ଭୁବନେଶ୍ୱର: ଟ୍ୱିନସିଟିରେ ମେଟ୍ରୋ ଚାଲିବାକୁ ନେଇ ଦେଖାଯାଇଥିବା ସ୍ୱପ୍ନ ଏବେ ଏକ ବଡ଼ ରାଜନୈତିକ ବିବାଦର ରୂପ ନେଇଛି। ରାଜ୍ୟରେ ଶାସନ ପରିବର୍ତ୍ତନ ପରେ ମେଟ୍ରୋ ପ୍ରକଳ୍ପର ଭବିଷ୍ୟତକୁ ନେଇ ଅନିଶ୍ଚିତତା ବଢ଼ୁଥିବା ବେଳେ, କେନ୍ଦ୍ର ସରକାରଙ୍କ ସ୍ପଷ୍ଟୋକ୍ତି ରାଜ୍ୟର ବିଜେପି ସରକାରଙ୍କୁ ଅଡ଼ୁଆରେ ପକାଇ ଦେଇଛି। କେନ୍ଦ୍ର କହୁଛି ପ୍ରସ୍ତାବ ନାହିଁ, ହେଲେ ରାଜ୍ୟ କହୁଛି କାମ ଚାଲିବ, ଏହି ଦ୍ୱନ୍ଦ୍ୱ ଭିତରେ ଏବେ ‘ଡବଲ ଇଞ୍ଜିନ’ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ।
ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ପ୍ରଶ୍ନର ଉତ୍ତର ରଖି କେନ୍ଦ୍ର ଗୃହନିର୍ମାଣ ଓ ନଗର ଉନ୍ନୟନ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ତୋଖନ ସାହୁ ଯେଉଁ ତଥ୍ୟ ଦେଇଛନ୍ତି, ତାହା ଓଡ଼ିଶାବାସୀଙ୍କୁ ଚକିତ କରିଛି। ମନ୍ତ୍ରୀଙ୍କ କହିବା ଅନୁସାରେ, ଓଡ଼ିଶା ସରକାରଙ୍କ ପକ୍ଷରୁ ମେଟ୍ରୋ ପାଇଁ କୌଣସି ଆନୁଷ୍ଠାନିକ ପ୍ରସ୍ତାବ କେନ୍ଦ୍ରକୁ ପଠାଯାଇ ନାହିଁ। ବରଂ ମେଟ୍ରୋ ବଦଳରେ ୨୦୦ଟି ଇ-ବସ୍ ମଞ୍ଜୁର କରି କେନ୍ଦ୍ର ଏହାର ସମାଧାନ କରିବାକୁ ଚାହୁଁଛି।
ଏହି ତଥ୍ୟ ସାମ୍ନାକୁ ଆସିବା ପରେ ବିଜେଡି ଓ କଂଗ୍ରେସ ଘେରିଛନ୍ତି। ବିଜେଡି ବିଧାୟକ ଶାରଦା ଜେନା କହିଛନ୍ତି ଯେ, ମେଟ୍ରୋ ପ୍ରକଳ୍ପ ବନ୍ଦ ହେବା କାରଣରୁ ଜନ ଅସନ୍ତୋଷ ବଢ଼ୁଥିବାରୁ ବିଜେପି ସରକାର ଲୋକଙ୍କୁ ମିଛ କହୁଛନ୍ତି। ସେହିପରି ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା କହିଛନ୍ତି, “ଡବଲ ଇଞ୍ଜିନ ସରକାର ଏକ ପ୍ରହସନରେ ପରିଣତ ହୋଇଛି। ମନ୍ତ୍ରୀଙ୍କ କଥାରେ ତାଳମେଳ ନାହିଁ। କେହି କହୁଛନ୍ତି DPR ନୂଆ ହେବ ତ କେହି କହୁଛନ୍ତି ପ୍ରକଳ୍ପ ବନ୍ଦ ହେବ।” ଓଡ଼ିଶା ଜନତା କଂଗ୍ରେସ ସଭାପତି ମହମ୍ମଦ ମୋକିମ ଏଥିପାଇଁ ଆନ୍ଦୋଳନର ଚେତାବନୀ ମଧ୍ୟ ଦେଇଛନ୍ତି।
ମେଟ୍ରୋ ବଦଳରେ ବସ୍ ଚଳାଇବା ଯୋଜନାକୁ ନେଇ ସଡ଼କ ସୁରକ୍ଷା ବିଶେଷଜ୍ଞ ସୁବ୍ରତ ନନ୍ଦ ପ୍ରଶ୍ନ ଉଠାଇଛନ୍ତି। ତାଙ୍କ ମତରେ, ଟ୍ୱିନସିଟିର ରାସ୍ତା ଯେତିକି ସଙ୍କୁଚିତ, ସେଠାରେ ଅତିରିକ୍ତ ୨୦୦ଟି ବସ୍ ଚାଲିଲେ ଟ୍ରାଫିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିବ। ମେଟ୍ରୋ ହିଁ ଆଗାମୀ ଦିନ ପାଇଁ ଏକମାତ୍ର ସ୍ଥାୟୀ ସମାଧାନ, କିନ୍ତୁ ସରକାର ଏହାକୁ ଏଡ଼ାଇ ଯାଉଥିବା ଭଳି ମନେହେଉଛି।
ନିର୍ବାଚନ ସମୟରେ ମେଟ୍ରୋ ପ୍ରକଳ୍ପକୁ ନେଇ ବଡ଼ ବଡ଼ ପ୍ରତିଶ୍ରୁତି ଦେଇଥିବା ବିଜେପି ସରକାର ଏବେ କେନ୍ଦ୍ରର ଏହି ରିପୋର୍ଟ ପରେ କେମିତି ଆଗକୁ ରାଜନୈତିକ ଚାପର ସାମ୍ନା କରିବେ ତାହା ଉପରେ ରହିଛି ନଜର।
Comments are closed.