Latest Odisha News

BREAKING NEWS

ଦିନେ ପିଆନୋ ତିଆରି କରୁଥିଲା ୟାମାହା, ଏଭଳି ବାଇକ ନିର୍ମାଣରେ ପାଦ ଦେଲା କମ୍ପାନୀ

ନୂଆଦିଲ୍ଲୀ: ସ୍ୱତନ୍ତ୍ର ଷ୍ଟାଇଲ ସାଙ୍ଗକୁ ଦମଦାର ପିକଅପ ପାଇଁ ଅନେକ ବାଇକପ୍ରେମୀ ୟାମାହା ବାଇକକୁ ପସନ୍ଦ କରନ୍ତି । ତେବେ ଆପଣ ଜାଣିଛନ୍ତି କି ପୂର୍ବରୁ ଏହି କମ୍ପାନୀ ବାଇକ ନୁହେଁ ସଂଗୀତ ପାଇଁ ବ୍ୟବହୃତ ବିଭିନ୍ନ ବାଦ୍ୟଯନ୍ତ୍ର ନିର୍ମାଣ କରୁଥିଲା ଓ ପରେ ଏହା ବାଇକ ଦୁନିଆରେ ପ୍ରବେଶ କରିଥିଲା । ଏହି କମ୍ପାନୀ ଉନବିଂଶ ଶତାବ୍ଦୀରୁ ପିଆନୋ ଏବଂ ଆନୁଷଙ୍ଗିକ ବାଦ୍ୟଯନ୍ତ୍ର ତିଆରି କରୁଥିଲା ଆଉ ଏହାପରେ ୟାମାହା ଅଟୋମୋବାଇଲ୍ ବଜାରରେ ପ୍ରବେଶ କଲା । ଆଜି ଆମେ ଆପଣଙ୍କୁ ପିଆନୋରୁ ବାଇକ ନିର୍ମାଣର ଯାତ୍ରା ବାବଦରେ କହିବୁ । ଟୋରାକୁସୁ ୟାମାହାଙ୍କର ଜନ୍ମ ୧୮୫୧ ମସିହାରେ ହୋଇଥିଲା । ସେ ପିଲାଦିନରୁ ଘଣ୍ଟା ତିଆରି କାର୍ଯ୍ୟ ଶିଖିଥିଲେ । ୧୮୯୦ ମସିହାରେ ସେ ନିପନ୍ ଗିକ୍କି କମ୍ପାନୀ ସହିତ ମିଶି ପିଆନୋ ଓ ବାଦ୍ୟଯନ୍ତ୍ର ତିଆରି କରିବା ଆରମ୍ଭ କଲେ । ତେବେ ୧୯୧୬ ମସିହାରେ ଟୋରାକୁସୁଙ୍କର ମୃତ୍ୟୁ ହୋଇଯାଇଥିଲା । ୧୯୧୬ରୁ ୧୯୫୦ ପର୍ଯ୍ୟନ୍ତ, ୟାମାହା କମ୍ପାନୀର ଅନେକ ସଭାପତି ଥିଲେ। କିନ୍ତୁ ୧୯୫୦ ମସିହାରେ ଗେନିଚି କାୱାକାମି ୟାମାହାର ସଭାପତି ହୋଇଥିଲେ ।

୧୯୫୩ ମସିହାରେ, ଦ୍ୱିତୀୟ ବିଶ୍ୱଯୁଦ୍ଧର ପ୍ରାୟ ୮ ବର୍ଷ ପରେ, ସେ ଅନୁଭବ କରିଥିଲେ ଯେ ବର୍ତ୍ତମାନ ସମୟରେ ପିଆନୋ ଅପେକ୍ଷା ତାଙ୍କ ଦେଶ ଏକ ଭଲ, ଦ୍ରୁତ ଅଟୋମୋବାଇଲ ଆବଶ୍ୟକ କରେ । ସେତେବେଳେ ଜାପାନରେ ଚାଲିଥିବା ବାଇକଗୁଡ଼ିକ ଆମେରିକାର କମ୍ପାନୀ ହାର୍ଲି ଡେଭିଡସନର ଥିଲା। ଏଥିରୁ ପ୍ରେରଣା ନେଇ ଗେନିଚି କାୱାକାମି ୟାମାହା ମୋଟର କମ୍ପାନୀ ଗଠନ କରି ଅଟୋମୋବାଇଲ ସେକ୍ଟରରେ ପ୍ରବେଶ କରିଥିଲେ। ୧୯୫୫ ମସିହାରେ ୟାମାହା ଏହାର ପ୍ରଥମ ବାଇକ୍, ୱାଇଏ-୧ ଲଞ୍ଚ କରିଥିଲା। ଆଉ ଏହି ବାଇକ ଲୋକପ୍ରିୟ ହୋଇଥିଲା । ଏହା ପରେ ୟାମାହା ଆଉ ପଛକୁ ଫେରିନଥିଲା । ୧୯୫୭ରେ କମ୍ପାନୀ ୱାଇଏ-୨ ​​ଯାହାକି ୨ ଷ୍ଟ୍ରୋକ ସିଙ୍ଗଲ ସିଲିଣ୍ଡରରେ ୨୫୦ ସିସି ବାଇକ୍ ଥିଲା । ୧୯୫୮ ମସିହାରେ, ୟାମାହା ୱାଇଏ-୧ ବାଇକ୍ ଆମେରିକାରେ ମଧ୍ୟ ବିକ୍ରି ଆରମ୍ଭ କଲା । ଲୋକମାନେ ଏହି ୟାମାହା ବାଇକକୁ ବହୁତ ପସନ୍ଦ କରିଥିଲେ । ଏହା ପରେ, ୟାମାହା କମ୍ପାନୀ ଏସିଆ, ୟୁରୋପ ଏବଂ ଦକ୍ଷିଣ ଆମେରିକାର ବଜାରରେ ମଧ୍ୟ ଲୋକପ୍ରିୟ ହେଲା ଏବଂ ଦୁନିଆର ଶ୍ରେଷ୍ଠ ଦୁଇ ଚକିଆ ଅଟୋମୋବାଇଲ୍ କମ୍ପାନୀ ହୋଇପାରିଥିଲା ।

Leave A Reply

Your email address will not be published.