Latest Odisha News

ରମାଦେବୀ ବିଶ୍ୱ ବିଦ୍ୟାଳୟରେ ‘ସ୍ମୃତିରେ ଜୟନ୍ତ ମହାପାତ୍ର’ ଆୟୋଜିତ

ଭୁବନେଶ୍ୱର : ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ବିଶିଷ୍ଟ କବି ସ୍ଵର୍ଗତଃ ଜୟନ୍ତ ମହାପାତ୍ରଙ୍କ ସ୍ମୃତିରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଇଂରାଜୀ ବିଭାଗରେ ବିଭାଗୀୟ ମୁଖ୍ୟ ମନୀଷା ମିଶ୍ରଙ୍କ ତତ୍ୱାବଧାନରେ ସ୍ବର୍ଗତଃ ମହାପାତ୍ରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ “ସ୍ମୃତିରେ ଜୟନ୍ତ ମହାପାତ୍ର” ଶୀର୍ଷକରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି।

ଏହି ସଭାରେ ବିଶିଷ୍ଠ ସାହିତ୍ୟିକ ତଥା ଜାତୀୟ କବି ବୀରକିଶୋର ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଗୋପରଞ୍ଜନ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସ୍ବର୍ଗତଃ ମହାପାତ୍ରଙ୍କର ଅନନ୍ୟ ବ୍ୟକ୍ତିତ୍ୱ, ଅମଳିନ ସାହିତ୍ୟ କୃତି ଏବଂ ତାଙ୍କ ସହ ବିତେଇଥିବା ଅବିସ୍ମରଣୀୟ ମୁହୂର୍ତ୍ତ ବିଷୟରେ ସ୍ମୃତି ଚାରଣ କରିଥିଲେ । ବୃତ୍ତିରେ ଭୌତିକ ବିଜ୍ଞାନର ଅଧ୍ୟାପକ ହୋଇ ମଧ୍ୟ ଭାଷା ସାହିତ୍ୟ ପ୍ରତି ପ୍ରଗାଢ଼ ଅନୁରକ୍ତି ଏବଂ ଜୀବନର ପ୍ରେମ, ବିରହ, ସ୍ମୃତି ଓ ସାମାଜିକ ମୂଲ୍ୟବୋଧକୁ ତାଙ୍କ କବିତା ମାଧ୍ୟମରେ ପରିପ୍ରକାଶ କରି ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ସାହିତ୍ୟ ପ୍ରତି ତାଙ୍କର ଅବଦାନ ଅତୁଳନୀୟ । ତାଙ୍କ ରଚିତ କବିତା ମଧ୍ୟରେ ବିଶେଷ ଭାବରେ ‘କଟକ’ ପ୍ରତି ଥିବା ଅହେତୁକ ଭଲ ପାଇବାକୁ ଦର୍ଶାଇବା ସହ ତାଙ୍କର ଅନେକ କବିତା ଯଥା :- ‘ଗପଟିଏ ଆରମ୍ଭରେ’, ‘ଖରା’ ଏବଂ ‘ପଞ୍ଚାନବେ ବର୍ଷ ପୁରିଯିବ ମୋତେ ଏଇ ଆସନ୍ତା ଆଶ୍ୱିନକୁ’ ଆଦି କବିତା ସମୂହକୁ ମୁଖ୍ୟ ଅତିଥି ଶ୍ରୀ ମିଶ୍ର ବ୍ୟାଖ୍ୟା କରିଥିଲେ।

ଏହା ସହ ସ୍ଵର୍ଗତଃ ମହାପାତ୍ରଙ୍କ କେତେକ ନିର୍ବାଚିତ କବିତାକୁ ଶ୍ରୀ ମିଶ୍ର ଇଂରାଜୀ ଭାଷାରେ ଅନୁବାଦ କରି ‘ବୀର୍ଡ୍ସ ଅଫ ୱାଟର’ ନାମରେ ଏକ ପୁସ୍ତକ ପ୍ରକାଶିତ ହୋଇଥିବାର ସୂଚନା ପ୍ରଦାନ କରିବ ସହ ଛାତ୍ରୀମାନଙ୍କର ଅନେକ ପ୍ରଶ୍ନର ଉତ୍ତର ରଖି ତାଙ୍କୁ ‘ ଖଟିକି ପଢିବା ଏବଂ ମଜାରେ ପଢିବା ପାଇଁ ‘ ଅନୁପ୍ରାଣିତ କରିଛନ୍ତି। ଇତିଶ୍ରୀ ଷଡ଼ଙ୍ଗୀଙ୍କ ସମ୍ପାଦନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା ସବାହତ ତବ୍ରିଜ଼ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ଛାତ୍ରୀମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.