Latest Odisha News

BREAKING NEWS

ଗୋପୀନାଥ ନନ୍ଦଶର୍ମା

ଗୋପୀନାଥ ନନ୍ଦଶର୍ମା

(୧୮୬୯-୧୯୨୪)
କ୍ଷେତ୍ର: ଭାଷା-ସାହିତ୍ୟ (ଓଡ଼ିଆ ଭାଷାତତ୍ତ୍ୱ)

ସଂସ୍କୃତ, ପ୍ରାକୃତ, ଓଡ଼ିଆ ଓ ପ୍ରାଚୀନ ଭାଷାରେ ଧୁରୀଣ ଗୋପୀନାଥ ନନ୍ଦଶର୍ମା ତାଙ୍କର ସର୍ବଶ୍ରେଷ୍ଠ କୃତି ‘ଓଡ଼ିଆ ଭାଷାତତ୍ତ୍ୱ’ ପାଇଁ ଚିରକାର ସ୍ମରଣୀୟ ହୋଇ ରହିବେ । ‘ଶବ୍ଦତତ୍ତ୍ୱବୋଧ ଅଭିଧାନ’ ମଧ୍ୟ ତାଙ୍କ ଜୀବନବ୍ୟାପି ସାଧନାର ଫଳଶ୍ରୁତି । ଓଡ଼ିଆ ସାହିତ୍ୟରେ ପ୍ରଥମ ‘ତୁଳନାତ୍ମକ ଅଧ୍ୟୟନ’ର ଶ୍ରେୟ ତାଙ୍କୁ ମିଳେ । ଗଞ୍ଜାମ ଜିଲ୍ଲାର ପାରଳାଖେମୁଣ୍ଡି ସହରରେ ୧୮୬୯ ମସିହା ଅଗଷ୍ଟ ୨୧ ତାରିଖରେ ଜନ୍ମ ନେଇଥିଲେ ଗୋପୀନାଥ । ପାରଳାଖେମୁଣ୍ଡି ରାଜ-କଲେଜରେ ସେ ପ୍ରଥମେ ପଣ୍ଡିତ ଥିଲେ ଓ ପରେ ଅଧ୍ୟାପକ ଭାବେ ଯୋଗଦେଲେ । କାବ୍ୟ, କବିତା, ଅନୁବାଦ, ନାଟକ, ପ୍ରବନ୍ଧ, ସମାଲୋଚନା, ଶବ୍ଦକୋଷ ଭଳି ବହୁ ବିଷୟରେ ସେ ଲେଖନୀ ଚାଳନା କରି ସଫଳ ହୋଇଥିଲେ । ସଂସ୍କୃତରୁ ଅନେକ ଉଚ୍ଚକୋଟୀର କାବ୍ୟ ଅନୁବାଦ କରି ସେ ଓଡ଼ିଆ ପାଠକୀୟତାକୁ ସମୃଦ୍ଧ କରିଛନ୍ତି । କାଳିଦାସଙ୍କ ମେଘଦୂତ, ରୂପ ଗୋସ୍ୱାମୀଙ୍କ ଉଦ୍ଧବ ଦୂତ, ଭବଭୂତିଙ୍କ ରାମାଶ୍ୱମେଧ ନାଟକ, ଭାସ୍କର କବିଙ୍କ ଉନ୍ମତ୍ତ ରାଘବ ଆଦି ତାର ଉଦାହରଣ । ତାଙ୍କ ରଚିତ ‘ଶ୍ରୀଭାରତ ଦର୍ପଣ’ ଓଡ଼ିଆ ସାହିତ୍ୟର ସର୍ବପ୍ରଥମ ତୁଳନାତ୍ମକ ଆଲୋଚନା ଗ୍ରନ୍ଥ ବୋଲି ଦାବି ହୁଏ । ଏହା ‘ସଂସ୍କୃତ ମହାଭାରତ’ ଓ ‘ସାରଳା ମହାଭାରତ’ର ଏକ ତୁଳନାତ୍ମକ ଅଧ୍ୟୟନ ଥିଲା । ‘ଶ୍ରୀମତ୍‍ ରାମାୟଣ ସମାଲୋଚନା’ ପୁସ୍ତକଟି ମଧ୍ୟ ବଳରାମ ଦାସଙ୍କ ‘ଦାଣ୍ଡି ରାମାୟଣ’ ଏବଂ ସଂସ୍କୃତ ରାମାୟଣର ତୁଳନାତ୍ମକ ସମାଲୋଚନା । ‘ମୁକୁର’ ପତ୍ରିକାରେ ଏହା ଧାରାବାହିକ ଭାବେ ପ୍ରକାଶିତ ହେଉଥିଲା । ମାତ୍ର ତାଙ୍କର ଅକାଳରେ ଦେହାନ୍ତ ହେବାରୁ ଏହା ଅସମ୍ପୂର୍ଣ୍ଣ ରହିଗଲା । ‘ଓଡ଼ିଆ ଭାଗବତ ସମାଲୋଚନା’ ନାମରେ ଆଉଏକ ତୁଳନାତ୍ମକ ଆଲେଖ୍ୟ ସେ ଗୋପବନ୍ଧୁ ଦାସଙ୍କ ସଂପାଦିତ ‘ସତ୍ୟବାଦୀ’ ପତ୍ରିକାରେ ଧାରାବାହିକ ଭାବେ ପ୍ରକାଶ କରୁଥିଲେ । କିନ୍ତୁ ତାହା ମଧ୍ୟ ଅସଂପୂର୍ଣ୍ଣ ରହିଯାଇଥିଲା । ଓଡ଼ିଆ ଭାଷା-ସାହିତ୍ୟକୁ ତାଙ୍କର ଶ୍ରେଷ୍ଠ ଅବଦାନ ଥିଲା ‘ଓଡ଼ିଆ ଶବ୍ଦତତ୍ତ୍ୱ’, ଯେଉଁଥିରେ ସେ ଓଡ଼ିଆ ଭାଷା ଓ ପ୍ରାକୃତ ଭାଷା ମଧ୍ୟରେ ଥିବା ଗଭୀର ସଂପର୍କକୁ ଉନ୍ମୋଚିତ କରିଛନ୍ତି । ପ୍ରାକୃତକୁ ଓଡ଼ିଆ ଭାଷାର ଉତ୍ସ ବୋଲି ପ୍ରମାଣିତ କରି ସେ ଓଡ଼ିଆ ଶବ୍ଦର ଗଠନ ଓ ବିଚାର ନିୟମ ଉପରେ ତାଙ୍କର ମନନଶୀଳ ଯୁକ୍ତି ଉପସ୍ଥାପନ କରିଛନ୍ତି । ଭାଷାକୋଷ ସଂକଳନ କ୍ଷେତ୍ରରେ ସେ ଗୋପାଳଚନ୍ଦ୍ର ପ୍ରହରାଜଙ୍କ ପୂର୍ବସୁରୀ । ତାଙ୍କର ଓଡ଼ିଆ ଭାଷା ଥିଲା ସଂସ୍କୃତ-ପ୍ରଭାବିତ । ଓଡ଼ିଆ ସମାଲୋଚନା କ୍ଷେତ୍ରରେ ବଳିଷ୍ଠ ପରମ୍ପରାର ସୂତ୍ରପାତ କରିଥିବା ପଣ୍ଡିତ ନନ୍ଦଶର୍ମା ୧୯୨୪ ମସିହାରେ ଆମ ଗହଣରୁ ବିଦାୟ ନେଇଥିଲେ ।

ଆଲେଖ୍ୟ © ସରୋଜ ବଳ

Leave A Reply

Your email address will not be published.