ନୂଆଦିଲ୍ଲୀ: ନିକଟରେ ବାଙ୍କିପୁର ଉପନିର୍ବାଚନରେ ଐତିହାସିକ ବିଜୟ ହାସଲ କରିବା ପରେ ଜନସୁରାଜ ପାର୍ଟିର ପ୍ରତିଷ୍ଠାତା ତଥା ବିଧାୟକ ପ୍ରଶାନ୍ତ କିଶୋର ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ନିଜର ରାଜନୈତିକ ରଣନୀତି ପାଇଁ ଦେଶବ୍ୟାପୀ ପରିଚିତ ଥିବା ପ୍ରଶାନ୍ତ କିଶୋର (ପିକେ) ଏବେ ଦିଲ୍ଲୀର Gen Z ଆନ୍ଦୋଳନକୁ ନେଇ ଏକ ବଡ଼ ଦାବି କରିଛନ୍ତି। ଯେଉଁ ଆନ୍ଦୋଳନର ଚାପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା, ତାହା କେବଳ ଏକ ଆରମ୍ଭ ମାତ୍ର ବୋଲି ସେ କହିଛନ୍ତି। ଭବିଷ୍ୟତରେ ଏହି ଆନ୍ଦୋଳନ ଏକ ବିରାଟ ରୂପ ନେବ ଏବଂ ଏହା ସରକାରଙ୍କ ପାଇଁ ଏକ ବଡ଼ ବିପଦର ଘଣ୍ଟି ବୋଲି ସେ ସତର୍କ କରାଇ ଦେଇଛନ୍ତି।
‘ଡିକୋଡର୍’ ସହ କଥାବାର୍ତ୍ତା ବେଳେ ଜେନ୍-ଜି ଭାରତର ରାଜନୈତିକ ଚିତ୍ର ବଦଳାଇ ପାରିବେ କି ନାହିଁ ବୋଲି ପ୍ରଶ୍ନର ଉତ୍ତର ରଖି ପିକେ ଏହି ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନର ଯୁବପିଢ଼ି ଇନଷ୍ଟାଗ୍ରାମ୍ ଭଳି ସୋସିଆଲ୍ ମିଡିଆ ପ୍ଲାଟଫର୍ମକୁ ନିଜର ପ୍ରମୁଖ ଅସ୍ତ୍ର ଭାବରେ ବ୍ୟବହାର କରୁଛନ୍ତି। ପୂର୍ବରୁ ଯେପରି ଟିଭି ଏବଂ ହ୍ୱାଟ୍ସଆପ୍ ଯୋଗାଯୋଗର ଏକ ଶକ୍ତିଶାଳୀ ମାଧ୍ୟମ ଥିଲା, ଆଜିର ଯୁବବର୍ଗ ଇନଷ୍ଟାଗ୍ରାମକୁ ସେହିଭଳି ଗ୍ରହଣ କରିଛନ୍ତି। ତେବେ କେବଳ ସୋସିଆଲ୍ ମିଡିଆ କୌଣସି ଆନ୍ଦୋଳନକୁ ସଫଳ କରେନାହିଁ, ବରଂ ଆନ୍ଦୋଳନକାରୀଙ୍କ ବାର୍ତ୍ତା ଓ ପ୍ରସଙ୍ଗ ଲୋକଙ୍କ ସହ କେତେ ଦୃଢ଼ ଭାବେ ଯୋଡ଼ି ହୋଇପାରୁଛି, ତାହା ହିଁ ପ୍ରକୃତ ରାଜନୈତିକ ପରିବର୍ତ୍ତନ ଆଣିଥାଏ।
ଏହି ନୂତନ ଯୁବ ଜାଗରଣକୁ ଅତୀତର ଐତିହାସିକ ଆନ୍ଦୋଳନଗୁଡ଼ିକ ସହ ତୁଳନା କରି ପ୍ରଶାନ୍ତ କିଶୋର ଏକ ବଡ଼ ଉଦାହରଣ ଦେଇଛନ୍ତି। ଆନ୍ନା ହଜାରେଙ୍କ ଦୁର୍ନୀତି ବିରୋଧୀ ଆନ୍ଦୋଳନ କଥା ମନେ ପକାଇ ସେ କହିଛନ୍ତି ଯେ, ୟୁପିଏ ସରକାର ଅମଳରେ ଆରମ୍ଭ ହୋଇଥିବା ଆନ୍ନା ଆନ୍ଦୋଳନ ତୁରନ୍ତ ଫଳପ୍ରଦ ହୋଇନଥିଲା, ବରଂ ଏହାକୁ ଶୀର୍ଷରେ ପହଞ୍ଚିବା ପାଇଁ ୩ ବର୍ଷ ଲାଗିଥିଲା। ସେହିଭଳି ଦିଲ୍ଲୀର ଏହି ନୂଆ ଯୁବ ଆନ୍ଦୋଳନର ପ୍ରଭାବ ସଙ୍ଗେ ସଙ୍ଗେ ନଦିଶିଲେ ମଧ୍ୟ ଆସନ୍ତା ଦେଢ଼ରୁ ଦୁଇ ବର୍ଷ ମଧ୍ୟରେ ଏହାର ଅସଲ ପ୍ରଭାବ ଦେଖିବାକୁ ମିଳିବ। ଏହି ଆନ୍ଦୋଳନର ମୁଖ୍ୟ ପର୍ଯ୍ୟାୟ ଆସିବା ଏବେ ବି ବାକି ଅଛି ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ଜନ୍ତରମନ୍ତରରେ ଏକତ୍ରିତ ହୋଇଥିବା ଲକ୍ଷ ଲକ୍ଷ ଯୁବକ ପ୍ରମାଣ କରିଦେଇଛନ୍ତି ଯେ, ଯଦି ଜନତା ଏକଜୁଟ ହୁଅନ୍ତି, ତେବେ ସରକାରଙ୍କୁ ମଧ୍ୟ ମୁଣ୍ଡ ନୁଆଁଇବାକୁ ବାଧ୍ୟ କରାଯାଇପାରିବ। ପିକେ ସ୍ପଷ୍ଟ କରିଛନ୍ତି ଯେ, “ଜନ୍ତରମନ୍ତରରେ ଯେଉଁ ଆନ୍ଦୋଳନ ହେଲା ତାହା ଶେଷ ହୋଇଯାଇଛି ବୋଲି ଭାବିବା ଏକ ବିରାଟ ଭୁଲ୍। ଆଗକୁ ଏହା ଆହୁରି ବ୍ୟାପକ ହେବ, କିନ୍ତୁ କେଉଁ ପ୍ରସଙ୍ଗକୁ ନେଇ ଏହାର ସ୍ୱରୂପ କଣ ହେବ ତାହା ଏପର୍ଯ୍ୟନ୍ତ କାହାକୁ ଜଣାନାହିଁ।”
ଏଥିସହ ସେ କେନ୍ଦ୍ର ସରକାରଙ୍କୁ ଇଙ୍ଗିତ କରି କହିଛନ୍ତି ଯେ, ସରକାର ମଧ୍ୟ ଆମ ଠାରୁ ଭଲଭାବେ ଜାଣିଛନ୍ତି ଯେ ଏହି ଆନ୍ଦୋଳନ ସେମାନଙ୍କ ପାଇଁ କେତେ ବଡ଼ ବିପଦ। ଜଣେ ସଫଳ ନିର୍ବାଚନ ରଣନୀତିକାର ଭାବେ ପ୍ରଶାନ୍ତ କିଶୋରଙ୍କ ଏହି ସତର୍କବାଣୀ ଏବେ ଜାତୀୟ ରାଜନୀତିରେ ନୂଆ ଚର୍ଚ୍ଚ ସୃଷ୍ଟି କରିଛି।