ଚାମ୍ପିୟନ୍ସ ଟ୍ରଫି କ୍ରିକେଟରେ ଭାରତର ଷ୍ଟାର ଖେଳାଳି ଶୁଭମନ ଗିଲ ବାଂଲାଦେଶ ବିପକ୍ଷ ମୁକାବିଲାରେ ଆକର୍ଷଣୀୟ ଶତକ ହାସଲ କରି ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଦିନିକିଆ କ୍ରିକେଟରେ ଗିଲଙ୍କ ପ୍ରଦର୍ଶନ ସମସ୍ତଙ୍କୁ ପ୍ରଭାବିତ କରିଛି । ଟେଷ୍ଟ ଏବଂ ଟି୨୦ ତୁଳନାରେ ଏହି ଫର୍ମାଟରେ ସେ କ୍ରମାଗତ ଭଲ ପ୍ରଦର୍ଶନ କରି ଆସୁଛନ୍ତି । ସିନିୟର ଖେଳାଳି ତଥା ଅଧିନାୟକ ରୋହିତ ଶର୍ମାଙ୍କ ପରେ ଭାରତୀୟ କ୍ରିକେଟ ଟିମର ଅଧିନାୟକ କିଏ ହେବ ସେ ନେଇ ଆଲୋଚନା ଜୋର ଧରିଛି । ଟେଷ୍ଟ କ୍ରିକେଟରେ ଯଶପ୍ରୀତ ବୁମରାହଙ୍କୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଏବେ ଦିନିକିଆରେ ଗିଲ ଏହି ଦୌଡରେ ଆଗରେ ରହିଥିବା ଅନୁମାନ କରାଯାଉଛି ।
ଗିଲ କମ ଇନିଂସରେ ୮ଟି ଶତକ ମାରି ସଚିିନ ତେନ୍ଦୁଲକର ଓ ବିରାଟ କୋହଲିଙ୍କ ପରି ଖେଳାଳିଙ୍କୁ ପଛରେ ପକାଇ ଦେଇଛନ୍ତି । ଏହା ତାଙ୍କର କ୍ରମାଗତ ଦ୍ୱିତୀୟ ଶତକ । ଇଂଲଣ୍ଡ ବିପକ୍ଷ ଅନ୍ତିମ ଦିନିକିଆରେ ମଧ୍ୟ ସେ ଶତକ ମାରିଥିଲେ । ଟେଷ୍ଟରେ ଗିଲ ୩୨ ମ୍ୟାଚ ଖେଳିଛନ୍ତି । ସେ ୫୯ ଇନିଂସରେ ୩୫.୦୫ ଆଭରେଜରେ ୧୮୯୩ ରନ କରିଛନ୍ତି । ସେହିପରି ଟି୨୦ରେ ୨୧ଟି ମ୍ୟାଚରେ ୩୦.୪୨ ଆଭରେଜରେ ୫୭୮ ରନ କରିଛନ୍ତି । ଅପରପକ୍ଷରେ ଦିନିକିଆରେ ଗିଲ ୫୧ ମ୍ୟାଚ ଖେଳିଛନ୍ତି । ସେ ଏଥିରେ ୬୨.୫୧ ଆଭରେଜରେ ୨୬୮୮ ରନ ସଂଗ୍ରହ କରିନେଇଛନ୍ତି ।
ରୋହିତ ଟି୨୦ରୁ ଅବସର ନେଇଥିବା ବେଳେ ଚାମ୍ପିୟନ୍ସ ଟ୍ରଫି ପରେ ଦିନିକିଆରୁ ଅବସର ନେବା ପାଇଁ ଅନୁମାନ କରାଯାଉଛି । ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ପରେ ରୋହିତ ଜୁନରେ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଖେଳିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ରୋହିତଙ୍କ ନେତୃତ୍ୱରେ ଭାରତ ଯଦି ଚାମ୍ପିୟନ୍ସ ଟ୍ରଫିରେ ଟାଇଟଲ ହାସଲ କରେ ତେବେ ହୁଏତ ବିସିସିଆଇ ସମ୍ମାନ ଦୃଷ୍ଟିକୋଣରୁ ରୋହିତଙ୍କୁ ଆଉ କିଛି ସୁଯୋଗ ପ୍ରଦାନ କରିପାରେ । ଏବେ ପ୍ରଶ୍ନ ଉଠିବ ରୋହିତ କେବେ ଦିନିକିଆ ଅଧିନାୟକ ପଦ ଛାଡିବେ ? ତାଙ୍କ ପରେ କିଏ ହେବ ଏହାର ଉତରାଧିକାରୀ ?
ସଞ୍ଜୟ ମଂଜ୍ରେକର ଓ ଅନୀଲ କୁମ୍ବଲେଙ୍କ ପରି ପୂର୍ବତନ ଖେଳାଳିଙ୍କ ମତରେ ବୁମରାହ ଯଦି ଫିଟ ରହିବେ ତେବେ ସେ ଅଧିନାୟକ ପାଇଁ ପ୍ରଥମ ପସନ୍ଦ ହେବେ । ଗିଲଙ୍କୁ ତାଙ୍କ ବିକଳ୍ପ ଭାବେ ରଖାଯାଇପାରେ । ଦିନିକିଆ କ୍ରିକେଟର ପରବର୍ତୀ ବିଶ୍ୱକପ ୨୦୨୭ରେ ହେବ । ଏହାକୁ ଆଖି ଆଗରେ ରଖି ବିସିସିଆଇ ଏକ ଶକ୍ତିଶାଳୀ ଯୁବ ଟିମ ପ୍ରସ୍ତୁତ କରିବା ଆରମ୍ଭ କରିଛି । ଦେଖାଯାଉ ଆଗାମୀ ଦିନରେ ଭାରତୀୟ କ୍ରିକେଟର ମଙ୍ଗ କିଏ ଧରୁଛି ।
Comments are closed.