Latest Odisha News

BREAKING NEWS

ଆତ୍ମନିର୍ଭରଶୀଳ କୃଷି ବିନା ଆତ୍ମନିର୍ଭର ଭାରତ ସମ୍ଭବ କି?

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’…

କେବେ ଦିନେ କଥା ଥିଲା ‘ଚାଷ କାମ ଯାହାର, କେତେ ସୁଖ ତାହାର’ । କିନ୍ତୁ ଆଜି ଏହା ସଂପୂର୍ଣ୍ଣ ଓଲଟି ଯାଇଛି । କେହି ଭୁଲ୍‌ରେ ବି ଚାଷକୁ ନିଜ ବୃତି ଭାବେ ଆଦରି ନେବାକୁ ଚାହୁଁନାହାନ୍ତି । କାରଣ ଆମ ଦେଶରେ ଚାଷ ତଥା କୃଷି ବ୍ୟବସ୍ଥା ହିଁ ସବୁଠୁ ବେଶୀ ଅବହେଳିତ । ଯଦିଓ ଆମ ଅର୍ଥ ବ୍ୟବସ୍ଥାର କୃଷି ଏକ ପ୍ରମୁଖ ଆଧାର କିନ୍ତୁ ଅସଲରେ ଦୀର୍ଘ ବର୍ଷ ହେବ କୃଷିକୁ ସଂପୂର୍ଣ୍ଣ ଉପେକ୍ଷିତ କରି ରଖାଯାଇଛି । ଆଜି ଚାଷୀ ଚାଷ ଛାଡ଼ି ସହରରେ ମୂଲିଆ ହେବାକୁ ପସନ୍ଦ କରୁଛି ।

କୃଷି ମନ୍ତ୍ରାଳୟର ତଥ୍ୟ ଅନୁସାରେ ୧୯୫୧ ମସିହାରେ ଅର୍ଥବ୍ୟବସ୍ଥାକୁ କୃଷି କ୍ଷେତ୍ରର ଅବଦାନ ଥିଲା ୫୧ ପ୍ରତିଶତ, କିନ୍ତୁ ୨୦୧୧ ସୁଦ୍ଧା ଆମ ଅର୍ଥବ୍ୟବସ୍ଥାକୁ କୃଷି କ୍ଷେତ୍ରର ଅବଦାନ ହେଉଛି ମାତ୍ର ୧୯ ପ୍ରତିଶତ । ୨୦୧୯-୨୦ ଅର୍ଥନୈତିକ ସର୍ଭେକ୍ଷଣର ତଥ୍ୟ ଅନୁସାରେ ଏହି ପ୍ରତିଶତ ଆହୁରି କମି ୧୬.୫ ପ୍ରତିଶତରେ ପହଂଚିଛି । ୧୯୫୧ରେ କୃଷି କ୍ଷେତ୍ରରେ ୭୦ ପ୍ରତିଶତ ଶ୍ରମ ଶକ୍ତି ନିୟୋଜିତ ଥିବା ବେଳେ ସଂପ୍ରତି ଏହା କମି କମି ୪୨.୩୯ ପ୍ରତିଶତରେ ପହଂଚିଛି । ଯେଉଁ ଶ୍ରମଶକ୍ତି ବି ଏବେ କୃଷି କ୍ଷେତ୍ରରେ ଅଛନ୍ତି, ସେମାନେ ନିଜ ଇଛାନୁସାରେ ନାହାନ୍ତି । ସେମାନଙ୍କ ପାଖରେ ଆଉ କୌଣସି ବେଉସା ନାହିଁ ବୋଲି ସେମାନେ କୃଷି କାମକୁ ଆଦରି ପଡ଼ିରହିଛନ୍ତି । ଗୋଟେ କୃଷି ପ୍ରଧାନ ଦେଶ ପାଇଁ ଏହା ଠାରୁ ବଳି ଦୁର୍ଭାଗ୍ୟର ବିଷୟ ଆଉ କ’ଣ ଥାଇପାରେ ।

କୃଷି କ୍ଷେତ୍ରର ଏପରି ନିମ୍ନ ଗତିରୁ ଗୋଟିଏ କଥା ପ୍ରମାଣିତ ହେଉଛି ଯେ, କୃଷି କ୍ଷେତ୍ରର ବିକାଶ ପାଇଁ ଯାହା କରାଯିବା କଥା ଓ ଯେପରି ଇଛାଶକ୍ତିର ସହିତ କରାଯିବା କଥା ତାହା ଆଦୌ ବି କରାଯାଇନାହିଁ । ସରକାର ପରେ ସରକାର ବଦଳିଛନ୍ତି, କିନ୍ତୁ ସମସ୍ତେ କୃଷି କ୍ଷେତ୍ର ପାଇଁ କେବଳ ଭାଷଣ ଦେଇଛନ୍ତି । ଅସଲ କାମ କେବେ ବି ହୋଇନାହିଁ । ନଚେତ୍ ଆଜି ଗତ ୧୫ ବର୍ଷ ମଧ୍ୟରେ ଆମ ଦେଶର ତିନି ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀ ଆତ୍ମହତ୍ୟା କରିନଥାନ୍ତେ । ଏହା ସ୍ପଷ୍ଟ ଯେ, ବିଗତ ଅନେକ ବର୍ଷ ହେବ ଆମ ସରକାର କୃଷି ଅପେକ୍ଷା ଉଦ୍ୟୋଗ କ୍ଷେତ୍ର ଉପରେ ଅଧିକ ପ୍ରାଧାନ୍ୟ ଦେଇଛନ୍ତି । ଏକ ବିଶ୍ଲେଷଣ ଅନୁସାରେ ୨୦୧୭-୧୮ରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟ ଓ ଗ୍ରାମୀଣ ବିକାଶ ମନ୍ତ୍ରାଳୟର ମୋଟ୍ ବ୍ୟୟ ୧,୪୬,୩୮୮ କୋଟି ଟଙ୍କା ହୋଇଥିବା ବେଳେ ଏହି ସମୟସୀମା ମଧ୍ୟରେ କେବଳ କର୍ପୋରେଟ୍ ମାନଙ୍କୁ ୨,୦୩୯୮୩ କୋଟି ଟଙ୍କାର ଶୁଳ୍କ ରିହାତି ଦିଆଯାଇଛି । ଏଥିରୁ ସରକାରଙ୍କର କୃଷି କ୍ଷେତ୍ର ପ୍ରତି ଥିବା ବୈମାତୃକ ମନୋଭାବର ସ୍ପଷ୍ଟ ସୂଚନା ମିଳୁଛି ।

ଗତ ବର୍ଷ ଅର୍ଥ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ପାଇଁ ସରକାର କର୍ପୋରେଟ୍ ଶୁଳ୍କରେ ୧୦ ପ୍ରତିଶତ କମ୍ କରିଥିଲେ । ଯାହା ଦ୍ୱାରା କର୍ପୋରେଟ୍ ମାନଙ୍କୁ ୧.୪୫ ଲକ୍ଷ କୋଟି ଟଙ୍କାର ଲାଭ ମିଳିଥିଲା । ଅନ୍ୟପକ୍ଷରେ ଦେଖିଲେ ୨୦୧୯ରେ ଉଦ୍ୟୋଗ କ୍ଷେତ୍ରରେ ୨୫.୫୮ ପ୍ରତିଶତ ଶ୍ରମଶକ୍ତି ନିୟୋଜିତ ଥିବା ବେଳେ, ଏପରି ଦୁଃସ୍ଥିତି ସତ୍ୱେ ବି କୃଷି କ୍ଷେତ୍ରରେ ୪୨.୩୯ ପ୍ରତିଶତ ଶ୍ରମଶକ୍ତି ନିୟୋଜିତ ଥିଲେ । ସଂପ୍ରତି କରୋନା ମହାମାରୀ ସମୟରେ ଔଦ୍ୟୋଗିକ କ୍ଷେତ୍ରର ପରିସ୍ଥିତି ଅତ୍ୟନ୍ତ ସଂକଟଜନକ ସ୍ଥିତିରେ ପହଂଚିଛି । କୋଟି କୋଟି ଲୋକ ନିଯୁକ୍ତି ହରେଇଛନ୍ତି । ଏଥିରୁ ଗୋଟିଏ କଥା ପ୍ରମାଣିତ ହେଉଛି ଯେ, ଆମ ଦେଶର ବେକାରୀ ସମସ୍ୟାର ସମାଧାନ କୃଷି କ୍ଷେତ୍ରର ସୁଧାର ଉପରେ ହିଁ ବହୁଳ ଭାବେ ନିର୍ଭର କରୁଛି ।

କୃଷି କ୍ଷେତ୍ରକୁ ଅବହେଳା କରି ଔଦ୍ୟୋଗିକ କ୍ଷେତ୍ରକୁ ପ୍ରାଧାନ୍ୟ ଦେବା କାମ ସ୍ୱାଧୀନତା ସମୟରୁ ହିଁ ଆରମ୍ଭ ହୋଇଛି । ଇଂରେଜମାନେ ଜାଣିଥିଲେ ଯେ, ଭାରତୀୟ କୃଷି ବ୍ୟବସ୍ଥା ଆତ୍ମନିର୍ଭରଶୀଳ ହୋଇଗଲେ, ସେମାନେ ଆଉ ଦୁନିଆ ଉପରେ ରାଜ୍ କରିପାରିବେନି । ତେଣୁ ଯାଉ ଯାଉ ସେମାନେ ଭାରତର କୃଷିକୁ ବରବାଦ୍ କରିବାର କାମ ଆରମ୍ଭ କରିଦେଇଗଲେ । ଯାହାକୁ ଆମ ସ୍ୱାଧୀନ ଦେଶର ସରକାର ମନଧ୍ୟାନ ଦେଇ ପାଳନ କଲେ ଓ ତାର ପରିଣାମ ଆମ କୃଷି ବ୍ୟବସ୍ଥା ଓ କୃଷକ ମାନେ ଏବେ ଭୋଗୁଛନ୍ତି । ସ୍ୱାଧୀନତା ପରେ ଦ୍ୱିତୀୟ ପଂଚବାର୍ଷିକ ଯୋଜନାରେ ଆମର ସମସ୍ତ ଧ୍ୟାନ କେବଳ ଔଦ୍ୟୋଗୀକରଣ ଓ ସହରୀକରଣ ଉପରେ ହିଁ କେନ୍ଦ୍ରିତ ଥିଲା । ପରିଣାମ ସ୍ୱରୁପ କୃଷି ବ୍ୟବସ୍ଥା ପଛକୁ ରହିଗଲା । ଆମ ଦେଶର ଚାଷୀ ମାନେ ନିଜ ବୁଦ୍ଧି ବଳରେ ଯାହା ବି କରୁଥିଲେ, ତାହା ବି ସରକାରଙ୍କ କୃଷି ନୀତି ଯୋଗୁ ଆହୁରି ବରବାଦ୍ ହୋଇଗଲା । ସବୁଜ ବିପ୍ଳବ ନାଁ’ରେ ଆମ ଦେଶର ଆତ୍ମନିର୍ଭର କୃଷି ବ୍ୟବସ୍ଥାକୁ ସଂପୂର୍ଣ୍ଣ ଭାବେ ବଜାର ନିର୍ଭରଶୀଳ କରିବାର ବ୍ୟବସ୍ଥା ଆରମ୍ଭ କରାଗଲା । ଯାହାର ମଙ୍ଗ ଧରିଲେ ଖୋଦ୍ ସରକାର । ଧିରେ ଧିରେ ଆମ ଦେଶର ଚାଷୀ ମାନଙ୍କ ହାତରୁ ବିହନ ଓ ଜ୍ଞାନ କୌଶଳ ହଜିଯିବାକୁ ଲାଗିଲା । ଚାଷୀ ମାନେ ବଜାର ନଗଲେ ଚାଷ କରିବାକୁ ସକ୍ଷମ ହୋଇପାରିଲେ ନାହିଁ । ଆଜିର ପରିସ୍ଥିତିକୁ ଦେଖିଲେ ବୁଝିହେଉଛି ଯେ, ଆମ ଦେଶର ଚାଷ ବ୍ୟବସ୍ଥା ଏବେ ସଂପୂର୍ଣ୍ଣ ଭାବେ କଂପାନୀମାନଙ୍କ ନିୟନ୍ତ୍ରଣରେ । ସବୁଜ ବିପ୍ଳବ ଯୋଗୁ ଆମର ସିନା ଉତ୍ପାଦନରେ ଉନ୍ନତି ଆସିଲା କିନ୍ତୁ ଆମ ଆତ୍ମନିର୍ଭରଶୀଳ ସ୍ୱୟଂସଂପୂର୍ଣ୍ଣ କୃଷି ବ୍ୟବସ୍ଥା ଏକଦମ୍ ଭୁଷୁଡ଼ି ପଡ଼ିଲା । ଆଜି ଚାଷ ଅତ୍ୟନ୍ତ ଖର୍ଚ୍ଚାନ୍ତ କାମ ହୋଇପଡ଼ିଛି । ଚାଷୀକୁ ବିହନ ଠାରୁ ଆରମ୍ଭ କରି ସବୁକିଛି କିଣିବାକୁ ପଡ଼ୁଛି । ନିଜ ଘରର ବିହନ ନାହିଁ, ଗୋବର ଖତ ନାହିଁ । ହଳ ଲଙ୍ଗଳ ନାହିଁ କି ଜମିର ଉର୍ବରତା ବି ନାହିଁ । ଅତ୍ୟଧିକ ପରିମାଣର ରାସାୟନିକ ପ୍ରୟୋଗ ଯୋଗୁ ଜମି ସବୁ ବନ୍ଧ୍ୟା ହୋଇଗଲାଣି । ନଦୀ ଜଳ ଓ ଭୂତଳ ଜଳ ବିଷାକ୍ତ ହୋଇଗଲାଣି । ସବୁ କିଛି କିଣିବାକୁ ପଡ଼ୁଥିବାରୁ ଓ ଚାଷରେ ଖର୍ଚ୍ଚ ଅତ୍ୟଧିକ ବଢ଼ିଯାଇଥିବାରୁ ଆଜି ଆମ ଦେଶର ଚାଷୀମାନେ ଋଣଗ୍ରସ୍ତ ହୋଇପଡ଼ିଛନ୍ତି । ଯାହା ସେମାନଙ୍କୁ ଆତ୍ମହତ୍ୟା ଦିଗରେ ବାଟ କଢ଼ାଉଛି । କୃଷି କ୍ଷେତ୍ରରେ ଏହି ସବୁ ପରିବର୍ତନର ସବୁଠାରୁ ଅଧିକ ଲାଭ ପାଇଛନ୍ତି କୃଷି କ୍ଷେତ୍ରରେ ଜଡ଼ିତ ଥିବା କଂପାନୀମାନେ । କିନ୍ତୁ ଚାଷୀ ତଳିତଳାନ୍ତ ହୋଇଗଲାଣି । ତଥାପି ସରକାର ଚେତୁନାହାନ୍ତି ଯେ, ଏବେ ବି ବଜାର ନିର୍ଭରଶୀଳ କୃଷି ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେଉଛନ୍ତି ଓ ସରକାରଙ୍କ କୃଷି ନୀତି ଚାଷୀ ଅପେକ୍ଷା ଅଧିକ କଂପାନୀ ଉପଯୋଗୀ ବୋଲି ବାରମ୍ବାର ପ୍ରମାଣିତ ହେଉଛି । ବିଶ୍ୱ ବାଣିଜ୍ୟ ସଂଗଠନର ଚୁକ୍ତି ଅନୁସାରେ ଭାରତ କୃଷି କ୍ଷେତ୍ରରୁ ସବ୍‌ସିଡ଼୍ କମ୍ କରି ଚାଲୁଥିବା ବେଳେ ଅନ୍ୟ ବିକଶିତ ଦେଶ ମାନେ ନିଜ ଚାଷୀ ମାନଙ୍କୁ ପାଖାପାଖି ନବେ ପ୍ରତିଶତ ସବ୍‌ସିଡ଼୍ ଦେଉଛନ୍ତି । କିନ୍ତୁ ଆମ ଦେଶର କଥା ଆସିଲେ ସେମାନେ ଆମ ସରକାରଙ୍କୁ ସବ୍‌ସିଡ଼୍ ହ୍ରାସ କରିବାକୁ ଉପଦେଶ ଦେଉଛନ୍ତି । ଆମ ସରକାର ବି ସୁନା ପିଲା ପରି ତାହା ପାଳନ କରୁଛନ୍ତି ।

ଗୋଟିଏ ପଟେ ଆଜି କୃଷି କ୍ଷେତ୍ରରେ ଖର୍ଚ୍ଚ ବହୁତ ବଢ଼ିଥିବା ବେଳେ କୃଷକକୁ ତାର ଉତ୍ପାଦନର ଉଚିତ୍ ମୂଲ୍ୟ ମିଳୁନି । ଅନ୍ୟ ସମସ୍ତ ଦ୍ରବ୍ୟର ମୂଲ୍ୟ ଘୋଡ଼ା ଦୌଡ଼ ପରି ବୃଦ୍ଧି ଘଟିଥିବା ବେଳେ କୃଷିଜାତ ଦ୍ରବ୍ୟର ମୂଲ୍ୟ ଗେଣ୍ଡା ଚାଲି ପରି ବଢ଼ୁଛି । ଏଥିରେ ଚାଷୀଟିଏ ଆଜିର ମହଙ୍ଗା ସମୟରେ ବଂଚିବ କିପରି?

ସମୟ ଥିଲା, ଆମ ଦେଶର ଆତ୍ମନିର୍ଭରଶୀଳ କୃଷିକୁ ଅତ୍ୟନ୍ତ ବଡ଼ ତଥା ମହାନ କାମ ଭାବେ ପରିଗଣିତ କରାଯାଉଥିଲା । ଲୋକମାନେ ଚାକିରୀକୁ ନିକୃଷ୍ଟ କହି କୃଷି କର୍ମକୁ ଉତ୍କୃଷ୍ଟ ମାନ୍ୟତା ଦେଉଥିଲେ । କିନ୍ତୁ ଆଜି କାହାଣୀ ସଂପୂର୍ଣ୍ଣ ବଦଳି ଯାଇଛି । କୃଷିକୁ ଆଜି ସବୁଠାରୁ ନିକୃଷ୍ଟ କର୍ମ ଭାବେ ଗଣାଯାଉଛି । ଗାଁ ଗହଳିରେ ଆମେ ଦେଖୁଛେ ଯେ, କୃଷି କାମ କରୁଥିବା ଲୋକକୁ କିପରି ହେୟ ଦୃଷ୍ଟିରେ ଦେଖାଯାଉଛି । ଏପରିକି ଅତ୍ୟନ୍ତ ଛୋଟ ବ୍ୟବସାୟ କରୁଥିବା ବା ଅତି ଛୋଟ ଚାକିରୀ କରିଥିବା ଲୋକକୁ ବି ତା’ ଠାରୁ ଉଚ୍ଚ ମାନ୍ୟତା ଦିଆଯାଉଛି ।

ଆଜି ଆମ ଦେଖୁଛେ ଯେ, କରୋନା ମହାମାରୀର ବିପତି ସମୟରେ ଅନ୍ୟ ସମସ୍ତ କ୍ଷେତ୍ର ଆଣ୍ଠେଇ ପଡ଼ିଥିବା ବେଳେ, କୃଷି କ୍ଷେତ୍ର ହିଁ ଆଜି ଆମକୁ ସାହା ହୋଇଛି । ଦୀର୍ଘ ଦିନର ଲକ୍ ଡାଉନ୍ ସମୟରେ ଆମ କୃଷି କ୍ଷେତ୍ର ଓ କୃଷକ ଭାଈ ମାନେ ହିଁ ଆମ ପେଟକୁ ଦାନା ଯୋଗାଇଛନ୍ତି । ସରକାର ଆଜି ଯେଉଁ ମାଗେଣା ଚାଉଳ ଓ ଗହମ ବାଂଟି ଲୋକମାନଙ୍କ ଜୀବନ ବଂଚେଇଲେ ବୋଲି ବାଃ ବା ନେଉଛନ୍ତି ତାହା ତ ଆମ କୃଷି କ୍ଷେତ୍ରରୁ ଓ ଆମ କୃଷକ ଭାଈମାନଙ୍କର ପରିଶ୍ରମରୁ ହିଁ ଆସିଛି । ୨୦୨୦-୨୧ର ପ୍ରଥମ ତିନି ମାସରେ ଜିଡ଼ିପି ବିଯୁକ୍ତ ୨୪ ପ୍ରତିଶତ ହୋଇଥିବା ବେଳେ, କୃଷି କ୍ଷେତ୍ରରେ ୩.୪ ପ୍ରତିଶତ ବୃଦ୍ଧି ଦେଖାଦେଇଛି । ଏହା କୃଷି ତଥା ଚାଷର ପ୍ରାକୃତିକ ଶକ୍ତି ଯେ, ସକଳ ଝଡ଼ଝଂଜା ଓ ପ୍ରତିକୂଳତା ସତ୍ୱେ ବି ତାହା ତିଷ୍ଠି ରହିଛି ଓ କେବଳ ଆମ ଜୀବନ ବଂଚାଉନି ଆମ ଅର୍ଥନୀତିକୁ ବି କାନ୍ଧ ଦେଉଛି । ଏବେ ସରକାର ଠାରୁ ଆରମ୍ଭ କରି ବଜାର ପର୍ଯ୍ୟନ୍ତ ସମସ୍ତଙ୍କ ଦୃଷ୍ଟି କୃଷି କ୍ଷେତ୍ର ଉପରେ । କିନ୍ତୁ ଦେଖିବା କଥା ଯେ, ଏତେ ସବୁ ସତ୍ୱେ ବି ସରକାରଙ୍କର କ’ଣ କୃଷି କ୍ଷେତ୍ର ଉପରେ ଶୁଭ ଦୃଷ୍ଟି ପଡ଼ିବ! ସରକାର ଆମ ଦେଶର କୃଷକ ଭାଈମାନଙ୍କର ଲାଭ କଥା ଦେଖିବେ ନାଁ କଂପାନୀ ମାନଙ୍କ ପାଇଁ କୃଷି କ୍ଷେତ୍ରର ବେକ ମୋଡ଼ିଦେବେ!

ଆଜି ଯେତେବେଳେ କୃଷି କ୍ଷେତ୍ରର ବିକାଶ କରିବାର ଓ କୃଷକ ମାନଙ୍କର ଆୟକୁ ଦୁଇ ଗୁଣ କରିବାର ଭାଷଣ ମରାଯାଉଛି, ସେତେବେଳେ ପ୍ରଥମେ ଦେଖିବା କଥା କୃଷି କ୍ଷେତ୍ରର କିପରି ଢ଼ାଂଚାଗତ ପରିବର୍ତନ ଆଣି ହେବ, ଯେପରି ଚାଷୀ ମାନେ ବଜାର ନିର୍ଭରଶୀଳ ନହୋଇ ଆତ୍ମନିର୍ଭରଶୀଳ ହେବେ । ଖୁସିର କଥା ଯେ, ଚଳନ୍ତି ସରକାର ଭାଷଣରେ ପଛେ ହେଉ ଆତ୍ମନିର୍ଭରଶୀଳ ଭାରତର ସ୍ଲୋଗାନ ଦେଇଛନ୍ତି । କିନ୍ତୁ ସରକାର ପ୍ରଥମେ କୃଷି ବ୍ୟବସ୍ଥାକୁ ଆତ୍ମନିର୍ଭରଶୀଳ କରାନ୍ତୁ । କାରଣ ପରାଧୀନ ତଥା ବଜାର ନିର୍ଭରଶୀଳ କୃଷି ବ୍ୟବସ୍ଥାକୁ ବଜାୟ ରଖି କେବେ ବି ଭାରତକୁ ଆତ୍ମନିର୍ଭରଶୀଳ କରିହେବ ନାହିଁ ।

(ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର-୭୫୪୧୩୮, ମୋ- ୯୪୩୮୪୬୮୪୭୪)

Leave A Reply

Your email address will not be published.