Latest Odisha News

BREAKING NEWS

ବ୍ରହ୍ମପୁର ଉପକଣ୍ଠରେ ୮ଟିକିଆ ହାତୀପଲ

ବ୍ରହ୍ମପୁର: କୁକୁଡ଼ାଖଣ୍ଡି ବ୍ଲକର ଦକ୍ଷିଣପୁର ଘାଇ ପାଖରେ ୮ ଟିକିଆ ହାତୀପଲ ବୁଲାବୁଲି କରୁଛନ୍ତି । ଏହି ହାତୀପଲକୁ ନେଇ ଆଖାପାଖର ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି । ବିଶେଷକରି ଫସଲ ନଷ୍ଟ ଏବଂ ହାତୀପଲର ଜନବସତି ମୁହାଁକୁ ନେଇ ସେମାନେ ନାନା ଆଶଙ୍କାରେ ରହିଛନ୍ତି । ଅପରପକ୍ଷେ ବନ ବିଭାଗ ମଧ୍ୟ ସଜାଗ ରହିଛି । ଏକ ଟିମ୍‌ ହାତୀକୁ ଚାରି ପଟରୁ ଜଗି ରହିଛି ।

ପ୍ରାପ୍ତ ସୂଚନା ଅନୁଯାୟୀ, ସୋମବାର ରାତିରେ ଏହି ହାତୀପଲ ଦକ୍ଷିଣପୁର ଘାଇ ଅଞ୍ଚଳକୁ ଆସିଥିବା ଅନୁମାନ କରାଯାଉଛି । କାରଣ ଏମାନେ ମୁଖ୍ୟତଃ ଟାମଣା ଜଙ୍ଗଲରେ ବୁଲାବୁଲି କରିଥାନ୍ତି। କିନ୍ତୁ ଖାଦ୍ୟ ଏବଂ ପାନୀୟ ଜଳ ସନ୍ଧ୍ୟାନରେ ସୋମବାର ରାତିରେ ଆସିଥିବା କୁହାଯାଉଛି । ହାତୀଙ୍କ ଗତିବିଧିକୁ ଟ୍ରାକ୍‌ କରିବା ପାଇଁ ବନ ବିଭାଗର ଏକ ସ୍ବତନ୍ତ୍ର ଟିମ୍‌ ସର୍ବଦା ସେଇ ଅଞ୍ଚଳରେ ରହିଥାନ୍ତି ।

ରବିବାର ରାତିରେ ବନ କର୍ମଚାରୀମାନେ ହାତୀ ପଲକୁ ଦେଖିବା ପରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ । ସୋମବାର ବ୍ରହ୍ମପୁର ରେଞ୍ଜର ଏକ ଟିମ୍‌ ଦିନ ତମାମ୍‌ ଦକ୍ଷିଣପୁର ଘାଇ ପାଖରେ ହାତୀ ପଲକୁ ଜଗି ରହିଥିଲେ । ଶେଷ ଖବର ଲେଖାହେବା ସୁଦ୍ଧା ହାତୀପଲ ସେଠାରେ ହିଁ ରହିଥିବା ସୂଚନା ମିଳିଛି ।

ଅପର ପକ୍ଷେ ହାତୀପଲକୁ ନେଇ ଅଞ୍ଚଳରେ ଏକ ପ୍ରକାର ଭୟର ବାତାବରଣ ଦେଖାଦେଇଛି । କାରଣ ଘାଇ ପାଖ ଅଞ୍ଚଳରେ କୁଣ୍ଠବନ୍ଧ, ଅନନ୍ତେଇ, ଲଙ୍ଗଳଦେଈ, ଭଗବାନପୁର ଏବଂ ଦକ୍ଷିଣପୁର ଗ୍ରାମ ରହିଛି । ହାତୀ ଯେମିତି ଜନ ବସତି ମୁହଁ ନହୁଏ, ସେଦିଗରେ ବନ ବିଭାଗ ତତ୍ପର ରହିବାକୁ ଗ୍ରାମବାସୀ ନିବେଦନ କରିଛନ୍ତି।

ସୂଚନା ଯୋଗ୍ୟ ଯେ, ଅନ୍ୟ ଏକ ହାତୀପଲ ନିୟମିତ ବ୍ୟବଧାନରେ ଏହି ଅଞ୍ଚଳକୁ ଯିବାଆସିବା କରିଥାନ୍ତି । କିନ୍ତୁ ଅନେକ ମାସ ପରେ ଟାମଣା ପଟରୁ ଏହି ହାତୀପଲ ଦକ୍ଷିଣପୁରକୁ ଆସିଥିବା ଅଞ୍ଚଳବାସୀଙ୍କ ସୂତ୍ରରୁ ପ୍ରକାଶ। ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଅମ୍ଳାନ ନାୟକ କହିଛନ୍ତି ଯେ, ପ୍ରତିବର୍ଷ ଟାମଣା ଜଙ୍ଗଲରୁ ହାତୀମାନେ ପାଣି ପାଇଁ ଦକ୍ଷିଣପୁର ଘାଇକୁ ଆସିଥାନ୍ତି । ପରେ ଫେରିଯାଇଥାନ୍ତି । ଚଳିତ ଥର ଫେରି ନାହାନ୍ତି । ରହିଯାଇଛନ୍ତି । ଘୋଉଡ଼ାଇବା ପାଇଁ ଉଦ୍ୟମ ଚାଲିଥିବା ପ୍ରକାଶ କରିଛନ୍ତି।

Leave A Reply

Your email address will not be published.