Latest Odisha News

BREAKING NEWS

ବିଜେଡି ମହିଳା ସଶକ୍ତିକରଣ ଆଳରେ ବଂଶବାଦ ରାଜନୀତିକୁ ପ୍ରୋତ୍ସାହନ ଦେଉନି ତ?

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ବିଜୁ ଜନତା ଦଳ ୧୦ ଜଣ ପ୍ରମୁଖ ନେତାଙ୍କ ସ୍ଥାନରେ ତାଙ୍କ ପତ୍ନୀଙ୍କୁ ପ୍ରାର୍ଥୀ କରିଛି। ଏହାର ପରିଣାମ କଣ ହେବ ତାହା ନିର୍ବାଚନ ଫଳାଫଳ ପରେ ଜଣାପଡ଼ିବ। କିନ୍ତୁ ଶାସକ ଦଳର ଏହି ନିଷ୍ପତ୍ତିକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି। ଏଥିମଧ୍ୟରୁ ଅନ୍ୟତମ ହେଉଛି ବିଜେଡି ମହିଳା ସଶକ୍ତିକରଣ ଆଳରେ ବଂଶବାଦ ରାଜନୀତିକୁ ପ୍ରୋତ୍ସାହନ ଦେଉନି ତ?

ବିଜେଡି ଘୋଷଣା କରିଥିବା ୧୨୬ଟି ବିଧାନସଭା ଆସନ ମଧ୍ୟରୁ ୨୮ ଜଣ ମହିଳା ଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦ ଜଣ ଦଳର ପ୍ରଭାବଶାଳୀ ସଦସ୍ୟଙ୍କ ପତ୍ନୀ। ଏହି ତାଲିକାରେ ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ଯେପରି ବସ୍ତାରୁ ସୁବାସିନୀ ଜେନା, ଗୀତାଞ୍ଜଳି ରାଉତରାୟ, ସଂଯୁକ୍ତା ସିଂହ, ପ୍ରୀତିଲତା କାନୁନଗୋ, ଅନୁସୂୟା ପାତ୍ର, ଇନ୍ଦିରା ନନ୍ଦ, ସଂଘମିତ୍ରା ସ୍ୱାଇଁ, ଲଳିତା ନାୟକ, କୌଶଲ୍ୟା ପଢ଼ାନି ଓ ନବିନା ନାୟକଙ୍କ ନାମ ରହିଛି।

ଗୀତାଞ୍ଜଳି ରାଉତରାୟ ଓ କୌଶଲ୍ୟା ପଢ଼ାନିଙ୍କ ଭଳି କିଛି ପ୍ରାର୍ଥୀ ରାଜନୈତିକ କ୍ଷେତ୍ରରେ ନୂଆ ହୋଇଥିବାରୁ ସେମାନଙ୍କ ନିର୍ବାଚିତ ହେବା ସମ୍ଭାବନାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଦଳର ରଣନୀତିକୁ ନେଇ ନବିନା ନାୟକ ଆଶାବାଦୀ ଥିବା ବେଳେ କୌଶଲ୍ୟା ପଢ଼ାନି ତାଙ୍କ ରାଜନୈତିକ ଯାତ୍ରାରେ ସ୍ୱାମୀଙ୍କ ସମର୍ଥନ ବିଷୟରେ ଉଲ୍ଲେଖ କରିଛନ୍ତି।

ଟିକେଟ ବଣ୍ଟନକୁ ନେଇ ଆଭ୍ୟନ୍ତରୀଣ ମତଭେଦ ଦୂର କରିବା ଓ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବା ବିଜେଡିର ରଣନୀତି ହୋଇପାରେ ବୋଲି ରାଜନୈତିକ ବିଶ୍ଳେଷକମାନେ ମତ ଦେଇଛନ୍ତି।

ତେବେ ନୂଆ ମହିଳା ପ୍ରାର୍ଥୀଙ୍କୁ ପ୍ରାର୍ଥୀ କରିବା ପରିବର୍ତ୍ତେ ନେତାଙ୍କ ପତ୍ନୀ ଚୟନ ମହିଳା ସଶକ୍ତୀକରଣ ଦିଗରେ ଦଳର ପ୍ରତିବଦ୍ଧତାର ଆନ୍ତରିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯାହାକୁ ସମାଲୋଚନା କରି ରାଜନୈତିକ ସମୀକ୍ଷକ ମାନେ କହୁଛନ୍ତି ଯେ ଏହା ଅନ୍ୟ ଯୋଗ୍ୟ ମହିଳା ଆଶାୟୀଙ୍କୁ ସୁଯୋଗ ନଦେଇ ମହିଳା ସଶକ୍ତୀକରଣର ବାର୍ତ୍ତାକୁ କ୍ଷୁର୍ଣ୍ଣ କରୁଛି।

Leave A Reply

Your email address will not be published.