Latest Odisha News

BREAKING NEWS

ସେପ୍ଟେମ୍ବର ୭ରେ ଓଡିଶା ଆସିବେ ଜଗା-କାଳିଆ

ଭୁବନେଶ୍ୱର: ନୂଆଦିଲ୍ଲୀ ସ୍ଥିତ ଏମ୍ସରେ ଚିକିତ୍ସିତ ହେଉଥିବା ଯୋଡାମୁଣ୍ଡ ଶିଶୁ ଜଗା-କାଳିଆ ଖୁବଶୀଘ୍ର ଓଡିଶା ଫେରିବା ନେଇ ଗୁରୁବାର ଦିନ ଓଡିଶା ସରକାର ସୂଚନା ପ୍ରଦାନ କରିଛନ୍ତି ।

ଗଣମାଧ୍ୟମକୁ ସୂଚନା ଦେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ କହିଛନ୍ତି, ଏମ୍ସ ଡାକ୍ତରଙ୍କ ସମତେ ଓଡିଶା ଭବନର କିଛି କର୍ମଚାରୀଙ୍କ ସହ ଉଭୟ ଜଗା ଓ କାଳିଆ ରାଜଧାନୀ ଏକ୍ସପ୍ରେସ୍ ଯୋଗେ ସେପ୍ଟେମ୍ବର ୬ ତାରିଖରେ ଆସିବେ ଏବଂ ତା’ର ଗୋଟିଏ ଦିନ ପରେ ସେମାନେ କଟକରେ ପହଞ୍ଚିବେ ।

ଉଭୟଙ୍କ ଚିକିତ୍ସା ଲାଗି କଟକ ବଡ ମେଡିକାଲରେ ସମସ୍ତ ପ୍ରକାର ଅତ୍ୟାବଶ୍ୟକ ଚିକିତ୍ସା ସାମଗ୍ରୀର ବ୍ୟବସ୍ଥା ସହ ବିଶେଷଜ୍ଞ ଡାକ୍ତରମାନେ ପ୍ରସ୍ତୁତ ରହିଛନ୍ତି ବୋଲି ମନ୍ତ୍ରୀ ଦାସ ପ୍ରକାଶ କରିଛନ୍ତି ।

“ଏହି ଯାଆଁଳା ଶିଶୁଦ୍ୱୟଙ୍କୁ ହସ୍ପିଟାଲର ନ୍ୟୁରୋ ସର୍ଜରୀ ବିଭାଗର ଏକ ସ୍ୱତନ୍ତ୍ର କ୍ୟାବିନରେ ରଖାଯାଇ ଚିକିତ୍ସା କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏକ ଡ଼ାକ୍ତରୀ ଟିମ୍ ଏହି ଚିକିତ୍ସାର ଦାୟିତ୍ୱ ଗ୍ରହଣ କରିବେ ଯେଉଁ ୬ ଜଣିଆ ଟିମରେ ରହିଛନ୍ତି ନ୍ୟୁରୋ ସର୍ଜରୀ, ଶିଶୁରୋଗ ବିଭାଗ, ନ୍ୟୁରୋଲୋଜି ଏବଂ ସର୍ଜରୀ ବିଭାଗର ବିଶେଷଜ୍ଞ”, ବୋଲି ମନ୍ତ୍ରୀ କହିଛନ୍ତି ।

ସୂଚନାଯୋଗ୍ୟ, କନ୍ଧମାଳ ଜିଲ୍ଲାର ମିଲିପଡା ଗ୍ରାମରେ ରହୁଥିବା ଏହି ଦୁଇ ମୁଣ୍ଡଯୋଡା ଯାଆଁଳା ଶିଶୁ ଚିକିତ୍ସା ନିମନ୍ତେ ୨୦୧୭ ମସିହା ଜୁଲାଇ ମାସରେ ନୂଆଦିଲ୍ଲୀ ସ୍ଥିତ ଏମ୍ସରେ ଭର୍ତ୍ତି ହୋଇଥିଲେ । ପରେ ସେହିବର୍ଷ ଅକ୍ଟୋବର ୨୫ ତାରିଖରେ ପ୍ଲାଷ୍ଟିକ ସର୍ଜରୀ, ନ୍ୟୁରୋ ଆନେସ୍ଥେସିଆ ଓ ନ୍ୟୁରୋସର୍ଜରୀ ବିଭାଗର ପାଖାପାଖି ୩୦ ଜଣ ସ୍ପେଶାଲିଷ୍ଟ୍ ଡକ୍ଟର ପ୍ରାୟ ୧୧ ଘଣ୍ଟାର ମାରାଥନ୍ ଅପରେସନ ପରେ ସଫଳତାର ସହ ଯୋଡାମୁଣ୍ଡକୁ ଅଲଗା କରିପାରିଥିଲେ ।

Leave A Reply

Your email address will not be published.