ନୂଆଦିଲ୍ଲୀ: ଇଂଲଣ୍ଡର ଷ୍ଟାର ବ୍ୟାଟର ଜୋସ୍ ବଟଲର୍ ଟି୨୦ କ୍ରିକେଟ ଇତିହାସରେ ସବାଧିକ ରନ୍ ହାସଲକାରୀ ବ୍ୟାଟର ହୋଇଛନ୍ତି । ୱେଷ୍ଟଇଣ୍ଡିଜର ପୂର୍ବତନ ଅଧିନାୟକ କିରୋନ୍ ପୋଲାର୍ଡଙ୍କ ଦୀର୍ଘଦିନର ରେକର୍ଡକୁ ଭାଙ୍ଗି ସେ ଏହି କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ବଟଲର୍ ଏପର୍ଯ୍ୟନ୍ତ ୫୨୨ ଟି୨୦ ମ୍ୟାଚ୍ରୁ ୧୪,୮୩୩ ରନ୍ ସଂଗ୍ରହ କରି ଶୀର୍ଷରେ ପହଞ୍ଚିଛନ୍ତି । ପୂର୍ବରୁ କିରୋନ୍ ପୋଲାର୍ଡ ୭୪୬ଟି ମ୍ୟାଚ୍ରୁ ୧୪,୮୦୩ ରନ୍ କରି ପ୍ରଥମ ସ୍ଥାନରେ ଥିଲେ । ଦି ହଣ୍ଡ୍ରେଡ୍ ଲିଗରେ ମାଞ୍ଚେଷ୍ଟର ସୁପର ଜାଏଣ୍ଟସ ପକ୍ଷରୁ ମାତ୍ର ୨୦ ବଲ୍ରୁ ୫୧ ରନ୍ର ବିସ୍ଫୋରକ ଇନିଂସ ଖେଳିଛନ୍ତି । ବିଶ୍ୱ ରେକର୍ଡ ପରେ ୩୪ ବର୍ଷୀୟ ବଟଲର୍ ଭାରତର ୧୫ ବର୍ଷୀୟ ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀଙ୍କର ଭୂୟସୀ ପ୍ରଶଂସା କରିଛନ୍ତି ।
ଟି୨୦ କ୍ରିକେଟରେ ସବାଧିକ ରନ୍ ହାସଲକାରୀ ହେବା ଏକ ଚମତ୍କାର ଅନୁଭୂତି । କିନ୍ତୁ ଦିନେ ନା ଦିନେ କେହି ଜଣେ ଏହି ରେକର୍ଡ ନିଶ୍ଚୟ ଭାଙ୍ଗିବ । ମୋତେ ଲାଗୁଛି ସେହି ଖେଳାଳି ହୁଏତ ଭାରତର ୧୫ ବର୍ଷୀୟ ଯୁବ ବ୍ୟାଟର ବୈଭବ ହୋଇପାରନ୍ତି । ବିଗତ କିଛି ମାସର ଖରାପ ଫର୍ମ ବିଷୟରେ ବଟଲର୍ କହିଛନ୍ତି ଯେ, କ୍ରିକେଟରେ ସମୟ ଖୁବ୍ଶୀଘ୍ର ବଦଳିଥାଏ । କିଛି ମାସ ତଳେ ସେ ରନ୍ ପାଇଁ ସଂଘର୍ଷ କରୁଥିବା ବେଳେ ଏବେ କ୍ୟାରିୟରର ଶ୍ରେଷ୍ଠ ବ୍ୟାଟିଂ ଅନୁଭବ କରୁଛନ୍ତି । ଖରାପ ସମୟରେ ହାର ନମାନି କଠିନ ପରିଶ୍ରମ ଜାରି ରଖିବା ହିଁ ସଫଳତାର ଚାବିକାଠି । ବଟଲର୍ ପ୍ରକାଶ କରିଛନ୍ତି ଯେ ଲଣ୍ଡନ ବିପକ୍ଷ ଗତ ମ୍ୟାଚ୍ରେ ପୋଲାର୍ଡ ଡଗ୍ଆଉଟ୍ରେ ଥିବା ବେଳେ ସେହି ମ୍ୟାଚ୍ରେ ହିଁ ରେକର୍ଡ ଭାଙ୍ଗିବାକୁ ସେ ଚାହୁଁଥିଲେ । ବିଶ୍ୱର ମହାନ ଖେଳାଳିଙ୍କ ତାଲିକାରେ ଶୀର୍ଷରେ ପହଞ୍ଚିବା ତାଙ୍କ ପାଇଁ ଗୌରବର ବିଷୟ ।