ଆବଶ୍ୟକତାଠାରୁ ଅଧିକ ଆଦର୍ଶବାଦୀ ଓ ସାମାଜିକ ବାସ୍ତବତା ନାଁରେ ଏକ ଉପରଠାଉରିଆ ସ୍ଲୋଗାନ୍‍ଧର୍ମୀ ଜୀବନବୋଧଦ୍ୱାରା ଆକ୍ରାନ୍ତ ବୋଲି ହେଉଥିବା ସମାଲୋଚନାକୁ ଆପଣ କେମିତି ଗ୍ରହଣ କରିବେ? ଆମ ସମୟର ଉପନ୍ୟାସ କଣ ଆମ ସମୟର କଥା କହେ?
ଓଡ଼ିଆ କବିତା ଏବଂ ନାଟକର ଯୋଗ୍ୟ ସମାଲୋଚକ ଅଛନ୍ତି କିନ୍ତୁ ଗଳ୍ପ ଉପନ୍ୟାସର ଆଲୋଚନା ଓ ସମାଲୋଚନା କ୍ଷେତ୍ରରେ ଏକ ପ୍ରକାର ଅରାଜକତା ରାଜତ୍ୱ କରୁଛି । ପାଠକମାନେ ଯେହେତୁ ସମାଲୋଚକ ନୁହନ୍ତି, ଆମ ସମୟର ଉପନ୍ୟାସ ଆମ ସମୟର କଥା କହେ କି ନାଇଁ କିଏ କହିବ?

ଜଣେ ସଶ୍ରଦ୍ଧ ଔପନ୍ୟାସିକ ଭାବେ ଜୀବନ ବଂଚି ଆପଣ ସନ୍ତୁଷ୍ଟ କି? ଓଡ଼ିଆରେ ନଲେଖି ଇଂରାଜୀ ବା ଅନ୍ୟ ଭାଷାରେ ଲେଖିଥିଲେ ବା ଲାଟିନ୍‍ ଆମେରିକାନ୍‍ ଲେଖକ ହୋଇଥିଲେ ଅଧିକ ପ୍ରଚାରିତ ଓ ଯଶସ୍ୱୀ ହୋଇଥାନ୍ତେ ବୋଲି ଭାବନା ଆସେ କି କେବେ?
ମୁଁ କେବଳ ଜଣେ ଲେଖକ କିମ୍ବା ଔପନ୍ୟାସିକ ନୁହେଁ । ମୁଁ ଜଣେ ଶିକ୍ଷକ, ସମ୍ବାଦପତ୍ର ସ୍ତମ୍ଭକାର ଏବଂ ସର୍ବୋପରି ଜଣେ ସମାଜବାଦରେ ବିଶ୍ୱାସ କରୁଥିବା ସାମାଜିକ କର୍ମୀ । ସାହିତ୍ୟ ଅଧ୍ୟାପକ ଏବଂ ସମାଲୋଚକମାନେ ମତେ ଜଣେ ରୋମାଣ୍ଟିକ୍ ନଭେଲିଷ୍ଟ ଭାବରେ ଚିହ୍ନିତ କରିଥିଲେ ମଧ୍ୟ ମୁଁ ବାସ୍ତବରେ ଜଣେ ରୋମାଣ୍ଟିକ୍ ସୋସାଲିଷ୍ଟ ।
ମୋର ଯୋଗ୍ୟତା ତୁଳନାରେ ଜୀବନରେ ମୁଁ ଅଧିକ କିଛି ପାଇଛି ବୋଲି ବିଶ୍ୱାସ କରେ । ମୁଁ ଓଡ଼ିଆ ଛଡ଼ା ଅନ୍ୟ ଭାଷାରେ ଲେଖି ଜାଣେ ନାହିଁ କିମ୍ବା ଲାତିନ୍ ଆମେରିକାରେ ଜନ୍ମ ହୋଇନାହିଁ ବୋଲି ମୋର କୌଣସି ଅବସୋସ ନାହିଁ ।

ଆପଣଙ୍କର ସ୍ୱପ୍ନର ଉପନ୍ୟାସ (ଡ୍ରିମ୍‍ ପ୍ରୋଜେକ୍‍ଟ) କଣ? ସେଥିପାଇଁ ଆପଣଙ୍କ ପ୍ରସ୍ତୁତି କେତେ ଦୂର ଯାଇଛି?
୧୯୬୬ ମସିହାରୁ ୨୦୦୦ ମସିହା ମଧ୍ୟରେ ଓଡ଼ିଶାର ରାଜନୈତିକ, ସାମାଜିକ ଏବଂ ଅର୍ଥନୈତିକ ପରିବର୍ତ୍ତନର ପୃଷ୍ଠଭୂମିରେ ଏକ ଉପନ୍ୟାସ ଲେଖିବା ପାଇଁ ଗତ ଦଶ ବର୍ଷ ହେଲା ଚେଷ୍ଟା କରୁଛି । ଉପନ୍ୟାସର ନାମ ରଖିଛି ‘କାଳ ଅକାଳ ମହାକାଳ’ । କିନ୍ତୁ ଗବେଷଣାଲବ୍ଧ ତଥ୍ୟ ଅଭାବରୁ ସେ ଉପନ୍ୟାସ ଅର୍ଦ୍ଧେକ ଛପା ହୋଇ ପଡ଼ି ରହିଛି । ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସେ ଉପନ୍ୟାସ ଶେଷ ହେବ କି ନାହିଁ ଜାଣେ ନାହିଁ ।

Leave A Reply

Your email address will not be published.